Categories
ଆଞ୍ଚଳିକ

ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆଲୋଚନା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା ଗଂଜାମ ଜିଲ୍ଲା ଗସ୍ତ କରି ଗଂଜାମ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷଠାରେ ଖଲିକୋଟ, ଗଂଜାମ ଓ ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ କାର୍ଯ୍ୟକାରିତା ହୋଇଥିବା ଓଡ଼ିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଆଲୋଚନା ବୈଠକରେ ଶ୍ରୀ ଜେନା ଯୋଜନା ସଂପର୍କିତ କାର୍ଯ୍ୟକାରିତା ସଂପର୍କରେ ପଚାରି ବୁଝି ଜଣାଇଥିଲେ ଯେ, ଯୋଜନାର ନିର୍ଦ୍ଦେଶନାମା ପ୍ରକାରେ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରନ୍ତୁ। ଯ’ଦ୍ୱାରା ସେମାନେ ଠିକ୍ ସମୟରେ ନିଜ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିପାରିବେ।

ଅଧିକାରୀ ଗଣ ବ୍ୟକ୍ତିଗତ ଭାବେ ଏହାର ଅଗ୍ରଗତି ଓ ସହାୟକଗୁଡ଼ିକ ପରିଚାଳନା କରନ୍ତୁ ତେବେ ଯାଇ କୌଣସି ସମସ୍ୟା ଦେଖାଯିବ ନାହିଁ। ତିନିମାସ ମଧ୍ୟରେ ଘର କାମ ଶେଷ କରିବାକୁ ହିତାଧିକାରୀଙ୍କୁ ଯେଉଁ ପ୍ରୋତ୍ସାହନ ରାଶି ଦିଆଯାଇ ସେମାନଙ୍କ ସ୍ଥାନାନ୍ତର ପ୍ରକ୍ରିୟା ରହିଛି ତାହା ଯେମିତି ଠିକ୍ ସମୟରେ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ଓ ସଂପୃକ୍ତ ହିତାଧିକାରୀ ଉକ୍ତ ଗୃହରେ ରହିବା ଦିଗରେ ସୁନିଶ୍ଚିତ କରନ୍ତୁ। ବିଶ୍ୱବ୍ୟାଙ୍କ ସହାୟତାରେ କରାଯାଇଥିବା ସମସ୍ତ ଯୋଜନାର ଡ଼କ୍ୟୁମେଣ୍ଟ ଠିକ୍ କରି ରଖିବାକୁ ପରାମର୍ଶ ଦେଇଥିଲେ। ବିନିଯୋଗ ସମସ୍ତ ଅର୍ଥ ସଂପୃକ୍ତ ଅଡ଼ିଟର ସଂସ୍ଥା ଦ୍ୱାରା ଅଡ଼ିଟ୍ କରାଯାଇ ସରକାରୀ ଅର୍ଥର ସୁବିନିଯୋଗ ଦିଗରେ ଯାଞ୍ଚ କରାଯିବ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୂଲ୍ୟ କୁମାର ସାହୁ, ଓଡ଼ିଶା ବିପର୍ଯ୍ୟୟ ପୁନଃରୁଦ୍ଧାର ପ୍ରକଳ୍ପ ଜିଲ୍ଲାସ୍ତରୀୟ ଅଧିକାରୀ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଡ. ଦିବ୍ୟଲୋଚନ ମହାନ୍ତି, ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।