Categories
ଆଜିର ଖବର ଜାତୀୟ ଖବର

ଏନଡିଆରଏଫର ୨୦ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ

ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ର ୨୦ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ଏହି ଅବସରରେ ଅମିତ ଶାହ ଅନେକ ପ୍ରକଳ୍ପର ଉଦଘାଟନ କରିବା ସହ ପ୍ରାୟ ୨୨୦ କୋଟି ଟଙ୍କାର କେତେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏଥିରେ ନ୍ୟାସନାଲ ସାଉଥ୍ କ୍ୟାମ୍ପସ ଅଫ୍ ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ (ଏନ୍ଆଇଡିଏମ୍), ଏନଡିଆରଏଫର ଦଶମ ବାଟାଲିୟନ ଏବଂ ସୁପୌଲ କ୍ୟାମ୍ପସରେ ଥିବା ଆଞ୍ଚଳିକ ପ୍ରତିକ୍ରିୟା କେନ୍ଦ୍ର ଅନ୍ତର୍ଭୁକ୍ତ। ଗୃହମନ୍ତ୍ରୀ ହାଇଦ୍ରାବାଦର ଜାତୀୟ ପୋଲିସ ଏକାଡେମୀରେ ନୂତନ ‘ଇଣ୍ଟିଗ୍ରେଟେଡ୍ ସୁଟିଂ ରେଞ୍ଜ’ର ଶିଳାନ୍ୟାସ କରିବା ସହ ତିରୁପତିରେ ଆଞ୍ଚଳିକ ଫରେନସିକ୍ ସାଇନ୍ସ ଲାବୋରେଟୋରି କୋଠାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବଣ୍ଡି ସଞ୍ଜୟ କୁମାର, ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ଏନଡିଆରଏଫ ମହାନିର୍ଦ୍ଦେଶକ ପୀୟୂଷ ଆନନ୍ଦଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଏନଡିଆରଏଫ ଉଦ୍ଧାର ପାଇଁ ଆସେ ଏବଂ ଯେତେବେଳେ ମନୁଷ୍ୟକୃତ ବିପର୍ଯ୍ୟୟ ହୁଏ, ସେତେବେଳେ ନରେନ୍ଦ୍ର ମୋଦୀ ସରକାର ସାହାଯ୍ୟ କରିବାକୁ ଆସନ୍ତି । ଶ୍ରୀ ଶାହ କହିଛନ୍ତି ଯେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶ ଏହି ମାନବ ସୃଷ୍ଟ ବିପର୍ଯ୍ୟୟ କାରଣରୁ ଗୁରୁତ୍ୱପୂର୍ଣ୍ଣ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି, ଯାହା ରାଜ୍ୟର ବିପୁଳ ସମ୍ଭାବନାକୁ ପ୍ରଭାବିତ କରିଛି। ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ବିକାଶମୂଳକ କ୍ଷତିଭରଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ଅଭିବୃଦ୍ଧିକୁ ତିନି ଗୁଣ ବେଗରେ ଆଗେଇ ନେଉଛନ୍ତି । ଅମିତ ଶାହ ଚନ୍ଦ୍ରବାବୁ ନାଇଡୁଙ୍କୁ ସୁଦୃଢ଼ ପ୍ରଶାସନିକ, ଆର୍ଥିକ ଏବଂ ବିକାଶମୂଳକ ରଣନୀତି ମାଧ୍ୟମରେ ରାଜ୍ୟକୁ ଆଗକୁ ବଢ଼ାଇବା ପାଇଁ ପ୍ରଶଂସା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗତ ଛଅ ମାସ ମଧ୍ୟରେ ଆନ୍ଧ୍ରପ୍ରଦେଶ ପାଇଁ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଏବଂ ସହାୟତା ପ୍ରଦାନ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ ।

ବିଶାଖାପାଟଣା ଇସ୍ପାତ କାରଖାନା ପାଇଁ ନିକଟରେ କେନ୍ଦ୍ର କ୍ୟାବିନେଟ ୧୧,୦୦୦ କୋଟି ଟଙ୍କାର ଅନୁମୋଦନ ଉପରେ ଶ୍ରୀ ଶାହ ଆଲୋକପାତ କରିଥିଲେ, ଯାହା ଏହି କାରଖାନାର ଦୀର୍ଘକାଳୀନ କାର୍ଯ୍ୟକ୍ଷମତାକୁ ସୁରକ୍ଷିତ ରଖିବା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଗୌରବର ପ୍ରତୀକ ଭାବରେ ଏହାର ମାନ୍ୟତା ବଜାୟ ରଖିବା ଉଦ୍ଦେଶ୍ୟରେ ନିଆଯାଇଥିବା ପଦକ୍ଷେପ। ଚନ୍ଦ୍ରବାବୁ ନାଇଡୁଙ୍କ ଦ୍ୱାରା ପରିକଳ୍ପିତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଶିଳାନ୍ୟାସ ସମାରୋହ (ଭୂମି ପୂଜନ) ସହିତ ଉଦଘାଟିତ ହୋଇଥିବା ଅମରାବତୀକୁ ରାଜ୍ୟ ରାଜଧାନୀ ଭାବରେ ଦେଖିବାର ସ୍ୱପ୍ନକୁ ମଧ୍ୟ ସେ ମନେ ପକାଇଥିଲେ। ତେବେ ଏହି ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପକୁ ଅବହେଳା କରିଥିବାରୁ ସେ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିଲେ।

ଅମିତ ଶାହ କହିଥିଲେ ଯେ ଗତ ଛଅ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଡକୋ ଏବଂ ବିଶ୍ୱବ୍ୟାଙ୍କ ମାଧ୍ୟମରେ ଅମରାବତୀ ପ୍ରକଳ୍ପ ପାଇଁ ୨୭,୦୦୦ କୋଟି ଟଙ୍କା ଆବଣ୍ଟନ କରି ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀକୁ ରାଜ୍ୟ ରାଜଧାନୀ ଭାବରେ ସାକାର କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିଛନ୍ତି । ନୂଆ ରେଳ ଜୋନର ଶିଳାନ୍ୟାସ ହୋଇଛି ଏବଂ ଆନ୍ଧ୍ରପ୍ରଦେଶର ଲାଇଫ ଲାଇନ କୁହାଯାଉଥିବା ପୋଲାଭରମର ପାଣି ୨୦୨୮ ସୁଦ୍ଧା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚିବ ବୋଲି ସେ ଆଲୋକପାତ କରିଥିଲେ। ଶ୍ରୀ ଶାହା ୧୬୦୦ କୋଟି ଟଙ୍କା ବ୍ୟୟରେ ଏମସ୍‍ ହସ୍ପିଟାଲ ପ୍ରକଳ୍ପ ର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ବିଶାଖାପାଟଣାକୁ ସବୁଜ ହାଇଡ୍ରୋଜେନର କେନ୍ଦ୍ରରେ ପରିଣତ କରିବା ପାଇଁ ୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାର ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଉଲ୍ଲେଖ କରିଛନ୍ତି ଯେ ଗତ ଛଅ ମାସ ମଧ୍ୟରେ ଆନ୍ଧ୍ରପ୍ରଦେଶ ପାଇଁ ପାଖାପାଖି ୧.୨ ଲକ୍ଷ କୋଟି ଟଙ୍କାର ରାଜପଥ ଏବଂ ଭିତ୍ତିଭୂମି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଆନ୍ଧ୍ରପ୍ରଦେଶର ଦ୍ରୁତ ବିକାଶ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଦୃଢ଼ତାର ସହ ଠିଆ ହୋଇଛନ୍ତି ବୋଲି ଶ୍ରୀ ଶାହା ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ଏକ ଦଶନ୍ଧି ମଧ୍ୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ (ଏନଆଇଡିଏମ) ମାଧ୍ୟମରେ ବିପର୍ଯ୍ୟୟ ପରିଚାଳନାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଆଲୋକପାତ କରିଥିଲେ। କ୍ଷେତ୍ରସ୍ତରରେ ଫଳପ୍ରଦ ବିପର୍ଯ୍ୟୟ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଗ୍ରାମ ପଞ୍ଚାୟତ, ଥାନା, ଏନସିସି ଏବଂ ସ୍କାଉଟ୍ କ୍ୟାଡେଟମାନଙ୍କ ଠାରୁ ଆରମ୍ଭ କରି ଭାରତ ସରକାରଙ୍କ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିପର୍ଯ୍ୟୟ ପରିଚାଳନାର ଆଭିମୁଖ୍ୟ, ପଦ୍ଧତି ଏବଂ ଉଦ୍ଦେଶ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଶ୍ରୀ ଶାହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରେୟ ଦେଇଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ ପୂର୍ବ ସମୟର ରିଲିଫ-କେନ୍ଦ୍ରୀତ ଆଭିମୁଖ୍ୟ ବଦଳରେ ଏକ ଉଦ୍ଧାର-କେନ୍ଦ୍ରୀତ ଆଭିମୁଖ୍ୟ ରଖାଯାଇଛି, ଯାହା କି ୨୦୧୪ ମସିହାଠାରୁ ଏକ ବ୍ୟାପକ ପରିବର୍ତ୍ତନ, ଯେଉଁଦିନ ମୋଦୀଜୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ପରିବର୍ତ୍ତନ ପ୍ରତିକ୍ରିୟାଶୀଳରୁ ସକ୍ରିୟ ରଣନୀତିକୁ ମଧ୍ୟ ଗତି କରିଛି, ଯେଉଁଥିରେ କ୍ଷୟକ୍ଷତି କୁ ହ୍ରାସ କରିବା ବ୍ୟତୀତ ବିପର୍ଯ୍ୟୟ ସମୟରେ ଶୂନ୍ୟ କ୍ଷୟକ୍ଷତି ହାସଲ କରିବାର ସ୍ପଷ୍ଟ ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟ ରେ ଏନଡିଆରଏଫ, ଏନଡିଏମଏ ଏବଂ ଏନଆଇଡିଏମ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଯୋଗ, ଅଧିକ ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା ଏବଂ ଜୀବନ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବାକୁ ଶ୍ରୀ ଶାହ ସ୍ୱୀକାର କରିଥିଲେ ।

ଅମିତ ଶାହ କହିଥିଲେ ଯେ ଏନଡିଆରଏଫ ଅଳ୍ପ ସମୟ ମଧ୍ୟରେ କେବଳ ଭାରତ ରେ ନୁହେଁ ବରଂ ବିଶ୍ୱସ୍ତରରେ ଏକ ବିଶ୍ୱସନୀୟ ସଂଗଠନ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି । ବିପର୍ଯ୍ୟୟ ସମୟରେ ଏନଡିଆରଏଫ ଯବାନ ପହଞ୍ଚିଲେ ଲୋକେ ଏବେ ସୁରକ୍ଷିତ ଅଛନ୍ତି ବୋଲି ନିଶ୍ଚିତ ଅନୁଭବ କରୁଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ଏନଡିଆରଏଫ ଦୁଇଟି ବଡ଼ ବାତ୍ୟାରେ ଶୂନ୍ୟ ମୃତ୍ୟୁ ଲକ୍ଷ୍ୟ କୁ ସଫଳତାର ସହ ହାସଲ କରିଛି ବୋଲି ସେ ଆଲୋକପାତ କରିଥିଲେ । ଶ୍ରୀ ଶାହ ଉଲ୍ଲେଖ କରିଛନ୍ତି ଯେ ନେପାଳ, ଇଣ୍ଡୋନେସିଆ, ତୁର୍କୀ, ମିଆଁମାର, ଭିଏତନାମ ଏବଂ ଅନ୍ୟାନ୍ୟ ଦେଶରେ ଏନଡିଆରଏଫର ପ୍ରୟାସକୁ ସେମାନଙ୍କର ସମ୍ପୃକ୍ତ ରାଷ୍ଟ୍ରମୁଖ୍ୟମାନେ ବ୍ୟାପକ ସ୍ୱୀକୃତି ଦେଇଛନ୍ତି ଏବଂ ପ୍ରଶଂସା କରିଛନ୍ତି । ଏନଡିଏମଏ ନୀତିର କାର୍ଯ୍ୟକାରିତା ଆଜି ବିପର୍ଯ୍ୟୟ ପରିଚାଳନାରେ ଭାରତକୁ ବିଶ୍ୱସ୍ତରରେ ଅଗ୍ରଣୀ ଭାବେ ଅବସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଏହି ସତ୍ୟରୁ ସ୍ପଷ୍ଟ ଯେ ଦ୍ୱାଦଶ ଅର୍ଥ ଆୟୋଗ ବିପର୍ଯ୍ୟୟ ପରିଚାଳନା ପାଇଁ ୧୨,୫୦୦ କୋଟି ଟଙ୍କା ଆବଣ୍ଟନ କରିଥିଲେ, ଯାହାକୁ ଚତୁର୍ଦ୍ଦଶ ଅର୍ଥ ଆୟୋଗରେ ୬୧,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ଭାରତ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ସିଡିଆରଆଇ (ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମେଣ୍ଟ) ପ୍ରତିଷ୍ଠା କରିଛି ଏବଂ ଆଜି ୪୮ଟି ଦେଶ ଏହାର ସଦସ୍ୟ ଭାବରେ ସିଡିଆରଆଇର ନେତୃତ୍ୱରେ କାର୍ଯ୍ୟ କରୁଛନ୍ତି ।

ଅମିତ ଶାହ କହିଛନ୍ତି ଯେ ମୋଦୀ ସରକାର ଅନେକ ଆପ୍, ୱେବସାଇଟ୍ ଏବଂ ପୋର୍ଟାଲ୍ ସୃଷ୍ଟି କରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଜନସଚେତନତା କାର୍ଯ୍ୟ କରିଛନ୍ତି। ସେ କହିଛନ୍ତି ଯେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ଏହି ଆପଗୁଡ଼ିକ ସହିତ ସଂଯୁକ୍ତ ହୋଇଛନ୍ତି ଏବଂ ଏହି ଆପକୁ ସମସ୍ତ ଭାଷାରେ ଯୋଗାଯୋଗ କରିବାକୁ ସକ୍ଷମ ହେବାକୁ ଉଦ୍ୟମ କରାଯାଉଛି । ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଡାଏଲ୍ ୧୧୨ ଏବଂ କମନ୍ ଆଲର୍ଟ ପ୍ରୋଟୋକଲ୍ ଭଳି ସେବା ଲୋକମାନଙ୍କ ପାଇଁ ବହୁତ ସାହାଯ୍ୟ କରିଛି। ଶ୍ରୀ ଶାହ ଆହୁରି କହିଛନ୍ତି ଯେ, ଏହି ପରିପ୍ରେକ୍ଷୀରେ ଆଜି ଆଉ ଦୁଇଟି ଅନୁଷ୍ଠାନ ଯୋଗଦେବାକୁ ଯାଉଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଶ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ରକୁ ବିନା ମୂଲ୍ୟରେ ଜମି ଯୋଗାଇ ଦେଇଛନ୍ତି ଏବଂ ଏନଡିଆରଏଫ୍‍ ର ୧୦ମ ବାଟାଲିୟନ ଏବଂ ଏନଆଇଡିଏମ ର ଦକ୍ଷିଣ ଭାରତ ଶାଖା ପ୍ରତିଷ୍ଠା କରିବାରେ ଏହା ସାହାଯ୍ୟ କରିଛି ।

Categories
ଆଜିର ଖବର ଜାତୀୟ ଖବର

୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ମହବୁବନଗରରେ ୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେସବୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ସଡ଼କ, ରେଳ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ଏବଂ ଉଚ୍ଚ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏହି ବିକାଶ ପ୍ରକଳ୍ପ ଗୁଡିକରେ ଅନ୍ତର୍ଭୁକ୍ତ ହୋଇଛି। ଏହି କାର୍ଯ୍ୟକ୍ରମ ଅବସରରେ , ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାର୍ବଣ ଋତୁର ଆଗମନ ଉପରେ ଆଲୋକପାତ କରି କହିଥିଲେ ଯେ, ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା ଦ୍ୱାରା ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଶକ୍ତି ପୂଜାର ଭାବନା ପ୍ରତିଷ୍ଠା ହୋଇଛି।

ପ୍ରଧାନମନ୍ତ୍ରୀ ଆଜି ଅନେକ ସଡ଼କ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରି ଖୁସି ବ୍ୟକ୍ତ କରିଥିଲେ ଯାହା ଏହି ଅଞ୍ଚଳରେ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ନାଗପୁର – ବିଜୟୱାଡା ଅର୍ଥନୈତିକ କରିଡର ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ପରିବହନ ଏବଂ ବ୍ୟବସାୟକୁ ସହଜ କରିବ, ଏହା ଏହି ରାଜ୍ୟ ଗୁଡିକରେ ବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପକୁ ପ୍ରୋତ୍ସାହନ ଦେବ।

ଏହି କରିଡରରେ ୮ଟି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌, ୫ଟି ବୃହତ ଖାଦ୍ୟ  ପାର୍କ, ୪ଟି ମାଛଧରା ସାମୁଦ୍ରିକ ଖାଦ୍ୟ କ୍ଲଷ୍ଟର, ୩ଟି ଔଷଧ ଓ ମେଡିକାଲ କ୍ଲଷ୍ଟର ଏବଂ ୧ଟି ବୟନ କ୍ଲଷ୍ଟର ସମେତ ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ଚିହ୍ନଟ କରାଯାଇଛି। ଏହା ଦ୍ୱାରା ହନାମକୋଣ୍ଡା, ମହବୁବାବାଦ, ୱାରାଙ୍ଗଲ ଏବଂ ଖମ୍ମାମ ଜିଲ୍ଲାର ଯୁବକ ମାନଙ୍କ ପାଇଁ ଅନେକ ପଥ ଉନ୍ମୁକ୍ତ ହେବ।

ଏଠାରେ ଉତ୍ପାଦିତ ସାମଗ୍ରୀ ଗୁଡିକୁ ବନ୍ଦରକୁ ନେବା ପାଇଁ ତେଲଙ୍ଗାନା ଭଳି ସ୍ଥଳଭାଗ ଦ୍ୱାରା ଆବଦ୍ଧ ରାଜ୍ୟ ନିମନ୍ତେ ରେଳ ଓ ସଡ଼କ ଯୋଗାଯୋଗର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ କରିଡର ତେଲଙ୍ଗାନା ଦେଇ ଗତି କରୁଛି । ଏସବୁ ପ୍ରକଳ୍ପ ଏହି ରାଜ୍ୟକୁ ପୂର୍ବ ଓ ପଶ୍ଚିମ ଉପକୂଳ ସହ ଯୋଡ଼ିବାର ମାଧ୍ୟମ ହେବ । ହାଇଦ୍ରାବାଦ ବିଶାଖାପାଟଣା କରିଡରର ସୂର୍ଯ୍ୟପେଟ – ଖମ୍ମାମ ବିଭାଗ ମଧ୍ୟ ଏଥିରେ ସାହାଯ୍ୟ କରିବ । ଏହା ପୂର୍ବତଟରେ ପହଞ୍ଚିବାରେ ସହାୟକ ହେବ । ଏହା ବ୍ୟତୀତ ଶିଳ୍ପ ଓ ବ୍ୟବସାୟର ଲଜିଷ୍ଟିକ୍ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଜାକଲାଇର ଓ କ୍ରିଷ୍ଣା ସେକ୍ସନ ମଧ୍ୟରେ ନିର୍ମାଣ ହେବାକୁ ଥିବା ରେଳ ଲାଇନ୍ ମଧ୍ୟ ଏଠାକାର ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

ତେଲଙ୍ଗାନାର ହଳଦୀ ଚାଷୀ ମାନଙ୍କର ହିତ ପାଇଁ କେନ୍ଦ୍ର ସରକାର ଜାତୀୟ ହଳଦୀ ବୋର୍ଡ ଗଠନ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଜାତୀୟ ହଳଦୀ ବୋର୍ଡ ଯୋଗାଣ ଶୃଙ୍ଖଳାର ମୂଲ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦେବ ଏବଂ କୃଷକ ମାନଙ୍କ ପାଇଁ ଭିତ୍ତିଭୂମି ବିକାଶରେ ସାହାଯ୍ୟ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ ହଳଦୀ ବୋର୍ଡ ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତେଲଙ୍ଗାନା ଏବଂ ସମଗ୍ର ଦେଶର ସମସ୍ତ ହଳଦୀ ଚାଷ କରୁଥିବା କୃଷକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶକ୍ତି ଏବଂ ଶକ୍ତି ନିରାପତ୍ତା କ୍ଷେତ୍ରରେ ସମଗ୍ର ବିଶ୍ୱରେ ସାମ୍ପ୍ରତିକ ବିକାଶ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହିତ ଏହା କହିଥିଲେ ଯେ ସରକାର କେବଳ ଶିଳ୍ପ ପାଇଁ ନୁହେଁ ବରଂ ପରିବାର ଗୁଡିକୁ ମଧ୍ୟ ଶକ୍ତି ସୁରକ୍ଷିତ କରିଛନ୍ତି । ୨୦୧୪ରେ ଏଲ୍‌ପିଜି ସିଲିଣ୍ଡର ସଂଖ୍ୟା ୧୪ କୋଟି ଥିବାବେଳେ ୨୦୨୩ ରେ ଏହା ୩୨ କୋଟିକୁ ବୃଦ୍ଧି ପାଇବାର ଉଦାହରଣ ଦେବା ସହ ନିକଟରେ ଗ୍ୟାସ ଦର ହ୍ରାସ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । “ସରକାର ଦେଶରେ ଏଲ୍‌ପିଜି ବିତରଣ ନେଟୱାର୍କର ସମ୍ପ୍ରସାରଣକୁ ପ୍ରୋତ୍ସାହନ ଦେଉଛନ୍ତି” ବୋଲି  ପ୍ରଧାନମନ୍ତ୍ରୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ହାସନ – ଚେର୍ଲାପଲ୍ଲୀ ଏଲ୍‌ପିଜି ପାଇପଲାଇନ ପ୍ରକଳ୍ପ ଏହି ଅଞ୍ଚଳର ଲୋକ ମାନଙ୍କୁ ଶକ୍ତି ସୁରକ୍ଷା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେ କୃଷ୍ଣପାଟନମରୁ ହାଇଦ୍ରାବାଦ ମଧ୍ୟରେ ମଲ୍ଟିପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନର ଶିଳାନ୍ୟାସ କରିବା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହା ତେଲଙ୍ଗାନାରେ ହଜାର ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଅନେକ କୋଠାକୁ ଉଦଘାଟନ କରିଥିଲେ । କେନ୍ଦ୍ର ସରକାର ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟକୁ ‘ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ ର ମାନ୍ୟତା ଦେବା ସହ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରିଛନ୍ତି । “ଭାରତ ସରକାର ମୁଲୁଗୁ ଜିଲ୍ଲାରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି  ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଏହି ବିଶ୍ୱ ବିଦ୍ୟାଳୟର ନାମ ଶ୍ରଦ୍ଧାଳୁ ଆଦିବାସୀ ଦେବୀ ସାମ୍ମାକ୍କା – ସାରକ୍କାଙ୍କ ନାମରେ ରଖାଯିବ । ସାମ୍ମାକ୍କା – ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପାଇଁ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପାଇଁ ଶ୍ରୀ ମୋଦୀ ମଧ୍ୟ ତେଲଙ୍ଗାନାର ଅଧିବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଏବଂ ସାଂସଦ ଶ୍ରୀ ବନ୍ଦୀ ସଞ୍ଜୟ କୁମାର ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସମଗ୍ର ଦେଶରେ ଅତ୍ୟାଧୁନିକ ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ଏକାଧିକ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ଓ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନାଗପୁର – ବିଜୟୱାଡା ଅର୍ଥନୈତିକ କରିଡରର ଅଂଶ ବିଶେଷ ପ୍ରମୁଖ ସଡ଼କ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଥିଲେ ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଜାତୀୟ ରାଜପଥ – ୧୬୩ଜି’ ର ୱାରାଙ୍ଗଲରୁ ଖମ୍ମାମ ସେକ୍ସନ ପର୍ଯ୍ୟନ୍ତ ୧୦୮ କିଲୋମିଟର ଲମ୍ବର ‘ଚାରି ଲେନ୍ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ରାଜପଥ’ ଏବଂ ଜାତୀୟ ରାଜପଥ –  ୧୬୩ଜିର ଖମ୍ମାମରୁ ବିଜୟୱାଡ଼ା ସେକ୍ସନ ପର୍ଯ୍ୟନ୍ତ ୯୦ କିଲୋମିଟର ଲମ୍ବା ‘ଚାରି ଲେନ୍ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ରାଜପଥ’ । ପ୍ରାୟ ୬୪୦୦ କୋଟି ଟଙ୍କା ବ୍ୟୟରେ ଏହି ସଡ଼କ ପ୍ରକଳ୍ପ ଗୁଡ଼ିକର ବିକାଶ କରାଯିବ । ଏହି ପ୍ରକଳ୍ପ ଗୁଡ଼ିକ ୱାରାଙ୍ଗଲ ଏବଂ ଖମ୍ମାମ ମଧ୍ୟରେ ଯାତ୍ରା ଦୂରତା ପ୍ରାୟ ୧୪ କିଲୋମିଟର ହ୍ରାସ କରିବ; ଏବଂ ଖମ୍ମାମ ଏବଂ ବିଜୟୱାଡା ମଧ୍ୟରେ ପ୍ରାୟ ୨୭ କିଲୋମିଟର ଯାତ୍ରା ଦୂରତାକୁ କମ୍ କରିବ ।

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ – ୩୬୫ବିବିର ୫୯ କିଲୋମିଟର ଦୀର୍ଘ  ସୂର୍ଯ୍ୟପେଟରୁ ଖମ୍ମାମ ସେକ୍ସନକୁ ଚାରି ଲେନ୍ କରିବା ପାଇଁ ଏକ ସଡ଼କ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପାଖାପାଖି ୨୪୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦ- ବିଶାଖାପାଟଣା କରିଡରର ଏକ ଅଂଶ ଏବଂ ଭାରତମାଳା ପରିଯୋଜନା ଅଧୀନରେ ବିକଶିତ ହୋଇଛି । ଏହା ଦ୍ୱାରା ଆନ୍ଧ୍ରପ୍ରଦେଶର ଖମ୍ମାମ ଜିଲ୍ଲା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳକୁ ଉନ୍ନତ ସଂଯୋଗ ମିଳିବ ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ‘୩୭ କିଲୋମିଟର ଜାକଲାଇର- କ୍ରିଷ୍ଣା ନୂତନ ରେଳ ଲାଇନ’ କୁ ଲୋକାର୍ପଣ କରିଥିଲେ । ୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ରେଳ ଲାଇନ୍ ସେକ୍ସନ ପ୍ରଥମ ଥର ପାଇଁ ପଛୁଆ ଜିଲ୍ଲା ନାରାୟଣପେଟା ଅଞ୍ଚଳକୁ ରେଳ ମାନଚିତ୍ରରେ ଆଣିଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କ୍ରିଷ୍ଣା ଷ୍ଟେସନରୁ ହାଇଦ୍ରାବାଦ (କାଚେଗୁଡା) – ରାଇଚୁର – ହାଇଦ୍ରାବାଦ (କାଚେଗୁଡା) ଉଦଘାଟନୀ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ୍ ସେବା ତେଲଙ୍ଗାନାର ହାଇଦ୍ରାବାଦ, ରଙ୍ଗାରେଡ୍ଡୀ, ମହବୁବନଗର ଏବଂ ନାରାୟଣପେଟା ଜିଲ୍ଲାକୁ କର୍ଣ୍ଣାଟକର ରାଇଚୁର ଜିଲ୍ଲା ସହ ସଂଯୋଗ କରିବ । ଏହି ସେବା ପଛୁଆ ଜିଲ୍ଲା ମହବୁବନଗର ଏବଂ ନାରାୟଣପେଟାର ଅନେକ ନୂତନ ଅଞ୍ଚଳକୁ ପ୍ରଥମ ଥର ପାଇଁ ରେଳ ସଂଯୋଗ ପ୍ରଦାନ କରିବ, ଯାହା ଦ୍ୱାରା ଛାତ୍ରଛାତ୍ରୀ, ଦୈନିକ ଯାତ୍ରୀ, ଶ୍ରମିକମାନେ ଉପକୃତ ହେବା ସହିତ  ଏହି ଅଞ୍ଚଳର ସ୍ଥାନୀୟ ହସ୍ତତନ୍ତ ଶିଳ୍ପ ମଧ୍ୟ ଲାଭାନ୍ୱିତ ହେବ ।

ଦେଶରେ ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ତୈଳ ଏବଂ ଗ୍ୟାସ ପାଇପଲାଇନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ଏବଂ ସମର୍ପଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ ‘ହାସନ – ଚେର୍ଲାପଲ୍ଲୀ ଏଲ୍‌ପିଜି ପାଇପଲାଇନ  ପ୍ରକଳ୍ପ’ କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପାଖାପାଖି ୨୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କର୍ଣ୍ଣାଟକର ହାସନରୁ ଚେର୍ଲାପଲ୍ଲୀ (ହାଇଦ୍ରାବାଦର ଉପନଗର) ପର୍ଯ୍ୟନ୍ତ ଏହି ଏଲ୍‌ପିଜି ପାଇପ୍‌ଲାଇନ ଏହି ଅଞ୍ଚଳରେ ଏଲ୍‌ପିଜି ପରିବହନ ଏବଂ ବିତରଣର ଏକ ସୁରକ୍ଷିତ, ସୁଲଭ ଏବଂ ପରିବେଶ ଅନୁକୂଳ ମାଧ୍ୟମ ପ୍ରଦାନ କରିଥାଏ । ସେ  କ୍ରିଷ୍ଣାପାଟନମ୍‌ରୁ ହାଇଦ୍ରାବାଦ (ମଲକାପୁର)’ ପର୍ଯ୍ୟନ୍ତ  ‘ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍‌)ର ମଲ୍ଟିପ୍ରଡକ୍ଟ ପେଟ୍ରୋଲିୟମ୍ ପାଇପଲାଇନ୍‌ର ଶିଳାନ୍ୟାସ କରିଥିଲେ ।

୧୯୪୦ କୋଟି ଟଙ୍କା ବ୍ୟୟରେ ୪୨୫ କିଲୋମିଟର ପାଇପଲାଇନ ନିର୍ମାଣ କରାଯିବ । ଏହି ପାଇପଲାଇନ ଏହି ଅଞ୍ଚଳରେ ପେଟ୍ରୋଲିୟମ ଉତ୍ପାଦର ଏକ ସୁରକ୍ଷିତ, ଦ୍ରୁତ, ଦକ୍ଷ ଏବଂ ପରିବେଶ ଅନୁକୂଳ ମାଧ୍ୟମ ପ୍ରଦାନ କରିବ ।

ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟର ପାଞ୍ଚଟି ନୂତନ କୋଠା ଅର୍ଥାତ୍ ସ୍କୁଲ ଅଫ୍ ଇକୋନୋମିକ୍ସ ; ସ୍କୁଲ୍ ଅଫ୍ ମ୍ୟାଥେମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟକ୍ସ; ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌; ଲେକଚର ହଲ୍ କମ୍ପେ୍ଲକ୍ସ – ୩; ଏବଂ ସରୋଜିନୀ ନାଇଡୁ ସ୍କୁଲ ଅଫ୍ ଆର୍ଟସ ଆଣ୍ଡ କମ୍ୟୁନିକେସନ (ଆନେକ୍ସ) କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟରେ ଭିତ୍ତିଭୂମିର ଉନ୍ନତିକରଣ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କୁ ଉନ୍ନତ ସୁବିଧା ଏବଂ ସୁଗମତା ପ୍ରଦାନ କରିବା ଦିଗରେ ଏକ ପଦକ୍ଷେପ ।