Categories
ଆଜିର ଖବର ରାଜ୍ୟ ଖବର

ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଜୁନାଗଡ ନିର୍ବାଚନ ମଣ୍ଡଳୀ ଗସ୍ତ, ମହିଳାମାନଙ୍କ ଦ୍ୱାରା ବିପୁଳ ସମ୍ବର୍ଦ୍ଧନା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡିର ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାରେ ଜୁନାଗଡ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବିରୋଧ ବିକ୍ଷୋଭ ଜାରି ରହିଥିବା ବେଳେ ଜୁନାଗଡ ସହରରେ ଶନିବାର ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଛି। ଜୁନାଗଡ ଗସ୍ତ ସମୟରେ ସହସ୍ରାଧିକ ମହିଳା ସ୍ଥାନୀୟ ନିର୍ମାଣଧିନ ନୂଆ ବସଷ୍ଟାଣ୍ଡ ପାଖରେ ଜାତୀୟ ରାଜପଥରେ ମନ୍ତ୍ରୀଙ୍କୁ ଫୁଲମାଳା ଅର୍ପଣ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେଠାରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପରିସରରେ ମହିଳା ଓ ଶିଶୁଙ୍କ ପାଇଁ ଏକ ଉଦ୍ୟାନର ଶିଳାନ୍ୟାସ କରିବା ଅବସରରେ ମାତୃଜାତି ପ୍ରତି ମୋର ସ୍ୱତନ୍ତ୍ର ସମ୍ମାନ ରହିଛି ଓ ରହିବ ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସେଠାରୁ ମନ୍ତ୍ରୀ ସମର୍ଥକ ମାନଙ୍କ ସହିତ ସ୍ଥାନୀୟ ବ୍ଲକ ଛକ ପର୍ଯ୍ୟନ୍ତ ଆସିଥିବା ଦେଖାଯାଇଥିଲା।

ସେହିପରି ରବିବାର ମନ୍ତ୍ରୀ ଜୁନାଗଡ ନିର୍ବାଚନ ମଣ୍ଡଳୀ ଗସ୍ତ କରି ମୋପରିବାର-ବିଜୁ ପରିବାର କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ମାନଙ୍କ ଗହଣରେ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ମୋର ମାଁ ମାନେ ମୋତେ ଶକ୍ତି ଦେବେ, ମୋର ଅଂଚଳରେ ନିଷ୍ଠାର ସହିତଏହି ଅଂଚଳର ବିକାଶ ପାଇଁ କାମ କରୁଥିବା ହେତୁ ବିରୋଧିମାନେ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ପ୍ରକାଶ କରିଥିଲେ। ବୟୋଜ୍ୟେଷ୍ଠ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଜଗନ୍ନାଥଙ୍କ ଫଟୋଚିତ୍ର ଅର୍ପଣ ପୂର୍ବକ ଆଶୀର୍ବାଦ ଭିକ୍ଷା କରିଥିଲେ।

ଏପରିକି ଆଗାମୀ ୮ ତାରିଖ ଦିନ ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ପାଇଁ ଭବାନୀପାଟଣାସ୍ଥିତ କୃଷିବିଦ୍ୟାଲୟ ପରିସରରେ ଥିବା ପଡିଆ ରେ ଜିଲ୍ଲାପାଳ ଓ ଏସପିଙ୍କ ସହ ତଦାରଖ କରିଥିବା ଦେଖାଯାଇଥିଲା। ବିରୋଧି ଏହାକୁ ମଧ୍ୟ ସମାଲୋଚନା କରୁଥିବା ଜଣାପଡିଛି।

ଜିଲ୍ଲାସାରା ମମିତା ହତ୍ୟାକାଣ୍ଡ ପାଇଁ ମନ୍ତ୍ରୀଙ୍କ ବିରୁଦ୍ଧରେ ବିରୋଧାଭାଷ ଜାରିରହିଥିବା ବେଳେ ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସଂପର୍କରେ ଚର୍ଚ୍ଚା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ବେଚ୍ଛାସେବୀ ବିକ୍ରମ ବିଷୋୟୀଙ୍କୁ ବିପୁଳ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରୱାଲ
ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ବିକ୍ରମ ବିଷୋୟୀ ଚଳିତ ବର୍ଷ ରାଷ୍ଟ୍ର ନିର୍ମାଣ ଓ ସମାଜ ସେବା କ୍ଷେତ୍ରରେ ଜାତୀୟ ସେବା ଯୋଜନା ପକ୍ଷରୁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ରାଷ୍ଟ୍ରପତି ପୁରସ୍କାର ଲାଭ କରିଛନ୍ତି। ସେ ଦିଲ୍ଲୀରୁ ଫେରିବା ପରେ ଆଜି ଜନ ସାଧାରଣ ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସମ୍ବର୍ଦ୍ଧନା ଜଣାଇଥିଲେ।

ଗତକାଲି ଅପରାହ୍ନରେ ସମାଜସେବୀ ପ୍ରଭାସ ସୁନ୍ଦରାୟ ଓ ଚିଲିକା ପ୍ରେସ କ୍ଳବର ସଭାପତି ପ୍ରକାଶ ପ୍ରଧାନଙ୍କ ସଂଯୋଜନାରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବିକ୍ରମ ବିଷୋୟୀଙ୍କୁ ତାଙ୍କ ଗ୍ରାମ ବଡକୁଳ ପର୍ଯ୍ୟନ୍ତ ଅଣାଯାଇଥିଲା। ଶୋଭାଯାତ୍ରା ପଥରେ ବାଲୁଗାଁ ଗାନ୍ଧୀ ଛକ ଠାରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇବା ସହ ରାଷ୍ଟ୍ରପତିଙ୍କ ଦ୍ଵାରା ପଦକ ପିନ୍ଧାଇବା ପରେ ଶ୍ରୀ ବିଷୋୟୀ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିଥିଲେ।

ଗାଁ ମାଟିରେ ପାଦ ଦେବା ପରେ ବଡକୁଳ ପଞ୍ଚାୟତର ଶହ ଶହ ଜନସାଧାରଣ ସମ୍ବର୍ଦ୍ଧନା ଜଣାଇ ଶ୍ରୀ ବିଷୋୟୀଙ୍କୁ ଏକ ପଟୁଆରରେ ଗ୍ରାମ ପରିକ୍ରମା କରାଇଥିଲେ। ଏହାପରେ ଅମର ଜ୍ୟୋତି କ୍ଳବ୍ ପକ୍ଷରୁ ଗ୍ରାମରେ ପ୍ରଭାସ ସୁନ୍ଦରାୟଙ୍କ ସଭାପତିତ୍ବରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଜୟ ପାଇକରାୟ, ସହଦେବ ପାଇକରାୟ, ବଳଭଦ୍ର ବିଷୋୟୀ, ଦୀପକ ପାଇକରାୟ, ଦିଲ୍ଲୀପ ମାନସିଂହ , ରାକେଶ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିକ୍ରମ ବିଶୋଇଙ୍କ ସମାଜସେବା ପ୍ରତି ଥିବା ଅଙ୍ଗୀକାରବଦ୍ଧତାର ବିଭିନ୍ନ ଦୃଷ୍ଟାନ୍ତ ଉପସ୍ଥାପନ କରିଥିଲେ।

ପ୍ରେରଣାଦାୟୀ ଶିକ୍ଷକ ଭାଗିରଥି ସ୍ବାଇଁ ଶ୍ରୀ ବିଶୋଇଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ବୋଲି ମତବ୍ୟକ୍ତ କରିଥିଲେ। ସମାଜସେବୀ ଜିନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ସଂଯୋଜକ, ଉଚ୍ଚଶିକ୍ଷା ସଚିବ , ଇନଷ୍ଟିଚ୍ୟୁଟ ଅଫ ମେଡିଆ ସ୍ଟଡିଜ୍ ର ନିର୍ଦେଶକ ପ୍ରମୁଖ ସମ୍ବର୍ଦ୍ଧନା ଜଣାଇବା ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ପ୍ରକାଶ ଥାଉକି ଶ୍ରୀ ବିକ୍ରମ ବିଷୋୟୀ ଜାତୀୟ ସେବା ଯୋଜନାର ସ୍ବେଛସେବୀ ଭାବେ ଯୋଗଦେଇ ପକ୍ଷୀ ସୁରକ୍ଷା ଚିଲିକା ରକ୍ଷା, ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ଚିଲିକା, ଦିବ୍ୟ।ଙ୍ଗ ମଙ୍ଗଳ ଯୋଜନା, ଦୁଃସାହସିକ କାର୍ଯ୍ୟକ୍ରମ, ଆବାସ ନିର୍ମାଣ ପରିଚାଳନା, ଏଡ଼ସ ରୋଗ ସଚେତନତା, ସାକ୍ଷରତା, ଅଙ୍ଗ ଦାନ ସଚେତନତା, ଉପକୂଳ ବୃକ୍ଷରୋପଣ ଆଦି ଅନେକ ଉଲ୍ଲେଖନୀୟ ସମାଜସେବା କରିବା ସହ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ଶିବିରରେ ଯୋଗଦେଇ ପାଲା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଜାଗରଣ ସୃଷ୍ଟିକରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।