Categories
ବିଶେଷ ଖବର

ରୂପାନ୍ତର ଯାତ୍ରାରେ ଆଉ ଏକ ପାଦ: ମାଲକାନଗିରିରେ ବିମାନ ବନ୍ଦର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରୂପାନ୍ତର ଯାତ୍ରାରେ ଆଉ ଏକ ପାଦ ଆଗେଇଲା ମାଲକାନଗିରି। ଆକାଶ  ପଥରେ ଯୋଡି ହୋଇ ଇତିହାସ ରଚିଲା ମାଲକାନଗିରି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରିରେ ଏକ ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି। ଏହା ଦ୍ୱାରା ମାଲକାନଗିରି  ସ୍ୱପ୍ନ ପୁରଣ ହୋଇଛି। ମାଲକାନଗିରି  ଆକାଶପଥ ମାନଚିତ୍ର ରେ  ସ୍ଥାନିତ  ହୋଇଛି। ଏହା ଦ୍ୱାରା ମାଲକାନଗିରି ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ କୋରାପୁଟର ଜୟପୁର, କଳାହାଣ୍ଡିର ଉତ୍‌କେଲା, ରାଉରକେଲା, ଗଞ୍ଜାମର ରଙ୍ଗେଇଲୁଣ୍ଡାରେ ବିମାନବନ୍ଦର ସ୍ଥାପନ କରାଯାଇଛି। ଏହା ପରେ ଆଜି ମାଲକାନଗିରିକୁ ମଧ୍ୟ ଆକାଶପଥରେ ସଂଯୋଗ କରାଯିବାପରେ ସାରା ରାଜ୍ୟର ଦୂରବର୍ତ୍ତୀ ଅଞ୍ଚଳଗୁଡିକରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ। ଓଡିଶାରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ମାଲକାନଗିରି ବିମାନ ବନ୍ଦର ୨୩୩ ଏକର ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏଥିରେ ୧୬୨୦ ମିଟର ଦୀର୍ଘ୍ୟ ଓ ୩୦ ମିଟର ପ୍ରସ୍ଥ ବିଶିଷ୍ଟ ଏକ ରନୱେ ନିର୍ମାଣ କରାଯାଇଛି। ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଉଦ୍‌ଘାଟନ ସମୟରେ ମୁଖମନ୍ତ୍ରୀଙ୍କ ସହିତ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

ଆଜି ମାଲକାନଗିରି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପ  ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ୪୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି।

ସୂଚନାଯୋଗ୍ୟ ଯେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଗତ ମାର୍ଚ୍ଚ ୨୮ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତ କରି  ସ୍ଥାନୀୟ ଜନସାଧାରଣଙ୍କ ସହିତ  ସପ୍ତଧାରା ନଦୀରେ ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଲୋକଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପର ଡ଼ିପିଆର ପ୍ରସ୍ତୁତ କରାଯାଇ ବୈଷୟିକ ପରାମର୍ଶଦାତା କମିଟିର ଅନୁମୋଦନ ନିମନ୍ତେ କେନ୍ଦ୍ରୀୟ ଜଳ ଆୟୋଗକୁ ପ୍ରେରଣ କରାଯାଇଅଛି। ଏହି ପ୍ରକଳ୍ପ ଅଧୀନରେ ସପ୍ତଧାରା ଓ ଗରିଆଠାରେ ଦୁଇଗୋଟି ଡ୍ୟାମ, ଏକ ସଂଯୋଗୀକରଣ ଟନେଲ ଓ ଭୂତଳ ପାଇପଲାଇନ ଦ୍ଵାରା ଜଳସେଚନର ବ୍ୟବସ୍ଥା ରହିଛି।

ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ଚାରିଗୋଟି ବ୍ଲକ ଯଥା – ମାଲକାନଗିରି, ମାଥିଲି, ଖଇରିପୁଟ ଓ କୋରକୁଣ୍ଡାରେ ଅତିରିକ୍ତ ୯୨,୮୧୫ ଏକର ଚାଷ ଜମିରେ ଜଳସେଚନର ସୁବିଧା ସୃଷ୍ଟି କରାଯିବା ସହିତ ୧.୫୦ ଲକ୍ଷ ସ୍ଥାନୀୟ ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ କରାଯାଇପାରିବ।

ଆସନ୍ତା ଜୁଲାଇ ମାସ ସୁଦ୍ଧା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି।

Categories
ଆଜିର ଖବର ରାଜ୍ୟ ଖବର

ରଙ୍ଗେଇଲୁଣ୍ଡା ବିମାନ ବନ୍ଦରର ଶୁଭାରମ୍ଭ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରର ଭୁବନେଶ୍ଵରରୁ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଗଂଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍, ପୌର ଆୟୁକ୍ତ ଜେ ସୋନାଲ୍, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼ଃ ଗୋପବନ୍ଧୁ ଦାସ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ସମେତ ବ୍ରହ୍ମପୁର, ଛତ୍ରପୁର, ଖଲିକୋଟ ଓ କବିସୂର୍ଯ୍ୟ ନଗର ବିଧାୟକ ଗଣ ବ୍ରହ୍ମପୁର ବିମାନ ବନ୍ଦର କାର୍ଯ୍ୟାଳୟ ରେ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରି ଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିମାନ ବନ୍ଦରରେ ଯାତ୍ରୀଙ୍କ ଠାରୁ ମିଳିଲା ୨୭ ଟି ସୁନା ବିସ୍କୁଟ, ଏୟାର ଇଣ୍ଡିଆ ବସ୍ ଡ୍ରାଇଭର ମଧ୍ୟ ଗିରଫ

ଲକ୍ଷ୍ନୌ: ଲକ୍ଷ୍ନୌ ବିମାନବନ୍ଦରରେ କଷ୍ଟମ ବିଭାଗ ଟିମ ୩୧୪୯.୨୮୦ ଗ୍ରାମ ସୁନା ବିସ୍କୁଟ ଜବତ କରିଛି। ଯାହାର ମୂଲ୍ୟ ୧,୬୮,୪୮,୬୪୮ ଟଙ୍କା ରହିଛି। ମସ୍କଟରୁ ଲକ୍ଷ୍ନୌ ଆସୁଥିବା ବ୍ୟକ୍ତିଙ୍କଠାରୁ ଏହି ସୁନା ଉଦ୍ଧାର କରାଯାଇଛି।

ଏହି ବିଷୟରେ ଗୁପ୍ତଚର ସୂଚନା ମିଳିବା ପରେ ଯାତ୍ରୀଙ୍କ ବ୍ୟାଗେଜ୍ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ଯାତ୍ରୀଙ୍କ ସନ୍ଦେହଜନକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ତାଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା, ସେଥିମଧ୍ୟରୁ ୨୭ ଟି ସୁନା ବିସ୍କୁଟ ମିଳିଥିଲା, ଯାହାର ମୂଲ୍ୟ ୧ କୋଟି ୬୮ ଲକ୍ଷ ହେବ।

ପଚରାଉଚରା ବେଳେ ଏୟାର ଇଣ୍ଡିଆର ବସ୍ ଡ୍ରାଇଭର ମଧ୍ୟ ଏଥିରେ ଜଡିତ ଥିବା ଜଣାପଡିଛି। ପରେ, ସେ ମଧ୍ୟ ନିଜେ ଏଥିରେ ସାମିଲ ଥିବା ସ୍ୱୀକାର କରିଥିଲେ। ଯେଉଁଥିରେ ସେ ଏହି ସୁନାକୁ ବସ୍ ଯୋଗେ ବିମାନବନ୍ଦରର ବାହାରକୁ ନେଇଥାନ୍ତେ ଏବଂ ବାହାରେ ବିକ୍ରି କରିଥାନ୍ତେ। ଉଭୟଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେଲା ଉଡ଼ାନ୍ ଉତ୍ସବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତୀୟ ବିମାନ ସେବାର ଲୋକତାନ୍ତ୍ରିକରଣ ହୋଇଛି, ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସୋମବାର ଦିନ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆୟୋଜିତ ଉଡ଼ାନ ଉତ୍ସବ ସମାରୋହରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସିନ୍ଧିଆ ଏହା କହିଛନ୍ତି।

ସେ କହିଥିଲେ ଯେ, ଝାରସୁଗୁଡ଼ା ବିମାନ ବନ୍ଦରର ବିକାଶ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଏକ ଶ୍ରେଷ୍ଠ ଉଦାହରଣ ଏବଂ ଏହା ଉଡ଼ାନ ଯୋଜନାର ସବୁଠୁ ସଫଳ କାହାଣୀ। କେନ୍ଦ୍ର ଓ ରାଜ୍ୟ ସରକାର ମିଶି କାର୍ଯ୍ୟ କଲେ କିଭଳି ଚମତ୍କାର ହୋଇପାରିବ, ଏହା ତାହାର ଏକ ଉଦାହରଣ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ସିନ୍ଧିଆ କହିଥିଲେ ଯେ, କୋଭିଡ ମହାମାରୀ ସମୟରେ ଦେଶର ଅନ୍ୟ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀ ସଂଖ୍ୟା ହ୍ରାସ ପାଇଥିଲା। ମାତ୍ର ଝାରସୁଗୁଡ଼ା ବିମାନ ବନ୍ଦର ଦେଶର କେତୋଟି ହାତଗଣତି ବିମାନବନ୍ଦର ମଧ୍ୟରେ ସାମିଲ ହୋଇପାରିଥିଲା ଯେଉଁଠି ଭିନ୍ନ ସ୍ଥିତି ଦେଖିବାକୁ ମିଳିଥିଲା। ସାରା ଦେଶରେ ମହାମାରୀ କାରଣରୁ ଯାତ୍ରୀ ସଂଖ୍ୟା ୬୨ ପ୍ରତିଶତ ହ୍ରାସ ପାଇଥିଲା, ମାତ୍ର ଏହା ତୁଳନାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ମାତ୍ର ୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା। ଏହା ଏହି କ୍ଷେତ୍ର ଏବଂ ଜିଲ୍ଲାରେ ରହିଥିବା ବ୍ୟାପକ ସମ୍ଭାବନାକୁ ପ୍ରଦର୍ଶିତ କରିଥାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଉଡ଼ାନ୍ ଯୋଜନାର ସଫଳତା ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଥିଲେ ଯେ, ସ୍ୱାଧୀନତା ପରବର୍ତ୍ତୀ ସାତ ଦଶନ୍ଧି ମଧ୍ୟରେ ଦେଶରେ ମାତ୍ର ୭୨ଟି ବିମାନ ବନ୍ଦର ନିର୍ମାଣ ହୋଇପାରିଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସକ୍ଷମ ନେତୃତ୍ୱରେ ୨୦୧୪ ପରଠାରୁ ବର୍ତ୍ତମାନସୁଦ୍ଧା ଦେଶରେ ବିମାନ ବନ୍ଦର ସଂଖ୍ୟା ୧୩୬ରେ ପହଞ୍ଚିଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ମୋଟ ବିମାନବନ୍ଦର ସଂଖ୍ୟାକୁ ୨୨୦ରେ ପହଞ୍ଚାଇବା ଲାଗି ଆମେ ଲକ୍ଷ୍ୟ ରଖିଛୁ। ଏଥିରେ ହେଲିପ୍ୟାଡ୍ ଏବଂ ୱାଟର ଏରୋଡ୍ରମ ସାମିଲ ରହିଛି। ଉଡ଼ାନ୍ ଯୋଜନା କାର୍ଯ୍ୟକାରୀ ହେବା ଫଳରେ  ଦେଶରେ ବିମାନ ମାର୍ଗ ଏବଂ ଏୟାରଲାଇନ୍ସ (ବିମାନ ଚଳାଚଳକାରୀ ସଂସ୍ଥା) ଗୁଡ଼ିକର ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବା ଶ୍ରୀ ସିନ୍ଧିଆ କହିଥିଲେ।

ଝାରସୁଗୁଡ଼ା ଭଳି ସମୃଦ୍ଧଶାଳୀ ଭୂଖଣ୍ଡର ବୈଭବ ଉପରେ ଆଲୋକପାତ କରି ଶ୍ରୀ ସିନ୍ଧିଆ କହିଥିଲେ ଯେ ଏହି ଜିଲ୍ଲା ଓଡ଼ିଶାର ଶକ୍ତି କେନ୍ଦ୍ର। ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଜନ୍ମ ଦେଇଥିବା ଏ ମାଟି ପ୍ରାକୃତିକ ଏବଂ ସାଂସ୍କୃତିକ ସମ୍ପଦରେ ପରିପୂର୍ଣ୍ଣ। ତେଣୁ ଏଠାରେ ଉଡ଼ାନ୍ ମହୋତ୍ସବ ଆୟୋଜନ କରାଯିବା ଯଥାର୍ଥ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଓଡ଼ିଶାରେ ବିମାନ ବନ୍ଦର ସମ୍ପ୍ରସାରଣ ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଜବାବ ମିଳିବା ପରେ ପୁରୀ ଠାରେ ଏକ ନୂତନ ବିମାନ ବନ୍ଦର ନିର୍ମାଣ କରାଯିବ। ସେହିପରି ଝାରସୁଗୁଡ଼ା ବିମାନ ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କରାଯିବ।

ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ମନ୍ତ୍ରୀ ଦେଶର ବିଭିନ୍ନ ଭାଗରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିବା ବିମାନବନ୍ଦର ନିର୍ଦ୍ଦେଶକ/ଅଧିକାରୀ ଏବଂ ଉଡ଼ାନ ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଇଣ୍ଡିଆନ ସ୍କୁଲ୍ ଅଫ ବିଜନେସ ପକ୍ଷରୁ କରାଯାଇଥିବା ‘ଉଡ଼ାନ ଯୋଜନାର ସାମାଜିକ-ଆର୍ଥିକ ପ୍ରଭାବ ଅଧ୍ୟୟନ ରିପୋର୍ଟ’କୁ ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଉନ୍ମୋଚନ କରିଥିଲେ। ତାଙ୍କ ଉପସ୍ଥିତିରେ ଉଡ଼ାନ୍ ଏବଂ ମେକ୍ ମାଇଁ ଟ୍ରିପ୍ ମଧ୍ୟରେ ସହଭାଗୀ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ଉଡ଼ାନ୍ ଲୋଗୋ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଥିଲା। କ୍ଷେତ୍ରୀୟ ଯୋଗାଯୋଗ ଯୋଜନା (ଆରସିଏସ) ଅଧୀନରେ ଶିଲଂ ଏବଂ ଦୀମାପୁର ମଧ୍ୟରେ ନୂତନ ଉଡ଼ାନ ବିମାନ ସେବାକୁ କେନ୍ଦ୍ର ମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଝାରୀ, ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ରାଜୀବ ବଂଶଲ ଏବଂ ମନ୍ତ୍ରଣାଳୟ ଓ ବିମାନ ବନ୍ଦରର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଭୁବନେଶ୍ବରରୁ ଛଅଟି ଦେଶକୁ ଉଡିବ ବିମାନ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ

ନୂଆଦିଲ୍ଲୀ, ରାଜ୍ୟଗୁଡିକରେ ବିମାନ ଚଳାଚଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହି ପ୍ରସଙ୍ଗରେ ସେ ଓଡ଼ିଶା ସମେତ କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ନାଗାଲେଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

ଦେଶରେ ବିମାନ ଯାତ୍ରୀଙ୍କ ଚାହିଦା ପୂରଣ କରିବା ଲାଗି ଆସନ୍ତା ୪-୫ ବର୍ଷ ମଧ୍ୟରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ୨୦ ହଜାର କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ ବିମାନ ବନ୍ଦରର ବିକାଶ ଓ ସମ୍ପ୍ରସାରଣ କରାଯିବ।

ସିନ୍ଧିଆ ଓଡ଼ିଶାରେ ବିମାନ ଚଳାଚଳ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର‌୍ୟ୍ୟକାରିତା ଲାଗି ଗୁରୁତ୍ବ ବହନ କରୁଥିବା ନିମ୍ନୋକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏଏଆଇ ପକ୍ଷରୁ ଝାରସୁଗୁଡ଼ା ବିମାନ ବନ୍ଦରର ଦ୍ବିତୀୟ ପର‌୍ୟ୍ୟାୟ ସମ୍ପ୍ରସାରଣ ପାଇଁ ୧୭୮ ଏକର ଜମିର ଆବଶ୍ୟକତା ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଜମି ହସ୍ତାନ୍ତର କରାଯାଇନାହିଁ।
ସେହିପରି ଆଞ୍ଚଳିକ ଯୋଗାଯୋଗ ଯୋଜନା-ଉଡ଼ାନ ଅନ୍ତର୍ଗତ ବିମାନ ଚଳାଚଳ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଜୟପୁର ଏବଂ ଉତକେଲା ବିମାନ ବନ୍ଦର ବିକଶିତ କରାଯିବାର ଆବଶ୍ୟକତା ରହିଛି।

ଆଞ୍ଚଳିକ ବିମାନ ଯୋଗାଯୋଗ ଫଣ୍ଡ ଟ୍ରଷ୍ଟ (ଆରଏସିଏଫଟି) ପାଇଁ ଭିଜିଏଫ ଅଂଶଧନ ଭାବେ ରାଜ୍ୟ ସରକାରଙ୍କ ଉପରେ ୧.୪୮ କୋଟି ଟଙ୍କା ବକେୟା ରହିଛି।
ଭୁବନେଶ୍ବର-ଦୁବାଇ, ଭୁବନେଶ୍ବର-ଆବୁଧାବି, ଭୁବନେଶ୍ବର-ବ୍ୟାଂକକ୍, ଭୁବନେଶ୍ବର-କ୍ବାଲାଲୁମ୍ପୁର, ଭୁବନେଶ୍ବର-କଲୋମ୍ବୋ, ଭୁବନେଶ୍ବର-ସିଙ୍ଗାପୁର ଏବଂ ଭୁବନେଶ୍ବର-କାଠମାଣ୍ଡୁ ମାର୍ଗରେ ଅନ୍ତର୍ଜାତୀୟ ଉଡାନ୍ ବିମାନ ଚଳାଚଳ ନିମନ୍ତେ ୧୦୦ ପ୍ରତିଶତ ଭିଜିଏଫ ସହାୟତା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ତାଙ୍କର ସହମତି ଦେଇପାରିବେ।

୧୦୦ ପ୍ରତିଶତ ଭିଜିଏଫ ସମର୍ଥନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହମତି ପ୍ରଦାନ କରାଯିବା ପରେ ବିମାନ କମ୍ପାନୀଗୁଡ଼ିକ ପାଇଁ ବିଡିଂ ନିମନ୍ତେ ଏସବୁ ମାର୍ଗକୁ ଖୋଲାଯିବ ବୋଲି ସିନ୍ଧିଆ ତାଙ୍କର ପତ୍ରରେ ଦର୍ଶାଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବ୍ରହ୍ମପୁରଠାରେ ବିମାନ ବନ୍ଦର ପାଇଁ ସଚେତନତା

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁରଠାରେ ବିମାନବନ୍ଦର ସ୍ଥାପନ ପାଇଁ ଆଜି ଏମ୍‌କେସିଜି ମେଡ଼ିକାଲ୍ ଛକଠାରେ ଜନସଚେତନତା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଇତିମଧ୍ୟରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ପଥପ୍ରାନ୍ତ ସଭା ସହ ପୋଷ୍ଟକାର୍ଡ଼ ଓ ବ୍ୟାନେର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶହଜାର ପୋଷ୍ଟକାର୍ଡ଼ ପ୍ରେରଣ କରାଯାଇଛି।

ଉଡ଼ାନ ଯୋଜନାରେ ଗଂଜାମ ଜିଲ୍ଲାକୁ ଅନ୍ତର୍ଭୁକ୍ତ ନକରି ଜିଲ୍ଲାବାସୀଙ୍କ ଦୀର୍ଘବର୍ଷର ଦାବିକୁ ଗୁରୁତ୍ୱହୀନ ମନେ କରାଯାଇଛି। ଏହା ବିରୁଦ୍ଧରେ ପ୍ରବଳ ଜନସଚେତନତା ସୃଷ୍ଟି କରାଯିବ ବୋଲି ଆଜି ସଚେତନତା ସଭାରେ ମିଳିତ କମିଟି ଆବାହକ ରାଜେନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି।

ସହ ଆବାହକ ଆଇନଜୀବୀ ଅବନୀ ଗୟା, ଶିକ୍ଷକ ସଂଗଠନ ନେତା ଶ୍ୟାମସୁନ୍ଦର ଖାଡ଼ଙ୍ଗା, ସମାଜସେବୀ ଗଗନଚନ୍ଦ୍ର ମଲିକ, ଏସ୍‌. ପ୍ରକାଶ ଚନ୍ଦ୍ର ପାତ୍ର, ବିଶ୍ୱଦେବ, ଧନୁର୍ଦ୍ଧନ ଗୌଡ଼, ପୁରୁଷୋତ୍ତମ ବିଷୋୟୀ, ସାଲ୍ଲା କେଶବ ଲିଙ୍ଗମ, ଡ. ଶିବ ପ୍ରସାଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିମାନ ବନ୍ଦର ପ୍ରତିଷ୍ଠା ଦାବି ନେଇ ମାନବ ଶୃଙ୍ଖଳ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଜୋର୍ ଧରିଛି ବିମାନ ବନ୍ଦର ପ୍ରତିଷ୍ଠା ଦାବି। ବିଭିନ୍ନ ସଂଗଠନ ପକ୍ଷରୁ ବହୁଦିନ ଧରି ଦାବି ମଧ୍ୟ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଗଂଜାମ ଗଂଜାମ ଜିଲ୍ଲ ବିଭିନ୍ନ ଅଂଚଳର ଶତାଧିକ ସାମାଜିକ ଅନୁଷ୍ଠାନକୁ ନେଇ ମିଳିତ ଭାବେ ଗଠିତ “ଫରମ୍ ଫର୍ ବ୍ରହ୍ମପୁର ଏୟାରପୋର୍ଟ” ସଂଗଠନ ପକ୍ଷରୁ ବ୍ରହ୍ମପୁରଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବ୍ରହ୍ମପୁର କୋର୍ଟପେଟା ସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକ ନିକଟରେ ଏକ ବିରାଟ ହ୍ୟୁମାନ୍ ଚେନ୍ ମାଧ୍ୟମରେ ପ୍ରତିବାଦ କରାଯାଇ ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସେହପରି ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି, ଘଟଣା ବିଷୟରେ ବ୍ୟକ୍ତିଗତ ଭାବେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀଙ୍କ ସହ ଆଲୋଚନା କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ପୂର୍ବରୁ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ କହିଥିଲେ। କିନ୍ତୁ ଏହି ପ୍ରସଂଗ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ କରିଛି ଡ଼େଭଲପ୍‌ମେଣ୍ଟ ଫୋରମ୍। ପୂର୍ବରୁ ସ୍ଥାନ ଚିହ୍ନଟ କରାଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉଦାସୀନତା ଯୋଗୁଁ କାମ ଆଗେଇ ପାରୁନାହିଁ ବୋଲି କହିଛନ୍ତି ସଭାନେତ୍ରୀ ବବିତା ପାତ୍ର।

ଆୟୋଜିତ ପ୍ରତିବାଦରେ ସଂଗଠନର ରାମ ପ୍ରସାଦ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ପାଢ଼ୀ, ମାନସ ପାତ୍ର, ସରୋଜ ପଟ୍ଟନାୟକ, ବି. ସୌମେଶ୍ୱର ରାଓ, ଟୁନା ମହାରଣା, ଶ୍ରୀକାନ୍ତ ପାଢ଼ୀ ସମେତ କ୍ରିୟାନୁଷ୍ଠାନ କମିଟିର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ବିମାନ ବନ୍ଦର ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ବର: ବ୍ରିଟେନରେ କରୋନା ମହାମାରୀ ନୂଆ ରୂପ ନେବା ପରେ କେନ୍ଦ୍ର ସରକାର ଏନେଇ ଚିନ୍ତାରେ ପଡ଼ିଛି। ବିଭିନ୍ନ ପ୍ରକାର ପଦକ୍ଷେପ ସ୍ୱରୂପ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ତେବେ ଏହାକୁ ନେଇ ରାଜ୍ୟ ସରକାର ମଧ୍ୟ ସଜାଗ ଅଛନ୍ତି। ଭୁବନେଶ୍ବରକୁ ଆସୁଥିବା ସମସ୍ତ ବିମାନ ଉପରେ ନଜର ରଖାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ବିମାନ ବନ୍ଦରରେ ବିଦେଶ ଫେରନ୍ତାଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।

ବିମାନ ବନ୍ଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଗୌତମ ରାୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରତ୍ୟେକ ବିଦେଶ ଫେରନ୍ତାଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ସମସ୍ତ ଏୟାରଳାଇନକୁ ଅବଗତ କରାଯାଇଛି। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ବିଦେଶ ଫେରନ୍ତା ୫୫ ବର୍ଷୀୟ ହୋଇଥିବେ ଓ ତାଙ୍କ ଶରୀରରେ ଅନ୍ୟ ରୋଗ ଥିବ ତାଙ୍କୁ ବିଏମସି ଦ୍ୱାରା ପ୍ରତିଷ୍ଠା ହୋଇଥିବା କିଓସ୍କରେ କୋଭିଡ ଆଣ୍ଟିଜେନ ଟେଷ୍ଟ କରିବା ପାଇଁ ହେବ। ଏୟାର ପୋର୍ଟ ଟର୍ମିନାଲ ପାଖରେ ଏହି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି।

ପ୍ରତ୍ୟେକ ଦିନ ପ୍ରାୟ ୨୭ଟି ବିମାନ ଆସୁଛି ଓ ୨୭ଟି ବିମାନ ଭୁବନେଶ୍ୱରରୁ ଉଡାଣ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏସଓପି ଜାରି କରାଯାଇଛି ବୋଲି ସେ କହିଛନ୍ତି।