Categories
ଆଜିର ଖବର

ନୂଆଦିଲୀରେ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମ: ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି ଓଡ଼ିଶା

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ଆରମ୍ଭ ହୋଇଛି ତିନିଦିନିଆ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ ୨୦୨୪’। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଅଧୀନରେ ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ ଏହି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ କରାଯାଉଛି। ଏହା ୧୪ ତାରିଖ ଯାଏଁ ଚାଲିବ।

ଏହି କାର୍ଯ୍ୟକ୍ରମରେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ନେଇ ବିଭିନ୍ନ ବୈଷୟିକ ସମ୍ମିଳନୀ ଓ ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଏଥିରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ସାମିଲ ହୋଇ ରାଜ୍ୟର ଅନନ୍ୟ ଜୈବ ସମ୍ବଳ ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ପ୍ରଦର୍ଶନ କରୁଛି।

ଗ୍ଲୋବାଲ ବାୟୋ-ଇଣ୍ଡିଆ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ ଖୋଲାଯାଇଛି। ଏହାକୁ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉଦଘାଟନ କରିଛନ୍ତି। ଏହି ପାଭିଲିୟନରେ ରାଜ୍ୟର ବିଭିନ୍ନ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶଗ୍ରହଣ କରି ସେମାନଙ୍କ ଅଭିନବ ଜ୍ଞାନକୌଶଳ ଓ ଉତ୍ପାଦକୁ ପ୍ରଦର୍ଶନ କରୁଛନ୍ତି।

‘‘ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାରେ ବିପୁଳ ସମ୍ଭାବନା ରହିଛି। ଘଞ୍ଚ ଜଙ୍ଗଲ, ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ହେନ୍ତାଳ ବଣ, ଚିଲିକା ହ୍ରଦ, ସୁଦୀର୍ଘ ବେଳାଭୂମି ଭଳି ପ୍ରାକୃତିକ ସମ୍ପଦ ରହିଛି। ଏହାକୁ ଆଧାରକରି ଆଗାମୀ ଦିନରେ ଓଡ଼ିଶାରେ କିପରି ବାୟୋଟେକ୍ନୋଲୋଜି ଶିଳ୍ପ ସ୍ଥାପନ ହୋଇପାରିବ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଆମେ ଦେଶ ବିଦେଶର ନିବେଶକମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରୁଛୁ’’, କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଏହି ଅବସରରେ ମନ୍ତ୍ରୀ ଓଡ଼ିଶା ପାଭିଲିୟନ ବୁଲି ଦେଖିବା ସହ ଷ୍ଟାର୍ଟଅପମାନଙ୍କ ଅଭିନବ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ ଯୋଗ ଦେଇଥିଲେ। ସେ କହିଥିଲେ, ‘‘ବାୟୋଟେକ୍ନୋଲୋଜି କ୍ଷେତ୍ରକୁ ଓଡ଼ିଶା ସରକାର ବିଶେଷ ଗୁରୁତ୍ୱ ଦେଇ ଆସୁଛନ୍ତି। ଏହି କ୍ଷେତ୍ରକୁ ଆଗକୁ ନେବା ପାଇଁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଛି। ବାୟୋଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ଓଡ଼ିଶାର ଷ୍ଟାର୍ଟଅପଗୁଡ଼ିକର ଅଭିନବ ଉତ୍ପାଦକୁ ପ୍ରୋତ୍ସାହନ ଦେବା ସହିତ ସେମାନଙ୍କୁ ନିବେଶକଙ୍କ ସହ ଯୋଡ଼ିବା ଲାଗି ଲକ୍ଷ୍ୟ ରଖାଯାଇଛି।’’

‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଏବଂ ବିଭିନ୍ନ ଷ୍ଟାର୍ଟଅପକୁ ନେଇ ଓଡ଼ିଶା ସରକାରଙ୍କ ଏକ ଟିମ୍ ଏହି କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି। ସେହିପରି ଓଡ଼ିଶାର ବାୟୋଟେକ୍ନୋଲୋଜି କ୍ଷେତ୍ରରେ କାମ କରୁଥିବା ବିଭିନ୍ନ ଉଚ୍ଚଶିକ୍ଷା ଓ ଗବେଷଣା ଅନୁଷ୍ଠାନର ମୁଖ୍ୟ ଓ ଅଧ୍ୟାପକମାନେ ଓଡ଼ିଶା ପାଭିଲିୟନ ବୁଲି ଦେଖିଛନ୍ତି।

ବାୟୋଟେକ୍ନାଲୋଜି ଶିଳ୍ପର ପ୍ରସାର ଲାଗି ବିଭିନ୍ନ ରାଜ୍ୟ ଆଣିଥିବା ସ୍ୱତନ୍ତ୍ର ନୀତି ତଥା ନିବେଶ କାର୍ଯ୍ୟକ୍ରମକୁ ନେଇ ‘ଗ୍ଲୋବାଲ ବାୟୋ-ଇଣ୍ଡିଆ’ କାର୍ଯ୍ୟକ୍ରମରେ ବିଭିନ୍ନ ଅଧିବେଶନ କରାଯାଉଛି। ୧୩ ତାରିଖ ଦିନ ହେବାକୁ ଥିବା ‘ଷ୍ଟେଟ୍ ରାଉଣ୍ଡ ଟେବଲ୍’ ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗଦେବେ।

ସେହିପରି ୧୪ ତାରିଖରେ ଭାରତର ସାମୁଦ୍ରିକ ସମ୍ବଳକୁ ନେଇ ‘ବ୍ଲୁ ଇକୋନମି’ ଶୀର୍ଷକରେ ଏକ ବିଶେଷ ଅଧିବେଶନ କରାଯିବ। ଏଥିରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଭିତ୍ତି ବକ୍ତବ୍ୟ ଉପସ୍ଥାପନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

“ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ

ନୂଆଦିଲ୍ଲୀ: ସଂସ୍କୃତ ବିଭାଗ ପକ୍ଷରୁ ସୋମବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ‘ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା’ ଶୀର୍ଷକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ ଘାଟିତ ହୋଇଯାଇଛି। ୨୦୨୪ ଏପ୍ରିଲ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେମିନାରରେ ୪ଟି ବିଶ୍ୱବିଦ୍ୟାଳୟର ବିଶିଷ୍ଟ କୁଳପତି ଓ ଅନ୍ୟ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର କୁଳପତି ପ୍ରଫେସର ଶ୍ରୀନିବାସ ବରାଖେଡି, ତିରୁପତିସ୍ଥିତ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜିଏସଆର କ୍ରିଷ୍ଣା ମୂର୍ତ୍ତି, ରାମଟେକସ୍ଥିତ କବି କୁଳଗୁରୁ କାଳିଦାସ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେରାମ ତ୍ରିପାଠୀ, ବିହାରର କାମେଶ୍ୱର ସିଂହ ଦରଭଙ୍ଗା ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଲକ୍ଷ୍ମୀ ନିବାସ ପାଣ୍ଡେ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ପ୍ରଫେସର ଭି.ସି.ଝା ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ସମ୍ମିଳନୀର ଆବାହକ ତଥା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ ରେଜିଷ୍ଟ୍ରାର ତଥା ଅର୍ଥ ଅଧିକାରୀ ପ୍ରଫେସର ନରସିଂହ ଚରଣ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ।

ଓଡ଼ିଶା କେନ୍ଦ୍ରୀୟ କୁଳପତି ପ୍ରଫେସର ତ୍ରିପାଠୀ ସମ୍ମିଳନୀ ପାଇଁ ଶୁଭେଚ୍ଛା ଜଣାଇବା ସହ ସମ୍ମିଳନୀର ଅଭିଭାଷଣ ବେଶ୍ ଫଳପ୍ରଦ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ପ୍ରଫେସର ଏନ୍ ସି ପଣ୍ଡା ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଏକ ନିଆରା ଆଲୋଚନାଚକ୍ର ଯେଉଁଥିରେ ଗୋଟିଏ ମଞ୍ଚରେ ୫ ଜଣ ବିଶିଷ୍ଟ କୁଳପତି ଉପସ୍ଥିତ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଫେସର ବରଖେଡି କେବଳ ସାହିତ୍ୟ କ୍ଷେତ୍ରରେ ନୁହେଁ ବରଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ରରେ ସଂସ୍କୃତ ଭାଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଯଦି ଆମେ ବିକଶିତ ଭାରତକୁ ହାସଲ କରିବାକୁ ଚାହୁଁଛୁ, ତେବେ ଆମକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମେତ ସମସ୍ତ ବିଭାଗର ପ୍ରାଚୀନ ଭାରତୀୟ ପରମ୍ପରାକୁ ପୁନରୁଦ୍ଧାର କରିବାକୁ ହେବ।

ଭାରତ ଅର୍ଥନୈତିକ ଦୃଷ୍ଟିରୁ ଏକ ସମୃଦ୍ଧ ଦେଶ ଥିଲା କିନ୍ତୁ ବିଭିନ୍ନ ବିଦେଶୀ ଆକ୍ରମଣରୁ ଲୁଟ୍ ଯୋଗୁଁ ପରବର୍ତ୍ତୀ ସମୟରେ ଏହାର ମେରୁଦଣ୍ଡ ଭାଙ୍ଗି ପଡିଥିଲା। କିନ୍ତୁ ଆମେ ବିକାଶ ପାଇଁ ଲଢ଼େଇ କରିବୁ। ଏଥିପାଇଁ ସ୍ୱଦେଶୀ ଜ୍ଞାନର ବିକାଶ ହେବା ଦରକାର ବୋଲି ସେ କହିଛନ୍ତି।
ପ୍ରଫେସର କ୍ରିଷ୍ଣା ମୂର୍ତ୍ତି ତାଙ୍କ ଅଭିଭାଷଣରେ ଦେଶରେ ସାମଗ୍ରିକ ସାହିତ୍ୟର ବିକାଶ ପାଇଁ ସଂସ୍କୃତ ଭାଷା ଓ ସାହିତ୍ୟର ପୁନରୁଦ୍ଧାର ପାଇଁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ସଂସ୍କୃତ ଭାଷାକୁ ବହୁମୁଖୀ ଏବଂ ଅଧ୍ୟୟନ ପାଇଁ ସମସ୍ତ ବିଷୟ ସହିତ ମିଶ୍ରଣ କରାଯିବା ଉଚିତ୍। ବୃକ୍ଷରୋପଣ ଓ ବିଜ୍ଞାନ ପରସ୍ପର ସହ ଜଡ଼ିତ। ତେଣୁ ବୃକ୍ଷରୋପଣ ଦ୍ୱାରା ବୈଜ୍ଞାନିକ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।

ଏହି ଆନ୍ତର୍ଜାତିକ ଆଲୋଚନାଚକ୍ର ସମଗ୍ର ବିଶ୍ୱରେ ସଂସ୍କୃତ ଭାଷାର ବିକାଶ ଦିଗରେ ବେଶ୍ ଫଳପ୍ରଦ ଓ ସହାୟକ ହେବ ବୋଲି ପ୍ରଫେସର ହରେରାମ ତ୍ରିପାଠୀ ଆଶାବ୍ୟକ୍ତ କରିଥିଲେ। ପ୍ରଫେସର ପାଣ୍ଡେ ଭାରତୀୟ ପାରମ୍ପରିକ ଜ୍ଞାନ ପ୍ରଣାଳୀର ବିକାଶ ସହ ଜ୍ଞାନ ଓ ଐତିହ୍ୟରେ ସମୃଦ୍ଧ ସଂସ୍କୃତ ଭାଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ଝା କହିଥିଲେ ଯେ ସେମିନାରର କାର୍ଯ୍ୟକଳାପକୁ ସଠିକ ଭାବରେ ଦସ୍ତାବିଜ କରାଯାଇ ଦେଶକୁ ପ୍ରଦର୍ଶିତ କରାଯିବା ଉଚିତ ଯାହା ଦ୍ୱାରା ଏହି ସେମିନାର ଅନନ୍ୟ ହେବ। ସଂସ୍କୃତ ଅଧ୍ୟାପକ ଡ. ବୀରେନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଡ. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ପରିଚାଳନା କରିଥିଲେ। ଉଦ୍ ଘାଟନୀ ସମାରୋହରେ ସମଗ୍ର ଭାରତବର୍ଷର ବହୁ ପ୍ରତିନିଧି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଉଦ୍ ଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ମାଣ୍ଡିଆ ଖାଦ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।