Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବିଶ୍ବ ଓଡିଆ ଭାଷା ସମ୍ମିଳନୀ ପରେ ୫ଟି ଅଧ୍ୟକ୍ଷଙ୍କ ମାନସ ମନ୍ଥନ, ନେଲେ ୧୮ ଗୋଟି ନିଷ୍ପତି

ଭୁବନେଶ୍ବର: ପ୍ରଥମ ବିଶ୍ଵଓଡ଼ିଆ ଭାଷା ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଆଲୋଚିତ ବିଷୟ ଓ ପ୍ରବାସୀ ଓଡ଼ିଆମାନଙ୍କ ସହିତ ୫-ଟି (5T) ଅଧ୍ୟକ୍ଷଙ୍କ ଆଲୋଚନାର ଆଧାରରେ ୧୮ଟି  ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ସବୁ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି (5T) ପଦକ୍ଷେପ ଅଧୀନରେ ସ୍ୱଚ୍ଛ ଓ ସମୟାନୁବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ। ଯେଉଁ ନିଷ୍ପତି ନିଆଗଲା ସେଗୁଡିକ ହେଲା..

୧.  ଓଡ଼ିଆ ଭାଷାରେ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଗବେଷଣା ନିମନ୍ତେ ୧୦ କୋଟି ଟଙ୍କା ଅନୁଦାନରେ ଏକ କର୍ପସ ପାଣ୍ଠି ଗଠନ କରାଯିବ।  ସତ୍ୟବାଦୀରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ଜରିଆରେ ଏହା କାର୍ଯ୍ୟକାରୀ ହେବ।

୨. ଓଡ଼ିଆ ଭାଷାକୁ ଡିଜିଟାଲ ପଦ୍ଧତି ସହ ସମନ୍ଵିତ କରିବା ପାଇଁ ପ୍ରତିବର୍ଷ ଏକ ଅନ୍ତର୍ଜାତୀୟ ଡିଜିଟାଲ ଓଡ଼ିଆ ସମ୍ମିଳନୀ ଆୟୋଜନ ମାଧ୍ୟମରେ ବିଶେଷଜ୍ଞ ଓ ଭାଷାବିତ୍‌ମାନଙ୍କୁ ଏକାଠି କରାଯିବ।

୩. କମ୍ପ୍ୟୁଟର କି-ବୋର୍ଡ ଏବଂ ଫଣ୍ଟରେ ବ୍ୟବହୃତ ଲିପିର ମାନକୀକରଣ (Standardisation) ନିମନ୍ତେ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ। ଏହି କମିଟି ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର କାର୍ଯ୍ୟକାରିତା ନିମନ୍ତେ ପ୍ରସ୍ତାବ ଦେବେ।

୪. ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧,୫୦୦ ହାଇସ୍କୁଲରେ  ସ୍ଵତନ୍ତ୍ର ଭାବେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ହାଇସ୍କୁଲ ଏହି କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ହେବେ।

୫. ୧୦୦ ବର୍ଷରୁଊର୍ଦ୍ଧ୍ୱ ସ୍କୁଲ ଓ କଲେଜଗୁଡିକୁ ୧ କୋଟି ଟଙ୍କାଓ ସ୍ଵାଧୀନତା ପୂର୍ବର ବିଶ୍ୱବିଦ୍ୟାଳୟକୁ ୨କୋଟି ଟଙ୍କାର ଐତିହ୍ୟ ଅନୁଦାନ ଯୋଗାଇ ଦିଆଯିବ। ଏହା ଆମ ଓଡ଼ିଆ-ମାଧ୍ୟମ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ବ୍ୟବହୃତ ହେବ।

୬. ଏକ ଅନୁବାଦ ନୀତି ପ୍ରଣୟନ କରି ଭାରତବର୍ଷ ତଥା ବିଶ୍ଵର ଅନ୍ୟାନ୍ୟ ଭାଷାରେ ଓଡ଼ିଆ ପୁସ୍ତକରଅନୁବାଦ ପାଇଁ ଅନୁଦାନର ବ୍ୟବସ୍ଥା କରାଯିବ।

୭.ବିଭିନ୍ନ ବିଷୟରେ ଓଡ଼ିଆ ଭାଷାର ବ୍ୟବହାରକୁ ସରଳ ଓ ସୁଗମ କରିବା ପାଇଁ ଏକ ସଂଶୋଧିତ ଶବ୍ଦାବଳୀ ଓ ଶବ୍ଦକୋଷ   ପ୍ରସ୍ତୁତ କରିବା ନିମନ୍ତେଓଡ଼ିଆ ଶବ୍ଦକୋଷ କମିଟି ଗଠନ କରାଯିବ।

୮.ଓଡ଼ିଆ ଭାଷାରେ ବିଜ୍ଞାନ, ବୈଷୟିକ ଶିକ୍ଷା ଓ ଡାକ୍ତରୀ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ମଧ୍ୟବର୍ତ୍ତିକାଳୀନ ନୀତି ପ୍ରଣୟନ କରାଯିବ।

୯.ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷାରେ  ପ୍ରୟୋଜନଥିବା ପ୍ରାସଙ୍ଗିକ ପୁସ୍ତକ  ପ୍ରକାଶନ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇଦେବେ।

୧୦.ଭବିଷ୍ୟତ ପିଢ଼ିଙ୍କମଧ୍ୟରେ ଓଡ଼ିଆ ଭାଷାକୁ ଲୋକପ୍ରିୟ କରିବା ପାଇଁ ନିର୍ଦ୍ଧାରିତ ସମୟସୀମାରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏଥିରେ ପ୍ରତିବର୍ଷ ଓଡ଼ିଆ ଭାଷାର ୧୦୦ ଜଣ ଉଦୀୟମାନ ପ୍ରତିଭାଙ୍କୁ ଚୟନ କରାଯିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସେମାନଙ୍କୁ ସମ୍ମାନିତ କରାଯିବ। ଭାଷା ବୃତ୍ତି ପୁରସ୍କାର ରାଶିର ପରିମାଣ ଓ ସଂଖ୍ୟା ବୃଦ୍ଧି କରାଯିବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ପାଇଁ ‘ମୁଖ୍ୟମନ୍ତ୍ରୀ କପ୍‌’ ଆରମ୍ଭ କରାଯିବ।

୧୧.ରାଜ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି ପାଇଁ   ସର୍ବସାଧାରଣ ପାଠାଗାର ଅଭିଯାନ ଆରମ୍ଭ କରାଯିବ। ଭାରତବର୍ଷ ମଧ୍ୟରେ ଓ ବାହାରେ ଥିବା ଓଡ଼ିଆ ସଂଗଠନଗୁଡିକୁ ଏହି ଓଡ଼ିଆପାଠାଗାର ସ୍ଥାପନ ପାଇଁ ସହଯୋଗ ଯୋଗାଇଦିଆଯିବ।

୧୨.    ରାଜ୍ୟ ଓ ଦେଶ-ବିଦେଶରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ  ଓଡ଼ିଆ ଭାଇଭଉଣୀମାନଙ୍କ ଭିତରେ ସ୍ଵେଚ୍ଛାକୃତ ମନୋଭାବର ବିକାଶ ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇଦେବେ।

୧୩. କଟକସ୍ଥିତ ପ୍ରିଣ୍ଟିଂ ମ୍ୟୁଜିୟମକୁ ‘ଜାତୀୟ ମ୍ୟୁଜିୟମ’ରୂପେ ପରିବର୍ଦ୍ଧିତ କରାଯିବ ଏବଂ ଏଥିରେ ସାରା ବିଶ୍ୱର ମୁଦ୍ରଣପରମ୍ପରା ପ୍ରଦର୍ଶିତ କରାଯିବ।

୧୪. ଓଡ଼ିଶା ନୌବାଣିଜ୍ୟ ଏବଂ ଦକ୍ଷିଣ-ପୂର୍ବ ଏସୀୟ ପ୍ରତିଷ୍ଠାନକୁ (OIMSEAS) ଏକ ଉତ୍କର୍ଷ କେନ୍ଦ୍ରରୂପେବିକଶିତ କରାଯିବ । ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କାର ଅନୁଦାନ ଦିଆଯିବ।

୧୫. ଓଡ଼ିଆ ଭାଷାରେ ଶିଶୁସାହିତ୍ୟର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇଦେବେ।

୧୬.ଭାରତ ତଥା ବିଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ। ପ୍ରାରମ୍ଭରେ ୫ଟି ବିଶ୍ୱବିଦ୍ୟାଳୟରେଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡ଼ିଆ ଅଧ୍ୟୟନବିଷୟକ ଏକ ବାର୍ଷିକ ଆନ୍ତର୍ଜାତିକ ଗବେଷଣା ପତ୍ରିକା ( International Journal of Odia Studies ) ଓଡ଼ିଆବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ହେବ।

୧୭. ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କ ପାଇଁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକଓଡ଼ିଆ ଲର୍ଣ୍ଣିଂ ମ୍ୟାନେଜମେଣ୍ଟ ସିଷ୍ଟମ (OLMS) ପ୍ରସ୍ତୁତ କରାଯିବ । ଏହାଦ୍ଵାରା ଓଡ଼ିଶା ତଥା ଓଡ଼ିଶା ବାହାରେ ବସବାସ କରୁଥିବା ଛାତ୍ର-ଛାତ୍ରୀମାନେ ଅନଲାଇନରେ ଓଡ଼ିଆ ଭାଷା ଶିକ୍ଷା କରିବାସହିତ ସାର୍ଟିଫିକେଟ ମଧ୍ୟ ହାସଲ କରିପାରିବେ। ଏହି ସମସ୍ତ ସୁବିଧା ଓଡ଼ିଆ ଭର୍ଚୁଆଲ ଏକାଡେମୀ ଓ୍ୱେବସାଇଟରେ ଉପଲବ୍ଧ ହେବ।

୧୮.ମୂଲ୍ୟବାନ୍‍ ନଥିପତ୍ରଗୁଡିର ଉପଯୁକ୍ତ ପଞ୍ଜୀକରଣ, ସଂରକ୍ଷଣ ଓ ପ୍ରସାରଣ ପାଇଁ ସଂଗ୍ରହାଳୟ ଏବଂ ଅଭିଲେଖାଗାରକୁ ଯଥେଷ୍ଟ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଏଣିକି ପ୍ରତି ୫ ବର୍ଷରେ ଥରେ ହେବ ବିଶ୍ବ ଓଡିଆ ଭାଷା ସମ୍ମିଳନୀ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର:  ଉଦ୍‌ଯାପିତ ହୋଇଛି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ।

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ ବର୍ଷ ପରେ ଆମେ ସମସ୍ତେ ପୁଣି ଥରେ ଏକାଠି ହେବା । ଓଡିଆ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମତ ବିନିମୟ କରିବା।

ସମ୍ମିଳନୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଯୁବ ସମାଜ, ଲେଖକ, ଗବେଷକ, ସାହିତ୍ୟିକ, କବି ପ୍ରତ୍ୟେକ ଓଡିଆଙ୍କୁ ସେ ହୃଦୟରୁ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ଏହି ତିନି ଦିନ ମଧ୍ୟରେ ଆମ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ଖୁବ ଭଲ ଭଲ ପ୍ରସ୍ତାବ ମଧ୍ୟ ଆସିଛି।

ତେବେ ଯେହେତୁ ବର୍ତ୍ତମାନ ବିଧାନ ସଭା ଚାଲିଛି, ତେଣୁ, ଭାଷା ସଂପର୍କରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ସେ ବିଧାନ ସଭାରେ ଘୋଷଣା କରିବେ ବୋଲି କହିଥିଲେ।

ଯୁଗ ଯୁଗ ଧରି ଓଡିଆ ଭାଷା, ଆମ ଓଡିଆ ଜାତିର ପରିଚୟକୁ ଆଗକୁ ନେଇଛି ବୋଲି ମତଦେଇ ସେ ସମସ୍ତଙ୍କୁ ଆଜିର ମହାର୍ଘ ଅବସରରେ ସମସ୍ତେ ସଂକଳ୍ପ ନେବାକୁ ଆହ୍ବାନ ଦେଇ କହିଥିଲେ ଯେ ଆସନ୍ତୁ, ଓଡିଆରେ ନୂଆ ନୂଆ ଶବ୍ଦ ସୃଷ୍ଟି କରି ଆମ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବା ।

ଭାଷା ଉପରେ ବୈଷୟିକ ଜ୍ଞାନର ପ୍ରଭାବ ସଂପର୍କରେ ଆଲୋକପାତ କରି ସେ କହିଥିଲେ ଯେ ବୈଜ୍ଞାନିକ ଉନ୍ମେଷ, ବୈଷୟିକ ଜ୍ଞାନର ଅଗ୍ରଗତି ଓ କମ୍ପୁଟର ଭାଷା ହେଉଛି ବର୍ତ୍ତମାନ ଯୁଗରେ ଭାଷା ପାଇଁ ଏକ ବଡ ଆହ୍ବାନ । ତେଣୁ, ଓଡିଆ ଭାଷାକୁ ଏହା ସହିତ ସମନ୍ବିତ କରିବାକୁ ହେବ ବୋଲି ସେ ମତ ଦେଇଥିଲେ ।

ଯୁବ ସମାଜକୁ ଆହ୍ବାନ ଦେଇ ସେ କହିଥିଲେ ଯେ ‘ମୁଁ ଆଶା କରୁଛି ଓଡିଆ ଭାଷା ଆମ ଯୁବପିଢିର ଭାଷା ହେବ । ଆମେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଏହା ନିଶ୍ଚୟ ଆଗକୁ ଯିବ।’

ସମ୍ମିଳନୀ ଅବସରରେ ଆୟୋଜିତ ମ୍ୟୁଜିଅମ ସମସ୍ତଙ୍କ ମନକୁ ଛୁଇଁଛି। ତେଣୁ ସମସ୍ତଙ୍କ ଅନୁରୋଧରେ ଏହାର ସମୟ ସୀମାକୁ ଆଉ ୩ ଦିନ ବୃଦ୍ଧି କରାଗଲା ବୋଲି ସେ ଘୋଷଣା କରିଥିଲେ।

ପୁରସ୍କାର ପାଇଥିବା ସବୁ ପ୍ରତିଭା ମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ପୁସ୍ତକର ଉନ୍ମୋଚନ କରିଥିଲେ। ପ୍ରଥମଟି ହେଉଛି ହିନ୍ଦୁ ଗ୍ରୁପ ଦ୍ବାରା ପ୍ରକାଶିତ – Shree Jagannatha: Lord of The Universe.

ଦ୍ବିତୀୟ ପୁସ୍ତକଟି ହେଉଛି – Odia: Journey of A Language. ଏହି ପୁସ୍ତକଟି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା (ସ୍ପେଶିଆଲ ଇନିସିଏଟିଭ୍‌ସ) ଶ୍ରୀ ଆର୍‌ ବାଲକ୍ରିଷ୍ଣନଙ୍କ ପରିକଳ୍ପନା ଏବଂ ଶ୍ରୀ ଶୁଭ୍ରାଂଶୁ ପଣ୍ଡା ଓ ପ୍ରତୀକ ପଟ୍ଟନାୟକଙ୍କ ଦ୍ବାରା ରଚିତ ହୋଇଛି ।

ତୃତୀୟରେ Magical Tales From Odisha ପୁସ୍ତକର ଦୁଇଟି ଅନୁବାଦ ପୁସ୍ତକ । ଏହି ପୁସ୍ତକଟି ଜର୍ମାନୀ ଓ ଜାପାନୀ ଭାଷାରେ ଅନୁବାଦିତ ହୋଇଛି।

କାର୍ଯ୍ୟକ୍ରମରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ରେଭେନ୍‌ସା କଲେଜିଏଟ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀ ସିଦ୍ଧାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଆୟୋଜିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଅବସରରେ ସମଗ୍ର ଶିକ୍ଷା, କଳାହାଣ୍ଡି ପକ୍ଷରୁ ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ସ୍ଥାନୀୟ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର, ଭବାନୀପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟକୁମାର ମାଝୀ, ସମଗ୍ର ଶିକ୍ଷା ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ମଞ୍ଚାସୀନ ଥିଲେ। ଏହି ଅବସରରେ ପୁସ୍ତକ ପ୍ରଦର୍ଶନୀ ସମେତ ଜିଲ୍ଲାର ୧୩ଗୋଟି ବ୍ଲକର ସାହିତ୍ୟ ଓ ସଂସ୍କୃତି ଷ୍ଟଲ ପ୍ରଦର୍ଶିତ ହୋଇଥିଲା। ଏଥିରେ ସାହିତ୍ୟ ଓ ସଂସ୍କୃତି ପ୍ରଦର୍ଶନ କଳାରେ କୋକସରା ବ୍ଲକର ରିତେଶ ସାହୁ ଓ ବିନୋଦ ଫୁଲ ପ୍ରଥମ, ମଦନପୁର ରାମପୁର ବ୍ଲକର ବିଦୁସ୍ମିତା ସାହୁ ଦ୍ଵିତୀୟ, ଜୁନାଗଡ଼ ବ୍ଲକର ହସିନା ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।

କୁଇଜ ବରିଷ୍ଠ ବିଭାଗରେ କପିଳେଶ୍ୱର ବଗର୍ତ୍ତୀ, ଭାରତୀ ବେହେରା ଓ ସ୍ୱାତି ମହାକୁଡ଼, କନିଷ୍ଠ ବିଭାଗରେ ଏକାନ୍ତିକା ସା, ୟଶରାଜ ସମୀର ନାଏକ ଓ ବିଭୁଦତ୍ତ ସାହୁ; ଚିତ୍ରାଙ୍କନ ବରିଷ୍ଠ ବିଭାଗରେ ବିଦୁସ୍ମିତା ସାହୁ, ପିଣ୍ଟୁ ସୁନା ଓ ଆଦିତ୍ୟ ସୁନା, କନିଷ୍ଠ ବିଭାଗରେ ବାଲି ମାଝୀ, ପୂଜା ସାହୁ ଓ ଯସ୍ମୀନ ବାଗ; ବିତର୍କ ବରିଷ୍ଠ ବିଭାଗରେ ସ୍ୱାତି ମହାଖୁଡ଼, କ୍ରିଷ୍ଣା ଛୁରିଆ ଓ ବାସନ୍ତୀ ଗଉଡ଼, କନିଷ୍ଠ ବିଭାଗରେ ପ୍ରଦୀପ ହରିଜନ, ଉପାସନା ସାହୁ ଓ ରୁପା ରଣା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏଥିରେ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ଷୁଦ୍ର ନାଟିକା ପରିବେଷଣ କରିଥିଲେ।

ଉଦଯାପନୀ ସମାରୋହରେ ଥୁଆମୂଳ ରାମପୁର ମା’ ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ଓ ଭବାନୀପାଟଣା ମହିଳା ମହାବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ଡ. ସୁରେଶ୍ବରୀ ବାଘ ଆଲୋଚକ ଭାବେ ଯୋଗଦେଇ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର ଓ ସମଗ୍ର ଶିକ୍ଷା ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ମଞ୍ଚାସୀନ ଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ବାପୁଜୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ମିନତି କୁମାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଡିଲେଶ୍ବର ରଣା ମଞ୍ଚ ପରିଚାଳନା କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ରେ ଅନୁବାଦ ସାହିତ୍ୟ ଉପରେ ଆଲୋଚନା

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି। ଓଡ଼ିଆ ସାହିତ୍ୟର ବ୍ୟାପ୍ତି ଓ ସମୃଦ୍ଧିରେ ଅନୁବାଦର ଗୁରୁତ୍ୱକୁ ସବୁମହଲରେ ହୃଦୟଙ୍ଗମ କଲେ ଆମ ଭାଷା ଓ ସାହିତ୍ୟର ବ୍ୟାପକ ଅଭିବୃଦ୍ଧି ହେବା ସହିିତ ଓଡ଼ଆ ଭାଷା ଓ ସାହିତ୍ୟ ବିଶ୍ୱପ୍ରସାରିତ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆୟୋଜିତ ଅନୁବାଦ ସଂପର୍କିତ ଆଲୋଚନା ସଭାରେ ଅତିଥି ବକ୍ତାମାନେ ଉପରୋକ୍ତ ମର୍ମରେ ଅନୁବାଦର ଗୁରୁତ୍ୱ ନେଇ ମତ ରଖିଛନ୍ତି।

ପ୍ରସିଦ୍ଧ ଅନୁବାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରାଜୀ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ କହିଲେ ଯେ ସଂସ୍କୃତି ଓ ସଭ୍ୟତାର ସମୃଦ୍ଧି ନିମନ୍ତେ ଅନୁବାଦର ଆବଶ୍ୟକ ହୋଇଥାଏ। ସଭ୍ୟତାର ବିକାଶ ପର୍ଯ୍ୟଟନ, ଗମନାଗମନ ଦ୍ୱାରା ହୋଇଥାଏ । ସାହିତ୍ୟ, ଭାଷା, ସଂସ୍କୃତି ଯଦି ଗମନାଗମନ ନକରନ୍ତି ତେବେ ଆମ ସାହିତ୍ୟ ବିଲୋପ ହୋଇଯିବ।

ଓଡ଼ିଆ ଭାଗବତର ଇଂରାଜୀ ଓ ଅନ୍ୟ ଭାଷାରେ ଅନୂଦିତ ସଂସ୍କରଣ ପ୍ରକାଶ ପାଇବା ଆମ ପାଇଁ ନିଶ୍ଚିତ ଗର୍ବର ବିଷୟ । ସାହିତ୍ୟକୃତିର ଭ୍ରମଣରେ ସାହିତ୍ୟ ସମୃଦ୍ଧ ହୁଏ । ପାଶ୍ଚାତ୍ୟ ଆଙ୍ଗିକଗୁଡ଼ିକ ଓଡ଼ିଆ ସାହିତ୍ୟରେ ମିଶି ଏହାକୁ ଆହୁରି ଅଧିକ ସମୃଦ୍ଧ କରିଛନ୍ତି । ଫକୀର ମୋହନଙ୍କ ରଚିତ ବହୁ ସାହିତ୍ୟକୃତି ଓ ମାୟାଧର ମାନସିଂହଙ୍କ ଉଦ୍ଧୃତ ଅନୁବାଦ ଖୁବ୍‌ ପାଠକୀୟ ଆଦୃତି ଲାଭ କରିଛି।

ଖ୍ୟାତନାମା ସାହିତି୍ୟକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଅନୁବାଦକ ପ୍ରଫେସର ଅଜୟ କୁମାର ପଟ୍ଟନାୟକ କହିଲେ ଯେ ଜଗତିକରଣ ପରେ ପୃଥିବୀରେ ଅନୁବାଦର ଗୁରୁତ୍ୱ ବଢ଼ିଯାଇଛି । ଓଡ଼ିଆ ସାହିତ୍ୟର ହିନ୍ଦୀ ଅନୁବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଏହି କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ସମାଧାନ ବିଷୟରେ ଅଧିକ ଧ୍ୟାନଦେଲେ ଓଡ଼ିଆ ସାହିତ୍ୟର ଅଧିକ ପରିମାଣରେ ଅନୁବାଦ ହୋଇପାରିବ।

ଅନୁବାଦକ ଶ୍ରୀ ସୋମେଶ ମହାପାତ୍ର କହିଲେ ଯେ ଜାଣିବା ଓ ଜଣାଇବା, ଶୁଣିବା ଓ ଶୁଣାଇବାର ଜିଜ୍ଞାସାରୁ ହିଁ ଅନୁବାଦର ସୃଷ୍ଟି । ଅନୁବାଦ ହେଉଛି ଉଭୟ ପଟକୁ ଖୋଲି ପାରୁଥିବା ଏକ ଝରକା । ବିଶ୍ୱର ଚାରୋଟି ଭାଷା-ଜର୍ମାନୀ, ସ୍ପେନିସ୍‌, ଜାପାନୀ ଓ ଫ୍ରେଞ୍ଚରେ ୧୦୦ରୁ ଅଧିକ ଓଡ଼ିଆ କ୍ଷୁଦ୍ର ଗଳ୍ପ ଅନୁବାଦ ହୋଇଛି।

ତରୁଣ ଲେଖକ, ଅନୁବାଦକ ତଥା ପ୍ରକାଶକ ଡ. ଶୁଭ୍ରାଂଶୁ ପଣ୍ଡା ଓଡ଼ିଆ ଭାଷାର ବିଶ୍ୱଯାତ୍ରା ନେଇ ପ୍ରକାଶକୀୟ ଦୃଷ୍ଟିଭଙ୍ଗୀ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଅନୁବାଦକ ବୃତ୍ତି ଭାବରେ ଗ୍ରହଣ କରି ନୂଆପିଢ଼ି ଓଡ଼ିଆ ସାହିତ୍ୟର ଉନ୍ନତି କରିପାରିବ ଏବଂ ସେମାନେ ମଧ୍ୟ ଭାଷା-ସାହିତ୍ୟର ବିକାଶରେ ଅଂଶୀଦାର ହୋଇପାରିବେ।

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଶିଷ୍ଟ ଅନୁବାଦକ ପ୍ରଫେସର ବିକ୍ରମ କେଶରୀ ଦାସ କହିଲେ ଯେ ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦୃଷ୍ଟିରେ ଆଣିବା ପାଇଁ ଅନୁବାଦର ଆବଶ୍ୟକତା ରହିଛି। ଭାଷାର ମିଶ୍ରଣ ସ୍ୱାଭାବିକ । ଆଜିର ଯୁବପିଢ଼ି ଭାଷାର ଅର୍ଥକୁ ବୁଝି ତା’ର ସଠିକ୍‌ ମର୍ମରେ ଅନୁବାଦ କରିବା ଉଚିତ। ଅନୁବାଦ ଦ୍ୱାରା ଭାଷା ଓ ଭାବର ପରିବର୍ତ୍ତନ ହୁଏ । କିନ୍ତୁ ତାହାର ମୌଳିକତା ଅକ୍ଷୁଣ୍ଣ ରହିବା ନିହାତି ଆବଶ୍ୟକ।

ଅନୁବାଦ ବହୁପ୍ରକାରର ହୋଇଥାଏ। ଯେପରିକି ଗ୍ରନ୍ଥ, ଲୋକକଳା, ସାହିତ୍ୟ ଓ ସଂସ୍କୃତିର ଅନୁବାଦକୁ ସାଂସ୍କୃତିକ ଅନୁବାଦ କୁହାଯାଏ ଏବଂ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ନିମନ୍ତେ ହେଉଥିବା ଅନୁବାଦକୁ ବୌଦ୍ଧିକ ଅନୁବାଦ କୁହାଯାଏ। ନୂଆ ଚିନ୍ତାଧାରାର ବିକାଶ ପାଇଁ ସାହିତ୍ୟର ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଅନୁବାଦ ହେବା ଦରକାର ବୋଲି ପ୍ରଫେସର ଦାସ କହିଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ତଥା ତରୁଣ ସାହିତି୍ୟକ ଡ. ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ଅର୍ଥପୂର୍ଣ୍ଣ ସଂଯୋଜନାରେ କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଭାବୀ ହୋଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ର ଦେବେନ୍ଦ୍ର ଆଚାର୍ଯ୍ୟ ନିଜ ବକ୍ତବ୍ୟ ରଖିଥିବାବେଳେ ଶେଷରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେର୍ଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ। ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ସମ୍ମିଳନୀରେ ଓ ସାରା ରାଜ୍ୟରେ ଏବଂ ଦେଶ ବିଦେଶରେ ଥିବା ସବୁ ଓଡିଆ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡିଆ ଭାଷାର ଏହି ମହୋତ୍ସବରେ ସାମିଲ ହୋଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀରେ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାର ତାକୁ ଗ୍ରହଣ କରି ଏକ ସ୍ବତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ । ଓଡିଆ ଜାତିର ଭବିଷ୍ୟତ ବିକାଶ ରାସ୍ତାକୁ ଏହା ପ୍ରଶସ୍ତ କରିବ ବୋଲି ମତଦେଇ ଓଡିଆ ଜାତିର ଓ ଓଡିଆ ଭାଷାର ଭବିଷ୍ୟତ ଉଜ୍ଜଳ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆ ସଂସ୍କୃତି ଓ ବୈଷୟିକ ଜ୍ଞାନର ପ୍ରଭାବ ଭାଷା ଉପରେ ରହୁଛି। ତେଣୁ ଭାଷାର ସବୁ ଦିଗ ଉପରେ ଆଲୋଚନା ହେଉ। ଭଳ ସାହିତ୍ୟ ସୃଷ୍ଟି ଉପରେ ଓ ଓଡିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ ବୋଲି ସେ ମତ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ସମ୍ମିଳନୀରେ ଆମେ ଆମ ଭାଷାର ଇତିହାସ ଜାଣିବା। ବର୍ତ୍ତମାନକୁ ଦେଖିବା ଓ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା।

ଓଡିଶା ଭାଷା ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷା ହିଁ ଭବିଷ୍ୟତ। ଓଡିଆ ଭାଷାର ଉନ୍ନତି ପାଇଁ ଓଡିଆ ବିଶ୍ବବିଦ୍ୟାଳୟ ଖୋଲାଯାଇଛି । ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଓଡିଆ ଭାଷା ଶିକ୍ଷାକୁ ଉତ୍ସାହିତ କରାଯାଇଛି। ଅକ୍ଷର ଭୂମି, ଏ ସମ୍ମିଳନୀର ସ୍ମାରକୀ ଭାବେ ଓଡିଆ ଭାଷାର ଜୟଗାନ କରୁଛି।

ଏହି ଅବସରରେ ଆଦିକବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହିତ ଓଡିଆ ଭାଷାର ଗୌରବ ବୃଦ୍ଧି କରିଥିବା ସବୁ ଲେଖକ, ସାହିତ୍ୟିକ ଓ କବି ମାନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ସମ୍ମାନ ଜଣାଇ ଭାଷା ସମ୍ମିଳନୀକୁ ସମସ୍ତଙ୍କୁ ସ୍ବାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆମେ ସମସ୍ତେ ଗୋଟିଏ ମଞ୍ଚରେ ଓଡିଆ ଭାଷା ପାଇଁ ଏକାଠି ହୋଇଛୁ। ଦେଶ ବିଦେଶରେ ଥିବା ଓଡିଆ ମାନେ ମଧ୍ୟ ଏଥିରେ ଯୋଡି ହୋଇଛନ୍ତି। ବିଶିଷ୍ଟ ଲେଖକ ଓ ଗବେଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଓଡିଆ ଭାଷା ଓ ସାହିତ୍ୟ ପାଇଁ ଏହା ଏକ ଗୌରବର ସମୟ ବୋଲି ସେ କହିଥିଲେ।

ଆମେ ସମସ୍ତେ ଓଡିଆ । ଓଡିଆ ଆମ ଭାଷା ଓ ଆମ ପରିଚୟ ବୋଲି ମତ ପ୍ରକାଶ କରି ସେ କହିଲେ ଯେ ଭାଷା ଗୋଟିଏ ଜାତିର ମୁକୁଟ। ଏହା ଆମ ସମସ୍ତଙ୍କୁ ଏକତାର ମହାମନ୍ତ୍ର ଦେଇଥାଏ।

ପରିଶେଷରେ ମୁଖ୍ୟମନ୍ତ୍ରୀ ଓଡିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ବାନ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇ କହିଲେ ଯେ ଏହି ସମ୍ମିଳନୀ ହେଉଛି ଓଡିଆ ଅସ୍ମିତାର ପରିଚୟ। ଶାସ୍ତ୍ରୀୟ ଭାଷା ଓଡିଆକୁ ଅଧିକ ଲୋକପ୍ରିୟ କରିବା ଏବଂ ଆମ ଭାଷାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ କିଭଳି ଆଗକୁ ନେଇ ପାରିବା, ତା ହେଉଛି ଏହି ସମ୍ମିଳନୀର ଆଭିମୁଖ୍ୟ।

ସମ୍ମିଳନୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହି ସମ୍ମିଳନୀ ହେଉଛି ଏକ ଭାଷାର ପର୍ବ ଓ ଉତ୍ସବ। ଆଜି ଓଡିଶାରେ ରୂପାନ୍ତର ପ୍ରକ୍ରିୟା ଜାରି ରହିଛି। ରୂପାନ୍ତର ପ୍ରକ୍ରିୟାରେ ଭାଷାର ବହୁତ ବଡ ଭୂମିକା ରହିଛି।

ସେଥିପାଇଁ ଆମ ଭାଷାର ଗୌରବ ବୃଦ୍ଧି ଓ ଜୟଗାନ ପାଇଁ ମୁଖ୍ୟମନ୍ତ୍ରୀ ଏହି ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି। ଏହି ସମ୍ମିଳନୀର ପ୍ରସଙ୍ଗ ରହିଛି ଭାଷା ହିଁ ଭବିଷ୍ୟତ। ଆଜି ଏହି ସମ୍ମିଳନୀରେ ୪ଟି ଦେଶର ଭାଷା ବିଶେଷଜ୍ଞଙ୍କ ସମେତ ୧୦୦ରୁ ଅଧିକ ବିଦ୍ବାନ ଏକତ୍ରିତ ହୋଇଛନ୍ତି। ବୈଷୟିକ ଜ୍ଞନକୌଶଳର ପ୍ରୟୋଗରେ ଆମ ଭାଷାର ଅଭିବୃଦ୍ଧି ପାଇଁ ସେମାନେ ଆମକୁ ଦିଗ୍‌ଦର୍ଶନ ଦେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥିଭାବେ ଯୋଗ ଦେଇ ସାଉଥ-ଇଷ୍ଟ ଏସିଆ ଷ୍ଟଡି ପ୍ରଫେସର ଆର୍ଲୋ ଗ୍ରୀଫିଥ୍ କହିଲେ ଯେ ମୁଁ ଓଡିଶାରେ ରହୁଛି, ଭାରତ ଭିତରେ ଓଡିଶା ମୋତେ ବହୁତ ଭଲ ଲାଗେ। ମୁଁ ଜଗନ୍ନାଥଙ୍କୁ ଭଲପାଏ ଓଡିଆ ଭାଷାକୁ ଭଲ ପାଏ ଏବଂ ଓଡିଆ ଭାଷାକୁ ବ୍ୟବହାର କରେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଭାଷାବିତ୍‌ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଓଡିଆ ଭାଷାର ବିକାଶ ଉଦ୍ଦେଶ୍ୟରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରିଥିଲେ। ପୁରସ୍କାର ସ୍ବରୂପ ତାଙ୍କୁ ମାନପତ୍ର ଓ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଦୁଇ ଓଡିଆ ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର, ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଏବଂ ପ୍ରଫେସର ଆର୍ଲୋ ଗ୍ରୀଫିଥ ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ପ୍ରଥମ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମୁଁ ଦେଶବିଦେଶରେ ବହୁ ଜାଗାରେ ସମ୍ମାନିତ ହୋଇଛି। କିନ୍ତୁ ଆଜିକାର ସମ୍ମାନ ମୋ ଜୀବନର ସବୁଠାରୁ ବଡ ସମ୍ମାନ। ଏ ସମ୍ମାନ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମ୍ମାନ ବୋଲି ସେ ପ୍ରକାଶ କରି ଧନ୍ୟବାଦ ଜଣାଇଥିଲେ।

ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର କହିଥିଲେ ଯେ ଓଡିଆ ଭାଷାର ଭବିତ୍ୟତ ବହୁତ ଉଜ୍ଜଳ। ଭାଷା ସାହିତ୍ୟରେ କେବଳ ଆତ୍ମ ସନ୍ତୋଷ ପାଇଁ ନୁହେଁ, ପାଠକ ସୃଷ୍ଟି କରିବାର ମଧ୍ୟ ଆବଶ୍ୟକତା ରହିଛି। ଆଜିର ଏହି ସମ୍ମିଳନୀ ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ବାରା ଓଡିଆ ଭାଷା ଆହୁରି ଆଗକୁ ବଢିବ ବୋଲି ସେ ଆଶାପ୍ରକାଶ କହିଥିଲେ।

ତାଙ୍କ ବକ୍ତବ୍ୟରେ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଉଲ୍ଲାସ ଦିନ, ପର୍ବର ଦିନ ଓ ଆନନ୍ଦର ଦିନ। ମାନବ ଜାତିର ବିସ୍ମୟକର ଉଦ୍ଭାବନ ହେଉଛି ଭାଷା। ହଜାର ହଜାର ବର୍ଷରେ ଭାଷାଟିଏ ଜନ୍ମ ନିଏ। କିନ୍ତୁ ଲିଖନ, ପଠନ ଓ ବ୍ୟବହାର ନ ହେଲେ, ଭାଷାଟିଏ ମରିଯାଏ। ମୁଖ୍ୟମନ୍ତ୍ରୀଙ୍କର ଏହି ସମ୍ମିଳନୀର ଆୟୋଜନ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଭାଷାକୁ ଆହୁରି ପରିପୁଷ୍ଟ କରିବ। ଏହି ବିଶ୍ବ ଓଡିଆ ଭାଷା କୁମ୍ଭକୁ ଓଡିଆ ଭାଷା ସାହିତ୍ୟର ପୂର୍ଣ୍ଣ ଜାଗୃତି ପର୍ବ ଭାବରେ ସେ ବର୍ଣ୍ଣନା କରିଥିଲେ।

କାର୍ଯ୍ୟକ୍ରମରେ ଯୁବ ଲେଖିକା ସ୍ବୟଂ ସ୍ବରୂପା କର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ, ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା କାଲି ଫେବୃୟାରୀ ୩ ରୁ ତିନି ଦିନ ଧରି ଭୁବନେଶ୍ଵର ର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି।

ଆଜି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି। ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ପଥର ରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯ ର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି।

ଓଡ଼ିଆ ବର୍ଣ୍ଣମାଳା ରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା ପ୍ରୀତି କୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା ସଂସ୍କୃତି କଳା ଓ ସ୍ଥାପତ୍ୟ ର ଜୟ ଗାନ କରି ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆମର ମହାନ୍ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟ ରେ ଅକ୍ଷର ଭୂମି ଭବିଷ୍ୟତ ପୀଢି କୁ ପ୍ରେରଣା ଦେଇଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।

ସୂଚନା ଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନ୍ ନିୟମିତ କଳାମଣ୍ଡଳ ଯାଇ ଅକ୍ଷର ଭୂମି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ। ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ଇଡକୋ ଜରିଆରେ ସମ୍ପାଦିତ ହୋଇଛି।

ଲୋକାର୍ପଣ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ସୁଶାନ୍ତ ରାଉତ ବିଏମସି ର ମେୟର ସୁଲୋଚନା ଦାସ, ସିଏମଓର ମୁଖ୍ୟ ଉପଦେଷ୍ଟା ଶ୍ରୀ ବାଲାକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଲୋକସମ୍ପର୍କ ବିଭାଗ ପ୍ରମୂଖ ସଚିବ ଶ୍ରୀ ସଞ୍ଜୟ ସିଂହ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟ ପ୍ରମୂଖ ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ରାଜ୍ୟର ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଉଛି।

ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି।

ଓଡ଼ିଆ ଭାଷା ପ୍ରତି ଆଗ୍ରହ ସୃଷ୍ଟି ସହ ଭାଷାକୁ ପ୍ରୋତ୍ସାହିତ କରିବାକୁ ସମ୍ମିଳନୀରେ ବ୍ୟାପକ ଆୟୋଜନ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତି ଏଠାକୁ ଆସି ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବା ସହ ଅଭୁଲା ସ୍ମୃତି ନେଇ ଯିବେ।

ଏହି ସମୟରେ ରାଜ୍ୟର ସମସ୍ତ ପୌରାଞ୍ଚଳ ମାନଙ୍କରେ ଓଡ଼ିଆ ଭାଷା ସମ୍ମିଳନୀ ପାଳନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ନିଷ୍ପତ୍ତି ନିଆଯାଇଛି କ୍ଷ ଏ ନେଇ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ମହାନଗର ନିଗମର କମିଶନର ଏବଂ ପୌର ପରିଷଦ ଓ ଏନ୍ ଏ ସିର ନିର୍ବାହୀ ଅଧିକାରୀ ମାନଙ୍କୁ ପତ୍ର ଲେଖିବା ସହ ଆବାସି ମାଧ୍ୟମରେ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଓ

ଶ୍ରୀ ନାୟକ ଲେଖିଥିବା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱରଠାରେ ଫେବୃଆରୀ ୩ରୁ ୫ ତାରିଖ ପର‌୍ୟ୍ୟନ୍ତ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବା ବାବଦରେ ଆପଣମାନେ ସମସ୍ତେ ଅବଗତ ଅଛନ୍ତି ।

ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଉଥିବା ଏହି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ବ୍ୟାପକ କରିବା ନିମନ୍ତେ ସବୁ ସହରାଞ୍ଚଳ , ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କରେ ଏହା ପାଳନ କରିବାର ଆବଶ୍ୟକତା ରହିଛି। ଏହି ଆୟୋଜନ ନିମନ୍ତେ ନିମ୍ନଲିଖିତ କାର‌୍ୟ୍ୟକ୍ରମଗୁଡ଼ିକ ଗ୍ରହଣ କରାଯାଇପାରେ ବୋଲି ସେ ପରାମର୍ଶ ଦେଇଛନ୍ତି।

ବ୍ୟାପକ ସଚେତନତା ନିମନ୍ତେ ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଅବଦାନ ରଖିଥିବା ପ୍ରସିଦ୍ଧ କବି, ଲେଖକ ଓ ଭାଷାବିତ୍‌ଙ୍କ ପରି ଓଡ଼ିଆ ବ୍ୟକ୍ତିତ୍ୱମାନଙ୍କ ଚିତ୍ର / ଛବିର ପେଣ୍ଟିଂ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ପ୍ରମୁଖ ସ୍ଥାନଗୁଡ଼ିକରେ ରଖାଯାଇପାରେ ।

ଓଡ଼ିଆ ଗବେଷକ, ବିଦ୍ୱାନ ଓ ବୁଦ୍ଧିଜୀବୀମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ସମ୍ବର୍ଦ୍ଧିତ କରିବା ପାଇଁ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇପାରେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ତର୍କ, ପ୍ରବନ୍ଧ ଓ ତତ୍କାଳ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇପାରେ।

ସମ୍ମିଳନୀର ଯଥାର୍ଥ ଆୟୋଜନକୁ ଦୃଷ୍ଟିରେ ରଖି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ବିଭିନ୍ନ ୱାର୍ଡରେ ଓଡ଼ିଆ ଅସ୍ମିତା ରଥର ପରିକ୍ରମା କରାଯାଇପାରେ। ଓଡ଼ିଆରେ ସାଇନ୍‌ବୋର୍ଡ/ବିଲ୍‌ବୋର୍ଡ/ ହୋର୍ଡିଂଗୁଡ଼ିକ ଲେଖାଯିବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରାଯାଇପାରେ ।

ଏପରି କାର‌୍ୟ୍ୟକ୍ରମଗୁଡ଼ିକର ଆୟୋଜନକୁ ସୁନିଶ୍ଚିତ କରିବା ନିମନ୍ତେ ଏବଂ ସଂପୃକ୍ତ କାର‌୍ୟ୍ୟକ୍ରମର ବିବରଣୀ ଓ ଉଚ୍ଚ ମାନର ( ହାଇ ରିଜୋଲୁସନ୍‌) ଫଟୋଗୁଡ଼ିକ ଏହି ବିଭାଗର ଅବଗତି ତଥା ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଠାଇବାକୁ ପୌର ନିର୍ଦ୍ଦେଶକ ଶ୍ରୀ ନାୟକ ଲେଖିଥିବା ପତ୍ରରେ ଅନୁରୋଧ କରିଛନ୍ତି।

ଏ ନେଇ ଆଭାସୀ ଆଲୋଚନା କାଳରେ ସମସ୍ତ ପୌର ପରିଷଦ ଏହି ଆଲୋଚନା ରେ ଯୋଗଦାନ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ରକ୍ଷା କରିବା ନିମନ୍ତେ ସେମାନଙ୍କ ପ୍ରତିବଦ୍ଧତା ଜଣାଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋକୁ ସମସ୍ତ ସରକାରୀ କାଗଜପତ୍ରରେ ବ୍ୟବହାର ପାଇଁ ନିଷ୍ପତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋକୁ ବହୁଳ ଭାବେ ବ୍ୟବହାର କରାଯିବ। ସମସ୍ତ ବିଭାଗୀୟ ପତ୍ରାଳାପରେ ଏହାକୁ ପ୍ରମୁଖ ଭାବେ ସ୍ଥାନିତ କରାଯିବ। ଏଥିନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଲୋଗୋର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ସୂଚନାଯୋଗ୍ୟ ଯେ ଦେଶରେ ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭ କରିଥିବା ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏତଦବ୍ୟତୀତ ସମସ୍ତ ସରକାରୀ ଗାଡିରେ ଏହି ସମ୍ମିଳନୀ ଲୋଗୋକୁ ବ୍ୟବହାର ସହ ରାଜ୍ୟର ବିଭିନ୍ନ ପ୍ରମୁଖ ସ୍ଥାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟର କାନ୍ଥରେ ମଧ୍ୟ ଏହାକୁ ଚିତ୍ରଣ କରାଯିବ। ଏପରିକି ଜିଲ୍ଲା ସ୍ତରରେ ମଧ୍ୟ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ।

ଏକ ସ୍ୱତନ୍ତ୍ର ଐତିହ୍ୟର ଶକ୍ତିଶାଳୀ ବାହକ ଭାବରେ ଭବିଷ୍ୟତ ତଥା ଯୁବପିଢ଼ିଙ୍କ ପାଖରେ ଓଡ଼ିଆ ଭାଷା କିଭଳି ଆହୁରି ଆଦୃତି ଲାଭ କରିବ ଏବଂ ଆଧୁନିକ ଜ୍ଞାନକୌଶଳକୁ ପ୍ରୟୋଗ କରି ଆମ ଭାଷା କିପରି ଆଗକୁ ବଢ଼ିପାରିବ ଏହି ସମ୍ମିଳନୀ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବ। ଏ ସମ୍ପର୍କରେ ଭାଷାବିତ ଓ ବୁଦ୍ଧିଜୀବୀ ମାନେ ସମ୍ମିଳନୀର ବିଭିନ୍ନ ସୋପାନରେ ବିଚାର- ବିମର୍ଷ କରିବେ।

ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍, ଛାତ୍ରଛାତ୍ରୀ ଏବଂ ଭାଷାକୁ ନେଇ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତିବିଶେଷ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରିବାରେ ଏହି ସମ୍ମିଳନୀ ଏକ ବଳିଷ୍ଠ ମାଧ୍ୟମ ହେବ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି। ଏହାର ଟ୍ୟାଗଲାଇନ ରହିଛି ‘ଭାଷା ହିଁ ଭବିଷ୍ୟତ’। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଦ୍ଧିଜୀବୀ, ଗବେଷକ, ବିଦ୍ୱାନ୍‍ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ସୁନ୍ଦର ମଞ୍ଚ ଭାବେ କାର୍ଯ୍ୟ କରିବ ବୋଲି ମୁଁ ଆଶା କରୁଛି।

ସେ କହିଛନ୍ତି ଯେ ଆଧୁନିକ ଭାରତବର୍ଷରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଓଡ଼ିଆ ଭାଷା ଅନ୍ୟତମ ଶାସ୍ତ୍ରୀୟ ଭଷାର ମାନ୍ୟତା ଲାଭକରି ଆମ ମାଟି ଏବଂ ଭାଷାର ଗୌରବ ବୃଦ୍ଧି କରିଛି। ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ନିମନ୍ତେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ।

ସେ ପୁଣି କହିଛନ୍ତି ଯେ ଏକ ସ୍ୱତନ୍ତ୍ର ଐତିହ୍ୟର ଶକ୍ତିଶାଳୀ ବାହକ ଭାବରେ ଆମ ଭବିଷ୍ୟତ ପିଢ଼ିଙ୍କ ପାଖରେ କିପରି ଓଡ଼ିଆ ଭାଷାର ଆଦର ବଢ଼ିବ ଏବଂ ଆଧୁନିକ ଜ୍ଞାନକୌଶଳ ଜରିଆରେ ଆମ ଭାଷା କିପରି ଆଗକୁ ବଢ଼ିପାରିବ ସେ ସମ୍ପର୍କରେ ବିଚାର- ବିମର୍ଷ କରି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ନିର୍ମାଣ କାମର ସମୀକ୍ଷା କଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ

ଭୁବନେଶ୍ବର: ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵର ର କଳାମଣ୍ଡଳ ପରିସରରେ ନିର୍ମିତ ରେ ହେଉଛି ଅକ୍ଷରଭୂମି

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକୁ ୫-ଟି ତଥା ଆମ ଓଡିଶା ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି. କେ. ପାଣ୍ଡିଆନ ଆଜି ସକାଳେ କଳା ମଣ୍ଡଲ ଯାଇ ଏହାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ଦୁଇ ହଜାର ସ୍ଥାନ ବିଶିଷ୍ଟ କଳାମଣ୍ଡଳ ସମ୍ମିଳନୀ କେନ୍ଦ୍ର ହେବ ରାଜ୍ୟର ସବୁଠାରୁ ବଡ ସମ୍ମିଳନୀ କେନ୍ଦ୍ର. ଆଗାମୀ ଚାରି ମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ . କଳାମଣ୍ଡଳର ଆଭ୍ୟନ୍ତରୀଣ ସାଜସଜା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପୃଷ୍ଠଭୂମି ଢାଞ୍ଚାରେ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ.

ସୂଚନାଯୋଗ୍ୟ ଯେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଏହି ସମ୍ମିଳନୀ କେନ୍ଦ୍ର ର ନିର୍ମାଣ ଦାୟିତ୍ଵ ଇଡକୋ ନେଇଛି।

ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ କୁ ଚିର ସ୍ମରଣୀୟ କରିବା ପାଇଁ କଳାମଣ୍ଡଳ ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କରାଯାଉଥିବା ଅକ୍ଷର ଭୂମି କାମ ମଧ୍ୟ ଶ୍ରୀ ପାଣ୍ଡିଆନ୍ ବୁଲି ଦେଖିଥିଲେ . ଖାଣ୍ଡେଲାଇଟ ପଥର ରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯ ର ଅପୂର୍ବ ନିଦର୍ଶନ ହେବ।

ଏହା ଆମର ମହାନ୍ ଐତିହ୍ୟ ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଗୌରବ ବିଷୟ ରେ ଅକ୍ଷର ଭୂମି ଭବିଷ୍ୟତ ପୀଢି କୁ ପ୍ରେରଣା ଦେଇଚାଲିବ ଏବଂ ଓଡିଆ ଭାଷା ର ଅସ୍ମିତା ର ପରିଚୟ ହେବ ବୋଲି ଶ୍ରୀ କାର୍ତ୍ତିକ ଆଶା ବ୍ୟକ୍ତ କରିଥିଲେ। ସେଠାରେ ମଧ୍ୟ ଏକ ଓଡ଼ିଆ ଭାଷା ସମ୍ମିଳନୀ ସ୍ମୃତି ତୋରଣ ନିର୍ମାଣ କରାଯାଉଛି

ଏହି ଅକ୍ଷର ଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ କାର୍ତ୍ତିକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଥିଲେ। ଏହାର ନିର୍ମାଣ କାର୍ଯ୍ୟ ଉଭୟ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ସହଯୋଗରେ କରାଯାଉଛି।

ଭବିଷ୍ୟତ ସମ୍ପ୍ରସାରଣ କୁ ଦୃଷ୍ଟିରେ ରଖି ଅଧିକ ଖୋଲା ସ୍ଥାନ ରଖିବା ଏବଂ ଜନସାଧାରଣଙ୍କ ସୁବିଧା କୁ ଦୃଷ୍ଟିରେ ରଖି ତଳେ ପାର୍କିଂ ବ୍ୟବସ୍ଥାର ବିକାଶ ପାଇଁ ସ୍ଥିର କରାଯାଇଥିଲା।

ପରିସରରେ ଅଧିକ ଗଚ୍ଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବା ତଥା ବିଭିନ୍ନ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରିବା ପାଇଁ ଶ୍ରୀ କାର୍ତ୍ତିକ ପରାମର୍ଶ ଦେଇଥିଲେ। ୫-ଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ , ବିଡିଏ ଉପାଧ୍ୟାକ୍ଷ ଶ୍ରୀ ବଲୱନ୍ତ ସିଂ, ଇଡକୋ ଏମଡି ଶ୍ରୀ ଭୂପିନ୍ଦର ସିଂ ପୁନିଆ , ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ ନିର୍ଦେଶକ ଶ୍ରୀ ଦିଲୀପ ରାଉତରାୟ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାର କରିବେ ୩ ଦିନିଆ ବିଶ୍ବ ଓଡିଆ ଭାଷା ସମ୍ମିଳନୀ, ଘୋଷଣା ହେଲା ତାରିଖ

ଭୁବନେଶ୍ବର: ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀ ଆୟୋଜନ କରାଯିବା ନିମନ୍ତେ ଗତ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହି ସମ୍ମିଳନୀ ଯେପରି ବିପୁଳ ସଫଳତା ହାସଲ କରିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଆରୋପ କରିଛନ୍ତି। ଏଥିପାଇଁ ସବୁ ସଂପୃକ୍ତ ବିଭାଗ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ସମନ୍ବୟ ରକ୍ଷା କରି କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଭାଷା ସମ୍ମିଳନୀ ଓଡ଼ିଆ ଅସ୍ମିତାର ପରିଚୟ ହେବ। ଶାସ୍ତ୍ରୀୟ ଭାଷା ଓଡ଼ିଆକୁ ଆହୁରି କିପରି ଲୋକପ୍ରିୟ କରାଯିବ ଏ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯିବ। ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତି ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଏହି ଭାଷା ସମ୍ମିଳନୀ ଯୁବପିଢ଼ିଙ୍କୁ ଓଡ଼ିଆ ଭାଷା ପ୍ରତି ଆକର୍ଷିତ କରିବ।

ଏହି ସମ୍ମିଳନୀରେ ଓଡ଼ିଆ ଭାଷାର ପ୍ରାଚୀନତା ଓ ଭବିଷ୍ୟତର ପ୍ରାସଙ୍ଗିକତା ଉପରେ ଅନେକ ତର୍କ ଭିତ୍ତିକ ଓ ମାର୍ମିକ ତର୍ଜମା କରାଯିବ । ଦେଶ ବିଦେଶରେ ରହୁଥିବା ଓଡ଼ିଆ ଭାଷାବିତ୍‌ ମାନେ ଯୋଗ ଦେଇ ଓଡ଼ିଆ ଭାଷାର Antiquity (ସର୍ବ ପ୍ରାଚୀନତା) ଓ Continuity (ନିରନ୍ତରତା) ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିବେ।

ଏଥିରେ ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ । ଏଥିସହ ବିଶେଷଜ୍ଞ ମାନେ ଏହି ତିନି ଦିନରେ ଓଡ଼ିଆ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ରୂପରେଖ ଉପରେ ତଥ୍ୟ ଭିତ୍ତିକ ଉପସ୍ଥାପନ କରିବେ।

ସମ୍ମିଳନୀରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ତଥା ସବୁ ବର୍ଗର ବ୍ୟକ୍ତିବିଶେଷ ଯୋଗଦେବେ। ଓଡ଼ିଆ ଭାଷାକୁ ଅଭିନବ ଭାବେ କିଭଳି ଶିଖି ହେବ ଏ ସମ୍ପର୍କରେ ମଧ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ବିଶ୍ୱର କଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଷାଭାଷୀ ମାନଙ୍କ ନିମନ୍ତେ ଏକ ନୂତନ ଆଲୋକବର୍ତ୍ତିତା ହେବ।