Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି ସିନେମା

ବିଶିଷ୍ଠ ନାଟ୍ୟକାର ତଥା ଚଳଚିତ୍ର, ଧାରାବାହିକ କାହାଣୀ ଲେଖକ ବିଜୟ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ ଘଟିଛି । 83 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଅନେକ ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟକର ସ୍ରଷ୍ଟା ବିଜୟ ମିଶ୍ର ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଲୋକପ୍ରିୟ ନାଟକ “ତଟ ନିରଞ୍ଜନା” ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ସେହିପରି ସେ ଚଳଚିତ୍ର “ଶ୍ରୀ ଜଗନ୍ନାଥ” ର ଚିତ୍ରନାଟ୍ୟ ମଧ୍ୟ ଲେଖିଛନ୍ତି।

ଏ ଯାବତ ସେ 60 ଟି ନାଟକ, 55ଟି ଚଳଚିତ୍ର ଏବଂ 7ଟି ଧାରାବାହିକ ରଚନା କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ନାଟକ ଭିତରେ ଯାଦୁକର, ଜଣେ ରାଜା ଥିଲେ, ତଟ ନିରଂଜନା, ଭୋକ, ଫକିରମୋହନଙ୍କ ଶାସ୍ତି ଓ ଛମାଣ ଆଠଗୁଣ୍ଠର ନାଟ୍ୟରୂପାନ୍ତର ପ୍ରଭୃତି ବେଶ ଲୋକପ୍ରିୟ। ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଛନ୍ତି। ଏଥିସହିତ 2018 ମସିହାରେ ବିଜୟ ମିଶ୍ରଙ୍କୁ ରାଜ୍ୟ ଚଳଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ “ଜୟଦେବ ପୁରସ୍କାର” ରେ ମଧ୍ୟ ସମ୍ମାନିତ କରାଯାଇଛି ।

ତାଙ୍କ ବିୟୋଗରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ କରିବା ସହିତ ରାଜ୍ୟ ଚଳଚିତ୍ର ଜଗତ, ନାଟ୍ୟ ଜଗତ ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି।