Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲୋଚାପଡ଼ାରେ ପାନୀୟଜଳ ସମସ୍ୟା ନେଇ ବିଜେପିର ରାସ୍ତାରୋକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ପାଣି ସମସ୍ୟା ଥିଲେ ମଧ୍ୟ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଲୋକେ ପାଟି ମୁନ୍ଦାଏ ପାଇଁ ଡ଼ହଳବିକଳ ହେଉଛନ୍ତି। ଲୋଚାପଡ଼ା ପଞ୍ଚାୟତାରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାବେଳେ ବିଜେପି ପକ୍ଷରୁ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ହୋଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମଳୁଥିଲା। କିନ୍ତୁ ପ୍ରତିଶ୍ରୁତି ପାଳନ ନହେବାରୁ ଆଜି ୩ ଘଣ୍ଟା ଧରି ବ୍ରହ୍ମପୁର-ଲୋଚାପଡ଼ା ହନୁମାନ ମନ୍ଦିର ମୁଖ୍ୟରାସ୍ତାକୁ ଟାୟାର ଜାଳି ବିଜେପି ପକ୍ଷରୁ ବିଜେପି ଜିଲ୍ଲା ପରିଷଦ ଏଲ୍‌. ମୋହନ ରାଓଙ୍କ ନେତୃତ୍ୱରେ ଅବରୋଧ କରାଯାଇଥିଲା। ରାସ୍ତା ଅବରୋଧ ଫଳରେ ଉଭୟ ଦିଗରେ ଶହଶହ ଗାଡ଼ି ମଟର ଅଟକି ରହିଥିଲା। ଏହାସହ ଏହି ରାସ୍ତାଟିର ଅବସ୍ଥା ଅତି ଶୋଚନୀୟ ହୋଇନଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ ଏହି ରାସ୍ତାଦେଇ ପ୍ରତ୍ୟେକ ଦିନ ଶହଶହ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ୧୫ ଖଣ୍ଡ ଗ୍ରାମବାସୀ ନିର୍ଭର କରନ୍ତି। ତିନିଘଣ୍ଟା ରାସ୍ତାରୋକ ପରେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିନଥିଲା। ଶେଷରେ ହିଂଜିଳିକାଟୁ ଆର୍‌ଡ଼ବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀ ମନସ୍ମୀନି ମହାପାତ୍ରଙ୍କ ସହ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ବେହେରା ପହଞ୍ଚି ଟ୍ୟାଙ୍କର ଯୋଗେ ପାଣି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରି ପ୍ରତ୍ୟେକ ଦିନ ୧୦ଟି ଟ୍ୟାଙ୍କର ଯୋଗେ ଲୋଚାପଡ଼ା ପଞ୍ଚାୟତକୁ ପାଣି ଯୋଗାଇ ଦିଆଯିବା ନେଇ ଦାବି କରିବା ସହ ଏହି ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।

ଏହି ରାସ୍ତାରୋକ କାର୍ଯ୍ୟକ୍ରମରେ ବିଜେପି କର୍ମୀ ଓ ନେତା ସୂର୍ଯ୍ୟମଣି ପାତ୍ର, ଏସ୍‌. ଶ୍ରୀନିବାସ ରାଓ, ଶିବ ପ୍ରସାଦ ପାତ୍ର, ଚିନ୍ମୟାନନ୍ଦ ମହନ୍ତ, ସିଦ୍ଧାନ୍ତ ଗଙ୍ଗଦେବ, ଏସ୍‌. ରାଣୀ, ନିମଖଣ୍ଡି ମଣ୍ଡଳର ଯୁବ ନେତା କେ. ଲକ୍ଷ୍ମଣ ପାତ୍ର, କେ. ଚନ୍ଦ୍ର ଶେଖର ଦାସ, ପ୍ରଭାତ ଷଡ଼ଙ୍ଗୀ, କିରଣ କୁମାର ପ୍ରମୁଖ ନେତାଙ୍କ ସହ ବହୁ ଅଂଚଳବାସୀ ଭାଗ ନେଇଥିଲେ।