Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଶ୍ୱ ଶିଶୁ ଦିବସରେ ରେଡିଓ ଜକିଙ୍କ ଭୂମିକା ନିଭାଇଲେ ଶିଶୁ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଶନିବାର ବିଶ୍ୱ ଶିଶୁ ଦିବସ ପାଳନ ଅବସରରେ ଶିଶୁମାନେ ବିଭିନ୍ନ ପ୍ରଶ୍ନ ପଚାରିବା ଓ ଆଲୋଚନାରେ ଭାଗ ନେଇ ଗୋଟିଏ ଦିନ ପାଇଁ ରେଡିଓ ଜକିଙ୍କ ଭୂମିକା ନିଭାଇଛନ୍ତି। ଭୁବନେଶ୍ୱର ସ୍ଥିତ ଗାଇଡାନ୍ସ ଇଂଲିଶ ମିଡିୟମ୍ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସୁଯୋଗ ପାଇଥିବାରୁ ବେଶ ଉତ୍ସାହିତ ହେବା ସହ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତିମାନଙ୍କୁ ପ୍ରଶ୍ନ ପଚାରିଥିଲେ।

ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ କ୍ଲାସ ସମ୍ପର୍କରେ ନିଜର ଅନୁଭୂତି ଆଲୋଚନା କରିବା ସହ ଧ୍ୟାନ, ସୁସ୍ଥ ଜୀବନଶୈଳୀ, ଯୋଗ ଏବଂ ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ସ୍କୁଲ୍ ବନ୍ଦ ରହିବା କାରଣରୁ ଘରେ ରହିବା ସମ୍ପର୍କରେ ନିଜର ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମକୁ ସୋଆ କମ୍ୟୁନିଟି ରେଡିଓ ଏବଂ ୟୁନିସେଫ୍ ଓ କମ୍ୟୁନିଟି ରେଡିଓ ଆସୋସିଏସନ୍ ଅଫ୍ ଓଡ଼ିଶା (ସିଆର୍‌ଏଓ)ର ମିଳିତ ସହଭାଗିତାରେ ଆୟୋଜନ କରାଯାଇଥିଲା। ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଶୁମାନଙ୍କ ସହିତ ଓ ସୋଆ ରେଡିଓ କ୍ଳବ୍‌ର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ।

ସୋଆ କମ୍ୟୁନିଟି ରେଡିଓ ସବୁବେଳେ ଯୁବକ ଏବଂ ଶିଶୁମାନଙ୍କୁ ଅଗ୍ରାଧିକାର ଦେଇଥାଏ। ପୋଷଣ, ମାନସିକ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଅନେକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ଏହି ଅବସରରେ ସୋଆ କମ୍ୟୁନିଟି ରେଡିଓର ଅଫିସର ଇନ୍ ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଛନ୍ତି।

ଗାଇଡାନ୍ସ ଇଂଲିଶ ମିଡିୟମ୍ ସ୍କୁଲ୍‌ର ଶିକ୍ଷୟତ୍ରୀ ସୁକାନ୍ତି ରଥ କହିଥିଲେ ଯେ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ପ୍ରଥମ ଥର ପାଇଁ ଏଭଳି ସୁଯୋଗ ପାଇଛନ୍ତି ଏବଂ ଏହାକୁ ନେଇ ସେମାନେ ବେଶ ଉତ୍ସାହିତ।

ପ୍ରତ୍ୟେକ ବର୍ଷ ନଭେମ୍ବର ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ପାଳନ କରାଯାଏ। ଶିଶୁମାନଙ୍କୁ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରାଇବା ଏହି ଦିବସ ପାଳନ କରିବାର ପ୍ରମୁଖ ଉଦ୍ଦେଶ୍ୟ। ଚଳିତବର୍ଷର ଥିମ୍ ଥିଲା “ପ୍ରତ୍ୟେକ ଶିଶୁ ପାଇଁ ଏକ ସୁନ୍ଦର ଭବିଷ୍ୟତ”।