Categories
ଆଞ୍ଚଳିକ

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ବ୍ଲକ ଅଧୀନ ପଞ୍ଚାୟତ ଗୁଡିକରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ମାନେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ, ଓଡିଶା ଆନୁକୂଲ୍ୟରେ ଉକ୍ତ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାଯାଇଛି।

ସଙ୍ଘର ନିର୍ବାହୀ ଅଧିକାରୀ ଚାକିରୀ କରିବାକୁ ସରକାର +୨ ଯୋଗ୍ୟତା ଥିବା ମାନଦଣ୍ଡକୁ +୩ ଯୋଗ୍ୟତା ବୃଦ୍ଧି କରିବାକୁ ଦାବୀ କରିଛନ୍ତି। ଦୀର୍ଘ ସମୟ ଧରି କାର୍ଯ୍ୟ କଲାପରେ ମଧ୍ୟ ପ୍ରମୋସନ ଦିଆ ନଯିବାରୁ ପ୍ରଥମରୁ ଚାକିରୀ କରିଥିବା ନିର୍ବାହୀ ଅଧିକାରୀ ମାନେ ଉକ୍ତ ପଦବୀରେ ରହି ଅବସର ନେଉଛନ୍ତି। ତେଣୁ ନୂତନ ପଦବୀ ସୃଷ୍ଟି କରି ସେମାନଙ୍କୁ ପ୍ରମୋସନ ଦିଆଯିବାକୁ ସଙ୍ଘ ତରଫରୁ ଦାବୀ କରାଯାଇଛି।

ଅଧିକାରୀ ମାନେ ପେ ସ୍କେଲ ଲେବେଲ ୫ ଅନୁଯାୟୀ ଦରମା ପାଉଥିବା ବେଳେ ଲେବେଲ ୯ କୁ ଉନ୍ନୀତ କରିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ସରକାର ସେମାନଙ୍କର ଦାବୀ ପୂରଣ ପାଇଁ ଆସନ୍ତା ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିବେ। ଯଦି ସେମାନଙ୍କ ଦାବୀ ପୂରଣ ନ ହୁଏ ୧୮ ତାରିଖ ଠାରୁ ସମୂହ ଛୁଟିରେ ଯିବେ ବୋଲି ସଙ୍ଘ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସଂଘ ତରଫରୁ ସଭାପତି ନୃସିଂହ ଚରଣ ଜେନା, ସମ୍ପାଦକ ଅମୃତ ବେହେରା ଉପଦେଷ୍ଟା ରାଜକିଶୋର ଖଟେଇ ଓ ସଙ୍ଘର କର୍ମକର୍ତ୍ତା ମାନେ ବିଡ଼ିଓଙ୍କୁ ଦାବିପତ୍ର ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଚିଲିକା ଓ ଟାଙ୍ଗୀ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସୀତାରାମ ଅଗ୍ରୱାଲ

ଚିଲିକା/ଟାଙ୍ଗୀ: ଓଡ଼ିଶାର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଧାରିତ ରାୟ ଅନୁସାରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆଜି ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟ ଶାସନ ସଚ଼ିବଙ୍କ ଉଦ୍ଦେଶ୍ୟରେ ଚ଼ିଲିକା ଓ ଟାଙ୍ଗୀ ବ୍ଲକ ବି.ଡ଼ି.ଓ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମଧ୍ୟ ଏକ ସାଧାରଣ ବିଦ୍ୟାର୍ଥୀ ପରି ସମାନ ଶିକ୍ଷା ପାଇବାର ଆବଶ୍ୟକତା ଏବଂ ଅଧିକାର ରହିଛି।

ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଯଥାଶୀଘ୍ର ବାହାର କରିବା ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାର ଙ୍କୁ ବିନମ୍ର ନିବେଦନ କରାଯିବା ସହ ଏହି ନିଯୁକ୍ତି ଦିଆଗଲେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ଉତ୍ତମ ଶିକ୍ଷା ପାଇ ସମାଜର ମୁଖ୍ୟସ୍ରୋତ ରେ ସାମିଲ୍ ହୋଇପାରିବା ସହ ଓଡ଼ିଶାରେ ୬୦୦୦ ରୁ ଉର୍ଦ୍ଧ୍ଵ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀ ଉପକୃତ ହୋଇପାରିବେ।

ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ଓଏସ୍ଇଏଫଡ଼ି ରାଜ୍ୟ ଆଇଟି ସେଲ ସଂଯୋଜକ ବିଶ୍ବବିଜୟୀ ଦାଶ, ଅଭିଜିତ୍ ଦାଶ, ଅଶାନ୍ତି ମହାରଣା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆବାସରେ ଅନିୟମିତତା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ଦେଲା ଚିଲିକା ବିଜେପି

ସୀତାରାମ ଅଗ୍ରୱାଲ

ଚିଲିକା: ନିକଟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସାମ୍ଭାବ୍ୟ ତାଲିକା ପ୍ରକାଶ ପାଇଛି। ଯାହାକୁ ନେଇ ରାଜ୍ୟର ସମସ୍ତ ବ୍ଲକରେ ବିରୋଧ ଦେଖାଯାଇଛି। ଯୋଗ୍ୟ ବିବେଚିତଙ୍କ ନାମ ଏହି ତାଲିକାରୁ ବାଦ ପଡିଥିବାରୁ ରାଜ୍ୟର ସମସ୍ତ ବ୍ଲକରେ ଅଶାନ୍ତ ଲାଗିରହିଛି। କେଉଁ କେଉଁ ଗ୍ରାମ ପଞ୍ଚାୟତରେ ଜଣେ ହିତାଧିକାରୀଙ୍କ ନାମ ପ୍ରକାଶ ହୋଇଛି ତ, ଆଉ କେଉଁଠି ତିନି ଜଣ ହିତାଧିକାରୀଙ୍କ ନାମ ଦେଖିବାକୁ ମିଳିଛି। ତେବେ ଏହାକୁ ଘୋର ବିରୋଧ କରିଛି ବିଜେପି।

ରାଜ୍ୟର ସମସ୍ତ ବ୍ଲକରେ ଶାସକ ଦଳ ଚଞ୍ଚକତା କରି ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିଥିବା ବେଳେ ଏକାଧିକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ପଡିଥିବାର ଅଭିଯୋଗ କରିଛି ବିଜେପି। ୨୦୨୮-୧୯ ରେ ରାଜ୍ୟ ସରକାର ଯେଉଁ ତାଲିକା ପ୍ରସ୍ତୁତ କରିଥିଲେ, ତାହା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିଲା ଏବଂ ବିଗତ ତିନି ବର୍ଷ ହେଲା ଉକ୍ତ ତାଲିକାକୁ ସୁଧାରିବା ପାଇଁ ବିଜେପି ଦାବି କରିଆସୁଛି।

ରାଜ୍ୟ ସରକାର ୨୭ ଲକ୍ଷ ଲୋକଙ୍କ ପାଇଁ ଘର ମାଗିଥିବା ବେଳେ ପ୍ରଧାନମନ୍ତ୍ରୀ ଓଡିଶାକୁ ସମୁଦାୟ ୨୭ ଲକ୍ଷ ୫୮ ହଜାର ଘର ପ୍ରଦାନ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ସଦ୍ୟ ତାଲିକାରେ ୩ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ଅଭିଯୋଗ କରିଛି ବିଜେପି।

ଏହି ପରିପ୍ରେକ୍ଷୀରେ ଉକ୍ତ ତ୍ରୁଟିପୂର୍ଣ୍ଣ ଚିଠାକୁ ସ୍ଥଗିତ ରଖିବା ସହ ଆଗାମୀ ସାତ ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିବା ଦାବିରେ ବିଜେପି ରାଜ୍ୟର ସମସ୍ତ ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ମାନଙ୍କୁ ଦାବିପତ୍ର ପ୍ରଦାନ କରୁଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀର ଦୁଇ ଗୋଟି ବ୍ଲକ ଯଥା ବାଣପୁର ଓ ଚିଲିକା ବ୍ଲକରେ ମଧ୍ୟ ଆଜି ବିଜେପି ପକ୍ଷରୁ ଉକ୍ତ ଦାବିପତ୍ର ପ୍ରଦାନ କରାଯାଇଛି।

ମଧ୍ୟାହ୍ନରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ବ୍ଲକ ଅଧ୍ୟକ୍ଷଙ୍କ ସମେତ, ଦୁଇ ଜଣ ଜିଲ୍ଲା ପରିଷଦ ସଭ୍ୟ, ବହୁ ସରପଞ୍ଚ, ସମିତିସଭ୍ୟ ଏବଂ ଶତାଧିକ ଭାଜପା କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ବିଭିନ୍ନ ନାରାବାଜି କରିବା ସହ ଉଭୟ ବିଡ଼ିଓ ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଆଗାମୀ ସାତ ଦିନ ମଧ୍ୟରେ ସରକାର ପ୍ରକୃତ ହିତାଧିକାରୀଙ୍କ ଯୋଗ୍ୟ ତାଲିକା ପ୍ରସ୍ତୁତ ନ କରନ୍ତି ତେବେ ସେମାନଙ୍କ ସହଯୋଗରେ ବିଜେପି ବ୍ଲକ ଠାରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘେରାଉ ଜାରି ରଖିବ ବୋଲି ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ କହିଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉଭୟ ବ୍ଲକରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।