Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡିରେ ବେଆଇନ ବାଲି କାରବାର: ସରକାରୀ ରାଜସ୍ୱ ହାନି, ବାଲି ମାଫିଆ ମାଲେମାଲ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର କାରବାର ହେଉଥିବା ଅନେକ ଅଭିଯୋଗ ହେଉଛି। ଓଡିଶା ମାଇନର ମିନେରାଲ୍ସ ଅଧିନିୟମ ( ଓଏମଏମସି) କୁ ଖୋଦ ତହସିଲ ଅଫିସ ମାନଙ୍କରେ ଉଲ୍ଲଂଘନ କରାଯାଉଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି। ଜିଲ୍ଲାସାରା ଅଧିକାଂଶ ତହସିଲ ଅଂଚଳରେ ବେଆଇନ ବାଲି ଉଠାଣ ହେଉଥିବା ବେଳେ ସେସବୁର ସଠିକ ତଦାରଖ କରାଯାଉନଥିବା ଦେଖାଯାଉଛି। ଫଳତଃ ବାଲି ମାଫିଆ ମାନେ ବିଶେଷ କରି ତେଲ ନଦୀ, ହାତୀ ନଦୀ ଭଲି ବଡ ବଡ ନଦୀ ପଠାରୁ ମନଇଚ୍ଛା ବାଲି ଉଠାଣ କରୁଥିବା ଦେଖାଯାଉଛି।

ଅନ୍ୟ ପକ୍ଷରେ ତୃଟିପୂର୍ଣ୍ଣ ଭାବେ ବାଲିଘାଟ ନିଲାମ କରାଯାଉଥିବା ହେତୁ ସେଥିପାଇଁ ଏଗ୍ରିମେଂଟ ହୋଇପାରୁନଥିବା ଜଣାପଡିଛି। ଏହାରି ସୁଯୋଗରେ ସଂପୃକ୍ତ ନିଲାମ ପାଇବାକୁଥିବା ବ୍ୟବସାୟୀ ଦୀର୍ଘ ଏକ ବର୍ଷ ହେବ ସଂପୃକ୍ତ ବାଲିଘାଟରୁ ବାଲି ଉଠାଣ ଜାରି ରଖିଥିବା ଅଭିଯୋଗ ହେଉଛି। ଏସଂପର୍କରେ ସଂପୃକ୍ତ ଆରଆଇ ମାନେ ସଠିକ ତଥ୍ୟ ଦେଇପାରୁନଥିବା ହେତୁ ସରକାରୀ ରାଜସ୍ୱ ହାନି ହେଉଥିବା କୁହାଯାଉଛି। ବାଲିଘାଟ ନିଲାମଧାରୀଙ୍କ ନାମରେ ଏଗ୍ରିମେଂଟ ହୋଇଛି କି ନାହିଁ ସେହି ତଥ୍ୟ ମଧ୍ୟ ସଂପୃକ୍ତ ଆରଆଇଙ୍କ ପାଖରେ ନାହିଁ।

ଅନ୍ୟ ପକ୍ଷରେ ନିଲାମ କରିସାରିବା ପରେ ତହସିଲ ପକ୍ଷରୁ ପରିବେଶ ମଂଜୁରୀ ପାଇଁ ଆବେଦନ କରାଯାଉଥିବା ହେତୁ ଏଗ୍ରିମେଂଟ ପାଇଁ ବିଲମ୍ବ ହେଉଥିବା ଏବଂ ଓଏମଏମସି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଦେଖାଯାଉଛି। ହେଲେ ନିଲାମ କରିବା ପୂର୍ବରୁ ପରିବେଶ ମଂଜୁରୀ ଅଣାଯାଇ ନିଲାମ କରାଗଲେ ନିଲାମଧାରୀ ତୁରନ୍ତ ଏଗ୍ରିମେଂଟ କରିବାରେ ସୁବିଧା ହୋଇପାରନ୍ତା ଓ ଓଏମଏମସି ନିୟମ ଅନୁସାରେ ନିର୍ଦ୍ଧାରିତ ସମୟସୀମା ଭିତରେ ଏଗ୍ରିମେଂଟ କରାଯାଇପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

ତହସିଲ ଗୁଡିକ ପକ୍ଷରୁ ଗତ ମଇ ଜୁନ ମାସରେ ନିଲାମ କରାଯାଇଥିବା ବେଳେ ଯେଉଁମାନେ ସର୍ବାଧିକ ମୂଲ୍ୟ ଦେବାକୁ ଦର୍ଶାଇ ନିଲାମ ପାଇଥିଲେ ସେମାନେ ମଧ୍ୟ ଆବଶ୍ୟକୀୟ କାଗଜାତ ସହିତ ପରିବେଶ ମଂଜୁରୀ ମିଳିନଥିବା ହେତୁ ଏଗ୍ରିମେଂଟ କରିପାରିନଥିଲେ। ନିଲାମ ହୋଇଥିବା ସଂପୃକ୍ତ ବାଲିଘାଟ ଗୁଡିକର ନିୟମିତ ଭାବେ ବାଲି ଉଠାଣ କରାଯାଉଥିବା ସ୍ଥାନୀୟ ଅଂଚଳରେ ଅଭିଯୋଗମାନ ହେଉଛି । ଯାହାଫଳରେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ରାଜସ୍ୱ କ୍ଷତି ହେଉଥିବା ଜଣାପଡିଛି। ତହସିଲ ଅଫିସ ହିଁ ଓଏମଏମସି ଅଧିନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି।

କଳାହାଣ୍ଡିରେ ହୋଇଥିବା ବାଲିଘାଟ ନିଲାମ, ପରିବେଶ ମଂଜୁରୀ ଇତ୍ୟାଦିର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ଗୋନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।