Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ବେଦାନ୍ତ ବିରୋଧରେ ତାତିଲେ ଆଦିବାସୀ, କାଶୀପୁର ଥାନାରେ ଭଙ୍ଗାରୁଜା, ନିଆଁ ଜାଳି କଲେ ପ୍ରତିବାଦ ( Video)

ରାୟଗଡା: ବେଦାନ୍ତ କଂପାନୀ ବିରୋଧରେ ତାତିଛନ୍ତି ଆଦିବାସୀ। ଆଜି ଅପରାହ୍ନରେ ଉତ୍ୟେକ୍ତ ଆଦିବାସୀମାନେ ରାୟଗଡା ଜିଲ୍ଲା କାଶୀପୁର ଥାନା ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଏଥିସହିତ ଥାନା ବାହାରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ପରିସ୍ଥିତି ଉତ୍ତେଜନା ରହିବାରୁ ଅଧିକ ଫୋର୍ସ ମୁତୟନ କରାଯାଇଛି।

ଘଟଣାରୁ ପ୍ରକାଶ ଯେ, କାଶୀପୁର ଥାନା ପୋଲିସ ଜଣେ ଆଦିବାସୀଙ୍କୁ ଗିରଫ କରିଛନ୍ତି। ତାଙ୍କ ନାମ ହେଉଛି କାର୍ତ୍ତିକ ନାୟକ। ତାଙ୍କ ଗିରଫ ପ୍ରତିବାଦରେ ଚାରିଖଣ୍ଡ ଆଦିବାସୀ ଗ୍ରାମର ପ୍ରାୟ 400 ରୁ 500 ମହିଳା ଓ ପୁରୁଷ ଏକ ଶୋଭାଯାତ୍ରା କରି କାଶୀପୁର ଥାନା ଆଡକୁ ମାଡିଆସିଥିଲେ। ସେମାନେ ବେଦାନ୍ତ କଂପାନୀ ଗୋ ବ୍ୟାକ୍, ମୈତ୍ରୀ କଂପାନୀ ଗୋ ବ୍ୟାକ୍ କହି ଥାନା ଘେରାଉ କରିଥିଲେ।

ଉତ୍ୟେକ୍ତ ଆଦିବାସୀ ହାତରେ ସେମାନଙ୍କ ପାରଂପାରିକ ହତିୟାର ଧରି ଥାନା ଭିତରେ ପ୍ରବେଶ କରିଥିଲେ। ସେଠାରେ ଗିରଫ କାର୍ତ୍ତକଙ୍କୁ ଛାଡି ଦିଅ ବୋଲି ଦାବୀ କରିଥିଲେ। ଏହା ଭିତରେ ପୋଲିସ ଏବଂ ଆଦିବାସୀଙ୍କ ମଧ୍ୟରେ ଉଚ୍ଚବାଚ ହେବାରୁ ଗଣ୍ଡୋଗଳ ହୋଇଥିଲା। ଥାନା ଭିତରେ ଆଦିବାସୀମାନେ ଭଙ୍ଗାରୁଜା କରିଥିଲେ। ବାହାରକୁ ଆସି ଟାୟାର ଜାଳି ଗିରଫ ବିରୋଧରେ ପ୍ରତିବାଦ କରିଥିଲେ।

ବେଦାନ୍ତ କଂପାନୀ ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ଥିବା ସିଜିମାଳି ଖଣି ଅଧିଗ୍ରହଣ କରିବାକୁ ଚେଷ୍ଠା କରୁଛି। ସେଥିପାଇଁ କଂପାନୀ ମୈତ୍ରୀ ନାମକ ଏକ କଂପାନୀକୁ ନିଯୁକ୍ତି ଦେଇଛି। ମୈତ୍ରୀ କଂପାନୀ ତାହାକୁ ଦଖଲ କରିବା ବେଳେ ସ୍ଥାନୀୟ ଆଦିବାସୀମାନେ ବିରୋଧ କରିଥିଲେ। ପରେ ପୋଲିସ କାର୍ତ୍ତିକଙ୍କୁ ଗିରଫ କରିଛି। ଯାହାକୁ ନେଇ ଆଦିବାସୀମାନେ ପ୍ରତିବାଦ କରିଛନ୍ତି।

ଜଣେ ଆଦିବାସୀ ନେତାଙ୍କ କହିବା କଥା ଯେ, ବେଦାନ୍ତ କଂପାନୀ ଜୋର ଜବରଦସ୍ତ ସିଜିମାଳି ଖଣିକୁ ଅଧିଗ୍ରହଣ କରିବା ପାଇଁ ଚେଷ୍ଠା କରୁଛି। ଏହି କାର୍ଯ୍ୟ କରିବା ପାଇଁ ବେଦାନ୍ତ ମୈତ୍ରୀ ନାମକ ଅନ୍ୟ ଏକ କଂଣ୍ଟାରକ୍ଟର କଂପାନୀକୁ ନିୟୋଜନ କରିଛି। ସେହି କଂପାନୀର ଅଧିକାରୀମାନେ ବିଭିନ୍ନ ସମୟରେ ଆଦିବାସୀଙ୍କୁ ମାରଧର କରୁଛନ୍ତି ବୋଲି ଅଭିଯୋଗ କରାଯାଇଛି।

ବର୍ତ୍ତମାନ ସେଠାରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅଧିକ ପୋଲିସ ମୁତୟନ କରାଯାଇଛି। ସ୍ଥାନୀୟ ତହସିଲଦାର ଏବଂ ବିଡିଓଙ୍କୁ ମଧ୍ୟ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ବେଦାନ୍ତ ଲାଞ୍ଜିଗଡ ବିବାଦ ଘନେଇଲା, ତଦନ୍ତ ଦାବୀ କଲେ ବିଧାୟକ ସାଗର ଦାସ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ବର: ବେଦାନ୍ତ ଲାଞ୍ଜିଗଡ କଂପାନୀର ରେଡ ମଡ ପଣ୍ଡ ଭୁଷୁଡି ପଡିବା ବିବାଦ ଧିରଧିରେ ଘନେଇବାରେ ଲାଗିଛି। ବାରମ୍ବାର କାହିଁକି ବେଦାନ୍ତ କଂପାନୀରେ ଏପରି ଘଟୁଛି ତାହାର ଏକ ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସାଗର ଦାସ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେ ଏକ ଚିଠି ଲେଖିଛନ୍ତି।

ଏହି ଚିଠିରେ ସେ ଚାରିଟି ଦାବୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ କରିଛନ୍ତି। ପ୍ରଥମତଃ ଏହି ଘଟଣାଟି ବିଚାର ବିଭାଗୀୟ ତଦନ୍ତ କରାଯାଉ। କାରଣ ସ୍ଥାନୀୟ ଅଧିବାସୀଙ୍କ ହଇରାଣ କରିବାରେ ଏହା ଏକ ଚକ୍ରାନ୍ତ ହୋଇଥିବାର ସନ୍ଦେହ କରାଯାଉଛି। ସେହିପରି କ୍ଷତିଗସ୍ତ ଲୋକଙ୍କୁ ତୁରନ୍ତ ସର୍ବାଧିକ କ୍ଷତି ପୂରଣ ପ୍ରଦାନ କରାଯାଉ। ଏଥିସହିତ ବର୍ତ୍ତମାନ ନାଲିପାଣି ମାଡି ଯେଉଁ କ୍ଷତି ହୋଇଛି ତାହାର ପୁନଃଉଦ୍ଧାର କରାଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି।

ଅନ୍ୟପକ୍ଷରେ ସେ ଲେଖିଛନ୍ତି ଯେ, ବେଦାନ୍ତ କର୍ତ୍ତୁପକ୍ଷଙ୍କ ମନମୁଖୀ ଶାସନ ଯୋଗୁଁ ଏପରି ଘଟଣା ଘଟୁଥିବାର ଅନୁମାନ କରାଯାଉଛି। ତେଣୁ କଣ ପାଇଁ ଏହି ରେଡ ମଡ ପଣ୍ଡ ଭୁଷୁଡିଲା ତାହାର ତଦନ୍ତ କରାଯାଉ ଏବଂ ଏଥିପାଇଁ କେଉଁ ଅଧିକାରୀ ଦାୟୀ ତାହା ପ୍ରକାଶ କରାଯାଉ। ଏଥିସହିତ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବେଦାନ୍ତ ରେଡ ମଡ ପଣ୍ଡ ଭୁଷୁଡିବା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଚିଠି ଲେଖିଲେ ପ୍ରଫୁଲ ସାମନ୍ତରାୟ

ଭୁବନେଶ୍ବର: ଗତକାଲି କଳାହାଣ୍ଡି ଲାଞ୍ଜିଗଡରେ ଥିବା ବେଦାନ୍ତ ଆଲମ୍ୟୁନା କଂପାନୀର ରେଡ ମଡ ପଣ୍ଡ ଭୁଷୁଡି ପଡିବା ପରେ ଶହଶହ ଏକର ଯାଗାରେ ନାଲିପାଣି ମାଡିଯାଇଛି। ଏହାଦ୍ବାରା ପରିବେଷ ପ୍ରଦୂଷିତ ହେବା ସହିତ ବହୁ ଚାଷ ଜମି ମଧ୍ୟ ନଷ୍ଟ ହୋଇଛି। ଯାହାକୁ ନେଇ ଗତକାଲି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହି ଘଟଣା ପଦାକୁ ଆସିବା ପରେ ଓଡିଶାର ପ୍ରତିଷ୍ଠିତ ସାମାଜିକ କର୍ମି ପ୍ରଫୁଲ ସମାନ୍ତରାୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ବେଦାନ୍ତ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।

ସେ କହିଛନ୍ତି ବେଦାନ୍ତ ଲାଞ୍ଜିଗଡ କଂପାନୀ ଧାରାବାହିକ ଭାବେ ରେଡମଡ ପଣ୍ଡ ହେଉ କିମ୍ବା ଆସ୍ ପଣ୍ଡ ଭୁଷୁଡିବାରେ ଲାଗିଛି। ଏହାଦ୍ବାରା ସ୍ଥାନୀୟ ଜନସଧାରଣ ଏବଂ ପଶୁପକ୍ଷୀଙ୍କ ଉପରେ ପ୍ରଭାବ ପଡୁଛି। ସେଥିପାଇଁ ବୋର୍ଡ ତରଫରୁ ଏହା ଉପରେ ତଦନ୍ତ କରାଯାଉ ବୋଲି ସେ ଦାବୀ କରିଛନ୍ତି। ଏହା ବେଦାନ୍ତ କଂପାନୀର ଖାମଖିଆଲ ନୀତି ବୋଲି ସେ ଉଲ୍ଲେଖ କରିଛନ୍ତି।

Categories
ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଭାଙ୍ଗିଲା ବେଦାନ୍ତର ରେଡ ମଡ ପଣ୍ଡ, ଶହଶହ ଏକର ଚାଷଜମି କ୍ଷତିଗସ୍ତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

କଳାହାଣ୍ଡି: ଲାଞ୍ଜିଗଡରେ ଥିବା ବେଦାନ୍ତ କଂପାନୀର ରେଡ ମଡ ପଣ୍ଡ ଭୁଷିଡି ପଡିଛି। ଫଳରେ ସେହି ଅଞ୍ଚଳରେ ଥିବା ଶହଶହ ଏକର ଜମିରେ ନାଲିପାଣି ମାଡିଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ମୁଖ୍ୟତଃ ବେଦାନ୍ତ କଂପାନୀର ରେଡ ମଡ ପଣ୍ଡର ଠିକଭାବେ ରକ୍ଷାଣ ବେକ୍ଷଣ ହୋଇ ନ ଥିବାରୁ ଏପରି ଅସୁବିଧା ଘଟିଲା ବୋଲି ଅଭିଯୋଗ କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଲାଞ୍ଜିଗଡସ୍ଥିତ ବେଦାନ୍ତ କଂପାନୀର ରେଡମଡ ପଣ୍ଡ ବସନ୍ତପଡାରେ ନିର୍ମାଣ କରାଯାଇଛି। ଏହାର ବନ୍ଧକୁ ଠିକ ଭାବେ ତଦାରଖ କରାଯାଇ ନ ଥିବାରୁ ପ୍ରବଳ ବର୍ଷାରେ ତାହା ଭୁଷୁଡି ପଡିଛି। ଏହାଦ୍ବାରା ବସନ୍ତପଡା ସମେତ ବନ୍ଧଗୁଡା, ତୁରିଗୁଡାରେ ହେକ୍ଟର ହେକ୍ଟର ଚାଷ ଜମିରେ କାଦୁଅ ପାଣି ମାଡି ଯାଇଛି। ଲାଲ୍ ମାଟି ପାଣି ମାଡି ଯାଇଥିବାରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ବେଦାନ୍ତ କଂପାନୀର ଏପରି ଖାମଖିଆଲ ନୀତି ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ତୁରନ୍ତ ବେଦାନ୍ତ କଂପାନୀ ଏହାର କ୍ଷତିପୂରଣ ଦେଉ ବୋଲି ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି। ତେବେ ଏତେବଡ ଘଟଣା ଘଟିଯାଇଥିଲେ ମଧ୍ୟ ବେଦାନ୍ତ କଂପାନୀ ତରଫରୁ କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି। ଏପରିକି ଏ ନେଇ ବେଦାନ୍ତ କଂପାନୀ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।