Categories
ଆଜିର ଖବର ରାଜ୍ୟ ଖବର

ଫେବୃଆରୀ ୫ରୁ ଆରମ୍ଭ ହେବ ଓଡିଶା ବିଧାନସଭା, ଘଟିବ ଦୁଇଟି ଗୁରୁତ୍ବପୂର୍ଣ୍ଣ ଘଟଣା

ଭୁବନେଶ୍ବର: ଆସନ୍ତା ଫେବୃଆରୀ ୫ରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ସେ ନେଇ ଆଜି ବିଧାନସଭା ସଚିବାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଏହି ଅଧିବେଶନ ଫେବୃଆରୀ ୫ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି।

ତେବେ ଏହି ଅଧିବେସନରେ ଦୁଇଟି ନୂଆ କଥା ହେବ। ପ୍ରଥମତଃ ଏହି ଅଧିବେସନ ଷୋଡଶ ବିଧାନସଭାର ଶେଷ ଅଧିବେଶନ ହେବ। ଫେବୃଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ତାଙ୍କର ପ୍ରଥମ ଅଭିଭାଷଣ ରଖିବେ।ସେ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଏହାହେବ ତାଙ୍କର ପ୍ରଥମ ଭାଷଣ।

ବିଜ୍ଞପ୍ତି ଅନୁସାରେ ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଗକୁ ସାଧାରଣ ନିର୍ବାଚନ ଅଛି ତେଣୁ ତାପୂର୍ବରୁ ପୂର୍ଣ୍ଣାଙ୍କ ବଜେଟ ବଦଳରେ କାମଚଳା ବଜେଟ ଆଗତ କରାଯିବ।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭା ବଜେଟ ଅଧିବେସନ: ଆଜି ହେଲେ ଛକାଛକି, କାଲି ହେବେ ମୁହାଁମୁହିଁ

ଭୁବନେଶ୍ବର: ଆସନ୍ତାକାଲିଠାରୁ ବସୁଛି ଓଡିଶା ବିଧାନସଭାର ବଜେଟ ଅଧିବେସନ। ତେବେ ଏହି ଅଧିବେସନରୁ ବଜେଟ ସଂପର୍କରେ ଜାଣିବା ପାଇଁ ଲୋକେ ଆଗ୍ରହୀ ନୁହଁନ୍ତି। ବରଂ ଶାସକ ବିରୋଧୀ କିପରି ହେବେ ମୁହାଁମୁହିଁ ସେ ନେଇ ସମସ୍ତେ ଅନେଇ ରହିଛନ୍ତି। କାରଣ ହେଲା ଏଥର ବଜେଟ ଅଧିବେସନ ପୂର୍ବରୁ ବିରୋଧୀ ଓ ଶାସକ ଦଳ ପାଖରେ ରହିଛି ସ୍ପର୍ଶକାତର ପ୍ରସଂଗ।

ଏଥର ବିଧାନସଭାରେ ପ୍ରମୁଖ ପ୍ରସଂଗ ମଧ୍ୟରେ ରହିଛି ନବ ଦାସ ହତ୍ୟାକାଣ୍ଡ। କାରଣ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରିବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି। ତେବେ ଏହି ହତ୍ୟାକାଣ୍ଡରେ ଖୋଦ ପୋଲିସ ସଂପୃକ୍ତ। ଫଳରେ ବିରୋଧୀଙ୍କ ପାଇଁ ହାଙ୍ଗାମା କରିବା ପାଇଁ ଏହା ପ୍ରମୁଖ ପ୍ରସଂଗ ହୋଇ ରହିଛି। ଉଭୟ ବିଜେପି ଓ କଂଗ୍ରେସ ଏହାକୁ ନେଇ ଗୃହରେ ତୁମ୍ବିତୋଫାନ କରିବେ।

ସେହିପରି ଶାସକ ବିଜେଡି ମଧ୍ୟ ପଛରେ ପଡିଯିବ ନାହିଁ। କାରଣ ବିଜେଡି ପାଖରେ ମଧ୍ୟ ବିରୋଧୀ ବିଜେପିକୁ ଘେରିବା ପାଇଁ ରହିଛି ମାଳମାଳ ପ୍ରସଂଗ। ଚାଉଳ କାଟିବା ହେଉ କିମ୍ବା କେନ୍ଦ୍ରମନ୍ତ୍ରୀମାନଙ୍କର ପ୍ରତିଶୃତି ପୁରଣ ନ ହେବା ପ୍ରଭୃତି ପ୍ରଂସଗ ରହିଛି। ସେହିପରି ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ନେଇ ମଧ୍ୟ ବିଜେଡି ହୋହାଲ୍ଲା କରିବାର ସମ୍ଭାବନା ରହିଛି।

ତେବେ ବିଜେଡି ପାଖରେ ଯେଉଁ ବଡ ହତିୟାର ରହିଛି ତାହା ହେଲା ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କ ମହିଳା ପୋଲିସଙ୍କୁ ଆକ୍ରମଣ। ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ହୋଇଥିବା ବେଳେ ବିଜେଡି ଏହାକୁ ପ୍ରମୁଖ ପ୍ରସଂଗ କରିବ। ଜଣେ ସାମ୍ବିଧାନିକ ପଦପଦବୀରେ ଥିବା ନେତା ପୋଲିସକୁ ଧକ୍କା ମାରିବା ଘଟଣାକୁ କେହି ବି ସହଜରେ ଗ୍ରହଣ କରି ନାହାଁନ୍ତି। ଫଳରେ ବିଜେଡି ଏହାକୁ ନେଇ ବିଜେପିକୁ ଆକ୍ରମଣ କରିବ।

ଏଥର ବିଧାନସଭାରେ ନବ ଦାସ ଏବଂ ଜୟନାରାୟଣ ମିଶ୍ର ଦୁଇଟି ବଡ ପ୍ରସଂଗ ବ୍ୟତିତ ଅନ୍ୟ କେତେକ ପ୍ରଂସଗ ରହିଛି। ସେଗୁଡିକ ମଧ୍ୟରେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ଏବଂ ରାଜ୍ୟରେ ଆଇନି ଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ଘେରିବ। ସେହିପରି ବିଜେଡି ମଧ୍ୟ କେନ୍ଦ୍ର ସରକାର ଚାଉଳ କାଟିବା, କେନ୍ଦ୍ରମନ୍ତ୍ରୀମାନେ ପଦମପୁର ଉପନିର୍ବାଚନରେ ଦେଇଥିବା ପ୍ରତିଶୃତି ପୁରଣ ନ କରିବା ପ୍ରଭୃତି ରହିଛି।