Categories
ଆଞ୍ଚଳିକ

ଟାଙ୍ଗୀରେ ବୃଦ୍ଧି ପାଉଛି ବେଆଇନ ମାଙ୍କଡା ପଥର କାରବାର: ୪ଟି ପଥର ବୋଝେଇ ଟ୍ରକ୍‌ ସହ ୬ଟି ପଥର କଟା ପାୱାର ଟିଲର ଜବତ କଲେ ତହସିଲଦାର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଟାଙ୍ଗୀ ତହସିଲ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ମାଙ୍କଡା ପଥର କାରବାର। ଚୋରା ପଥର ବେପାରୀ ମାନେ ଧରାକୁ ସରା ନମାନି ଵେଧଡକ ଭାବେ ଚଳାଇଛନ୍ତି ସେମାନଙ୍କର କାରବାର। ଏଭଳି କାରବାରକୁ ରୋକ୍ ଦେଵା ପାଇଁ ଅଣ୍ଟା ଭିଡିଛନ୍ତି ଟାଙ୍ଗୀ ତହସିଲଦାର ଅଶ୍ୱିନୀ ଦାସ। ଲକ ଡାଉନ୍ ସମୟରେ ବେଆଇନ ଭାଵେ ମାଙ୍କଡା ପଥର ଚାଲାଣ କରାଯାଉଥିବା ଵେଳେ ଖଜୁରି ପଡା, ବଡପୋଖରିଆ ଓ ପାତ୍ରପଡା ମୌଜାରେ ଥିବା ବେଆଇନ୍ ମାଙ୍କଡା ପଥର ଖଣିରୁ ୪ ଟି ପଥର ବୋଝେଇ ଟ୍ରକ୍, ଗୋଟିଏ ପଥର ବୋଝେଇ ଟ୍ରାକ୍ଟର ସହ ୬ ଟି ପଥର କଟା ପାୱାର ଟିଲର ଜବତ କରିଛନ୍ତି। ବରିଷ୍ଠ ରାଜସ୍ବ ସହାୟକ  ଟାଙ୍ଗୀ ଆରଆଇ, ନିରାକାରପୁର ଆରଆଇ ଓ ତହସିଲର ଅନ୍ୟ କର୍ମଚାରୀମାନେ ଏହି ଜବତରେ ତହସିଲ୍‌ଦାରଙ୍କ ସହ ସାମିଲ୍‌ ରହିଥିଲେ ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ଖଜୁରୀପଡା ଜଙ୍ଗଲ ଭିତରେ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବାର ତହସିଲଦାରଙ୍କୁ ସୂଚନା ମିଳିଥିଲା। ତେବେ ତହସିଲଦାର ତୁରନ୍ତ ଖଜୁରୀପଡା ଜଙ୍ଗଲ ଭିତରେ ଚଢାଉ ଆରମ୍ଭ କରିଥିଲେ। ଏହି ଚଢାଉବେଳେ ଜଙ୍ଗଲ ଭିତରୁ ବେଆଇନ୍‌ ମାଙ୍କଡା ପଥର ବୋଝେଇ ୩ ଟି ଟ୍ରକ୍ ଜବତ କରିଥିବାବେଳେ ବଡପୋଖରିଆରୁ ଗୋଟେ ଟ୍ରକ ଜବତ ହୋଇଛି। ସେହିପରି ରାସ୍ତାରୁ ଆଉ ଏକ ବେଆଇନ୍‌ ମାଙ୍କଡାପଥର ବୋଝେଇ ଟ୍ରାକ୍ଟର ଜବତ କରିବା ସହ  ପାତ୍ରପଡା ଖଣିରୁ ୬ ଟି ପଥର କଟା ପାୱାର ଟିଲର ଜବତ କରିଛନ୍ତି। ଜବତ ହୋଇଥିବା ଗାଡିକୁ ଟାଙ୍ଗୀ ତହସିଲ କାର୍ଯ୍ଯାଳୟରେ ରଖାଯାଇଥିବା ସୂଚନା ରହିଛି।

ଆଗକୁ ଏହି ଚଢାଉ ଆହୁରି ଜୋରଦାର କରାଯାଇ ବେଆଇନ୍ ମାଙ୍କଡା ପଥର କାରବାର କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ତହସିଲଦାର। ତହସିଲଦାରଙ୍କ ଏତାଦୃଶ କାର୍ଯ୍ୟରେ ପଥର ମାଫିଆମାନଙ୍କ ମଧ୍ୟରେ କାେକୁଆ ଭୟ ସୃଷ୍ଟି ହୋଇଛି ।