Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟୁତ ବିଭାଗର ଅପାରଗତା: ଚାହୁଁ ଚାହୁଁ ଚାଲିଗଲା ଗୋଟିଏ ଜୀବନ, ଅଳ୍ପକେ ବର୍ତ୍ତିଲେ ଜଣେ ଯୁବକ

ବେଗୁନିଆପଡା (ଟୁକୁନା ପ୍ରଧାନ): ପବିତ୍ର ଜନ୍ମାଷ୍ଟମୀ ଧୁମଧାମରେ ପାଳିତ ହେଉଥିବା ବେଳେ ଅଚାନକ ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ଅନ୍ତର୍ଗତ ଇନାମ ବେଲପଡା ଠାରେ ଏକ ଦୁଖଦଃ ଘଟଣା ଘଟିଯାଇଛି। ଅବହେଳିତ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁଁ ଆଜି ଜଣେ ବୃଦ୍ଧଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣାପଡିଛି।

ଆଜି କୋଦଳା ଏନଏସି ୱାର୍ଡ ନଂ ୮ ଇନାମ ବେଲପଡା ଗ୍ରାମର ସ୍ବର୍ଗତ ଭୀମ ରାଉତଙ୍କ ପୁତ୍ର ୮୬ ବର୍ଷୀୟ ବୃଦ୍ଧ କନ୍ଧ ରାଉତ ନିଜ ଘରୁ ବାହାରି ନିକଟସ୍ଥ ରାସ୍ତା କଡ଼ରେ ଥିବା ସରକାରୀ ହୋଡିଂ ନିକଟକୁ ଯାଇ ପରିଶ୍ରା କରୁଥିବା ସମୟରେ ହଠାତ ଉକ୍ତ ଲୁହାର ହୋଡିଂର ସଂସ୍ପର୍ଶରେ ଆସି କେହି କିଛି ବୁଝିବା ପୂର୍ବରୁ ଟଳିପଡିଥିଲେ। ଉକ୍ତ ରାସ୍ତାଟି ମୁଖ୍ୟ ରାସ୍ତା ହୋଇଥିବାରୁ ସଙ୍ଗେ ସଙ୍ଗେ ଲୋକେ ଜମାହୋଇ କନ୍ଧ ରାଉତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, ସେଠାରେ ଉପସ୍ଥିତ ଥିବା କାଳୁ ପୋଲେଇ ବୃଦ୍ଧଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ସେ ମଧ୍ୟ କିଛି ଦୁରକୁ ଛିଟିକି ପଡ଼ିଥିଲେ। କିନ୍ତୁ ନିଜ ଜୀବନ ବଞ୍ଚି ଯାଇଥିଲା।

ଏହା ଦେଖି ଲୋକମାନେ ଜାଣିବାକୁ ପାଇଥିଲେ ଯେ, ହୋଡିଂ ଉପର ଦେଇ ଯାଇଥିବା ଟାଟା ପାୱାରର ୧୧ କେଭି ବିଦ୍ୟୁତ ତାର ହୋଡିଂ ରେ ଲାଗି ବିଦ୍ୟୁତ ସଂଯୋଗ ହୋଇଯାଇଛି। ସଙ୍ଗେ ସଙ୍ଗେ ସେହିଗ୍ରାମର ଯୁବକ ଯଜ୍ଞ ପତି ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିକଟରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରର ସରବରାହ ବିଛିନ୍ନ କରିଥିଲେ ଓ କନ୍ଧ ରାଉତଙ୍କୁ ତତକ୍ଷଣାତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ପ୍ରକାଶ କରିବା ପରେ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି।

କିଛି ସମୟ ପାଇଁ ଉକ୍ତ ସ୍ଥାନରେ ବିଦ୍ୟୁତ ବିଭାଗ କର୍ମକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟ ଲାଗି ଏକ ମୂଲ୍ୟବାନ ଜୀବନ ଚାଲି ଯାଇଥିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉକ୍ତ ପରିବାରକୁ ସରକାରୀ ସହାୟତା ସମେତ ବିଦ୍ୟୁତ ବିଭାଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇନାମ ବେଲପଡ଼ା ବାସୀ ଦାବୀ କରିଛନ୍ତି।

Categories
ଆଞ୍ଚଳିକ

ଲକ ଡାଉନ ସମୟରେ ବାଣପୁର-ବାଲୁଗାଁରେ ବିଦ୍ୟୁତ ବିଭାଗ ହୋମ କ୍ଵାରେଣ୍ଟିନରେ

ସୀତାରାମ ଅଗ୍ରୱାଲ

ଚିଲିକା: ଦିନକୁ ଦିନ ବାଣପୁର-ବାଲୁଗାଁ ଅଞ୍ଚଳରେ ବିଦ୍ୟୁତ ବିଭାଗର ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ମାନବିକତା ହରେଇ ବସିଲାଣି ବିଦ୍ୟୁତ ବିଭାଗ। ସାରା ରାଜ୍ୟରେ ଲକ ଡାଉନ ଓ ୧୧ ଟି ଜିଲ୍ଲାରେ ସାପ୍ତାହିକ ସଟଡାଉନ ଜାରି ରହିଥିବା ସ୍ଥଳେ ନାଗରିକ ମାନେ ଘରେ ରହୁଛନ୍ତି ଏବଂ ଅତି ଜରୁରୀ ହେଲେ ପଦାକୁ ବାହାରୁଛନ୍ତି। ଏପରି ସ୍ଥଳେ କିଛିଦିନ ହେବ ବାଣପୁର-ବାଲୁଗାଁ ଅଞ୍ଚଳରେ ଘନ ଘନ ଅଘୋଶିତ ବିଦ୍ୟୁତ କାଟ ହେଉଛି।

ଲକ ଡାଉନ ସମୟରେ ବିଦ୍ୟୁତ କାଟ ନ କରିବାପାଇଁ ସରକାରଙ୍କ କଡ଼ା ନିର୍ଦ୍ଦେଶ ଥିଲାବେଳେ ବାଣପୁର ବାଲୁଗାଁରେ ଏହାର ବ୍ୟତିକ୍ରମ ଘଟୁଛି। ବର୍ତ୍ତମାନ ଲକ ଡାଉନ ଲାଗି ନାଗରିକ ମାନେ ଅନେକ କାମ ଘରେ ରହି କରିବାକୁ ବାଧ୍ୟ ହେଉଛନ୍ତି ଯେଉଁଥିରେ ବିଦ୍ୟୁତ ପ୍ରମୁଖ ମାଧ୍ୟମ ଅଟେ। ଛାତ୍ର ଛାତ୍ରୀଙ୍କ ପାଇଁ ଅନଲାଇନ କ୍ଲାସ ହେଉ କିମ୍ବା ଘରୋଇ କର୍ମଚାରୀଙ୍କ ଅନଲାଇନ କାମ ସବୁଠି ବିଦ୍ୟୁତ ଅପରିହାର୍ଯ୍ୟ ହୋଇପଡିଛି। ବର୍ଷାଦିନ ଆସିବାକୁ ବାକିଥିଲା ବେଳେ ପ୍ରବଳ ଗୁଳୁଗୁଳି ଦିନଯାକ ରହୁଛି। ଏ ସବୁକୁ ଖାତିର ନକରି ବିଦ୍ୟୁତ ବିଭାଗ ମନଇଚ୍ଛା କାର୍ଯ୍ୟ କରୁଛି।

ଦିନ ତମାମ ଅଘୋଷିତ ବିଦ୍ୟୁତକାଟ ହେଉଛି ଯାହା ଫଳରେ ଲକ ଡାଉନ ଲାଗି ସ୍ୱଳ୍ପ ସମୟ ପାଇଁ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଏବଂ ଦୋକାନ ବଜାର ବେଶୀ ପ୍ରଭାବିତ ହେଉଛନ୍ତି ଯାହାର ସିଧାସଳଖ ପ୍ରଭାବ ନାଗରିକଙ୍କ ଉପରେ ପଡୁଛି। ଅନ୍ୟ ପକ୍ଷରେ ଯଦି ଏ ନେଇ ଅଭିଯୋଗ କରାଯାଏ ତାହାଲେ ଗୋଟେ ଅଭିଯୋଗ ପ୍ରକୋଷ୍ଠ ନାଇଁ କି ଅଭିଯୋଗ ହେଲ୍ପଲାଇନ ନମ୍ବର ବି ନାଇଁ। ଯଦି ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରାଯାଉଛି ତାହାଲେ ସେମାନେ ନାଭାଲ ଗ୍ରୀଡ଼କୁ ଦୋଷ ଦେଉଛନ୍ତି ଏବଂ ଯଦି ନାଭାଲ ଗ୍ରୀଡ଼କୁ ଯୋଗାଯୋଗ କରାଯାଏ ତାହାଲେ ସେମାନେ ସେସୁ ଉପରକୁ ଦୋଷ ଲଦିଦେଉଛନ୍ତି। ଦେଖିବାକୁ ଗଲେ ବର୍ଷ ତମାମ ରକ୍ଷଣାବେକ୍ଷଣ ପାଇଁ ବାରମ୍ବାର ଘୋଷଣା ହୋଇ ବିଦ୍ୟୁତ ସରବରାହ ବନ୍ଦ ରହୁଥିବା ବେଳେ ପୁଣି ଅଘୋଷିତ ବିଦ୍ୟୁତକାଟ କେତେଦୂର ଯୁକ୍ତିଯୁକ୍ତ। ଅଞ୍ଚଳରେ ସାମାନ୍ୟ ବର୍ଷା ପବନ ହେଲେ ସଙ୍ଗେସଙ୍ଗେ ବିଦ୍ୟୁତ କାଟ ହେଉଛି ଏବଂ ତାକୁ ମରାମତି ପାଇଁ ଘଣ୍ଟା ଘଣ୍ଟା ଲାଗୁଛି।

ତେବେ ଏଠି ପ୍ରଶ୍ନ ଉଠୁଛି ବର୍ଷ ତମାମ ବିଦ୍ୟୁତ ବିଭାଗ ମରାମତି ଆଳରେ ଦିନ ଦିନ ଧରି ଯେଉଁ ବିଦ୍ୟୁତ କାଟ କରୁଛି ତାହାର ଅଭିପ୍ରାୟ କଣ? ଏଠାର ନାଗରିକ ମାନଙ୍କ ମୌଳିକ ସୁବିଧାକୁ ଅଣଦେଖା କରିବା ଆଗକୁ ଯେ ବଡ଼ ଧରଣର ଆନ୍ଦୋଳନକୁ ପରୋକ୍ଷ ଭାବେ ବିଦ୍ୟୁତ ବିଭାଗ ନିମନ୍ତ୍ରଣ କରୁଛି ଏଥିରେ କୌଣସି ସନ୍ଦେହ ନାଇଁ। ଯଥାଶୀଘ୍ର ଉପରିସ୍ଥ ଅଧିକାରୀ ଏଠିକାର ବିଦ୍ୟୁତ କାଟ ସମସ୍ୟା ଦୂର କରିବା ସହ ଏକ ୨୪/୭ ଅଭିଯୋଗ ହେଲ୍ପଲାଇନ ନମ୍ବର ଜାରି କରିବାପାଇଁ ସାଧାରଣରେ ଦାବି ହେଉଛି।