Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ବାତ୍ୟା ରାଜନୀତି, ବିଜେପି କହିଲା ସରକାର ଫେଲ, କେନ୍ଦ୍ରୀୟ ଟିମ କହିଲା ପାଶ୍

ଭୁବନେଶ୍ବର, ବାତ୍ୟା ୟଶ ଯାହା କ୍ଷତି କରିଛି ତାହା ଭିନ୍ନ କଥା। ହେଲେ ଏହାକୁ ନେଇ ରାଜନୈତିକ ବୟାନବାଜି ବଢିବାରେ ଲାଗିଛି। ଏହିପରି ଏକ ଘଟଣା ରାଜ୍ୟ ବିଜେପିରେ ପରିଲକ୍ଷିତ ହୋଇଛି। ଯାହା ଫଳରେ ଦଳକୁ ସାଧାରଣରେ ଲୋକହସିତ ହେବାକୁ ପଡିଛି।

ଘଟଣାଟି ହେଲା ବାତ୍ୟା ୟଶ କ୍ଷୟକ୍ଷତି ଦେଖିବା ପାଇଁ 7 ଜଣିଆ କେନ୍ଦ୍ରୀୟ ଟିମ ଓଡିଶା ଆସିଥିଲେ। ସେମାନେ ବିଭିନ୍ନ ପ୍ରଭାବିତ ଜିଲ୍ଲା ଦେଖି ସେମାନଙ୍କ ହିସାବରେ ଆକଳନ କରିଥିଲେ। ଏହି ଟିମକୁ ଭୁବନେଶ୍ବରରେ ବିଜେପିର ଏକ ପ୍ରତିନିଧି ଦଳ ଭେଟିବାକୁ ଯାଇଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସଭାପତି ସମୀର ମହାନ୍ତିଙ୍କ ସହ ଆଉ କିଛି ନେତା ସାମିଲ ଥିଲେ।

ଭୁବନେଶ୍ବରର ସରକାରୀ ଅତିଥୀ ଭବନରେ ସେମାନଙ୍କୁ ବିଜେପି ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ସେଥିରେ ରାଜ୍ୟ ବିଜେପି 10ଟି ଦାବୀ କେନ୍ଦ୍ରୀୟ ଦଳ ନିକଟରେ ରଖିଥିଲା। ସେହି 10ଟି ମଧ୍ୟରୁ ସାତୋଟି ଦାବୀ ରହିଛି ରାଜ୍ୟ ସରକାର କେତେକ ବର୍ଗକୁ ସହାୟତା ପ୍ରଦାନ କରନ୍ତୁ। ହେଲେ ପ୍ରଥମ ତିନୋଟି ଦାବୀ ସଂପର୍କରେ ଜାଣିଲେ ଏହା ସ୍ପଷ୍ଟ ହେବ ଯେ, ବିଜେପି କେବଳ ରାଜନୀତି ବ୍ୟତିତ ଆଉ କିଛି କରୁ ନାହିଁ।

ଦାବୀ ନମ୍ବର ଏକ ହେଉଛି ଯେ ପ୍ରଭାବିତ ଅଞ୍ଚଳବାସୀଙ୍କୁ ରାଜ୍ୟ ସରକାର ମୌଳିକ ସେବା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଦାବୀ ନମ୍ବର ଦୁଇ ହେଉଛି ପ୍ରକୃତ କ୍ଷୟକ୍ଷତି ଆକଳନ କରିବା ପାଇଁ ରାଜ୍ୟ ପ୍ରଶାସନିକ ଅଧିକାରୀ ଏ ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳକୁ ଯାଇ ନାହାଁନ୍ତି। ଦାବୀ ନମ୍ବର ତିନି ହେଉଛି ବାତ୍ୟା ପୂର୍ବରୁ ରାଜ୍ୟ ସରକାର କୌଣସି ପ୍ରାକ ପ୍ରସ୍ତୁତି କରି ନ ଥିଲେ।

ଏହି ତିନୋଟି ଦାବୀ ଏଇଥି ପାଇଁ ମଜଦାର ବୋଲି କୁହାଯିବ କାରଣ କେନ୍ଦ୍ରୀୟ ଟିମ ରୋକଠୋକ ଭାବେ ଏସବୁ ନାକଚ କରିଦେଲେ। କେନ୍ଦ୍ରୀୟ ଦଳ ରାଜ୍ୟ ସରକାରଙ୍କ ସହିତ ଆଲୋଚନାରେ ଯାହା କହିଲେ ତାହା ଗଣମାଧ୍ୟମରେ ପ୍ରକାଶ କରାଯାଇଛି। ସେହି ଅନୁସାରେ କେନ୍ଦ୍ରୀୟ ଟିମ ବାତ୍ୟା ପରିଚାଳନାରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ବେଶ୍ ପ୍ରଶଂସା କରିଛନ୍ତି। ଏଥିସହିତ ରାଜ୍ୟ ସରକାର ବାତ୍ୟା ପୂର୍ବରୁ ଲୋକଙ୍କୁ ଠିକ ଭାବେ ସୂଚନା ଦେବା ସହିତ ସ୍ଥାନାନ୍ତରିତ ମଧ୍ୟ କରିଥିଲେ। ରାଜ୍ୟ ସରକାରଙ୍କ ଉପଯୁକ୍ତ ପଦକ୍ଷେପ ଯୋଗୁଁ ବହୁ ଧନଜୀବନ ରକ୍ଷା ପାଇଥିଲା ବୋଲି କେନ୍ଦ୍ରୀୟ ଟିମ ସ୍ବୀକାର କରିଛନ୍ତି।

କେନ୍ଦ୍ରୀୟ ଟିମଙ୍କ ଏପରି ବିବୃତି ପରେ ରାଜ୍ୟ ବିଜେପି ତରଫରୁ ଆଉ କେହି କିଛି କହି ନାହାଁନ୍ତି। ତେଣୁ ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ନିତିକୁ ବିରୋଧ କରିବା ନାଁ ରେ ବିଜେପି ଲୋକ ହସିତ ହେଉ ନାହିଁ କି ? ବିରୋଧୀ ଦଳ ଭାବେ ବିରୋଧ କରିବା ନାଁ ରେ ଯାହା ନାହିଁ ତାହା ଲେଖି ଦେବା କେତେଦୂର ଠିକ ?

କେବଳ କେନ୍ଦ୍ରୀୟ ଟିମ ନୁହେଁ, ଏହା ପୂର୍ବରୁ ଖୋଦ୍ ପ୍ରଧାନମନ୍ତ୍ରୀ ସମୀକ୍ଷା କରି ଯାଇଛନ୍ତି। ସେ ମଧ୍ୟ ରାଜ୍ୟ ସରକାରଙ୍କ ବାତ୍ୟା ମୁକାବିଲାକୁ ପ୍ରଶଂସା କରିଛନ୍ତି। ଏପରି ପରିସ୍ଥିତିରେ  ସରକାର କିଛି କରିପାରୁ ନାହାଁନ୍ତି, ସବୁଥିରେ ଫେଲ ବୋଲି କହିବାକୁ ସାଧାରଣ ଲୋକେ କେତେ ଦୂର ଗ୍ରହଣ କରିବେ ତାହା ପ୍ରଶ୍ନବାଚୀ। ତେଣୁ ବିଜେପି, ବାତ୍ୟା ମୁକାବିଲା ନୁହେଁ, ବିଜେଡି ମୁକାବିଲାରେ ଫେଲ ମାରୁଛି।