Categories
ଆଞ୍ଚଳିକ ରାଜ୍ୟ ଖବର

ଚିଲିକା ବ୍ଲକ୍‌ରେ ବିଦ୍ୟୁତ୍‌ ସଂଯୋଗ କରିବା ସମୟରେ ଦୁର୍ଘଟଣାରେ ଗୁରୁତର ହେଲେ ଟେକ୍‌ନିସିଆନ୍‌

ସମୀକ୍ଷା ବ୍ୟୁରୋ

ଚିଲିକା: ଆଜି ଚିଲିକା ବ୍ଲକ୍‌ର ବେଗୁନିଆ ଗ୍ରାମଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍‌ ସଂଯୋଗ ଦେଉଥିବା ସମୟରେ ଜଣେ ଟେକ୍‌ନିସିଆନ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ ଡାହାଣ ହାତଟି କରେଣ୍ଟ ବାଜି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ  ଚିଲିକା ବ୍ଲକ୍‌ ଅନ୍ତର୍ଗତ ହରିପୁର ଗ୍ରାମ ପଞ୍ଚାୟତର ବେଗୁନିଆ ଗ୍ରାମର କୁନା ପଲେଇ (୨୮ବର୍ଷ) ନାମକ ଜଣେ ଯୁବକ ବାଲୁଗାଁ ଫେଡ୍‌କୋ ସବ୍‌ଡିଭିଜନ୍‌ର ଟେକ୍‌ନିସିଆନ୍‌ ରୂପେ କାର୍ଯ୍ୟରତ ଥିଲେ। ସେହି ଗ୍ରାମର ଜଣେ ବିଦ୍ୟୁତ ଉପଭୋକ୍ତାଙ୍କ ଲାଇଟ୍‌ କଟିଯିବାରୁ ୧୧ କେଭି ଲାଇନ୍‌ ସପ୍ଲାଇ କରୁଥିବା ସମୟରେ ଭୁଲ୍‌ରେ ଫେଜ୍‌ କନକେସନ୍‌ ଦେଇଦେବାରୁ କରେଣ୍ଟ ଲାଗି ଡାହାଣ ହାତ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ତାଙ୍କୁ ତୁରନ୍ତ କୁହୁଡିସ୍ଥିତ ଘରୋଇ ନର୍ସିଂହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଆମ୍ରି ହସ୍‌ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

କୁନାଙ୍କ ଚିକିତ୍ସା ପାଇଁ ଫେଡ୍‌କୋ ତରଫରୁ କିଛି ସାହାଯ୍ୟ ମିଳିଥିବାବେଳେ ଏହା ସମୁଦ୍ରକୁ ଶଙ୍ଖେ ପରି। ସମ୍ପୃକ୍ତ ଟେକନିସାଆନ ଜଣକ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ତାଙ୍କର ଏପରି ସମୟରେ ତାଙ୍କ ପରିବାରରେ ଏବେ ଏକ ବଡ ବିପତ୍ତି ପଡିଛି। ତାଙ୍କ ଚିକିତ୍ସା ପାଇଁ ଅର୍ଥ ଏବେ ବାଧକ ସାଜିଛି। ଜଣେ ଯୁବ ଟେକ୍‌ନିସଆନ୍‌ଙ୍କ କାର୍ଯ୍ୟରତ ସମୟରେ ଏପରି ବିପଜ୍ଜନକ ଦୁର୍ଘଟଣା ଘଟିଥିବାରୁ ତାଙ୍କୁ ସରକାର ତରଫରୁ ସହାୟତା ରାଶି ଦିଆଯିବା ନେଇ ଦାବି କରାଯାଇଛି।

ରିପୋର୍ଟର: ସୀତାରାମ ଅଗ୍ରୱାଲ