Categories
ଆଞ୍ଚଳିକ

ବାଣପୁର: ବିଜେପି ବିରଜାଈ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଧୀରେ ଧୀରେ ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି।

ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ଆଜି ବାଣପୁର ସ୍ଥିତ ବିରଜାଈ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଉତ୍ତରାୟୀଣି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିରଜାଈ ମଣ୍ଡଳ ସଭାପତି ତଥା ଭେଟେଶ୍ୱର ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିବାସ୍ଥଳେ ଅତିଥିଭାବେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଚଳଚ୍ଚିତ୍ର ଅଭିନେତା ହରିହର ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଆଦି ଭାରତ ମାତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ବୈଠକକୁ ଅନୁଷ୍ଠାନିକ ରୂପେ ଆରମ୍ଭ କରିଥିଲେ।

ଉକ୍ତ ସଭାରେ ବିରଜାଈ ମଣ୍ଡଳର ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ରକୁ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଭାବେ ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଜଡିତ ଥିବା ବିଜେଡି ସରକାରକୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଚିଲିକା ବାସି ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜିତାଇବେ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ରାଜ୍ୟ ପରିଷଦ ସଭ୍ୟ ମାଧବ ଦଳେଇ, ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦ୍ର ରଣସିଂହ, ବାମନ ଦାସ, ଜିତେନ୍ଦ୍ର ସାମନ୍ତରାୟ, ଦେବବ୍ରତ ବଡ଼ଜେନା, ଶତ୍ରୁଘ୍ନ ସାହୁ, ବିଜୟ ବିଶ୍ୱାଳ, ପ୍ରତିମା ଦେଇ ଆଦି ଉପସ୍ଥିତି ଥିଲେ।