Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିଶ୍ଵ ମିତବ୍ୟୟିତା ଦିବସ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସଞ୍ଚୟ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ବିବେକାନନ୍ଦ ମହାନନ୍ଦଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଡି ଆଇ ପି ଆର୍ ଓ ମନୋଜ ବେହେରା, ବି ଡି ଓ ଭବାନୀପାଟଣା ପ୍ରିତା କୁମାର, ଡି ଏସ୍ ଡ ବ୍ଲୁ ଓ ଜ୍ୟୋସ୍ନା ରାଣୀ ପାତ୍ର, ସ୍ୱଳ୍ପ ସଞ୍ଚୟ ଏଜେଣ୍ଟ, ଅଙ୍ଗନବାଡ଼ି କର୍ମୀ, ଏନ୍ ସି ସି ଏବଂ ସ୍କାଉଟ୍ ଛାତ୍ରୀ, ବରିଷ୍ଠ ନାଗରିକ ଗଣ ଉପସ୍ଥିତ ଥିଲେ ଓ ସଞ୍ଚୟ ରଥ ସହିତ ସମସ୍ତେ ଶୋଭାଯାତ୍ରା ରେ ଯାଇ ସଚେତନତା ପ୍ରଚାର କରିଥିଲେ।

ଜିଲ୍ଲାପାଳ ନିଜ ଅର୍ଥର ମିତବ୍ୟୟୀ ବିନିଯୋଗ ଉପରେ ଗୁରୁତ୍ବ ଦେଇ ସ୍ଵୀକୃତିପ୍ରାପ୍ତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାରେ ସଞ୍ଚୟ କରି ନିଜର ଆର୍ଥିକ ସ୍ୱଚ୍ଛଲତା ଓ ସୁରକ୍ଷିତ ଭବିଷ୍ୟତ କୁ ନିଶ୍ଚିତ କରିବାକୁ ଆହ୍ଵାନ କରିଥିଲେ। ଆମର କଷ୍ଟଉପାର୍ଜିତ ଧନକୁ କୌଣସି ଅଣ ସ୍ଵୀକୃତିପ୍ରାପ୍ତ ଅଣ ପଞ୍ଜୀକୃତ ଆର୍ଥିକ ଅନୁଷ୍ଠାନ ରେ ଅତ୍ୟଧିକ ସୁଧ ହାର ଓ ଦ୍ଵିଗୁଣିତ ରାଶି ର ପ୍ରଲୋଭନରେ କଦାପି ଭରସା ନ କରିବା, ଚିଟ୍ ଫଣ୍ଡରୁ ଦୂରେଇ ରହିବା ତଥା କେବଳ ରିଜର୍ଭ ବ୍ୟାଙ୍କ ଓ ସରକାର ଦ୍ବାରା ସ୍ଵୀକୃତିପ୍ରାପ୍ତ,ଅଧିକୃତ ଓ ପଞ୍ଜୀକୃତ ଅନୁଷ୍ଠାନ ବା ସଂସ୍ଥା ରେ ଅର୍ଥ ନିବେଶ କରିବାକୁ ଏହି ସଞ୍ଚୟ ରଥ ଦ୍ଵାରା ସମସ୍ତଙ୍କୁ ସଚେତନ କରାଯାଉଛି।

ମିତବ୍ୟୟୀ ବିନିଯୋଗ ଅର୍ଥ ଅପଚୟ ରୋକିବା ସହ ସ୍ୱଳ୍ପ ସଞ୍ଚୟ ଭବିଷ୍ୟତ ର ବିଭିନ୍ନ ଆବଶ୍ୟକତା ପୁରାଣ କରିଥାଏ ଏବଂ ଜରୁରୀକାଳୀନ ଆବଶ୍ୟକତା ପୁରାଣ କରିଥାଏ।
ସଞ୍ଚୟ ରଥ ଆଜି ସଦର ବ୍ଲକର ରିଶିଗାଁ, ମାଲ ଗାଁ, କୁଟ୍ରୁଖମାର୍ ଗ୍ରାମପଞ୍ଚାୟତ ଯାଇ ମାଇକ ଦ୍ଵାରା ସଚେତନ କରିବ। ଆସନ୍ତା କାଲି ଜୁନାଗଡ ଏନ ଏ ସି ଓ ବ୍ଲକ ଅଞ୍ଚଳ ରେ ସଚେତନତା ଅଭିଯାନ କରିବ।