Categories
ଆଜିର ଖବର ରାଜ୍ୟ ଖବର

କାର ଦୁର୍ଘଟଣାରେ ମହିଳା ମୃତ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାସି ଠାରୁ କୋଦଳା ଯିବା ରାସ୍ତାରେ ଏକ ମର୍ମନ୍ତୁକ କାର ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ହିଁ ମହିଳା ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି।

ସୂଚନା ଅନୁସାରେ ଗୁରୁବାର ଦିନ ଅପରାହ୍ନ ସମୟରେ କୋଦଳା ଠାରୁ ବି. ନୂଆଁପଲୀକୁ ଯିବା ବେଳେ ବି. ନୂଆଁପଲୀର ୨୫ ବର୍ଷୀୟ ମହିଳା ସୁନୀତା ପରିଡାଙ୍କୁ ଏକ ମହିନ୍ଦ୍ରା କାର୍ କୋଦଳା ପଟୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଯେଉଁଥିରେ ମହିଳାଙ୍କ କାର ରାସ୍ତା କଡ଼କୁ ଓଲଟି ପଡିଥିବା ବେଳେ ଘଟଣା ସ୍ଥଳରେ ହିଁ ସୁନୀତା ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ ସୁନୀତାଙ୍କୁ ତୁରନ୍ତ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ସେପଟେ କାର ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି। ଘଟଣା ସ୍ଥଳ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଦଳା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କାର ମାଲିକଙ୍କ ନାମ ଜଣା ପଡି ନାହିଁ। କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ ପହଞ୍ଚିଥିବା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୁମ୍ଭାରଗାଁ ପଞ୍ଚାୟତ ଉପନିର୍ବାଚନ: ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ସତୀଶ

ପିଣ୍ଟୁ ବିଷୋୟୀ

ବେଗୁନିଆପଡ଼ା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ ଥିଲା। ଏହି ଉପନିର୍ବାଚନ ପାଇଁ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ।

ହେଲେ ସେହି ତିନି ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ। ଯାହାଦ୍ୱାରା ବିଜେଡି ସମର୍ଥିତ ପ୍ରାର୍ଥୀ ସତୀଶ ରଞ୍ଜନ ତାରିଣୀ ନିର୍ଦ୍ୱନ୍ଦରେ କୁମ୍ଭାରଗାଁ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି।

କୁମ୍ଭାରଗାଁ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀକଂ ଦେହାନ୍ତ ପରେ ଏହି ପଞ୍ଚାୟତର ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ଓଡିଶା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପ୍ରକାରେ ଚଳିତ ମାସ ୧୩, ୧୫ ଓ ୧୮ ତାରିଖ ଦିନ ନାମାଙ୍କନ ପାଇଁ ଧାର୍ଯ୍ୟ କରାଯାଇଥିଲା। ସତୀଶ ରଂଜନ ତାରେଣୀ, ଲଳିତ କୁମାର ସ୍ବାଇଁ ଓ ପ୍ରବୀଣ କୁମାର ସ୍ବାଇଁ ଏହି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଶୁକ୍ରବାର ୨୨ ଜାନୁଆରୀ ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇ ଥିଲା।

ଆଜି ଲଳିତ ଓ ପ୍ରବୀଣ ନିଜେ ବ୍ଲକ କାର୍ଯ୍ୟାଳୟରେ ପହଁଚି ପ୍ରାଥୀ ପ୍ରତ୍ୟାହାର କରି ନେଇଛନ୍ତି। ପଂଚାୟତର ଏକତା ଏବଂ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱକୁ ସମ୍ମାନ ଜଣାଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା କହିଛନ୍ତି। ଅନ୍ୟ ପକ୍ଷରେ ନିର୍ବାଚନ ଦାୟିତ୍ୱରେ ଥିବା ବିଡ଼ିଓ ବେଦବର ପ୍ରଧାନଙ୍କୁ ଭେଟି ଦୁଇ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସତୀଶ ନିର୍ଦ୍ବନ୍ଦରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୁମ୍ଭାରଗାଁ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ: ଫେବୃଆରୀ ୧୧ ରେ ହେବ ଉପନିର୍ବାଚନ

ପିଣ୍ଟୁ ବିଷୋୟୀ

ବେଗୁନିଆପଡ଼ା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର କୁମ୍ଭାରଗାଁ ପଞ୍ଚାୟତର ଉପନିର୍ବାଚନ ଲାଗି ବିଗୁଲ ବାଜିଛି। ସୋମବାର ଦିନ ନାମାଙ୍କନର ଶେଷ ଦିନ ଥିବା ବେଳେ ନାମାଙ୍କନ ଭରିଲେ ୩ ପ୍ରାର୍ଥୀ। ଆସନ୍ତା ଫେବୃୟାରୀ ୧୧ ରେ ଉକ୍ତ ପଞ୍ଚାୟତ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେଵ।

ଏହି ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରିଣୀଙ୍କ ଗତ ୧୧ ସେପ୍ଟେମ୍ବର ୨୦୨୦ ରେ ଦେହାନ୍ତ ପରେ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ଓଡିଶା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ମାସ ୧୩, ୧୫ ଓ ୧୮ ତାରିଖ ଦିନ ନାମାଙ୍କନ ପାଇଁ ଧାର୍ଯ୍ୟ କରାଯାଇଥିଲା। ସୋମବାର ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ଦିନ ହୋଇଥିବା ବେଳେ ଶେଷ ଦିନରେ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ବିଡ଼ିଓ ବେଦବର ପ୍ରଧାନ ସୂଚନା ଦେଇଛନ୍ତି।

ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମାନେ ହେଲେ ସତୀଶ ରଂଜନ ତାରେଣୀ, ଲଳିତ କୁମାର ସ୍ବାଇଁ ଓ ପ୍ରବୀଣ କୁମାର ସ୍ବାଇଁ। ମଂଗଳବାର ଦିନ ପ୍ରାର୍ଥୀପତ୍ର ଜାଞ୍ଚ୍ କରାଯିବ ଏବଂ ୨୨ ଜାନୁଆରୀରେ ନାମାଙ୍କନ ପତ୍ର ପ୍ରତ୍ଯାହାର ପାଇଁ ଧାର୍ଯ୍ୟ କରାଯାଇଛି। ଆସନ୍ତା ଫେବୃୟାରୀ ୧୧ ରେ ଏହି ଆସନ ପାଇଁ ନିର୍ବାଚନ ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ

ଆଦର୍ଶ ଗ୍ରାମ ହେବ ବିଳିପଡ଼ା: ପ୍ରସ୍ତୁତି ଆରମ୍ଭ କଲେ ବିଧାୟିକା ଲତିକା ପ୍ରଧାନ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାଶୀ ପଞ୍ଚାୟତର ବିଲିପଡା ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି। ପ୍ରସ୍ତୁତି ଆରମ୍ଭ କଲେ ବିଧାୟିକା। ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ବିଲିପଡା ଠାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡ଼ା ବ୍ଳକ ଅଧ୍ୟକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଫାଶୀ ସରପଞ୍ଚ ନବୀନ ଦଳେଇ, ବ୍ଲକ ସ୍ତରୀୟ ଅଧିକାରୀ ମାନେ ବିଲିପଡା ଗ୍ରାମକୁ ଯାଇ ଗ୍ରାମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ପରିମଳ ବ୍ୟବସ୍ଥା, ଡ୍ରେନେଜ୍ ବ୍ୟବସ୍ଥା ସମେତ ବହୁ ମୌଳିକ ସୁବିଧା ଗୁଡିକ କିଭଳି ଭାବେ ତୁରନ୍ତ ଲାଗୁ କରାଯିବ ସେ ନେଇ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ବିଧାୟିକା। ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ସରକାରଙ୍କ ନିୟମ ଅନୁସାରେ ଯେଉଁ ସବୁ ପଦକ୍ଷେପ ନିଆଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଆଦର୍ଶ ଗ୍ରାମ ହେବା ପର୍ଯ୍ୟନ୍ତ ଅନବରତ ଭାବେ ଏହି ଗ୍ରାମକୁ ଫୋକସ୍ ରେ ରଖାଯିବ ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ।

Categories
ଆଞ୍ଚଳିକ

ବିଧାୟିକାଙ୍କ ବେଗୁନିଆପଡ଼ା ଗସ୍ତ: ଦିନକରେ କଲେ ୧୯ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଶୁକ୍ରବାର ଦିନିକିଆ ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ବିଧାୟିକା ପ୍ରଥମେ କେ ବରିଡ଼ା ପଞ୍ଚାୟତର ବିରିବାଟିଆ ଠାରେ ବିଧାୟିକା ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲ୍ୟାଣ ମଣ୍ଡପର ଲୋକାର୍ପଣ କରିଥିଲେ। ତାପରେ ୬ ଲକ୍ଷ ୫୦ହଜାର ଟଙ୍କାରେ ନିର୍ମିତ କେ ବରିଡା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବାସଗୃହ ଓ ୨ ଲକ୍ଷ ଟଙ୍କାରେ ନିର୍ମିତ ନୁଆଁ ସାହି ଗୋଷ୍ଠୀ ସାଧନା କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି ବିଧାୟିକା।

ଏହା ପରେ ଖଣ୍ଡିଆନଈ ପଞ୍ଚାୟତର କେ ମର୍ଦ୍ଦରାଜପୁରେ କୃଷି ବିଭାଗର ଅନୁଦାନ ଦ୍ବାରା ୭ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ନିର୍ମିତ କଂକ୍ରିଟ ଧାନ ଖଳା ଉଦଘାଟନ କରିଥିଲେ। ବେଗୁନିଆପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆମ ଗାଁ ଆମ ବିକାଶ ଯୋଜନାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାଠାଗାର ଓ ସୂଚନା କେନ୍ଦ୍ର ଉଦଘାଟନ କରିବା ସହ ସିଜିଏଫ, ଏସପିଏଫ, ଏମଏଲଏ ଲ୍ୟାଡ଼ ଯୋଜନାରେ ବେଗୁନିଆପଡ଼ା କାଣ୍ଟା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ୧୧ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହା ପରେ ଏସ୍ ଛଚିନା ପଞ୍ଚାୟତର ଏସ ଛଚିନା ଠାରେ ଚତୁର୍ଥ ଅର୍ଥ କମିଶନ ଯୋଜନାରେ ୫ ଲକ୍ଷ ୫୦ ହଜାର ଟଙ୍କାରେ ନିର୍ମିତ ଯାତ୍ରୀ ବିଶ୍ରାମ ଗାର, ଆମ ଗାଁ ଆମ ବିକାଶ ଯୋଜନାରେ ୫ ଲକ୍ଷ ଟଙ୍କାରେ ନିର୍ମିତ ବନଦୁର୍ଗା ସାହିରେ ଗୋଷ୍ଠୀ ସାଧନ କେନ୍ଦ୍ର, ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶ୍ରୀ ମା ଶ୍ରୀ ଅରବିନ୍ଦ ପାଠାଗାର ଏବଂ ସୂଚନା କେନ୍ଦ୍ର, ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାଧାକୃଷ୍ଣ ସାହି ଠାରେ ଗୋଷ୍ଠୀ ସାଧନ କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ।

ଏହାପରେ ସୁମଣ୍ଡଳ ଠାରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାଠାଗାର ଓ ସୂଚନା କେନ୍ଦ୍ର, ୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ଶାଙ୍କୁଡ଼ା ଠାରେ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମହାପ୍ରୟାଣ ଶବ ସତ୍କାର ସ୍ଥଳ, ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅଙ୍ଗାରଗାଁ ଯାତ୍ରୀ ବିଶ୍ରାମଗାର, ୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପଞ୍ଚାୟତ ଫାଟକ, ୭ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ଧାନଖଳା, ୨ ଲକ୍ଷ ୪୬ ହଜାର ଟଙ୍କା ବ୍ୟୟରେ ନିର୍ମିତ ଅଗ୍ନି ପୂଜା ମଣ୍ଡପ,୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କଲଭର୍ଟର ଶୁଭ ଉଦଘାଟନ କରିଥିଲେ ବିଧାୟିକା।

ବିଧାୟିକାଙ୍କ ଏହି ୧୯ ଗୋଟି ମାରାଥନ ଉଦଘାଟନ କାର୍ଯ୍ୟକ୍ରମ ସମୟରେ ବ୍ଲକ ଅଧ୍ୟକ୍ଷା କେ ରାଜଲକ୍ଷ୍ମୀ ଦୋରା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ଗୀତାଞ୍ଜଳି ଭୂୟାଁ, ମନୋଜ କୁମାର ପାଣ୍ଡି, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।