Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଦସ୍ତଖତ ଅଭିଯାନ ଜାରି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମଂଚର ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ପାଞ୍ଚଦିନ ହେଲା ସହରର ବିଭିନ୍ନ ସାହିର ଘରକୁ ଘର ବୁଲି ଦସ୍ତଖତ ସଂଗ୍ରହ ପ୍ରକ୍ରିୟା ଚାଲିଛି।

ଆଜି ବିଜିପୁର ରଥାସାହି, ବଜାର ସାହି, କାଳୁଆ ସାହି, ନୂଆ କାଳୁଆ ସାହି ଏବଂ ପଥପ୍ରାନ୍ତ ସଭା ମାଧ୍ୟମରେ ବିମାନବନ୍ଦର ଆବଶ୍ୟକତା ସଂପର୍କରେ ଲୋକଙ୍କୁ ସଚେତନ କରି ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଦସ୍ତଖତ ଅଭିଯାନରେ ଯୁଗ୍ମ-ସଂପାଦକ ଲଳିତମୋହନ ସାହୁ, ଅଶୋକ କୁମାର ରଥ, ରବି ନାରାୟଣ ସାବତ, କ୍ଷେତ୍ରୀ ନରସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସଭାପତି ଶ୍ରୀ ମହାରଣା କହିଥିଲେ ଆସନ୍ତା ୨୪ ତାରିଖ ମଧ୍ୟରେ ସରକାର ଏହି ଦାବିକୁ ଗ୍ରହଣ ନକଲେ ତେବେ ୨୬ ତାରିଖ ଦିନ ଆର୍‌ଡ଼ିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯିବ। ଏହାସହ ସମସ୍ତ ସ୍ୱାକ୍ଷରିତ ଦାବିପତ୍ରକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ଏହି ଦସ୍ତଖତ ଅଭିଯାନ ଜାରି ରହିବ ବୋଲି ଶ୍ରୀ ମହାରଣା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିମାନ ବନ୍ଦର ପ୍ରତିଷ୍ଠା ଏବଂ ଜିଲ୍ଲାର ଦୃତ ବିକାଶ ପାଇଁ ବାଚସ୍ପତିଙ୍କୁ ସ୍ମାରକପତ୍ର ପ୍ରଦାନ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା, ଜିଲ୍ଲାର ଦୃତ ବିକାଶ ଏବଂ ଅନ୍ୟାନ୍ୟ ଦାବି ନେଇ ଆଜି ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍ ଓ ଅନ୍ୟାନ୍ୟ ସାମାଜିକ ସଂଗଠନ ପକ୍ଷରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ବ୍ରହ୍ମପୁରଠାରେ ଗ୍ରୀନ୍ ଫିଲ୍ଡ ଡ଼ୋମାଷ୍ଟିକ୍ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା, ଗଂଜାମ ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ, ରେଳବିଭାଗ ଦ୍ୱାରା ସଦା ଅବହେଳିତ ହେଉଥିବା ଗଂଜାମ ଜିଲ୍ଲାରେ ରେଳପଥର ବିକାଶ ଓ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ ପାଇଁ ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍‌ର ବରିଷ୍ଠ ସଦସ୍ୟ ଲକ୍ଷ୍ମୀ, କେନ୍ଦ୍ର ଗଣ ସଂଗଠନର ବରିଷ୍ଠ ସଦସ୍ୟ ମାନସ ପାତ୍ର, ପ୍ରଗତିଶାଳୀ ଉତ୍କଳ ସମାଜ ଗଣ ସଂଗଠନର ରାଜ୍ୟ ସଂପାଦକ ସରୋଜ ପଟ୍ଟନାୟକ, ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍‌ର ବରିଷ୍ଠ ସଦସ୍ୟ ଭି. ସୋମେଶ୍ୱର ରାଓ, ଅଜୟ ସାହୁ, ପ୍ରୀତିଶ୍ ପାଣିଗ୍ରାହୀ, ଅଭିଭାବକ ମହାସଂଘର ମଧୁସୂଦନ ସାହୁ, ଡ଼ିଭାଇନ୍ ଚାରିଟିର ବିରଞ୍ଚି ନାରାୟଣ ସାହୁ ଓ ଅନ୍ୟ ଗଣସଂଗଠନର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସବୁ ସମସ୍ୟା ନେଇ ବିଧାୟକମାନେ ବିଧାନସଭାରେ ଚର୍ଚ୍ଚା କରି ସମାଧାନାର ରାସ୍ତା ବାହାର କରିବା ପାଇଁ ଶ୍ରୀ ପାତ୍ର କହିଥିବା ସହ ତ୍ୱରିତ ବିକାଶ ପାଇଁ ସେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।