Categories
Hockey Worldcup23 ବିଶେଷ ଖବର

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ରାଉରକେଲା ଗସ୍ତ: ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ତିଆନ ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ସଚିବସ୍ତରୀୟ ଟିମରେ କ୍ରୀଡ଼ା ଏବଂ ଯୁବ ସେବା ବିଭାଗର ସଚିବ ଆର୍ ଭିନିଲକ୍ରୀଷ୍ଣା ଏବଂ ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ମଧ୍ୟ ରାଉରକେଲା ଆସିଥିଲେ।

ଏହି ଟିମ୍ ରାଉରକେଲାରେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ। ଉଭୟ ମୁଖ୍ୟ ଓ ଅଭ୍ୟାସ ପଡିଆର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଷ୍ଟାଡିଅମର ଦୁଇଟି ଯାକ ପିଚ୍‌ ଓ ହାଇମାସ୍କ ଲାଇଟ ଯାଂଚ ପରେ ଖେଳ ପାଇଁ ଲାଇସେନ୍‌ସ ମିଳିଛି।

ଉଲେଖନୀୟ ଯେ, ପୁରୁଷ ହକି ବିଶ୍ବକପର ୨୦ଟି ମ୍ୟାଚ ରାଉଲକେଲାରେ ଖେଳାଯିବ। ପ୍ରଥମ ମ୍ୟାଚ ଆସନ୍ତା ଜାନୁୟାରୀ ୧୩ ତାରିଖରେ ଭାରତ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆସନ୍ତା ୨୪ ତାରିଖରୁ ତିନୋଟି ଅଭ୍ୟାସ ମ୍ୟାଚ ଖେଳାଯିବ। ଏହି ଅଭ୍ୟାସ ମ୍ୟାଚ ସମୟରେ ଯଦି କିଛି ତ୍ରୁଟିଥିବା ନେଇ ଜଣାପଡେ ତେବେ ଭିତ୍ତିଭୂମିକୁ ଦୃଢ଼ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ଏହାସହ ରାଉରକେଲା ବିମାନ ବନ୍ଦରର କାର୍ଯ୍ୟଶେଷ ହୋଇଛି ଏବଂ ଖୁବଶୀଘ୍ର ଆବଶ୍ୟକୀୟ ଲାଇସେନ୍ସ ମିଳିବା ନେଇ ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଛନ୍ତି।

ଉଡାଣ ଯୋଜନାରେ ଖେଳାଳି ମାନଙ୍କ ପାଇଁ ୪ଟି ବିମାନ ଉଡାଣ ସୁବିଧା ମିଳିବ। ଗୋଟିଏ ବର୍ଷ ମଧ୍ୟରେ ଏଭଳି ଏକ ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଏଥିନିମନ୍ତେ ରାଜ୍ୟ ସରକାରଙ୍କୁ ସମସ୍ତ ସହଯୋଗ ପ୍ରଦାନ କରିଥିବାରୁ ସୁନ୍ଦରଗଡ ଓ ରାଉଲକେଲା ବାସୀଙ୍କୁ ମୁଖ୍ୟଶାସନ ସଚିବ ଓ ୫-ଟି ସଚିବ ଧନ୍ୟବାଦ ଦେଇଛନ୍ତି।

ରାଉରକେଲାରେ ପ୍ରଥମ ଥର ପାଇଁ ହକି ବିଶ୍ୱକପ ହେବାକୁ ଯାଉଛି। ତେଣୁ ହକି ମ୍ୟାଚ ଦେଖିବା ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଦର୍ଶକ ରାଉରକେଲାକୁ ଆସିବେ। ତେଣୁ ଦର୍ଶକମାନଙ୍କ ଗାଡ଼ିଗୁଡ଼ିକୁ ସୁବିଧାରେ ରଖିବା ପାଇଁ ଷ୍ଟାଡିୟମ ଚାରିପଟେ ଆଧୁନିକ ପାର୍କିଂ ସ୍ଥଳ କରାଯାଉଛି। ତା’ଛଡ଼ା ଷ୍ଟାଡିୟମ ଭିତରେ ପାନୀୟ ଜଳ ଏବଂ ଶୌଚାଳୟ ଆଦି ସୁବିଧା କରାଯାଉଛି। ଯେଉଁ ଦର୍ଶକମାନେ ଷ୍ଟାଡିୟମ ବାହାରେ ରହିଥିବେ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ଲଗାଇବାର ବ୍ୟବସ୍ଥା କରାଯାଉଛି।

ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହିତ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଯୋଗ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ୨୦୨୩ ପୁରୁଷ ହକି ବିଶ୍ୱକପ ଓଡ଼ିଶାରେ ଖେଳାଯିବ। ଏହି ବିଶ୍ୱକପ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ହେବାକୁ ଯାଉଛି। ଏହି କ୍ରୀଡ଼ା ଭିତ୍ତିଭୂମି ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମର ରୂପ ନେବାକୁ ଯାଉଛି। ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ସମୀକ୍ଷା କଲେ କ୍ରୀଡ଼ା ମନ୍ତ୍ରୀ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍‌ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ତଥା ଗୃହ ବିଭାଗର ମାନ୍ୟବର ରାଷ୍ଟମନ୍ତ୍ରୀ ତୁଷାରକାନ୍ତି ବେହେରା ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ଖୁବଶୀଘ୍ର ଏହି ଅନ୍ତର୍ଜାତୀୟ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ଗସ୍ତ ବେଳେ ମନ୍ତ୍ରୀଙ୍କ ସହ କ୍ରୀଡ଼ା ଓ ଯୁବ ସେବା ବିଭାଗର ସଚିବ ଆର୍‍ ଭିନିଲ କ୍ରିଷ୍ଣା ଏବଂ ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂହ ପୁନିଆ ମଧ୍ୟ ସାମିଲ ହୋଇଥିଲେ। ଏହି ଉଚ୍ଚସ୍ତରୀୟ ଟିମ୍‌ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହ ନିର୍ମାଣାଧୀନ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ଏବଂ ପରେ ପରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ବୁଲି ଦେଖିଥିଲେ।

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ପରେ ମାନ୍ୟବର ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ, ‘‘୨୦୨୩ ପୁରୁଷ ବିଶ୍ୱକପ ହକି ପାଇଁ ଷ୍ଟାଡିୟମର ବିଭିନ୍ନ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏଠାରେ ହେଉଥିବା ଅଭ୍ୟାସ ପଡ଼ିଆର ନିର୍ମାଣ କାମ ଇତିମଧ୍ୟରେ ଶେଷ ହୋଇଛି। ନିର୍ଦ୍ଧାରିତ ସମୟ ଭିତରେ ମୁଖ୍ୟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହେବ।’’

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓ ସଚିବସ୍ତରୀୟ ଟିମ୍‌ ମୁଖ୍ୟ ଷ୍ଟାଡିୟମ ସହିତ ପ୍ରବେଶ ପଥ, ଅଭ୍ୟାସ ପଡ଼ିଆ, ଦର୍ଶକ ଗ୍ୟାଲେରୀ, ଖେଳାଳି ଓ ଅଫିସିଆଲଙ୍କ ପାଇଁ ନିର୍ମାଣ କରାଯାଉଥିବା ରହଣୀସ୍ଥଳ, ଚେଞ୍ଜିଙ୍ଗ ରୁମ,  ଅତ୍ୟାଧୁନିକ ଜିମ୍‌, ଶୌଚାଳୟ ଆଦି ବୁଲି ଦେଖିଥିଲେ।

ତା’ଛଡ଼ା ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ସହରରେ ବିଭିନ୍ନ ଭିତ୍ତିଭୂମିର ବିକାଶ ସହିତ ସହରର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏସବୁ କାର୍ଯ୍ୟ ସଠିକ ସମୟରେ ଶେଷ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟିର ଅଧିକାରୀମାନଙ୍କୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

‘‘ସୁନ୍ଦରଗଡ଼ ହେଉଛି ହକିର ଅନ୍ତୁଡ଼ିଶାଳ। ତେଣୁ ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗହଳିରୁ ଯେଉଁ ପିଲାମାନେ ହକି ପ୍ରତି ଆଗ୍ରହୀ ହୋଇ ଆସୁଛନ୍ତି ମୂଳରୁ ସେମାନଙ୍କ ଅଭ୍ୟାସ ପାଇଁ ବ୍ଲକ ସ୍ତରରେ ତିଆରି ହେଉଥିବା ଅନ୍ତର୍ଜାତୀୟ ମାନର ଟର୍ଫ ବିଶେଷ ସହାୟକ ହେବ। ସେମାନେ ସବୁ ଦୃଷ୍ଟିରୁ ପ୍ରସ୍ତୁତ ହୋଇ ଆଗାମୀ ଦିନରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଏବଂ ଭାରତ ପାଇଁ ଗୌରବ ଆଣିପାରିବେ’’, ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା।

କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ ମାନ୍ୟବର ମନ୍ତ୍ରୀ ଏବଂ ସଚିବ ରାଉରକେଲା ବିମାନବନ୍ଦରଠାରେ ଏକ ବୈଠକ କରିଥିଲେ। ରାଉରକେଲା ସହରରେ ବିଶ୍ୱକପ ହକି ପାଇଁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ।

ଏହି ଗସ୍ତ ବେଳେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପର ଆୟୋଜନ ହେବାକୁ ଯାଉଛି। ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାଠାରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏହି ଅନ୍ତର୍ଜାତୀୟ କ୍ରୀଡ଼ାର ବିଭିନ୍ନ ମ୍ୟାଚ ଖେଳାଯିବ। ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିବା ପାଇଁ ସୁବିଧା କରାଯାଉଛି।

Categories
Hockey Worldcup23 ବିଶେଷ ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ରାଉରକେଲା ଗସ୍ତ, ହକି ଷ୍ଟାଡିୟମ ସହିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ‌୍‍, ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶା ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗ ସଚିବ ଆର. ଭିନିଲ‌୍‍ କ୍ରିଷ୍ଣା ଆଜି ରାଉରକେଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ଉଚ୍ଚ ପ୍ରତିନିଧି ଦଳ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ, ଫୁଟବଲ‌୍‍ ଖେଳ ସହ ଆଥ‌୍‍ଲେଟିକ୍ସ ପାଇଁ ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ସହିତ ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ‌୍‍ କାଯ୍ୟ ବୁଲି ଦେଖିଛନ୍ତି।

ଏହା ସହିତ ରାଉରକେଲାର ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ତିଆରି ହେଉଥିବା ବାସୋପଯୋଗୀ ପ୍ରକଳ୍ପସ୍ଥଳ ମଧ୍ୟ ଅନୁଧ୍ୟାନ କରିଛନ୍ତି। ବିଭିନ୍ନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ପରେ ଏହି ଟିମ‌୍‍ ସୁନ୍ଦରଗଡ଼ ଜିଲ୍ଲାପାଳ, ରାଉରକେଲା ଏଡିଏମ‌୍‍ ତଥା ମହାନଗର ନିଗମ କମିଶନର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ବିମାନବନ୍ଦରଠାରେ ସମୀକ୍ଷା କରିଥିଲେ।

ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, “ରାଉରକେଲାରେ ନିର୍ମାଣାଧୀନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ୨୦୨୨ ଜୁଲାଇ ସୁଦ୍ଧା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି। ଏହାଛଡ଼ା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ବ ନିର୍ମାଣ କାମ ମଧ୍ୟ ଶେଷ ପଯ୍ୟାୟରେ ପହଞ୍ଚିଛି । ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ ଫୁଟବଲ ଖେଳ ସହ ଆଥଲେଟିକ‌୍‍ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେଠାରେ ୪୦୦ ମିଟର ବିଶିଷ୍ଟ ଆଥଲେଟିକ‌୍‍ ଟ୍ରାକ‌୍‍ ନିର୍ମାଣ କରାଯାଉଛି।

ଏତଦବ୍ୟତୀତ ସ୍ମାର୍ଟ ସିଟି ଅଧୀନରେ ମଧ୍ୟ ଅନେକ ପ୍ରକଳ୍ପ ଚାଲିଛି। ତେଣୁ ବିଶ୍ବକପ‌୍‍ ହକିକୁ ଦୃଷ୍ଟିରେ ରଖି ରାଉରକେଲାରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି”, ସେହିପରି ଏୟାରପୋର୍ଟ ଅଥରିଟି ଅଫ‌୍‍ ଇଣ୍ଡିଆ ପକ୍ଷରୁ ରାଉରକେଲା ଏୟାରପୋର୍ଟର ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି । ସେଠାରେ ଟର୍ମିନାଲ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ। ଏହାକୁ ଆଗାମୀ ୨୦୨୨ ମେ’ ମାସ ସୁଦ୍ଧା ଶେଷ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।

ଛେଣ୍ଡଠାରେ ତିଆରି ହେଉଥିବା ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ କାର‌୍ୟ୍ୟ ଆସନ୍ତା ବର୍ଷ ଜୁନ‌୍‍ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ଓ,୫ଟି ସଚିବ ରାଉରକେଲାରେ କୋଭିଡ‌୍‍ ପରିସ୍ଥିତିର ସମୀକ୍ଷା କରିଥିଲେ। ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, “ବର୍ତ୍ତମାନ ରାଉରକେଲାରେ ଜେ ପି ହସ୍ପିଟାଲକୁ ସରକାରୀ କୋଭିଡ‌୍‍ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ରଖାଯାଇଛି। ସେହିପରି ସୁନ୍ଦରଗଡ଼ରେ ଏନଟିପିସି କୋଭିଡ‌୍‍ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ରହିଛି। ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ସବୁ ଦୃଷ୍ଟିରୁ ପ୍ରସ୍ତୁତ ରହିଛି’’।

ଏହି ସଚିବସ୍ତରୀୟ ପ୍ରତିନିଧି ଦଳ ପ୍ରଥମେ ବିପିୟୁଟି କ୍ୟାମ୍ପସରେ ନିର୍ମାଣ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାର‌୍ୟ୍ୟ ବୁଲି ଦେଖିଥିଲେ। ନିର୍ଦ୍ଧାରିତ ସମୟ ଅନୁଯାୟୀ ସମସ୍ତ କାର‌୍ୟ୍ୟ ଯେପରି ସମ୍ପାଦନ କରାଯିବ ସେଥିପାଇଁ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ପ୍ରଶାସନକୁ ନିଦ୍ଦେର୍ଶ ଦେଇଥିଲେ।୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ‌୍‍ ଭୁବନେଶ୍ବର ସହିତ ରାଉରକେଲାର ଏହି ଷ୍ଟାଡିୟମରେ ଆୟୋଜନ କରାଯିବ। ଏକାସାଙ୍ଗରେ ଏଠାରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ।

ହକି ସହିତ ବିଭିନ୍ନ କ୍ରୀଡ଼ାର ବିକାଶ ଲାଗି ସହରରେ ଯେଉଁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି ତାହା ସ୍ମାର୍ଟ ସିଟି ରାଉରକେଲାକୁ ଆଗାମୀ ଦିନରେ ଦେଶର ଏକ ପ୍ରମୁଖ କ୍ରୀଡ଼ା ହବ‌୍‍ ଭାବେ ପରିଚିତ କରାଇବ। ପାନପୋଷଠାରେ ବ୍ୟାଡମିଣ୍ଟନ ଏବଂ ଲନ‌୍‍ ଟେନିସ‌୍‍ ଖେଳର ପ୍ରସାର ପାଇଁ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯାଉଛି।

ଏଠାରେ ୩ଟି ଇନଡୋର ବ୍ୟାଡ‌୍‍ମିଣ୍ଟନ କୋର୍ଟ ସହିତ ଆଉଟଡୋର ଲନ‌୍‍ ଟେନିସ‌୍‍ କୋର୍ଟ ରହିଛି। ଖେଳାଳିମାନଙ୍କ ଫିଟନେସ‌୍‍ ପାଇଁ ଅତ୍ୟାଧୁନିକ ଜିମ‌୍‍ର ବ୍ୟବସ୍ଥା କରାଯାଉଛି। ସେହିପରି ଫୁଟବଲ ଖେଳ ସହ ଆଥ‌୍‍ଲେଟିକ୍ସ ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମ ତିଆରି କରାଯାଉଛି। ସଚିବସ୍ତରୀୟ ପ୍ରତିନିଧି ଦଳ ଏହି ଦୁଇଟି ପ୍ରକଳ୍ପସ୍ଥଳ ବୁଲି ଏହାର ଅଗ୍ରଗତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିଥିଲେ।

ସହରାଞ୍ଚଳର ଗରିବ ବସ୍ତି ବାସିନ୍ଦାଙ୍କୁ ବାସୋପଯୋଗୀ ଘର ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ। ତେଣୁ ରାଉରକେଲାରେ ଏଥିପାଇଁ ଅତି ସ୍ବଳ୍ପ ମୂଲ୍ୟରେ ଘର ଯୋଗାଇ ଦେବାକୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପ୍ରତିନିଧି ଦଳ ଆଜି ଛେଣ୍ଡଠାରେ ପ୍ରାୟ ୫ ଏକର ଜମିରେ ଚାଲିଥିବା ଏହି ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୫ଟି ପ୍ରକଳ୍ପ କରାଯାଉଛି, ଯେଉଁଠି ବସ୍ତି ବାସିନ୍ଦାଙ୍କ ପାଇଁ ପ୍ରାୟ ୩ ହଜାର ଘର ନିର୍ମାଣ କରାଯିବ। ଏହି ଗସ୍ତ ବେଳେ ୫ଟି ସଚିବ କହିଥିଲେ ଯେ, ଯେତେଶୀଘ୍ର ସମ୍ଭବ ହିତାଧିକାରୀମାନଙ୍କୁ ସେମାନଙ୍କ ପାଇଁ ନିର୍ଦ୍ଧାରିତ ଘର ଚିହ୍ନଟ କରି ଜଣାଇ ଦେବା ପାଇଁ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ହିତାଧିକାରୀମାନେ ନିଜ ନିଜ ଘରର ଗୁଣାତ୍ମକ ମାନ ତଦାରଖ କରିପାରିବେ।

ଏହି ଗସ୍ତ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନର ପ୍ରସାର ପାଇଁ ଛେଣ୍ଡଠାରେ ପ୍ରାୟ ୮ ଏକର ଜମିରେ ଚାଲିଥିବା ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମର ନିର୍ମାଣ କାର୍ଯ୍ୟ ମଧ୍ୟ ସଚିବସ୍ତରୀୟ ପ୍ରତିନିଧି ଦଳ ବୁଲି ଦେଖିଥିଲେ

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।