Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଦେଶାଗତ ପକ୍ଷୀ ସୁରକ୍ଷା ନେଇ ଜଳପରୀ ମାଧ୍ୟମରେ ବାର୍ତ୍ତା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ରବିବାର ପୂର୍ବାହ୍ନରେ ଭେଟେରାନ୍ସ କ୍ଲବ ଓଡ଼ିଶା ଓ ଆଇଏନଏସ ଚିଲିକା ମିଳିତ ଆନୁକୂଲ୍ୟରେ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ଏକ ନିରବଚ୍ଛିନ୍ନ ସନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ପକ୍ଷୀଙ୍କ ସୁରକ୍ଷା, ପର୍ଯ୍ୟଟନ ଓ ଚିଲିକାରେ ଜଳକ୍ରୀଡ଼ା ପାଇଁ ପ୍ରୋତ୍ସାହନ ସହ ବିଶ୍ୱ ବନ୍ଧୁତ୍ୱ ପ୍ରସାରିତ କରିଛି। ପର୍ଯ୍ୟଟନ ଋତୁରେ ଶୀତର ଆଗମନ ସାଙ୍ଗକୁ ଦଳ ଭର୍ତ୍ତି ଚିଲିକା ଜଳରାଶିରେ ଖାଦ୍ୟ ଅନ୍ୱେଷଣରେ ସୁଦୂର କାସ୍ପିଆନ ସାଗର ଉପକୂଳରୁ ଆରମ୍ଭ କରି ଇରାକ, ଇରାନ, ପାକିସ୍ତାନ, ଆଫଗାନିସ୍ତାନ, ଆଜରବାଇଜାନ, ଆମେର୍ନିଆ, ସାଇବେରିଆ, କାଜାକିସ୍ତାନ, ଉଜ ବେକିସ୍ତାନ, ରୁଷିଆ, ୟୁକ୍ରେନ, ବୈକାଲ ହ୍ରଦ ଆଦି ଅଞ୍ଚଳରୁ ଅନେକ ପକ୍ଷୀ ଆସିଥାନ୍ତି।

ତିନି ଚାରି ମାସ ରହଣି ପରେ ଶୀତ କମି ଆସିଲେ ପକ୍ଷୀମାନେ ପୁଣିଥରେ ନିଜ ନିଜ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।ମାତ୍ର ପକ୍ଷୀମାନଙ୍କ ନିଜସ୍ୱ ବାସସ୍ଥାନ ଯାହାକି ଏହି ଦେଶମାନେ ପରସ୍ପର ମଧ୍ୟରେ କେତେବେଳେ ସୀମା ସରହଦ ତ କେତେବେଳେ ନିଜ ସଂସ୍କୃତିର ପ୍ରତିଷ୍ଠା ପାଇଁ ଯୁଦ୍ଧରେ ମାତୁଥିବା ବେଳେ ମୁକ ପକ୍ଷୀମାନଙ୍କର ଦୀର୍ଘ ତିନି ଚାରି ମାସ ଧରି ଶାନ୍ତିପୂର୍ଣ୍ଣ ରହଣି ଶିକ୍ଷିତ ମାନବ ସମାଜକୁ ଅନେକ ବାର୍ତ୍ତା ସୂଚାଇ ଥାଏ।

ବିଭିନ୍ନ କିଶମର ପକ୍ଷୀ ପରସ୍ପର ଏକାଠି ରହିପାରୁଥିବା ବେଳେ ଏକା ସଦୃଶ ମଣିଷ କେବେ ଜାତି ନାଁରେ ତ କେବେ ଧର୍ମ ତ କେବେ ପୁଣି ଭୌଗଳିକ ସୀମା ନେଇ ବାଦବିବାଦ ଲାଗିରହିଛି। ଯାହାଫଳରେ ମାନବ ସମାଜ ପାଇଁ ଏହା ଅତି ଆତ୍ମଚିନ୍ତନର ବିଷୟ ପାଲଟିଛି।  ଏସବୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ଓଡ଼ିଶା ସେନାବାହିନୀରୁ ଅବସରପ୍ରାପ୍ତ ସୈନିକମାନଙ୍କ ସଙ୍ଗଠନ ଭେଟେରାନ୍ସ କ୍ଲବ ଓଡିଶା ଏକକ କାର୍ଯ୍ୟକ୍ରମ ମାଧ୍ୟମରେ ବିବିଧ ବାର୍ତ୍ତା ଉଦ୍ଦେଶ୍ୟରେ ପ୍ରୟାସ କରିଛି।

ଏହିପରିପ୍ରେକ୍ଷୀରେ ଆଜି ଭୋର ୫ଟା ୪୦ ମିନିଟ ସମୟରେ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଆଇ ଏନ ଏସ ଚିଲିକା କମାଣ୍ଡିଂ ଅଫିସର କମୋଡର ଏନପି ପ୍ରଦୀପଙ୍କ ମାଧ୍ୟମରେ ସବୁଜ ପତାକା ଦେଖାଇ ସନ୍ତରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଦୀର୍ଘ ସାତ ଘଣ୍ଟା ଧରି ଚିଲିକା ବକ୍ଷରେ ନିରବଚ୍ଛିନ୍ନ ସନ୍ତରଣ ପରେ ମୁମ୍ବାଇ ନିବାସୀ ସୁଜିୟା ରାୟ ବାଲୁଗାଁ ଜେଟି ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ମଞ୍ଚ ଠାରେ ପହଞ୍ଚିଥିଲେ।

ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ଆଇ ଏନ ଏସ କମାଣ୍ଡିଂ ଅଫିସର କମୋଡର ଏନପି ପ୍ରଦୀପ, ଭେଟେରାନ୍ସ କ୍ଲବ ସଭାପତି ବିଦ୍ୟାଧର ନାୟକ ପ୍ରମୁଖ ଜିୟାଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ।

ଭେଟେରାନ୍ସ କ୍ଲବ ସଭାପତି ଶ୍ରୀ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଶ୍ୱବିଦ୍ୟାଳୟ ସମେତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଜିୟାଙ୍କୁ ଉତ୍ସାହିତ କରିଥିଲେ। ଜିୟା ରାୟଙ୍କ ପକ୍ଷୀମାନଙ୍କ ପ୍ରତି ନିବିଡ଼ତାକୁ ବିଭିନ୍ନ ଦିଗରୁ ଭୁୟସୀ ପ୍ରଶଂସାର ସୁଅ ଛୁଟିଥିଲା।

କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ଦଳୀୟ ନେତା, କର୍ମୀ ସମେତ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ସରିଲା ପକ୍ଷୀ ଗଣନା: ଚଳିତ ବର୍ଷ ଏତିକି ସଂଖ୍ୟକ ବିଦେଶାଗତ ପକ୍ଷୀଙ୍କ ଆଗମନ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ହ୍ରଦରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗତବର୍ଷ ତୁଳନାରେ ଚଳିତ ବର୍ଷ ଶୀତର ପ୍ରକୋପ ଅଧିକ ଥିବା ସତ୍ତ୍ୱେ ବିଦେଶାଗତ ପକ୍ଷୀଙ୍କ ଆଗମନ ଚିଲିକାରେ କମିଥିବାର ଜଣାପଡିଛି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଜ୍ୟୋତି କାଟାଲଙ୍କ ସୂଚନା ମୁତାବକ ଚଳିତ ବର୍ଷ ଚିଲିକାରେ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ପକ୍ଷୀ ଆସିଛନ୍ତି। ଯାହାକି ଗତ ବର୍ଷ ୧୨ ଲକ୍ଷ ୪୨ ହଜାର ୮୨୬ ରୁ ବହୁତ କମ।

ସୂଚନା ମୁତାବକ ଆଜି ସକାଳ ୬ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା କାର୍ଯ୍ୟ ଚାଲୁରହିଥିଲା। ପକ୍ଷୀ ଗଣନା ପାଇଁ ଚିଲିକାକୁ ୫ଟି ଜୋନରେ ବିଭକ୍ତ କରାଯାଇଥିବା ବେଳେ ୨୧ ଟି ଟିମ ନିୟୋଜିତ ହୋଇଥିଲେ। ଏବଂ ପ୍ରତି ଟିମରେ ୫ ଜଣ ସଦସ୍ୟ ରହିଥିଲେ। ଟାଙ୍ଗୀ ଜୋନରେ ୮ଟି ଟିମ, ବାଲୁଗାଁରେ ୫ଟି, ସାତପଡ଼ାରେ ୩ଟି, ରମ୍ଭାରେ ୨ ଟି ଏବଂ କୃଷ୍ଣପ୍ରସାଦରେ ୩ ଟି ଟିମ ନିୟୋଜିତ ରହିଥିଲେ।

ତେବେ ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର, ୱାକି ଟକି, କ୍ୟାମେରା ଏବଂ ଅନ୍ୟ ଉପକରଣ ଆଦି ବ୍ୟବହୃତ କରାଯାଇଥିବା ବେଳେ ପକ୍ଷୀପ୍ରେମୀ, ପକ୍ଷୀ ସୁରକ୍ଷା ଶିବିରର କର୍ମକର୍ତ୍ତା, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଙ୍ଗ, ସାମାଜିକ କର୍ମୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଏବଂ ବିଏନଏଚଏସ ସାମିଲ ହୋଇଥିଲେ।

ଗତବର୍ଷ ସମୁଦାୟ ୧୯୦ ପ୍ରଜାତିର ୧୨ ଲକ୍ଷ ୪୨ହଜାର ୮୨୬ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୧୧ ପ୍ରଜାତିର ୧୨ ଲକ୍ଷ ୦୪ ହଜାର ୩୫୧ ଗୋଟି ବିଦେଶୀ ପକ୍ଷୀ ଏବଂ ୭୯ ପ୍ରଜାତିର ୩୮ବହଜାର ୪ ଶହ ୭୫ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଥିଲେ।

ସେହିପରି ଭାବେ ଚଳିତବର୍ଷ ସମୁଦାୟ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧୭୩ ଗୋଟି ପକ୍ଷୀ ଆସିଥିବାବେଳେ ତନ୍ମଧ୍ୟରୁ ୧୦୭ ପ୍ରଜାତିର ୧୦ ଲକ୍ଷ ୩୬ ହଜାର ୨୨୦ ଗୋଟି ବିଦେଶୀ ପକ୍ଷୀ ଏବଂ ୭୬ ପ୍ରଜାତିର ୩୭ ହଜାର ୯ ଶହ ୫୩ ଗୋଟି ସ୍ଥାନୀୟ ପକ୍ଷୀ ସାମିଲ ଅଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚିଲିକାରେ ପୁଣି ବିଦେଶୀ ପକ୍ଷୀ ଶିକାର: ଜଣେ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ପୁଣି ବିଦେଶାଗତ ପକ୍ଷୀଙ୍କୁ ଶିକାର କରାଯାଇଛି। ଏନେଇ ଜଣେ ଯୁବକଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି।

ସୂଚନା ଅନୁଯାୟୀ, ଚିଲିକାରେ କଇଁ ଫୁଲରେ ବିଷ ଦେଇ ଜଣେ ଯୁବକ ବିଦେଶାଗତ ପକ୍ଷୀଙ୍କୁ ଆଜି ଶିକାର କରୁଥିଲେ। ଖବର ପାଇ ବନ୍ୟପ୍ରାଣୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତିନୋଟି ମୃତ ପକ୍ଷୀ ସହ ଶିକାରୀକୁ ଗିରଫ କରିଛି। ଏହାସହ ବନ୍ୟାପ୍ରାଣୀ ବିଭାଗ ଶିକାରୀ ଠାରୁ ସାଇକେଲ, ମୋବାଇଲ ଫୋନ, କଇଁ ଫୁଲ ମଧ୍ୟ ଜବତ କରିଛି।

ଗିରଫ ହୋଇଥିବା ଶିକାରୀ ଜଣଙ୍କ ସର୍ବେଶ୍ଵର ପ୍ରଧାନ (୩୦) ଏବଂ ସେ ଟାଙ୍ଗୀ ଥାନା ଅନ୍ତର୍ଗତ କାଟିଲା ଗୋଠ କଲୋନୀର ବାସିନ୍ଦା ବୋଲି ଜଣାପଡିଛି।