Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ଜରୁରି: ବିଶେଷଜ୍ଞ

ଭୁବନେଶ୍ୱର: ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ବିକାଶ ବିନା ଦେଶର ବିକାଶ ସମ୍ଭବ ନୁହେଁ। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଭୁବନେଶ୍ୱରସ୍ଥିତ କ୍ଷେତ୍ରୀୟ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି) ପକ୍ଷରୁ ‘‘ବିଜ୍ଞାନ ଓ ଜାତୀୟ ବିକାଶ’’ ଉପରେ ଆୟୋଜିତ ଏକ ୱେବିନାରରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମାନେ ଏହି ମତବ୍ୟକ୍ତ କରିଛନ୍ତି।

ଏହି ୱେବିନାରରେ ଅଂଶଗ୍ରହଣ କରି, ପିଆଇବି କୋଲକାତା ମହାନିର୍ଦ୍ଦେଶକ ଭୂପେନ୍ଦ୍ର କଇଁଥୋଲା କହିଥିଲେ ଯେ, ବୈଜ୍ଞାନିକ ପ୍ରତିଭା କେବଳ ସହରଗୁଡ଼ିକ ମଧ୍ୟରେ ସୀମିତ ନାହାନ୍ତି, ଗାଁରେ ମଧ୍ୟ ରହିଛନ୍ତି। ଗାଁ ଗହଳିର ଛାତ୍ରଛାତ୍ରୀମାନେ ବୁଝି ପାରୁଥିବା ଭାଷା, ବିଶେଷ କରି ସେମାନଙ୍କର ମାତୃଭାଷାରେ ବିଜ୍ଞାନ ଶିକ୍ଷାର ପ୍ରସାର କରିବା ଦିଗରେ ପ୍ରୟାସ କରାଯିବା ଆବଶ୍ୟକ ବୋଲି ଶ୍ରୀ କଇଁଥୋଲା କହିଥିଲେ।

ଭୁବନେଶ୍ୱର ଆରଓବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ ଯେ, ଦେଶର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ ଜରୁରି। ସେ କହିଥିଲେ, ‘‘ବିଜ୍ଞାନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ, କୃଷିରେ ସୁଧାର ଆଣେ ତଥା ସ୍ୱାସ୍ଥ୍ୟ ଓ ସମ୍ପତ୍ତି ପ୍ରୋତ୍ସାହିତ କରିଥାଏ। ସଙ୍କଟ ସମୟରେ, କେବଳ ପ୍ରଯୁକ୍ତିର ଉପଯୋଗ କରାଯାଇ ସହଜରେ ସୂଚନା ପ୍ରସାର କରାଯାଇ ପାରିଥିଲା।

ବିଜ୍ଞାନ ଓ ପ୍ରଯୁକ୍ତି ସହାୟତାରେ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଭାରତ କିଭଳି ଭାବେ ଆତ୍ମନିର୍ଭରଶୀଳ ହୋଇପାରିଛି ସେ ସମ୍ପର୍କରେ ଆଇସିଏଆର ପ୍ରମୁଖ ବୈଜ୍ଞାନିକ ଡକ୍ଟର ପ୍ରମୋଦ ପଣ୍ଡା ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଭାରତ ଯେତେବେଳେ ସ୍ୱାଧୀନ ହେଲା, ପାଶ୍ଚାତ୍ୟ ଜଗତର ଲୋକମାନେ ଭାବୁଥିଲେ ଭାରତ ହୁଏତ’ ଖାଦ୍ୟ ଉତ୍ପାଦନ କରିବାକୁ ସକ୍ଷମ ହେବ ନାହିଁ ଏବଂ ଲୋକମାନେ ଭୋକଉପାସରେ ପ୍ରାଣ ହରାଇବେ, କିନ୍ତୁ ସମୟ ବିତିବା ସହିତ କେବଳ ବିଜ୍ଞାନ ଓ ପ୍ରଯୁକ୍ତିର ହସ୍ତକ୍ଷେପ କାରଣରୁ ପରିସ୍ଥିତିରେ ବିଶେଷ ପରିବର୍ତ୍ତନ ଆସିପାରିଲା।

ପୁନର୍ବାସରେ ବିଜ୍ଞାନ ଓ ପ୍ରଯୁକ୍ତିର ହସ୍ତକ୍ଷେପ ସମ୍ପର୍କରେ ଏସଭିନିର୍ତାର, କଟକର ଆସୋସିଏଟ୍‌ ପ୍ରଫେସର ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ପତିତପାବନ ମହାନ୍ତି ଆଲୋକପାତ କରିଥିଲେ। ପୁନର୍ବାସ ଚିକିତ୍ସା କ୍ଷେତ୍ରରେ ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କିଭଳି ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛି ତାହା ଉପରେ ସେ ଆଲୋକପାତ କରିଥିଲେ। ସେ ଆହୁରି କହିଥିଲେ ଯେ ଶିଶୁ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଯୁକ୍ତିଗତ ହସ୍ତକ୍ଷେପ ଏକ ବରଦାନ ସାବ୍ୟସ୍ତ ହୋଇଛି।

ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କ ସହିତ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ୱେବିନାରରେ ଅଂଶଗ୍ରହଣ କରିଥିଲେ।