Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବିଶ୍ୱ ପର୍ଯ୍ୟଟନ ଦିବସରେ ସୁପର ବାଇକ ରାଲି, ଖାଦ୍ୟ ମହୋତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏହାକୁ ମହାଡମ୍ବରରେ ପାଳନ କରାଯାଇଛି। ଏହି ଅବସରରେ ଓଡ଼ିଶା ସୁପର ରାଉଡର୍ସ ସଂଘ ପକ୍ଷରୁ ବାର୍ଷିକ ସୁପର ବାଇକ୍‌ ରାଲି ‘କଳିଙ୍ଗ ରାଇଡର୍ସ’ ଭୁବନେଶ୍ୱରସ୍ଥିତ ହୋଟେଲ୍‌ ସ୍ୟାଣ୍ଡିସ୍‌ ଟାୱାରରୁ ବାହାରି କଟକସ୍ଥିତ ସିଲ୍‌ଭର ସିଟି ବୋଟ କ୍ଲବ୍‌ରେ ପହଞ୍ଚିଥିଲା। ଏଥିରେ ଓଡ଼ିଶା ସୁପର ରାଇଡର୍ସର ପ୍ରାୟ ୧୫୦ ଜଣ ସଦସ୍ୟ ଭାଗ ନେଇଥିଲେ।

ଏହି ରାଲିକୁ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରି କହିଲେ ଯେ ରାଜ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ଉଦ୍ୟୋଗୀଙ୍କ ସମେତ ବିଭିନ୍ନ ଅଂଶୀଦାରମାନେ ହାତ ମିଳାଇବା ଉଚିତ। ଓଡ଼ିଶାରେ ଭରି ରହିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ, ଚାରୁ ଓ କାରୁକଳାକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ସର୍ବଦା ପ୍ରେରଣାଦାୟୀ ହୋଇ ରହିଛି। ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।

ତିନିବର୍ଷ ତଳେ ଆରମ୍ଭ ହୋଇଥିବା ‘ଓଡ଼ିଶା ବାଇ ରୋଡ୍‌ ଅଭିଯାନ’ ମାଧ୍ୟମରେ ଅଧିକରୁ ଅଧିକ ଉତ୍ସାହୀ ସୁପର ବାଇକରମାନେ ଯୋଗଦେବା ସହ ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚିନ୍‌ ରାମଚନ୍ଦ୍ର ଯାଦବ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ପୋଲିସ୍‌ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ୱର ମହାନଗର ନିଗମ କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ କମିଶନର ଶ୍ରୀ ମୟୂର ସୂର୍ଯ୍ୟବଂଶୀ, ସିଆଇଏସ୍‌ଏଫ୍‌ କମାଣ୍ଡାଣ୍ଟ ଶ୍ରୀ ଅଲୋକ ଯୋଶୀ, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଉପଦେଷ୍ଟା ଶ୍ରୀ ଦୁର୍ଗା ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।

ବାଇକ ରାଲି କଟକରେ ପହଞ୍ଚିବା ପରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଯାଦବ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ପାଠ କରିଥିଲେ। ଚଳିତ ବର୍ଷର ଶୀର୍ଷକ ‘ପର୍ଯ୍ୟଟନ ଓ ସବୁଜ ନିବେଶ’ ଉପରେ ମତ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଲେ ଯେ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ନିବେଶ ଦ୍ୱାରା ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ତ୍ୱରାନ୍ୱିତ ହୋଇଛି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପରିବେଶ ଅନୁକୂଳ ଇକୋ-ରିଟ୍ରିଟ୍‌ କାର୍ଯ୍ୟକ୍ରମ ଲୋକାଦୃତ ହେବା ସହ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ସଂପର୍କରେ ପର୍ଯ୍ୟଟକମାନେ ଅଧିକ ଅଭିଜ୍ଞତା ଅର୍ଜନ କରିପାରିଛନ୍ତି।

କଟକସ୍ଥିତ ତାଳଦଣ୍ଡା କେନାଲ୍‌ରେ ‘ବ୍ୟଞ୍ଜନ ଖାଦ୍ୟ କୋର୍ଟ’, ‘ୱାଟର ସ୍ପୋଟର୍ସ ଜୋନ୍‌’ ଏବଂ ସିଲ୍‌ଭର ସିଟି ବୋଟ୍‌ କ୍ଲବ୍‌ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାର କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ସୂଚନା ଦେଇଥିଲେ। କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମ୍‌, ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ୍‌ ବିଶ୍ୱାଳ, କଟକ ମେୟର ଶ୍ରୀ ସୁବାଷ ସିଂ, ସିଡିଏ ଅଧ୍ୟକ୍ଷ ଶ୍ରୀ ଅନିଲ୍‌ ସାମଲ, କଟକ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚଇନି, ଓଡ଼ିଶା ସୁପର ରାଉଡର୍ସର ଆବାହକ ଶ୍ରୀ ଦେବଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଓଡ଼ିଶା ପରିକ୍ରମା କରିଥିବା ଓଡ଼ିଶା ସୁପର ରାଉଡର୍ସର ସଦସ୍ୟ ଏବଂ ବ୍ଲଗର ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କଟକ ମହାନଗର ନିଗମ ଏବଂ ପର୍ଯ୍ୟଟନ ବିଭାଗ ସହଯୋଗରେ ସିଲ୍‌ଭର ସିଟି ବୋର୍ଟ କ୍ଲବ୍‌ଠାରେ ଏକ ଛଅଦିନିଆ ଖାଦ୍ୟ ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ବିଭିନ୍ନ ପାରମ୍ପରିକ ବ୍ୟଞ୍ଜନ ଓ ଖାଦ୍ୟ ଉପଲବ୍ଧ ହେଉଛି।

ଆଜିର ସନ୍ଧ୍ୟାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ନାଟକ ‘ନିସ୍ତବ୍ଧ ସାହାନାଇ’ ମଞ୍ଚସ୍ଥ ହେବା ସହ ବାର୍ଷିକ ମୁଖପତ୍ର ‘ପରିବ୍ରାଜକ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଆଜି ସନ୍ଧ୍ୟାରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ଏୟାର ପୋର୍ଟ ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ ପ୍ରଧାନ, ପ୍ରନିତତ୍ତ୍ୱ ବିଭାଗର ସୁପରିଟେଣ୍ଡିଂ ଆର୍କୋଲୋଜିଷ୍ଟ ଶ୍ରୀ ସୁଶାନ୍ତ କୁମାର କର, ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସିର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ଦିବସ ପାଳନର ଅବ୍ୟବହତି ପୂର୍ବରୁ ଆଜି ପର୍ଯ୍ୟଟନ ବିଭାଗର ସାଂସ୍କୃତିକ ପରିଷଦ ପକ୍ଷରୁ ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ରକ୍ତଦାନ ଶିବିର ରେଡ୍‌କ୍ରସ୍ ସୋସାଇଟି ସହଯୋଗରେ ଆୟୋଜନ କରାଯାଇଥିବାବେଳେ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ବିଶ୍ୱ ପର‌୍ୟ୍ୟଟନ ଦିବସ ପ୍ରତିବର୍ଷ ସେପେଫମ୍ବର ୨୭ ତାରିଖରେ ସର୍ବଭାରତୀୟ ସ୍ତରରେ ପାଳନ କରାଯାଏ। ପର୍ଯ୍ୟଟନର ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ପ୍ରଭାବକୁ ପରିଚିତ କରାଇବାରେ ଏହି ଦିବସ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଚଳିତ ବର୍ଷର ବିଷୟବସ୍ତୁ ‘ପର୍ଯ୍ୟଟନ ଏବଂ ସବୁଜ ନିବେଶ’ ଶୀର୍ଷକ ଉପରେ ଏହି ଦିବସ ବିଶ୍ୱବ୍ୟାପୀ ପାଳିତ ହେଉଛି। ଏହି ମର୍ମରେ ପର୍ଯ୍ୟଟନ ବିଭାଗର ସାଂସ୍କୃତିକ ପରିଷଦ ଏକ ରକ୍ତଦାନ ଶିବିର ଆୟୋଜନ କରି ସମାଜକୁ ସଚେତନ କରିବା ପାଇଁ ପଦକ୍ଷେପ ନେଇଥିଲା।

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି ଯେ ଆମ ବିଭାଗ ବିଶ୍ୱ ପର୍ଯ୍ୟଟନ ଦିବସକୁ ଏକ ଅଭିନବ ଏବଂ ସ୍ୱତନ୍ତ୍ର ଭାବେ ପାଳନ କରିଥିବାରୁ ଏହା ଅତ୍ୟନ୍ତ ପ୍ରଶଂସନୀୟ।

ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍ ଆର. ଯାଦବ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରିଥିବାରୁ ଅଧିକାରୀ ଓ କର୍ମଚାରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ରକ୍ତଦାନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଏବଂ ଏହା ସାମାଜିକ ଦାୟିତ୍ୱବୋଧ ପାଇଁ ବିଭାଗର ପ୍ରତିବଦ୍ଧତାକୁ ସୂଚାଉଛି ବୋଲି ସେ ଉଲ୍ଲେଖ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡକଫର ଲେନିନ୍ ମହାନ୍ତି, ବିଏନ୍‌ଟିୱାଇୱାଇ ଉପଦେଷ୍ଟା ଦୁର୍ଗା ପ୍ରସାଦ ସାମନ୍ତରାୟ, ପର୍ଯ୍ୟଟନ ବିଭାଗ ତଥା ଓଟିଡିସିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ରକ୍ତଦାତା ଯୋଗଦାନ କରିବା ସହ ୪୫ ପ୍ଲସ୍ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ସକାଳେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଆଜି ସଂଧ୍ୟାରେ ବିଭାଗର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆଜି ବିଶ୍ୱ ପର୍ଯ୍ୟଟନ ଦିବସସ୍ଥାନୀୟ ଭଂଜ କଳା ମଣ୍ଡପ ଠାରେ ଅନୁଷ୍ଠିତ  ହୋଇଯାଇଛି।

କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟଟନ,ଓଡ଼ିଆ, ଭାଷା, ସାହିତ୍ୟ, ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ କରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ହେଲା ଅନ୍ୟ ସମସ୍ତ କ୍ଷେତ୍ର ସମେତ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ଗତ ଦୁଇବର୍ଷ ପୂର୍ବେ ପଯ୍ୟଟନ ଶିଳ୍ପରେ ବ୍ୟାପକ ଉନ୍ନତି ଘଟିଥିଲା। ଏବେ ସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଘଟୁଛି।

ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ପର୍ଯ୍ୟଟନର ସୁଦୂର ପ୍ରସାରୀ ହେଉଛି। ପର୍ଯ୍ୟଟନରେ ନୂତନ ସୂର୍ଯ୍ୟ ଉଦୟ ହୋଇଛି। ଆମ ରାଜ୍ୟରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଭରି ରହିଛି l ପର୍ଯ୍ୟଟନ ସହିତ ଜଡିତ ପ୍ରତ୍ୟେକଙ୍କୁ ନିଷ୍ଠାର ସହ କାର୍ଯ୍ୟ କଲେ ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟକ ଆସିବେ ବୋଲି ମନ୍ତ୍ରୀ  ଶ୍ରୀ ପାତ୍ର ପ୍ରକାଶ କରିଥିଲେ। ଏହି ଦିବସ ପାଳନ ଅବସରରେ ବିଭାଗ ତରଫରୁ ପ୍ରକାଶିତ ବାର୍ଷିକ ପତ୍ରିକା ‘ପରିବ୍ରାଜକ’ ଉନ୍ମୋଚିତ ହୋଇଥିଲା।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ   ସ୍ୱାଗତ ଭାଷଣ ପ୍ରଦାନ କରି  କହିଲେ ଯେ , ଏବେ  ପର୍ଯ୍ୟଟନ ବିଭାଗର କାର୍ଯ୍ୟ ସଫଳତାରେ ବହୁ ଅଗ୍ରଗତି ଘଟିଛି। ପର୍ଯ୍ୟଟନ ଶିଳ୍ପ ସହିତ ସଂପୃକ୍ତ ଓଡିଶା ପର୍ଯ୍ୟଟନ ନିଗମ ସମେତ ଅନ୍ୟ ସମସ୍ତ ସହଯୋଗୀ ସଂସ୍ଥାମାନଙ୍କର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ  ପର୍ଯ୍ୟଟନର ବିକାଶ ଘଟୁଛି। ସେଥିପାଇଁ ପର୍ଯ୍ୟଟନ ଶିଳ୍ପରେ ରାଜ୍ୟ ସରକାର ବ୍ୟୟ ବରାଦ ବୃଦ୍ଧି କରିଛନ୍ତି।

କାର୍ଯ୍ୟକ୍ରମରେ ଅତିଥି ଭାବେ ଆଂଚଳିକ ପାସପୋର୍ଟ ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ କହିଲେ ଯେ, ପର୍ଯ୍ୟଟନ ଦେଶକୁ ବୈଦେଶିକ ମୁଦ୍ରା ଆସିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପର୍ଯ୍ୟଟନ ଶିଳ୍ପରେ ଥିବା  କେତେକ ଅସୁବିଧାର ଦୂରୀକରଣ ଓ ପର୍ଯ୍ୟଟନ ଶିଳ୍ପର ଉଜ୍ଜ୍ୱଳ ଭବିଷ୍ୟତ  ସଂପର୍କରେ ବ୍ୟାପକ ପ୍ରଚାର ପ୍ରସାର ଘଟିଲେ  ଏହି ଶିଳ୍ପର ବହୁ  ଉନ୍ନତି ଘଟିବ ବୋଲି ସେ ମତ ରଖିଥିଲେ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ ପ୍ରଧାନ ଯୋଗଦେଇ କହିଲେ ଯେ, ବିମାନ ଚଳାଚଳ ଓ ପର୍ଯ୍ୟଟନ ଶିଳ୍ପ ଅଙ୍ଗାଙ୍ଗୀ ଭାବେ ଜଡିତ।

ଅନ୍ତର୍ଜାତୀୟ ବିମାନ ଚଳାଚଳର ବିକାଶ ପରିପ୍ରେକ୍ଷୀରେ ସେ କହିଲେ ଯେ, ଏବେ  ଏହି ବିମାନ ବନ୍ଦରରେ ବର୍ଷକୁ  ପ୍ରାୟ ତିନି ନିୟୁତ ଯାତ୍ରୀ ପରିବହନର ପରିଚାଳନା କରାଯାଉଛି। ଆଗମୀ 5 ମାସ ମଧ୍ୟରେ ନୂଆ ଟର୍ମିନାଲର ଆଧୁନିକୀକରଣ କରାଯିବ। 2025 ସୁଦ୍ଧା ଟର୍ମିନାଲ -3 ନିର୍ମାଣ କରାଯିବ। ଏହି ଟର୍ମିନାଲରେ ଓଡ଼ିଶାର ସଂସ୍କୃତିର ଛାପ ରହିବ। ଏଥିରେ ବାର୍ଷିକ 8.8 ନିୟୁତ ଯାତ୍ରୀ ପରିବହନର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ । କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରାରମ୍ଭରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ‘ପର୍ଯ୍ୟଟନ ଅନୁଚିନ୍ତା’ ସଂପର୍କିତ ଏକ ସମବେତ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ବିଶିଷ୍ଟ ଉପସ୍ଥାପକ ଡଃ. ମୃତ୍ୟୃଞ୍ଜୟ ରଥ ମଂଚ ସଂଯୋଜନା କରିଥିଲେ।ଶେଷରେ ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ସୁଶୀଲ କୁମାର ରଥଙ୍କ ରଚନାଏବଂ ଶ୍ରୀ ଅନନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ନାଟକ ‘ମଣିଷ ଗଛର ଛାଇ’ ପରିବେଷଣ କରାଯାଇଥିଲା। ଏହାକୁ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଉପଭୋଗ କରିଥିଲେ।

Categories
ଆଞ୍ଚଳିକ

ମୟୁରଭଂଜ ଜିଲ୍ଲା ତରଫରୁ ପର୍ଯ୍ୟଟନ ଦିବସ ଅବସରରେ ଆୟୋଜିତ ହେଲା ପ୍ରତିଯୋଗୀତା

ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲା ପର୍ଯ୍ୟଟନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଏକ ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତଯୋଗୀତା ଅନୁଷ୍ଠିତ ହୋଇଥିଲା ସ୍କୁଲ ଓ କଲେଜ ର ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଭାଗ ନେଇଥିଲେ । ସକାଳ ର ଏହି ପ୍ରତିଯୋଗିତା କୁ ଭୁବନେଶ୍ୱର ଆର. ସି. ଏମ କଲେଜର ମୁଖ୍ୟ ଯୋଗ ଦେଇ ଉଦଘ।ଟିତ କରିଥିଲେ ।

ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭର୍ଦ୍ୱଜ ଓ ଅତିରିକ୍ତ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ରୁଦ୍ରନାରାୟଣ ମହାନ୍ତି ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ଉପସ୍ଥିତି ରେ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ଅଫିସର କର୍ମଚାରୀ ଓ ସଂସ୍କୃତି ବିଭାଗର କର୍ମଚାରୀମାନେ ସହଯୋଗ କରି ସଫଳ କରିଛନ୍ତି ବୋଲି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ: ପ୍ରତିଯୋଗିତାରେ ଚାଷଙ୍ଗରା ହାଇସ୍କୁଲର ଛାତ୍ରୀ ପ୍ରଥମ

ଖୋର୍ଦ୍ଧା: ବିଶ୍ୱ ପର୍ଯ୍ୟଟନ ଦିବସ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟ ମଣ୍ତିତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପର୍ଯ୍ୟଟନ ହେଉଛି ବର୍ତ୍ତମାନ ଅର୍ଥନୀତିର ଅଂଶ ବିଶେଷ। ପୁସ୍ତକ ପଠନ ଏବଂ ବିଭିନ୍ନ ସ୍ଥାନ ଭ୍ରମଣ କରିବା ଦ୍ବାରା ଅନେକ ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିହୁଏ। ପର୍ଯ୍ୟଟନ କେବଳ ଖୁସି ଦିଏ ନାହିଁ ବରଂ ଅର୍ଥନୀତି ଓ ପାରସ୍ପରିକ ସଦଭାବନାକୁ ସମୃଦ୍ଧ କରିଥାଏ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ଭାରତରେ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ଓଡିଶାର ଅବଦାନ ଅତୁଳନୀୟ। ଉଚ୍ଚକୋଟିର ଆତିଥେୟତା ଦ୍ବାରା ପର୍ଯ୍ୟଟନ କ୍ଷେତ୍ର ବ୍ୟାପକ ହୋଇଥାଏ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ। ତେବେ ସାଧାରଣ ଜନତାଙ୍କ ସହଯୋଗ ପର୍ଯ୍ୟଟନକୁ ଅଧିକ ବ୍ୟାପକ କରିଥାଏ ବୋଲି ସେ କହିଥିଲେ।

ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ସ୍ତରରେ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଚାଷଙ୍ଗରାସ୍ଥିତ ଭାଲେରୀ ସରକାରୀ ହାଇସ୍କୁଲର ଛାତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ମଙ୍ଗରାଜ ପ୍ରଥମ, ଭୁବନେଶ୍ବର ୟୁନିଟ-୧ ସ୍ଥିତ ସରାକରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ପ୍ରଜ୍ଞାଂଶ ପ୍ରସାଦ ଦାସ ଦ୍ୱିତୀୟ, ନାଚୁଣୀସ୍ଥିତ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୀମାଞ୍ଚଳ ପଲେଇ ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରାଣନାଥ ସ୍ବୟଂଶାସିତ ମହବିଦ୍ୟାଳୟର ସ୍ବୟଂଶୁଭମ ରାୟ ପ୍ରଥମ, ବିରେନ୍ଦ୍ର କିଶୋର କଳାସ ଦ୍ବିତୀୟ ଏବଂ ରୋଜିନା ବେହେରା ତୃତୀୟ ସ୍ଥାନ ଅକ୍ତିଆର କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ପର୍ଯ୍ୟଟନ ବିଭାଗର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।