Categories
ଆଞ୍ଚଳିକ

ବାଲୁଗାଁ: ଯୁକ୍ତ ୨ ପରୀକ୍ଷା ପ୍ରଥମ ଦିବସରେ ଦୁଇ ଜଣ ଅନୁପସ୍ଥିତ

ବାଲୁଗାଁ: ଆଜି ସାରା ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଯାଇଛି। ୧୯ଟି ସିଟିଂରେ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବାକୁ ପ୍ରଥମ ଦିବସରେ ବିଜ୍ଞାନ ବିଭାଗର ମାତୃଭାଷା ଓଡ଼ିଆ ପରୀକ୍ଷା ହୋଇଥିଲା।

ପ୍ରଥମ ଦିବସରେ ବାଲୁଗାଁ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଦୀର୍ଘ ଦିନ ଧରି କଲେଜରେ ନୂଆ-ଓ କାର୍ଯ୍ୟକ୍ରମ ଯୋଗୁଁ ପାଠ୍ୟକ୍ରମ ସରି ନଥିବା ବେଳେ ପାଠ ପଢ଼ାପଢିରେ ଘୋର ବ୍ୟାଘାତ ହୋଇଥିବା କିଛି ଛାତ୍ରଛାତ୍ରୀ କହିଛନ୍ତି। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ହୋଇଥିବା ବେଳେ କପି ରୋକିବା ଦିଗରେ ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଥିବା ଅଧିକ୍ଷକ ଜୟନ୍ତୀ ସାମଲ କହିଛନ୍ତି।

ଆଜିର ପରୀକ୍ଷାରେ ୮୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ଦୁଇ ଜଣ ଅନୁପସ୍ଥିତ ଥିବା ଅଧ୍ୟକ୍ଷା କଳ୍ପନା ଦାସ ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା କେନ୍ଦ୍ରକୁ ସିସି ଟିଭି ପରିସର ଭୁକ୍ତ କରାଯିବା ସହ ପରୀକ୍ଷାରେ ଯେପରି କୌଣସି ତ୍ରୁଟି ନହେଉ ସେଥିପାଇଁ ପୁରା ବ୍ୟବସ୍ଥା କରାଯାଇଥିବା କଲେଜ ଅଧ୍ୟକ୍ଷା ଶ୍ରୀମତୀ ଦାସ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବଦଳିଲା ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ସିଲାବସ୍‌ ଆଉ ପରୀକ୍ଷା ପ୍ରଣାଳୀ: ଏଥର ହେବ ୨ଟି ଇଣ୍ଟରନାଲ୍‌ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ସିଲାବସ୍‌ ଆଉ ପରୀକ୍ଷା ପ୍ରଣାଳୀରେ ପରିବର୍ତ୍ତନ ହୋଇଛି। ହେଲେ କଳା ଓ ବାଣିଜ୍ୟ ବିଭାଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ବାଦ ଦିଆଯାଇଛି। ତେବେ ନୂଆ ସିଲାବସ୍‌ ଆଧାରରେ ୨୦୨୪ କାଉନସିଲ ପରୀକ୍ଷା ହେବ।

ସିବିଏସ୍‌ଇ ବାଦ ଦେଇଥିବା ଅଧ୍ୟାୟକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କମିଟି ନୂଆ ସିଲାବସ୍‌ ଉପରେ ମୋହର ମାରିଛି। ଏହାସହ ଏଣିକି ୩ଟି ତ୍ରୈମାସିକ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ୍‌ ପରୀକ୍ଷା ହେବ। ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କାଉନସିଲ ପରୀକ୍ଷାରୁ ୮୦% ମାର୍କ ଓ ଇଣ୍ଟରନାଲ୍‌ ପରୀକ୍ଷାରୁ ୨୦% ମାର୍କ ଆଧାରରେ ଛାତ୍ରଛାତ୍ରୀ ମାର୍କ ପାଇବେ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।