Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସନ୍ଥକବି ଭୀମଭୋଇ ଓ ମହିମା ପରମ୍ପରାର ମାହାତ୍ମ୍ୟ ଉପରେ ‘ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ’ ଉଦଘାଟିତ

ଭୁବନେଶ୍ୱର: ମହିମା ପରମ୍ପରା କାହା ପାଇଁ ଧର୍ମ ହୋଇପାରେ, କାହା ପାଇଁ ସେମାନଙ୍କ ଠାରୁ ମିଳୁଥିବା ବାଉଁଶ ଛତା ଉପହାରର ବସ୍ତୁ ହୋଇପାରେ କିନ୍ତୁ ମୋ ପାଇଁ ମହିମା ତତ୍ତ୍ୱ ଜୀବନ ପ୍ରେରଣାର ମୂଳ ଉତ୍ସ ହୋଇ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଭୁବନେଶ୍ୱର ଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମଭୋଇ ଓ ମହିମା ସଂସ୍କୃତିର ପରମ୍ପରାର ମାହାତ୍ମ୍ୟ ଉପରେ ଆୟୋଜିତ ‘ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ’ର ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଓଡ଼ିଶାର ଆତ୍ମା, ତା’ର ସାଧୁ ସଜ୍ଜନ ଓ ସନ୍ନ୍ୟାସୀମାନଙ୍କ ଜୀବନ ଦର୍ଶନରେ ପରିପୂର୍ଣ୍ଣ। ଏ ଦେଶର ଅନ୍ଧକାରାଚ୍ଛନ୍ନ ମଣିଷ ସମାଜକୁ ସେମାନେ ନିଜ ମହାନ୍‌ ଚିନ୍ତାଧାରା ଏବଂ ଭାବଧାରାରେ ଅନୁପ୍ରାଣିତ କରିଥାନ୍ତି। ଯେତେବେଳେ ସମାଜ ଅନ୍ଧକାରରେ ଥିଲା, ରାଜାରାଜୁଡା ଓ ଇଂରେଜ ଶାସନ ସହ ପ୍ରତିପ୍ରତ୍ତିଶାଳୀଙ୍କ ହାତରେ ସମାଜର ଦାୟିତ୍ୱ ଥିଲା, ସେ ସମୟରେ ମୃଷ୍ଟିମେୟ ଲୋକମାନେ ଏକ ବୃହତ ସମାଜକୁ ଉପେକ୍ଷା କରିଥିଲେ। ସେହିଭଳି ଘଡିସନ୍ଧି ମୁହୂର୍ତ୍ତରେ ପରବ୍ରହ୍ଣ ଓ ନିରାକାରଙ୍କୁ ଆଖ୍ୟା ଦେବା ପାଇଁ ମହିମା ଗୋସାଇଙ୍କ ଅନନ୍ୟ ଭକ୍ତ ସନ୍ଥ କବି ଭୀମ ଭୋଇଙ୍କ ଆବିର୍ଭାବ ଓଡ଼ିଶାରେ ହୋଇଥିଲା।  ଭୀମ ଭୋଇ ସମାଜର କୁସ୍କାର, ଅନ୍ଧବିଶ୍ୱାସ, ଅନ୍ୟାୟ ବିରୋଧରେ ସ୍ୱର ଉଠାଇଥିଲେ। ତାଙ୍କ ସମୟରେ ଓଡ଼ିଶା ସାହିତ୍ୟରେ ସମାଜିକ ଉତ୍ଥାନର ନବଜାଗରଣର ସୁବର୍ଣ୍ଣ ଯୁଗର ଅଭ୍ୟୁଦୋୟ ହୋଇଥିଲା। ପ୍ରଜାତନ୍ତ୍ରିକ ସମାଜ ଗଣତନ୍ତ୍ରରେ ବିଶ୍ୱାସ କରେ। ଆଜି ବି ଅନେକ ଲୋକମାନେ ସମସ୍ୟାର ବାଟ ବନ୍ଧୁକର ତାକତରେ ଅଛି ବୋଲି କହୁଥିବା ବେଳେ ଓଡ଼ିଶାରେ ଦୀର୍ଘ ବର୍ଷ ପୂର୍ବେ ମହିମା ଗୋସାଇଁ ଓ ଭୀମ ଭୋଇଙ୍କ ପରି କ୍ରାନ୍ତିକାରୀମାନେ ସମାଜବାଦର ସଠିକ୍ ପ୍ରତିନିଧିତ୍ୱ କରିଥିଲେ। ଏମାନେ ଦାର୍ଶନିକ କାର୍ଲ ମାର୍କସଙ୍କ ଠାରୁ ବଡ ସମାଜବାଦୀ ଥିଲେ। ଅନ୍ୟ କାହାକୁ ଗାଳି ନ ଦେଇ ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେବା ଭଳି କଳ୍ପନା କରିଥିଲେ।  ମହିମା ଧର୍ମର ମୁଁ ଅନୁୟାୟୀ, ଏହି ଧର୍ମ ମୋ ପାଇଁ ସଂସ୍କାର, ଉତ୍କଳୀୟ ପରମ୍ପରାକୁ ବିଶ୍ୱକୁ ନେବା ଦିଗରେ ମହିମା ଧର୍ମ ହେବ ସର୍ବଶ୍ରେଷ୍ଠ ମାଧ୍ୟମ।

ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁ, ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ, ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ, ବାଜି ରାଉତ, ଧର୍ମପଦ, ଗୋପବନ୍ଧୁ ଦାସଙ୍କ ସହ ଦାସିଆ ବାଉରୀ, ବାଇମୁଣ୍ଡିଙ୍କ ପରି ସମାଜରେ କୀର୍ତ୍ତି ସ୍ଥାପନ କରିଥିବା ଲୋକମାନେ ସର୍ବଦା ନିଜ ଜାତି ଓ ସମାଜ ପାଇଁ ଆଗଭର ହୋଇଛନ୍ତି। ଓଡ଼ିଆ ଲୋକ ସମୟ ସମୟରୁ ସଂକୀର୍ଣ୍ଣ ବିଚାରରେ ନିଜକୁ ସୀମିତ ରଖିନାହିଁ। ଏଥିପାଇଁ ଓଡ଼ିଆ ଜାତିର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଓଡ଼ିଆ ସମାଜର ଦୃଷ୍ଟିକୋଣ ସମାଜ କଲ୍ୟାଣ।

ସନ୍ଥ କବି ବଳରାମ ଦାସଙ୍କ ଲିଖିତ ଲକ୍ଷ୍ମୀ ପୂରାଣ ଓ ସନ୍ଥ କବିଙ୍କ ତତ୍ତ୍ୱ ସମାନ। ଗରିବ, ବଞ୍ଚିତ , ନିଷ୍ପେସିତ, ସମାଜର ତଳ ଲୋକମାନଙ୍କ ସେବା କଲେ ହିଁ ଭଗବାନ ମିଳିବେ, ଏହା ଓଡ଼ିଆ ଜାତିର ପରମ୍ପରା ଓ ସଂସ୍କାରରେ ଦୀର୍ଘଦିନରୁ ରହିଆସିଛି। ମହିମା ଧର୍ମର ସଂସ୍କୃତି ଓ ପରମ୍ପରା ଅନନ୍ୟ। ମହିମା ବିଚାର ତତ୍ତ୍ଵ ପାଞ୍ଚ ମୁଠା ନୁହେଁ, ମୁଠେ ଖାଇବାରେ ବିଶ୍ୱାସ କରେ। ମାତ୍ର ଆଜିର ଏ ସମ୍ମିଳନୀର ବମର୍ଷ କଣ ପାଇଁ? ଗାନ୍ଧିଜୀ ଖଦୀ ବସ୍ତ୍ର ପିନ୍ଧି ସ୍ୱଦେଶୀ ବସ୍ତ୍ରର ଆହ୍ୱାନ ଦେଇ ସମସ୍ତଙ୍କ ଆଦର୍ଶ ହୋଇଥିବା ବେଳେ ଶହେ ବର୍ଷ ପୂର୍ବରୁ ଜାତିପ୍ରଥା ବିରୋଧରେ କଷ୍ଟ ସହି ଏବଂ ମୁଠେ ଖାଇ ବଞ୍ଚିଥିବା ସନ୍ଥ କାହିଁକି ଅନାଲୋଚିତ? ମହିମା ଗୋସାଇଁ ଓ ସନ୍ଥ କବିଙ୍କ ବିଚାର ପ୍ରଭାବଶାଳୀ ଥିବା କାରଣରୁ ଜାତି ସଂଘର କାନ୍ଥରେ ଲେଖାଗଲା। ଏହା ବିଚାରକୁ ସେ ପର୍ଯ୍ୟନ୍ତ କିଏ ନେଲା? ଏହାକୁ ଜାଣିବାର ଆବଶ୍ୟକତା ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ପ୍ରଣାଳୀର ସଂସ୍କାରରେ ମହିମା ଗୋସାଇଁ ଏବଂ ଭୀମ ଭୋଇଙ୍କ ବିଚାର ଅନ୍ତର୍ନିହିତ। ଆଜି ସବକା ସାଥ-ସବକା ବିକାଶ- ସବକା ପ୍ରୟାସ-ସବକା ବିଶ୍ୱାସ ମୋଦିଙ୍କ ମୂଳ ମନ୍ତ୍ର ହୋଇଛି।

ସମାଜ ପାଇଁ ଉତ୍ସର୍ଗୀକୃତ ବିଚାରକୁ ନୂଆପିଢି ପାଖରେ ପହଞ୍ଚାଇବାର ଦାୟିତ୍ୱ ବିଶ୍ୱବିଦ୍ୟାଳୟ ନେବା ଦରକାର। ସନ୍ଥକବି ଭୀମଭୋଇ ଚେୟାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହୋଇଛି। ଆଗାମୀ ଦିନରେ ଭାରତର ଦକ୍ଷିଣାଞ୍ଚଳରେ ଏବଂ ଦେଶ ବାହାରେ ମହିମା ଗୋସାଇଁଙ୍କ ନାଁରେ ଚେୟାର ପ୍ରତିଷ୍ଠା କରିବା ପାଇଁ ଯୋଜନା କରାଯିବ। ଆଜି ପ୍ରଥମ ଥର ପାଇଁ ହିନ୍ଦି ଭାଷାରେ ମହିମା ଧର୍ମ ସମ୍ପର୍କରେ ଲୋକାର୍ପିତ ପୁସ୍ତକଟିକୁ ସମାଜର ସବୁ ବର୍ଗର ଲୋକମାନେ ପଢନ୍ତୁ, ବିମର୍ଷ କରନ୍ତୁ ଓ ନିଜର ଅଭିବ୍ୟକ୍ତି ଦେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଅନୁରୂପ ଭାବରେ ମହିମା ବିଚାରକୁ ସବୁ ଭାରତୀୟ ଭାଷାରେ ପହଞ୍ଚାଇବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ।

ମହିମା ସାଧୁ ସନ୍ଥମାନେ ଓଡ଼ିଶାର ପୁଞ୍ଜି, ସଂସ୍କାର, ଓଡ଼ିଶାର ସ୍ପନ୍ଦନ। ସେମାନଙ୍କ ମାର୍ଗଦର୍ଶନରେ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଜାତି ତାର ସଂସ୍କୃତିକୁ ସୁରକ୍ଷିତ ରଖିବ। ବଞ୍ଚିତ ବର୍ଗଙ୍କ ମଧ୍ୟରେ ଆତ୍ମବିଶ୍ୱାସରେ ଭରି ସମାଜର ମୂଳଧାରା ସହ ଯୋଡିବା ନେତୃତ୍ୱ ଦେଉଥିବାର ମହିମା ପରମ୍ପରା ସର୍ବଦା ବଜାୟ ରହୁ ବୋଲି ଶ୍ରୀ ପ୍ରଧାନ କାମନା କରିଥିଲେ। ମହିମା ସମାଜର ଆଶା ଓ ଅପେକ୍ଷାକୁ ପୂରଣ କରିବା ପାଇଁ ଭାରତ ସରକାର ସହଯୋଗୀ ହେବେ ବୋଲି ସେ କହିଥିଲେ।

ଉଲ୍ଲେଖନୀୟ ଯେ, ସେଣ୍ଟ୍ରାଲ ଟ୍ରାଇବାଲ ବିଶ୍ୱବିଦ୍ୟାଳୟ, ବିଜୟନଗରମ, କେନ୍ଦ୍ରୀୟ ବିଶ୍ୱବଦ୍ୟାଳୟ କୋରାପୁଟ, ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଲାସପୁର ଏବଂ ଇଣ୍ଡିଆନ କାଉନସିଲ ଅଫ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ଲେଖକ, କବି, ସାହିତ୍ୟିକ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଭାଗ ନେଇଛନ୍ତି। ସମ୍ମିଳନୀରେ ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଯୋଡିହୋଇଥିବା ବ୍ୟକ୍ତିବିଶେଷଙ୍କୁ ଶୂନ୍ୟ ମନ୍ଦିର ଓ ମହିମା ଗାଦି ବୁଲିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ୨୦୪୭ ପୂର୍ବରୁ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟେକ୍ନୋଲୋଜି ବିକାଶର ଗତିକୁ ତ୍ୱରାନ୍ୱିତ କରିପାରିବ। ତେଣୁ ଟେକ୍ନୋକ୍ରାଟ୍ ଏବଂ ଇଞ୍ଜିନିୟରମାନେ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଛାତ୍ରଛାତ୍ରୀଙ୍କ ସଫଳତା ଯେପରି କେବଳ ସେମାନଙ୍କ ବ୍ୟକ୍ତିଗତ ସଫଳତା ଦ୍ୱାରା ମାପ କରାଯିବ ନାହିଁ ସେଥିପ୍ରତି ସଚେତନ ରହିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ଜୀବନ ଉପରେ ଏହାର ସକାରାତ୍ମକ ପ୍ରଭାବ ଦ୍ୱାରା ମଧ୍ୟ ଏହା ମାପ କରାଯିବା ଉଚିତ ବୋଲି ସେ କହିଛନ୍ତି। କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଦେଶର ପ୍ରଗତି ପାଇଁ ମଧ୍ୟ ଶ୍ରେଷ୍ଠତା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ସେ ଅନୁରୋଧ କରିଥିଲେ। ସକାରାତ୍ମକ ପରିବର୍ତ୍ତନର ବାହକ, ବିବିଧତାର ସମର୍ଥକ ଏବଂ ସଚ୍ଚୋଟତାର ଚାମ୍ପିୟନ ହେବା ପାଇଁ ପ୍ରୟାସ କରିବାକୁ ସେ ସେମାନଙ୍କୁ ଅନୁରୋଧ କରିଥିଲେ।

ବୈଷୟିକ ଉନ୍ନତିକୁ ଗ୍ରହଣ କରିବା ସମୟରେ ଆମେ ଆମର ପାରମ୍ପରିକ ମୂଲ୍ୟବୋଧକୁ ଭୁଲିବା ଉଚିତ ନୁହେଁ ବୋଲି ରାଷ୍ଟ୍ରପତି କହିଥିଲେ। ଜାତୀୟ ଶିକ୍ଷା ନୀତି- ୨୦୨୦ରେ ମାତୃଭାଷା, ପରମ୍ପରା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦିଆଯାଇଛି। ଦେଶର ବିକାଶ ସମଗ୍ର ମାନବଜାତି ପାଇଁ ସମାବେଶୀ ଓ ସମର୍ପିତ ହେବା ଦରକାର ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବିକାଶକୁ ମାନବିକତା ଅନୁକୂଳ କରିବା ପାଇଁ ଆମ ସଂସ୍କୃତିରେ ଅନ୍ତର୍ନିହିତ ମୂଲ୍ୟବୋଧକୁ ସର୍ବଦା ମନେ ରଖିବା ଉଚିତ ବୋଲି ସେ କହିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ,ଖର୍ଚ୍ଚ ହେବ ୬ କୋଟି

ଭୁବନେଶ୍ବର: ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬ କୋଟି ୪୧ ଲକ୍ଷ ଟଙ୍କା ମଧ୍ୟ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲୁପର ଗସ୍ତରେ ଥିବା 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଖୀଣ୍ଡା ଯାଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ତାଙ୍କ ଜନ୍ମ ପୀଠ ଖୀଣ୍ଡାର ବିକାଶ ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ।

ଏ ବିଷୟରେ 5T ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏକ ଘଣ୍ଟା ଭିତରେ ନିଷ୍ପତ୍ତି ନେଇ ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଏହି ପ୍ରକଳ୍ପରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠର ବିକାଶ ହେବ।

୧.୯୪୫ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପରେ ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହ ସ୍ମୃତି ସଦନ ମଧ୍ୟ ନିର୍ମାଣ କରାଯିବ। ସେଠାରେ ଥିବା ସଂଗ୍ରହାଳୟ ଓ ପାଠାଗାର ର ପୁନରୁଦ୍ଧାର କରାଯିବ। ଲ୍ୟାଣ୍ଡସ୍କେପିଂ ସହ ଉଦ୍ୟାନର ବିକାଶ କରାଯିବ। ସୁନ୍ଦର ଆଲୋକୀକରଣ ମଧ୍ୟ କରାଯିବ। ସେଠାରେ ଥିବା ମଞ୍ଚ ଓ ସମାବେଶ ସ୍ଥଳ ର ଉନ୍ନତିକରଣ କରାଯିବ।

ବୀର ସୁରେନ୍ଦ୍ର ସାଏ ଓଡିଆ ଜାତିର ପ୍ରାତସ୍ମରଣୀୟ ବକ୍ତିତ୍ୱ । ବୀର ସୁରେନ୍ଦ୍ର ସାଏ ତାଙ୍କର ଦୃଢ ନେତୃତ୍ୱ, ବିଚକ୍ଷଣ ରଣ କୌଶଳ ଯୋଗୁଁ ବ୍ରିଟିସ ସରକାରଙ୍କ ନିଦ ହଜାଇ ଦେଇଥିଲେ। ସେହି ମହାନ ସଂଗ୍ରାମୀଙ୍କର ଜନ୍ମସ୍ଥଳୀ ଖୀଣ୍ଡା, ପ୍ରତି ଓଡିଆଙ୍କ ପାଇଁ ଏକ ପବିତ୍ର ପୀଠ। ସ୍ୱାଧିନତା ସଂଗ୍ରାମରେ ତାଙ୍କର ମହାନ ଅବଦାନ ଯୁବସମାଜକୁ ସର୍ବଦା ପ୍ରେରଣା ଦେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିପ୍ଳବର ରାସ୍ତା ବାଛି ପରାଧିନତାର ଶିଙ୍କୁଳୀକୁ ଛିଣ୍ଡାଇବାରେ ବୋଷ ଥିଲେ ଜଣେ ଧୁରୀଣ ଯୋଦ୍ଧା 

ରଣପୁର: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସ୍ଵାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ। ସ୍ଵାଧିନତା ସଂଗ୍ରାମର କର୍ଣ୍ଣଧାର ତଥା ଏହି ବୀର ପୁରୁଷଙ୍କ ଜନ୍ମ ଜୟନ୍ତୀରେ ଆଜି ସାରା ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।

ବିଦ୍ୟାଳୟ ସମୟରୁ ସ୍ୱାଧିନତା ସଂଗ୍ରାମର ସମସ୍ତ ଅଧ୍ୟାୟକୁ ଅଳ୍ପ ବହୁତେ ଜାଣିଥିବା ପ୍ରତ୍ୟକେ ଭାରତୀୟ ଯେ, ଦେଶର ମହାପୁରୁଷଙ୍କୁ ନେଇ ଗର୍ବିତ ଏଥିରେ ଦ୍ବିମତ ନାହିଁ ନିଶ୍ଚୟ। ଠିକ୍‌ ସେଇଥିପାଇଁ ତ ସେମାନଙ୍କ ଜୟନ୍ତି ଆସିଲେ ମନେପଡ଼ନ୍ତି ମହମନିଷୀ। ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇବା ପାଇଁ ଅନେକ ସଂଗ୍ରାମୀ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଥିଲେ। କିନ୍ତୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏମିତି ଏକ ପରାକ୍ରମର ପ୍ରେରଣା ଯାହଙ୍କ ନା ନିଶ୍ଚୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଭାଗରେ ରହିଥିଲା ଏବଂ ରହିଥିବ। ଇଂରେଜ ଶାସନର ଚଊହଦୀ ଭିତରୁ ପରାଧିନତାର ଶୃଙ୍ଖଳକୁ ଭାଙ୍ଗିବାକୁ ରକ୍ତ ଦେଇ ସ୍ୱାଧିନତାର ସ୍ବାଦ ଚଖାଇବାର ଆହ୍ବାନ ଦେଇଥିବା ନେତାଜୀ ଶୁଭାଷ ଚନ୍ଦ୍ର ବୋଷଙ୍କର ଆଜି ହେଉଛି ୧୨୬ତମ ଜନ୍ମ ଜୟନ୍ତୀ। ୧୮୯୭ ମସିହା, ଠିକ୍‌ ଆଜିର ଦିନରେ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ। ଭାରତ ସରକାର ଏହି ପରାକ୍ରମୀ ବିପ୍ଳବୀଙ୍କ ମହନୀୟତାକୁ ମନେପକାଇବା ପାଇଁ ତାଙ୍କ ଜନ୍ମ ଜୟନ୍ତୀକୁ ପରାକ୍ରମ ଦିବସ ରୁପରେ ପାଳନ କରିବାକୁ ଘୋଷଣା କରିଥିଲେ।

ନେତାଜୀଙ୍କ ୧୨୬ତମ ଜନ୍ମ ଜୟନ୍ତୀ ଆଜି ରଣପୁର ବ୍ଲକ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପାଳିତ ହୋଇ ଯାଇଛି। ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ସାନଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପିମ୍ପଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟ, ବିଲଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ, ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯଦୁପୁର ପ୍ରାଥମିକ ବିଦ୍ୟାଳୟ, ଗୌରାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୌରାଙ୍ଗପୁର ଉଚ୍ଚ ବିଦ୍ୟାଳୟ, ନୀଳକଣ୍ଠଦେବ ପ୍ରାଥମିକ ବିଦ୍ୟାଳୟ ସହ ରଣପୁର ବ୍ଲକର ସମସ୍ତ ବିଦ୍ୟାଳୟରେ ଏହି ଜୟନ୍ତୀ ପାଳିତ ହୋଇ ଯାଇଛି।

ଏହି ଅବସରରେ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପିମ୍ପଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେଠି, ସମ୍ମାନିତ ଅତିଥି ଭାବେ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ ଓ କାନନବାଳା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସେଠି ପିଲାମାନଙ୍କୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ସମ୍ପର୍କରେ ବୁଝାଇବା ସହ ସେମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିଥିଲେ।  ଅନ୍ୟ ଅତିଥିମାନେ ମଧ୍ୟ ପିଲାମାନଙ୍କୁ ଦେଶ ସ୍ୱାଧୀନତା ବିଷୟରେ ବିଭିନ୍ନ ଗଳ୍ପ ମାଧ୍ୟମରେ ବୁଝାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଦିନିକିଆ ସମ୍ବଲପୁର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି, ଅମୃତ ମହୋତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟ ଜୟନ୍ତୀରେ ତାଙ୍କ ଜନ୍ମ ମାଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଠାରେ ଅନୁଷ୍ଠିତ ପଦଯାତ୍ରାରେ ସାମିଲ ହେବା ସହ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ।

ପଦଯାତ୍ରାରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଓ ପରାକ୍ରମ ଦିବସ ଉପଲକ୍ଷେ ସମ୍ବଲପୁରରେ ଆଇଆଇଏମ ଓ ଆଇସିଏଚଆରର ମିଳିତ ଉଦ୍ୟମ ଉଦ୍ୟମରେ ଆୟୋଜିତ ସେମିନାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ମା’ ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବେ। ମାଣେଶ୍ୱର ବ୍ଲକ ସାସନ ପରମାଣପୁର ଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଅନୁଷ୍ଠିତ ଧନୁଯାତ୍ରା ସମାରୋହରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

Categories
NetajiJayanthi ଆଜିର ଖବର ରାଜ୍ୟ ଖବର

ପିସିସି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ଭୁବନେଶ୍ୱର:ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ସକାଳେ ରସୁଲଗଡ଼ ଛକ ଠାରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ପ୍ରଦେଶ କଂଗ୍ରେସ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

ପରେ ଭିଏସଏସ ନଗର ଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତର୍ମୂତିରେ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ। ଏହାପରେ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଥିବା ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ଏହାପରେ ନେତାଜୀଙ୍କ ଜନ୍ମସ୍ଥାନ କଟକ ସ୍ଥିତ ନେତାଜୀ ଭବନ ଯାଇ ଡ. ଚେଲା କୁମାର ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଂଗ୍ରାହଳୟ ବୁଲିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ, ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, ମାନସ ଚୌଧୁରୀ, ଗିରିବାଳା ବେହେରା, ମନୋରଞ୍ଜନ ଦାଶ, ବିଶ୍ୱଜିତ ଦାଶ, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ଦୀପକ କୁମାର ମହାପାତ୍ର, ପ୍ରକାଶ ମିଶ୍ର, ରଶ୍ମି ମହାପାତ୍ର, ଲିଙ୍ଗରାଜ ସାହୁ, ୟାସିର ନୱାଜ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ଅଶୋକ ଦାସ, ଗୀତାଞ୍ଜଳି ମହାନ୍ତି, ପ୍ରଭାବତୀ ପଟ୍ଟନାୟକ, ଶ୍ରୀଧର ବଳିଆରସିଂ, ଅକ୍ଷୟ କୁମାର ଦାସ, ଆଶିଷ ମଲ୍ଲିକ, ବିପ୍ଳବ ଶିଳାଦିତ୍ୟ, ଆଶୁତୋଷ ରାଉତ, ସଚ୍ଚିଦାନନ୍ଦ ରାଉତ, ଦୀପକ ମହାନ୍ତି, ରାକେଶ ମହାନ୍ତି, ଶୋଭା ସିଂ, ଜୟକୃଷ୍ଣ ମଲ୍ଲିଆ, ସତ୍ୟବ୍ରତ ନାୟକ, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ସୁବୁଦ୍ଧି, ଦେବୀ ପ୍ରସାଦ ବାହାଲିଆ, ସଂଜୟ ମିଶ୍ର, ମନୋରଞ୍ଜନ ରାଉତରାୟ, ରଣଜିତ ଦାସ, ସୁଭାଷ ପ୍ରଧାନ, ଦେବେନ୍ଦ୍ର ପ୍ରସାଦ ଦାସ, ସାଗର ପଟ୍ଟନାୟକ, ସାଗର ପରିଡ଼ା, ବିଶ୍ୱ ଭୂଷଣ ମହାପାତ୍ର, ବିକ୍ରମ ସାହୁ, ପ୍ରଶନ୍ନ ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କୁ ବିଧାନସଭା ପକ୍ଷରୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଚିରବିପ୍ଳବୀ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପ୍ରଥମ ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ ଯୋଦ୍ଧା ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ ବିଧାନସଭା ପକ୍ଷରୁ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ତାଙ୍କର ସ୍ମୃତି ପ୍ରତି ଗଭୀର ଓ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ବୀର ସୁରେନ୍ଦ୍ର ସାଏଙ୍କୁ ଏକ ଅନବଦ୍ୟ ଅନିର୍ବାଣ ଶିଖା ରୂପେ ବର୍ଣ୍ଣନା କରି ସ୍ୱାଧୀନତା ସଂଗ୍ରାମରେ ତାଙ୍କର ମହନୀୟ ଅବଦାନ ଥିବା ସ୍ମରଣ କରିଛନ୍ତି । କୃତଜ୍ଞ ଓଡ଼ିଆ ଜାତି ତାଙ୍କୁ ଚିରଦିନ ପାଇଁ ମନେ ରଖିଥିବ ବୋଲି ସେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରୁଖୁରୁରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ, ବିଧାନସଭା ନିରାପତ୍ତା ଅଧିକାରୀ ଗୋପାଳ କୃଷ୍ଣ ପ୍ରଧାନ, ବାଚସ୍ପତିଙ୍କ ମାର୍ଶାଲ ଦେବାଶିଷ ପ୍ରଧାନ, ଉପନିର୍ଦ୍ଦେଶକ ସୂଚନା ଓ ଲୋକସଂପର୍କ ବିଭାଗ ସନ୍ତୋଷ କୁମାର ଦାସ, ବାଚସ୍ପତିଙ୍କ ଲୋକସଂପର୍କ ଅଧିକାରୀ ଭୂଜଙ୍ଗ ରାଓ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଧାନସଭା ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକ । ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ଶାଶ୍ୱତୀ ପକ୍ଷରୁ ଦେଶତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେଲା ଉଡ଼ାନ୍ ଉତ୍ସବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତୀୟ ବିମାନ ସେବାର ଲୋକତାନ୍ତ୍ରିକରଣ ହୋଇଛି, ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସୋମବାର ଦିନ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆୟୋଜିତ ଉଡ଼ାନ ଉତ୍ସବ ସମାରୋହରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସିନ୍ଧିଆ ଏହା କହିଛନ୍ତି।

ସେ କହିଥିଲେ ଯେ, ଝାରସୁଗୁଡ଼ା ବିମାନ ବନ୍ଦରର ବିକାଶ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଏକ ଶ୍ରେଷ୍ଠ ଉଦାହରଣ ଏବଂ ଏହା ଉଡ଼ାନ ଯୋଜନାର ସବୁଠୁ ସଫଳ କାହାଣୀ। କେନ୍ଦ୍ର ଓ ରାଜ୍ୟ ସରକାର ମିଶି କାର୍ଯ୍ୟ କଲେ କିଭଳି ଚମତ୍କାର ହୋଇପାରିବ, ଏହା ତାହାର ଏକ ଉଦାହରଣ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ସିନ୍ଧିଆ କହିଥିଲେ ଯେ, କୋଭିଡ ମହାମାରୀ ସମୟରେ ଦେଶର ଅନ୍ୟ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀ ସଂଖ୍ୟା ହ୍ରାସ ପାଇଥିଲା। ମାତ୍ର ଝାରସୁଗୁଡ଼ା ବିମାନ ବନ୍ଦର ଦେଶର କେତୋଟି ହାତଗଣତି ବିମାନବନ୍ଦର ମଧ୍ୟରେ ସାମିଲ ହୋଇପାରିଥିଲା ଯେଉଁଠି ଭିନ୍ନ ସ୍ଥିତି ଦେଖିବାକୁ ମିଳିଥିଲା। ସାରା ଦେଶରେ ମହାମାରୀ କାରଣରୁ ଯାତ୍ରୀ ସଂଖ୍ୟା ୬୨ ପ୍ରତିଶତ ହ୍ରାସ ପାଇଥିଲା, ମାତ୍ର ଏହା ତୁଳନାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ମାତ୍ର ୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା। ଏହା ଏହି କ୍ଷେତ୍ର ଏବଂ ଜିଲ୍ଲାରେ ରହିଥିବା ବ୍ୟାପକ ସମ୍ଭାବନାକୁ ପ୍ରଦର୍ଶିତ କରିଥାଏ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଉଡ଼ାନ୍ ଯୋଜନାର ସଫଳତା ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଥିଲେ ଯେ, ସ୍ୱାଧୀନତା ପରବର୍ତ୍ତୀ ସାତ ଦଶନ୍ଧି ମଧ୍ୟରେ ଦେଶରେ ମାତ୍ର ୭୨ଟି ବିମାନ ବନ୍ଦର ନିର୍ମାଣ ହୋଇପାରିଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସକ୍ଷମ ନେତୃତ୍ୱରେ ୨୦୧୪ ପରଠାରୁ ବର୍ତ୍ତମାନସୁଦ୍ଧା ଦେଶରେ ବିମାନ ବନ୍ଦର ସଂଖ୍ୟା ୧୩୬ରେ ପହଞ୍ଚିଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ମୋଟ ବିମାନବନ୍ଦର ସଂଖ୍ୟାକୁ ୨୨୦ରେ ପହଞ୍ଚାଇବା ଲାଗି ଆମେ ଲକ୍ଷ୍ୟ ରଖିଛୁ। ଏଥିରେ ହେଲିପ୍ୟାଡ୍ ଏବଂ ୱାଟର ଏରୋଡ୍ରମ ସାମିଲ ରହିଛି। ଉଡ଼ାନ୍ ଯୋଜନା କାର୍ଯ୍ୟକାରୀ ହେବା ଫଳରେ  ଦେଶରେ ବିମାନ ମାର୍ଗ ଏବଂ ଏୟାରଲାଇନ୍ସ (ବିମାନ ଚଳାଚଳକାରୀ ସଂସ୍ଥା) ଗୁଡ଼ିକର ସଂଖ୍ୟା ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଥିବା ଶ୍ରୀ ସିନ୍ଧିଆ କହିଥିଲେ।

ଝାରସୁଗୁଡ଼ା ଭଳି ସମୃଦ୍ଧଶାଳୀ ଭୂଖଣ୍ଡର ବୈଭବ ଉପରେ ଆଲୋକପାତ କରି ଶ୍ରୀ ସିନ୍ଧିଆ କହିଥିଲେ ଯେ ଏହି ଜିଲ୍ଲା ଓଡ଼ିଶାର ଶକ୍ତି କେନ୍ଦ୍ର। ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଜନ୍ମ ଦେଇଥିବା ଏ ମାଟି ପ୍ରାକୃତିକ ଏବଂ ସାଂସ୍କୃତିକ ସମ୍ପଦରେ ପରିପୂର୍ଣ୍ଣ। ତେଣୁ ଏଠାରେ ଉଡ଼ାନ୍ ମହୋତ୍ସବ ଆୟୋଜନ କରାଯିବା ଯଥାର୍ଥ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଓଡ଼ିଶାରେ ବିମାନ ବନ୍ଦର ସମ୍ପ୍ରସାରଣ ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଠାରୁ ଆବଶ୍ୟକ ଜବାବ ମିଳିବା ପରେ ପୁରୀ ଠାରେ ଏକ ନୂତନ ବିମାନ ବନ୍ଦର ନିର୍ମାଣ କରାଯିବ। ସେହିପରି ଝାରସୁଗୁଡ଼ା ବିମାନ ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କରାଯିବ।

ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ମନ୍ତ୍ରୀ ଦେଶର ବିଭିନ୍ନ ଭାଗରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିବା ବିମାନବନ୍ଦର ନିର୍ଦ୍ଦେଶକ/ଅଧିକାରୀ ଏବଂ ଉଡ଼ାନ ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଇଣ୍ଡିଆନ ସ୍କୁଲ୍ ଅଫ ବିଜନେସ ପକ୍ଷରୁ କରାଯାଇଥିବା ‘ଉଡ଼ାନ ଯୋଜନାର ସାମାଜିକ-ଆର୍ଥିକ ପ୍ରଭାବ ଅଧ୍ୟୟନ ରିପୋର୍ଟ’କୁ ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଉନ୍ମୋଚନ କରିଥିଲେ। ତାଙ୍କ ଉପସ୍ଥିତିରେ ଉଡ଼ାନ୍ ଏବଂ ମେକ୍ ମାଇଁ ଟ୍ରିପ୍ ମଧ୍ୟରେ ସହଭାଗୀ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ଉଡ଼ାନ୍ ଲୋଗୋ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଥିଲା। କ୍ଷେତ୍ରୀୟ ଯୋଗାଯୋଗ ଯୋଜନା (ଆରସିଏସ) ଅଧୀନରେ ଶିଲଂ ଏବଂ ଦୀମାପୁର ମଧ୍ୟରେ ନୂତନ ଉଡ଼ାନ ବିମାନ ସେବାକୁ କେନ୍ଦ୍ର ମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଝାରୀ, ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା, ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ରାଜୀବ ବଂଶଲ ଏବଂ ମନ୍ତ୍ରଣାଳୟ ଓ ବିମାନ ବନ୍ଦରର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଫଟୋ ଖବର

ଆଜି ମହାନ ବ୍ୟକ୍ତିତ୍ବ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ଏହି ବୀର ପୁରୁଷଙ୍କର ଅବଦାନ ଚୀର ସ୍ମରଣୀୟ

ଆଜି ମହାନ ବ୍ୟକ୍ତିତ୍ବ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ, ଏହି ବୀର ପୁରୁଷଙ୍କର ଅବଦାନ ଚୀର ସ୍ମରଣୀୟ