Categories
ଆଞ୍ଚଳିକ

ଆର୍ ଏନ୍ ଏସ ଗୁରୁକୂଳର ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେଗୁନିଆପଡ଼ା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସାଙ୍କୁଡ଼ା ସ୍ଥିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଆର୍ ଏନ୍ ଏସ ଗୁରୁକୂଳର ଦଶମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଅଛି। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ପାଣ୍ଡି ଓ ଯୁଗ୍ମ କାର୍ଯ୍ୟକାରୀ ସଭାପତି ବସନ୍ତ କୁମାର ବାରିକଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମକୁ ଅବସର ପ୍ରାପ୍ତ ଶିକ୍ଷକ ଆର ରଘୁନାଥ ଦୋରା ଉଦ୍ଘାଟନ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ କୋଦଳା ସ୍ଥିତ ଏଲ ଏନ୍ ସ୍ନାତକ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ଡ଼ଃ ବିଷ୍ଣୁ ନାରାୟଣ ସେଠୀ ଯୋଗଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ଦେବେନ୍ଦ୍ର କୁମାର ମହାରଣା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ରଙ୍କନାଥ ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଶିକ୍ଷା, ଆଦର୍ଶ ଓ ସଂସ୍କାର ଉପରେ ମାର୍ଗଦର୍ଶନ କରିଥଲେ।

ଅନୁଷ୍ଠାନର ଅଧକ୍ଷା ସୋନାଲି ସୁମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତପସ୍ଵିନୀ ଜେନା କାର୍ଯକ୍ରମ ପରିଚାଳନା କରିଥଲେ। ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିବା ବେଳେ ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥଲା। ଶେଷରେ ଅନୁଷ୍ଠାନର ମୁଖ୍ୟ ପୁରୁଷୋତ୍ତମ ସ୍ୱାଇଁ ଧନ୍ୟବାଦ୍ ଅର୍ପଣ କରିଥଲେ। ଗୁରୁକୂଳର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକ ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

୫ ବର୍ଷର ଝିଅର ପେଟରେ ବଢ଼ୁଛି ମାଂସ ପିଣ୍ଡୁଳା: ସହାୟତା ପାଇଁ ଅନୁରୋଧ କଲା ଦୁଃଖିନୀ ମା’

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପାଠ ପଢ଼ିବା, ଖେଳକୁଦ ବୟସରେ ଦାଉ ସାଧିଛି ରୋଗ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଷଣ୍ଢମୁଳ ଗ୍ରାମର ଭୁଜବଳ ସାହିର ପାଞ୍ଚବର୍ଷର ଝଅ ମାମା ନାୟକ। ଦୁର୍ବଳ ଶରୀର ସହିତ ତା’ର ପେଟକୁ ଲାଗି ବାହାରେ ବଢ଼ୁଛି ଏକ ମାଂସ ପିଣ୍ଡୁଳା। ନିଜେ କଷ୍ଟ ସହି ସହି ପଥର ହୋଇଗଲାଣି ସିନା ଦୁଃଖକୁ ନିଜ ମନ ଭିତରେ ଚାପି ରଖିଛି ସେ।

ମାମାର ବାପା ନିରଞ୍ଜନ ନାୟକ ୧୦ ବର୍ଷ ପୂର୍ବ ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ କେ. ବରିଡ଼ା ପଞ୍ଚାୟତର ଝୁମୁରି ନାୟକଙ୍କୁ ବିବାହ କରିଥିଲେ। ବଡ଼ ଝିଅ ଶିବାନୀ ପରେ ମାମା ଜନ୍ମ ହୋଇଥିଲା। ତୃତୀୟ ସନ୍ତାନ ଭାବେ ରୂପମ ଜନ୍ମ ନେଇଥିଲା। ମାମା ଜନ୍ମ ବେଳେ ତା’ର ପେଟରେ ଏକ ଛୋଟ ଆବୁ ଦେଖାଦେଇଥିଲା। କାଳକ୍ରମେ ତାହା ବଡ଼ ହୋଇ ଚାଲିଥିଲା ଅର୍ଥ ଅଭାବରୁ ମାମାର ଚିକିତ୍ସା ହୋଇପାରିନଥିଲା। ବର୍ଷ ପରେ ବର୍ଷ ବିତିଗଲା ପରେ ବର୍ତ୍ତମାନ ମାମାକୁ ୫ ବର୍ଷ ହେଇଛି। ତିନିବର୍ଷ ପୂର୍ବେ ସ୍ୱତନ୍ତ୍ର ମେଡ଼ିକାଲ୍ ପ୍ରତିନିଧି ଆସି ତାକୁ ଚିକିତ୍ସା ପାଇଁ କହିଥିଲେ ବି ତାହା ସଂପୂର୍ଣ୍ଣ କରିନଥିଲେ।

ଦୁଇବର୍ଷ ପୂର୍ବେ ବାପା ନିରଞ୍ଜନ କୁଆଡ଼େ ଯାଇଛନ୍ତି ଯେ ତାଙ୍କର ଖୋଜ ଖବର ନାହିଁ। ବଡ଼ ଝିଅ ଶିବାନୀ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ସାନ ପୁଅକୁ ତିନିବର୍ଷ। ମାମା ବିଦ୍ୟାଳୟକୁ ଯିବା ବୟସ ତଥା ଇଚ୍ଛା ଶକ୍ତିଥିଲେ ବି ଏହି ମାଂସ ପିଣ୍ଡୁଳାକୁ ବୋହି ଚାଲିପାରିବା ତା’ ପାଇଁ କଷ୍ଟକର ହୋଇପଡ଼ିଛି। ଝୁମୁରିଙ୍କ ପରିବାର ସଂପୂର୍ଣ୍ଣ ଗରିବ ଶ୍ରେଣୀର ହୋଇଥିବା ବେଳେ ରୋଜଗାର ବିନା ଚାରିପ୍ରାଣୀ ଚଳିବା ବହୁତ କଷ୍ଟ ହୋଇଛି। ବାପାଘରୁ ଚାଉଳ ଆଣି କଷ୍ଟେମଷ୍ଟେ ଚଳିଯାଉଛନ୍ତି ସିନା ମରୁନି ପେଟର ଭୋକ। ପିଲାମାନେ ଭୋକରେ କାନ୍ଦିଲେ ମା’ ଝୁମୁରି ଆଖିରୁ ଦୁଇ ଟୋପା ଲୁହ ଗଡ଼ାଇ ନିଜର ଭାଗ୍ୟକୁ ନିନ୍ଦୁଛନ୍ତି। ୫ ହାତର ଘର ଉପରେ ଆଜବେଷ୍ଟସ୍ ପଡ଼ିଛି ସିନା ଚଟାଣ ମାଟି ଲିପା ହୋଇଛି।

ଝୁମୁରିଙ୍କର ଗୋଟିଏ ଝିଅର ନାମ ଶଶୁରଙ୍କ ସହ ଯୁଗ୍ମ ଭାବେ ରାସନ କାର୍ଡ଼ରେ ଥିବାବେଳେ ଆଉ ଦୁଇଟି ପିଲାର ନାମ କାର୍ଡ଼ରେ ସଂଯୋଗ ହୋଇନାହିଁ। ସେପଟେ ମାମାର କଷ୍ଟ ଦେଖି ମା’ ଅସହ୍ୟ କଷ୍ଟ ପାଉଥିଲେ ବି ପିଲାର ଚିକିତ୍ସା ପାଇଁ ଅର୍ଥର ଅଭାବ ତାଙ୍କ ପାଇଁ ବିରାଟ ଚିନ୍ତାର ପାହାଡ଼ ଠିଆ କରିଛି।

ଏହି ଘଟଣାକୁ କାହ୍ନା ଚାରିଟେବୁଲ୍ ଟ୍ରଷ୍ଟ ଲୋକଲୋଚନକୁ ଆଣିବା ସହ ଗତ ୧୪ ଅକ୍ଟୋବରରେ ତାଙ୍କୁ କଟକ ନେବା ପାଇଁ ୪ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଥିଲେ। କିନ୍ତୁ ସେ ସମୟର ବିଡ଼ିଓ, ତହସିଲ୍‌ଦାର, ସରପଞ୍ଚ ମଧ୍ୟ କଥା ଦେଇଥିଲେ ସମସ୍ତ ସରକାରୀ ସାହାଯ୍ୟ ଦେବାକୁ। ତହସିଲ୍‌ଦାର ବଡ଼ ମେଡ଼ିକାଲ୍‌କୁ ମଧ୍ୟ ନେଇଥିଲେ, କିନ୍ତୁ ପରବର୍ତ୍ତୀ ଚିକିତ୍ସା ନ କରି ପୁଣି ଚୁପ୍ ହୋଇଯିବାରୁ ଏବେ ମାମା ସେଇ ଯନ୍ତ୍ରଣାରେ ଛଟପଟ।

ତେଣୁ ସହୃଦୟ ବ୍ୟକ୍ତିଙ୍କୁ ମାମାଙ୍କୁ ସାହାଯ୍ୟ କରିବା ସହ ପ୍ରଶାସନ ତୁରନ୍ତ ତାଙ୍କୁ ଉନ୍ନତମାନର ଚିକିତ୍ସା ମାଗଣାରେ ଯୋଗାଇ ଦେବାକୁ ଦାବି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସ୍ଵାମୀ ମୃତ୍ୟୁର ପାଞ୍ଚ ଦିନ ପରେ ପତ୍ନୀଙ୍କ ମୃତ୍ୟୁ

ପିଣ୍ଟୁ ବିଷୋୟୀ

ବେଗୁନିଆପଡ଼ା: ସ୍ୱାମୀଙ୍କ ମୃତ୍ୟୁର ୫ ଦିନ ପୂରଣ ଦିନ ପତ୍ନୀ ଆଖି ବୁଜିଲେ। ଏପରି ଦୁଃଖଦ ଘଟଣା ଘଟିଛି ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମରେ। ଗତ ୧୮ ତାରିଖ ଦିନ ଉକ୍ତ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା(୭୩) ଙ୍କର ସ୍ୱାଭାବିକ ଭାବରେ ମୃତ୍ୟୁ ହେବା ପରେ ଆଜି ତାଙ୍କ ଧର୍ମ ପତ୍ନୀ କମା ଜେନା(୬୫) ନିଜ ବାସଭବନରେ ଆଖି ବୁଝିଛନ୍ତି। ଏପରି ଦୁଃଖଦ ଘଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଉଭୟ ସ୍ଵାମୀ ଓ ସ୍ତ୍ରୀ ଅତି ମିଷ୍ଟଭାଷୀ ଥିବା ବେଳେ ପରୋପକାରୀ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଏକମାତ୍ର ପୁତ୍ର, ପୁତ୍ର ବଧୁ, ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସାମାଜିକ ଦୂରତ୍ୱ ରଖି ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିଲା।  ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Categories
ଆଞ୍ଚଳିକ

ସିବିଏସିଇ ଦଶମ ପରୀକ୍ଷା ଫଳ: ରାଜପୁର (ରାଗପୁର) ଆଦର୍ଶ ବିଦ୍ୟାଳୟର ୧୦୦% ଫଳାଫଳ, ସଂନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ଟପର୍

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ରାଜପୁର (ରାଗପୁର) ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରିଛି। ବିଦ୍ୟାଳୟର ମୋଟ ୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫୦ ଜଣ ୬୦ ପ୍ରତିଶତରୁ ଅଧିକ ମାର୍କ ଏବଂ ୮ ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି। ସେହିପରି ୪ ଜଣ ୫୩ ପ୍ରତିଶତରୁ ୬୦ ପ୍ରତିଶତ ମଧ୍ୟରେ ମାର୍କ ରଖିଛନ୍ତି।

ସଂନ୍ଧ୍ୟା ପ୍ରିୟଦର୍ଶିନୀ ପଟ୍ଟନାୟକ ୯୭.୦୨ ପ୍ରତିଶତ ମାର୍କ ରଖି ବିଦ୍ୟାଳୟର ଟପର୍ ହୋଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ଦୀପିକା ସାମନ୍ତରାୟ ୯୪. ୦୮ପ୍ରତିଶତ ମାର୍କ ରଖିଛନ୍ତି। ରାଧାକାନ୍ତ ବେହେରା ୯୪ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନରେ ଅଛନ୍ତି। ଚଳିତ ବର୍ଷ ବିଦ୍ୟାଳୟର ଶତ ପ୍ରତିଶତ ଫଳାଫଳ ହୋଇଥିବା ଯୋଗୁଁ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଏ. ମିରାରାଣୀ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି।