Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁରରେ ବେଆଇନ ମଦ କାରବାର: ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

ସୀତାରାମ ଅଗ୍ରୱାଲ

ବାଣପୁର: ଲକଡ଼ାଉନ ସମୟରେ ବେଧଡକ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର କରିବାକୁ ବେପାରୀମାନେ ପଛାଉନାହାନ୍ତି। ଏହାକୁ ନେଇ ପୋଲିସ କଡା ନଜର ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ବାଣପୁର ପୋଲିସ।

ସୂଚନା ମୁତାବକ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ତତ୍ୱାବଧାନ ଏବଂ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଗମ୍ଭାରୀମୁଣ୍ଡା ଏବଂ ପାରିନୂଆଗାଁ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଗମ୍ଭାରୀମୁଣ୍ଡାରୁ ବଟୁ ବରାଳଙ୍କ ନିକଟରୁ ୧୯.୯୬୦ ଲିଟର ବିଦେଶୀ ମଦ ଜବତ ହୋଇଥିବାବେଳେ ପାରିନୁଆଗାଁରୁ କେଦାର ବାରିକଙ୍କ ନିକଟରୁ ୪.୨୦୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ।

ଉଭୟଙ୍କ ବିରୋଧରେ ବାଣପୁର ଥାନାରେ କେସ ନମ୍ବର ୨୪୮ ଏବଂ ୨୪୯ ରେ ଦୁଇ ଗୋଟି ମାମଲା ରୁଜ୍ଜୁ କରାଯାଇଛି। ଏବଂ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଆଇଆଇସି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଏଏସଆଇ ଶ୍ରୀନିବାସ ପ୍ରଧାନ ଏବଂ ବାମଦେବ ଜେନା ସାମିଲ ଥିଲେ।