Categories
ଆଜିର ଖବର ରାଜ୍ୟ ଖବର

ସ୍କାଉଟ୍ସ ଏବଂ ଗାଇଡ୍ସର ନୂତନ ସଭାପତି ଓ ଉପସଭାପତିଙ୍କୁ ଶପଥ କରାଇଲେ ରାଜ୍ୟପାଳ

ଭୁବନେଶ୍ୱର: ମଣିଷର ସେବାରୁ ଯେଉଁ ନିର୍ମଳ ଆନନ୍ଦ ମିଳେ, ତାହା ଅନ୍ୟ କେଉଁ କାର୍ଯ୍ୟରୁ ମିଳେ ନାହିଁ । ମଣିଷର ସେବା ହିଁ ଈଶ୍ୱରଙ୍କ ଅର୍ଚ୍ଚନା । ଏହା ଆମ ସଂସ୍କୃତି ଓ ପରମ୍ପରାର ଶିକ୍ଷା ଓ ଦୀକ୍ଷା । ମାନବବାଦକୁ ଆଧାର କରି ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ପାଳନ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ।

ରାଜଭବନରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ ସଂଗଠନର ନବନିଯୁକ୍ତ ସଭାପତି ଓ ଉପସଭାପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ତଥା ସଂଗଠନର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର ଲାଲ କହିଲେ ଯେ ବସ୍ତୁ ବୋଲି କିଛି ନାହିଁ। ଏହା ଚେତନାର ରୂପାନ୍ତର । ସେହି ଚେତନାର ଅନୁଭବ ଓ ଉପଲବ୍ଧି ମଣିଷକୁ ଊଦ୍ଧ୍ୱର୍ମୁଖୀ କରାଇଥାଏ । ପ୍ରତ୍ୟେକ ଏକ ଉତ୍ସରୁ ଆସିଥିବାରୁ ସମତା ଭାବରେ ଆପ୍ଳୁତ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ ।

ବିଧାୟକ ଅତନୁ ସବ୍ୟସାଚୀ ନାୟକ ରାଜ୍ୟ ସଭାପତି ଭାବରେ ଏବଂ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ, ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା, ଅବସରପ୍ରାପ୍ତ ନ୍ୟାୟାଧୀଶ ମନୋରଞ୍ଜନ ମହାନ୍ତି, ଟି. ପ୍ରସାଦ ରାଓ ରାଜ୍ୟ ଉପସଭାପତି ଭାବରେ ଶପଥ ଗ୍ରହଣ କରିଥିଲେ ।

ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି କାଳିପ୍ରସାଦ ମିଶ୍ର ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ରାଜଭବନର ବରିଷ୍ଠ ଅଧିକାରୀଙ୍କ ସମେତ ସଂଗଠନର କର୍ମକର୍ତ୍ତାମାନେ ଉତ୍ସବରେ ଉପସ୍ଥିତ ଥିଲେ ।