Categories
ବିଶେଷ ଖବର ରାଜ୍ୟ ଖବର

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଆଜି ସଂଧ୍ୟାରେ ଲାଇନ ବନ୍ଦ କରିବାକୁ କଂଗ୍ରେସ କଲା ଅନୁରୋଧ

ଭୁବନେଶ୍ୱର, ରାଜ୍ୟ ସରକାର ବିଦ୍ୟୁତ ଉପଭୋକ୍ତା ମାନଙ୍କ ଉପରେ ଅହେତୁକ ବିଜୁଳିଦର ୟୁନିଟ୍ ପ୍ରତି ୭ମାସ ମଧ୍ୟରେ ୫୦ ପଇସା ବୃଦ୍ଧି କରିବା ଅତ୍ୟନ୍ତ ଉଦ୍‌ବେଗଜନକ ଅଟେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

କୋଭିଡ୍ ୧୯ ମହାମାରୀ ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଦୟନୀୟ ହୋଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପେଟ୍ରୋଲ ଡିଜେଲ ଓ ଗ୍ୟାସର ଦରବୃଦ୍ଧି ସାଙ୍ଗକୁ ଅତ୍ୟାବଶୀକୀୟ ସାମଗ୍ରୀର ଦରବୃଦ୍ଧି ହୋଇଥିବା ବେଳେ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

ଏହି ବିଜୁଳି ଦର ବୃଦ୍ଧି ରାଜ୍ୟ ସରକାରଙ୍କ ଜନବିରୋଧି ନିଷ୍ପତି ଚିନ୍ତାଜନକ ଅଟେ । ସେଥିପାଇଁ ଏହି ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦଳ ଏପ୍ରିଲ ୪ ତାରିଖ, ରବିବାର ସନ୍ଧ୍ୟା ୬ ଘଟିକା ୩୦ ମିନିଟ୍‌ରୁ ୭ ଘଟିକା ପର‌୍ୟ୍ୟନ୍ତ (୩୦ ମିନିଟ୍‌) ବିଦ୍ୟୁତ ସରବରାହ ବନ୍ଦ କରିବାକୁ ନିଷ୍ପତି ନେଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏଣୁ ଦଳମତ ନିର୍ବିଶେଷରେ ରାଜ୍ୟ ସରକାରଙ୍କ ଜନବିରୋଧି ନିଷ୍ପତିକୁ ପ୍ରତ୍ୟାହାର ଲାଗି ଚାପ ପ୍ରୟୋଗ କରିବା ପାଇଁ ସମସ୍ତ ବିଦ୍ୟୁତ୍ ଉପଭୋକ୍ତା ଏବଂ କଂଗ୍ରେସ କର୍ମୀ ଓ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ କାମନା କରି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।