Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଯୁବକଙ୍କୁ ବିମାନ ଚଳାଚଳା ଶିକ୍ଷା ପାଇଁ ଜିଏମ୍‌ଆର୍‌ ଏରୋ ସହ ବୁଝାମଣା କଲା ଓଡିଶା

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଜିଏମ୍‌ଆର୍‌ ଏରୋ ଏକାଡେମୀ (ଜିଏମ୍‌ଆର୍‌ଏଏ) ସହ ମିଶି ଓଡ଼ିଶାର ଯୁବକମାନଙ୍କୁ ବିମାନ ଚଳାଚଳ ସମ୍ବନ୍ଧୀୟ ଦକ୍ଷତା ପ୍ରଦାନ ପୂର୍ବକ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରାଯାଇଛି।

ସେହି ଅନୁଯାୟୀ ବିମାନ ଚଳାଚଳ ନିର୍ଦ୍ଦେଶାଳୟ, ଦକ୍ଷତା ବିକାଶ ଓ ନିଯୁକ୍ତି ନିର୍ଦ୍ଦେଶାଳୟ ଏବଂ ଜିଏମ୍‌ଆର୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଉତ୍ସବରେ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏବଂ ୫-ଟି ଢାଞ୍ଚାରେ ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏହି ପରିବର୍ତ୍ତନ କେବଳ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁନାହିଁ ବରଂ ଏକ ନୂଆ ଓଡ଼ିଶା ଗଠନରେ ମଧ୍ୟ ସହାୟକ ହେଉଛି।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡେଇ ତାଙ୍କ ବକ୍ତବ୍ୟରେ ଓଡ଼ିଶା ଆଜି ବିଶ୍ୱସ୍ତରରେ ନିଜର ଉପସ୍ଥିତି ହାସଲ କରିପାରିଛି ବୋଲି କହିଥିଲେ। ଏହି ଐତିହାସିକ ଅବସରରେ ସେ ଜିଏମ୍‌ଆର୍‌ ସହିତ ଭାଗୀଦାରିର ଗୁରୁତ୍ୱ ଉପରେ ଆଲୋକପାତ କରି କହିଲେ ଯେ ଏଭଳି ପଦକ୍ଷେପ ମାଧ୍ୟମରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ଏବଂ ଯୁବପିଢ଼ିଙ୍କ ପାଇଁ ଅତୁଳନୀୟ ଦକ୍ଷତା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ସହ ହୋଇଥିବା ଏହି ବୁଝାମଣାପତ୍ରରେ ସାର୍ଟିଫିକେସନ୍‌ ଇନ୍‌ ଏୟାରପୋର୍ଟ ଅପରେସନ୍‌ (ସିଏଓ), ବେସିକ୍‌ ଫାୟାର ଫାଇଟର୍ସ କୋର୍ସ (ବିଏଫ୍‌ଏଫ୍‌ସି) ଏବଂ ଏୟାର କାର୍ଗୋ ମ୍ୟାନେଜମେଣ୍ଟ ଏକ୍‌ଜିକ୍ୟୁଟିଭ୍‌ (ଏସିଏମ୍‌ଇ) ଭଳି ସ୍ୱତନ୍ତ୍ର ପାଠ୍ୟକ୍ରମରେ ୩୦୦ରୁ ଅଧିକ ଓଡ଼ିଆ ଯୁବକଙ୍କୁ ଦକ୍ଷ ତାଲିମ ପ୍ରଦାନ କରାଯିବ।

ସେହିପରି ବିଜୁ ପଟ୍ଟନାୟକ ବିମାନ ଚଳାଚଳ କେନ୍ଦ୍ର (ବିପିଏସି) ଜରିଆରେ ବାଣିଜ୍ୟ ଓ ପରିବହନ ବିଭାଗ ସହ ହୋଇଥିବା ବୁଝାମଣାପତ୍ର ଓଡ଼ିଆ ଯୁବକମାନଙ୍କ ପାଇଁ ବିମାନ ଚଳାଚଳ ଭିତ୍ତିକ ପାଠ୍ୟକ୍ରମରେ ନିଜକୁ ଉନ୍ନତ କରିବାର ସୁଯୋଗ ସୃଷ୍ଟି କରିବ। ଫ୍ଲେକ୍ସିବିଲିଟି କାରଣରୁ ଏହି ଭାଗୀଦାରି ଏନ୍‌.ୟୁ.ଏ ଓଡ଼ିଶା ଯୋଜନା ଅଧୀନରେ ଦିଆଯାଇଥିବା ଯୋଗୁଁ ଏହା ସମ୍ଭବ ହୋଇପାରିଛି ଯାହା ଓଡ଼ିଆ ଯୁବକମାନଙ୍କ ପାଇଁ ଭବିଷ୍ୟତ ଓ ବାଣିଜ୍ୟରେ ଦକ୍ଷତା ପାଠ୍ୟକ୍ରମର ଲାଭ ଉଠାଇବା ପାଇଁ ପଥ ଖୋଲିଛି।

ସ୍ୱାଗତ ଭାଷଣ ଦେଇ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ନୂଆ ଯୁଗର ଅର୍ଥନୀତିରେ ବିମାନ ଚଳାଚଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି କହିବା ସହିତ ବିମାନ ଚଳାଚଳ କ୍ଷେତ୍ରରେ ଆମର ଯୁବକମାନଙ୍କୁ ଏକ ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରିବା ସହିତ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ।

ଜିଏମ୍‌ଆର୍‌ଏଏର ମୁଖ୍ୟ ତଥା ଉପାଧ୍ୟକ୍ଷ ଏୟାର ମାର୍ଶାଲ କେ. ଅନନ୍ତରମଣ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରି ଏହି ପଦକ୍ଷେପର ପରିବର୍ତ୍ତନକାରୀ ପ୍ରଭାବ ଉପରେ ଗୁରୁତ୍ୱାରୋପ କରି କହିଲେ, ବିମାନ ଚଳାଚଳ କ୍ଷେତ୍ରର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଦକ୍ଷତା ବିକାଶ ପଦକ୍ଷେପ ଏକ ଗେମ୍‌ ଚେଞ୍ଜର ହେବ, ଯାହା ବିମାନ ବନ୍ଦର କ୍ଷେତ୍ରରେ ଯୁବକମାନଙ୍କ ପାଇଁ ଭଲ ସୁଯୋଗ ସୃଷ୍ଟି କରିବ। ଜିଏମ୍‌ଆର୍‌ଏଏରେ ପ୍ରଶିକ୍ଷଣ ବିଶ୍ୱ ମାନଦଣ୍ଡକୁ ଅନୁସରଣ କରିବ। ଗ୍ରାଜୁଏଟମାନେ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବିମାନ ଚଳାଚଳ ଶିଳ୍ପରେ ଯୋଗଦାନ କରିବାକୁ ଉତ୍ସାହିତ ହେବେ।

ଜିଏମ୍‌ଆର୍‌ ଏରୋ ଏକାଡେମୀ, ଏହାର ମୂଳ ସଂସ୍ଥା ଜିଏମଆର ଏୟାରପୋର୍ଟ ଲିମିଟେଡ ପାଇଁ ସ୍ୱୀକୃତିପ୍ରାପ୍ତ, ଏକ ବିଶ୍ୱସ୍ତରୀୟ ବିକାଶକାରୀ ଏବଂ ବିମାନବନ୍ଦରର ଅପରେଟର, ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର, ଜିଏମ୍‌ଆର୍‌ ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ତର୍ଜାତୀୟ ଏୟାରପୋର୍ଟ ସମେତ ଏକ ସମ୍ମାନଜନକ ପୋର୍ଟଫୋଲିଓ ପରିଚାଳନା କରେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମନୋଜ ମିଶ୍ର, ଏବଂ ଅତିରିକ୍ତ ଶାସନ ସଚିବ ଦେବଦତ୍ତ ସୁରଞ୍ଜିତା ଜେନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଓଏସ୍‌ଡ଼ି-କମ-ଅତିରିକ୍ତ ଶାସନ ସଚିବ ଗଙ୍ଗାଧର ସାହୁ, ଜିଏମ୍‌ଆର୍‌ ଏରୋ ଏକାଡେମିର ମୁଖ୍ୟ ପାରୁଲ କୁଳଶ୍ରେଷ୍ଠ ସିଂହ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

୨୦ ଟି ଦେଶକୁ ବିମାନ ଚଳାଚଳ ସ୍ଥଗିତ ରଖିଲା ସାଉଦି ଆରବ: ଭାରତ ଉପରେ ପଡ଼ିପାରେ ପ୍ରଭାବ

ଦୁବାଇ: କରୋନା ମହାମାରୀ ସମଗ୍ର ବିଶ୍ଵକୁ ପ୍ରଭାବିତ କରିଛି। ଏହି ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି। ଏହା ଦ୍ଵାରା ବିଶ୍ଵର ସମସ୍ତ ଦେଶରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏବଂ କରୋନା ଟିକା ଯୋଗୁଁ ଲୋକଙ୍କ ମନରେ ନୂଆ ଆଶା ସଂଚାର ସୃଷ୍ଟି ହେଉଛି।

କୋରୋନା ଟିକା ଯୋଗୁଁ  ନିଜର ଜୀବନକୁ ସୁରକ୍ଷିତ ରଖିବା ସହ ଜୀବିକାକୁ ପୁନଶ୍ଚ କ୍ରିୟାଶୀଳ କରିବା ପାଇଁ ଲୋକେ ଅଣ୍ଟା ସଳଖ କରୁଛନ୍ତି। ହେଲେ ଏହା ଭିତରେ ଆଜି ଏକ ଚିନ୍ତାଜନକ ଖବର ସାଉଦି ଆରବ ଦେଶରୁ ଆସିଛି। ସାଉଦି ଆରବ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାଉଦି ଆରବ ଭାରତ ଓ ଆମେରିକା ସମେତ ୨୦ ଟି ଦେଶରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି। ସାଉଦି ଆରବ ଆଗାମୀ କିଛିଦିନ ପାଇଁ ଏହି କଟକଣା ଲଗାଇଥିବାବେଳେ ଆଜି ରାତି ୯ଟାରୁ ଏହା ଲାଗୁ ହେବ।

ଏହି କଟକଣା ଭାରତ, ପାକିସ୍ତାନ, ୟୁଏଇ, ଲେବାନନ୍‌, ଜର୍ମାନୀ, ବ୍ରିଟେନ, ଆୟର୍ଲାଣ୍ଡ, ଇଟାଲୀ, ଆମେରିକା ସମେତ ମୋଟ ୨୦ ଟି ଦେଶ ଉପରେ ଲାଗୁ କରାଯାଇଛି। ଏହା ଦ୍ବାରା ଭାରତ ଏବଂ ପାକିସ୍ତାନ ସବୁଠୁ ବେଶୀ ପ୍ରଭାବିତ ହେବେ, ଯେଉଁଠୁ ରୋଜଗାର ପାଇଁ ଅଧିକ ଲୋକ ସାଉଦି ଆରବ ଯାଇଥାନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜାନୁୟାରୀ ୮ ତାରିଖରୁ ସ୍ଵାଭାବିକ ହେବ ବ୍ରିଟେନ ଓ ଭାରତ ମଧ୍ୟରେ ବିମାନ ଚଳାଚଳ

ନୂଆଦିଲ୍ଲୀ: ବ୍ରିଟେନରୁ ନୂଆ କରୋନା ଷ୍ଟ୍ରେନ ଚିହ୍ନଟ ହେବା ପରେ ଗତ ଡିସେମ୍ବର ୨୩ରେ ଭାରତ ସରକାର ବିମାନ ଚଳାଚଳ ଉପରେ କଟକଣା ଜାରି କରିଥିଲେ। ଡିସେମ୍ବର ୩୧ ତାରିଖ ଯାଏଁ ଏହି କଟକଣା ଲାଗୁ କରାଯାଇଥିବା ବେଳେ ପୁଣି ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ତେବେ ଆସନ୍ତା ୮ ତାରିଖରୁ ପୁନର୍ବାର ବ୍ରିଟେନ ଓ ଭାରତ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବ। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ସୂଚନା ଦେଇଛନ୍ତି।

ଜାନୁଆରି ୨୩ ତାରିଖ ଯାଏଁ ଉଭୟ ଦେଶର ପ୍ରତ୍ୟେକ ବିମାନ କମ୍ପାନି ସପ୍ତାହକୁ ୧୫ଟି ଫ୍ଲାଇଟ ଚଳାଇପାରିବେ। ଭାରତର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହ୍ରାଇଦ୍ରାବାଦରୁ ଏହି ବିମାନ ସବୁ ଚଳାଚଳ କରିପାରିବ ବୋଲି ହରଦୀପ ପୁରୀ କହିଛନ୍ତି। ଖୁବ ଶୀଘ୍ର ସଂପୂର୍ଣ୍ଣ ବିବରଣୀ ଡିସିଜିଆଇ ପ୍ରଦାନ କରିବ ବୋଲି ସେ ସୂଚନା ଦେଇଛନ୍ତି।