Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଆଦିବାସୀଙ୍କ ପୂଜାପୀଠକୁ ଭାଙ୍ଗି ଦେଲେ ବେଦାନ୍ତ କର୍ମଚାରୀ, ରାସ୍ତାରୋକ କଲେ ଗ୍ରାମବାସୀ

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ଼ ଦ୍ୱାରା ବିଭିନ୍ନ ସମୟରେ ବେଆଇନ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେବାରେ ଲାଗିଛି। କେତେବେଳେ ଆଦିବାସୀଙ୍କ ଉପରେ ଅତ୍ୟାଚାର, କେତେବେଳେ ଆଦିବାସୀଙ୍କ ଜମିରେ ନାଲିପାଣି ମାଡିବା ଘଟଣା, କେତେବେଳେ ପରିବେଶ ପ୍ରଦୂଷଣ ଅଭିଯୋଗ ହୋଇଆସୁଛି। ଯାହାକୁ ନେଇ ସ୍ଥାନୀୟ ଆଦିବାସୀମାନେ ଆନ୍ଦୋଳନ କରିବା ସହିତ ଥାନା ଘେରାଉ କରୁଛନ୍ତି।

ସେହିପରି ଆଉ ଏକ ଅଭିଯୋଗ ବେଦାନ୍ତ ବିରୋଧରେ କରାଯାଇଛି। ତାହା କିନ୍ତୁ ଏସବୁ ଅଭିଯୋଗଠାରୁ ସଂପୂର୍ଣ୍ଣ ଭିନ୍ନ। ତାହା ହେଲା ବେଦାନ୍ତ କର୍ତ୍ତୁପକ୍ଷ ଆଦିବାସୀଙ୍କ ଧର୍ମିୟ ଭାବନା ଉପରେ ଅସମ୍ମାନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ବେଦାନ୍ତ ଲାଞ୍ଜିଗଡ କାରଖାନ ନିକଟସ୍ଥ ଗ୍ରାମବାସୀମାନେ ଆନ୍ଦୋଳନ କରି ବେଦାନ୍ତ କଂପାନୀ ରାସ୍ତାକୁ ଅବରୋଧ କରିଥିଲେ।

ଅଭିଯୋଗ ଅନୁସାରେ ବେଦାନ୍ତ କର୍ମାଚାରୀ ଲାଞ୍ଜିଗଡ଼ ବ୍ଲକ ଜଗନ୍ନାଥପୁର ପଞ୍ଚାୟତ କେନ୍ଦୁବର୍ଡି ଗାଁରେ ଥିବା ଆଦିବାସୀଙ୍କ ପୂଜାପୀଠକୁ ଭାଙ୍ଗି ଦେଇଛନ୍ତି। ସେଠାରେ କମ୍ପାନୀର କର୍ମଚାରୀମାନେ ରୋଷେଇ କରି ଭୋଜି କରୁଥିବାର କେନ୍ଦୁବର୍ଡି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବେଦାନ୍ତ କର୍ମଚାରୀମାନେ ଜାଣିଶୁଣି ଦେବାଦେବୀଙ୍କ ମୂର୍ତ୍ତି ହଟାଇ ସେଠାରେ ଜୋତା ପିନ୍ଧି ଚଳପ୍ରଚଳ କରିବା ଏବଂ ମଦମାଂସର ଭୋଜି କରୁଛନ୍ତି ବୋଲି ଅଭିଯୋଗ ହୋଇଛି।ଯାହାକୁ ନେଇ ତାତିଛନ୍ତି ସ୍ଥାନୀୟ ଆଦିବାସୀ।

ଏହାକୁ ବିରୋଧ କରି ଚଳିତ ନଭେମ୍ବର ମାସ 18 ତାରିଖରେ ଶତାଧିକ ଗ୍ରାମବାସୀ ଜଗନ୍ନାଥପୁର- କେନ୍ଦୁବର୍ଡି ମୁଖ୍ୟ ରାସ୍ତାରେ ଧାରଣାରେ ବସିଥିଲେ। ଏହାଦ୍ବାରା ବେଦାନ୍ତ ମୁଖ୍ୟ ଫାଟକକୁ ସଂଯୋଗ କରୁଥିବା ରାସ୍ତା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ବେଦାନ୍ତ କର୍ତ୍ତୃପକ୍ଷ ନିଜ ଦୋଷ ଲୁଚାଇବାକୁ ଉଦ୍ୟମ କରି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଠା କରିଥିଲେ।

ଏ ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଲୋକେ ବୁଝି ନ ଥିଲେ। ସେହିପରି ଗାଁ ଲୋକେ ପୂଜାପୀଠର ପୁନଃରୁଦ୍ଧାର ଓ ପ୍ରତିଷ୍ଠା ଦାବି କରିଥିଲେ। ପରବର୍ତ୍ତି ସମୟରେ ସେମାନେ ରାସ୍ତାରୁ ହଟିଥିଲେ ମଧ୍ୟ ବେଦାନ୍ତ ବିରୋଧରେ ଏକ ବଡ ମେଳି ବାନ୍ଧୁଥିବାର ଜଣାପଡିଛି। କାରଣ ଆଦିବାସୀଙ୍କ ଧର୍ମିୟଭାବନ ଉପରେ ଆଘାତ ଦେଲେ ସେମାନେ ତାହାକୁ ସହଜରେ ଗ୍ରହଣ କରି ନ ଥାନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ବେଦାନ୍ତ ଲାଞ୍ଜିଗଡ ଫାଟକ ଆଗରେ ଗ୍ରାମବାସୀଙ୍କ ଧାରଣା, ଘରେ ବିଶାକ୍ତ ପାଣି ପଶିବା ବିରୋଧରେ ଆନ୍ଦୋଳନ

କଳାହାଣ୍ଡି( ଦୁଷ୍ମନ୍ତ ପଣ୍ଡା): ଆଜି ବଡ଼ି ଭୋରରୁ ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣାରେ ବସିଛନ୍ତି ବଣ୍ଡେଲ ଗ୍ରାମବାସୀ। ଚଳିତ ମାସ 14 ତାରିଖ ରାତିରେ ବେଦାନ୍ତ ରେଡମଡ଼ ପଣ୍ଡରୁ ବିଷାକ୍ତ କଷ୍ଟିକ ପାଣି ବଣ୍ଡେଲ ଗ୍ରାମର ସମସ୍ତଙ୍କ ଘର ଭିତରକୁ ପଶି ଯାଇଥିଲା।

ବିଷାକ୍ତ କଷ୍ଟିକ ପାଣି ବିଲରେ ମାଡିଯିବାରୁ ଗାଁର ଶହ ଶହ ଏକର ଜମିର ଧାନ ଫସଲ ନଷ୍ଟ ହୋଇଯାଇଛି। ଏପରିକି ଗାଁର କୁକୁଡ଼ା, ଛେଳି, ମେଣ୍ଢାକୁ ବିଷାକ୍ତ ପାଣି ଭସେଇ ନେଇଥିଲା। ଗ୍ରାମବାସୀ ଦୁଇଦିନ ପର୍ଯ୍ୟନ୍ତ ଖାଇବାକୁ ନପାଇ ବଡ଼ ହନ୍ତସନ୍ତ ହୋଇଥିଲେ।

ଗାଁ ଲୋକେ ଲାଞ୍ଜିଗଡ ବିଡିଓ , ତହସିଲଦାର, ଲାଞ୍ଜିଗଡ ଥାନାଧିକାରୀଙ୍କୁ ଫୋନ କରି କହିବା ପରେ ବି ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କିମ୍ବା ବେଦାନ୍ତ କମ୍ପାନୀର କର୍ମକର୍ତ୍ତାଙ୍କ ପାଦ ଗାଁରେ ପଡିନାହିଁ କି ତାଙ୍କର ଦୁଃଖ କଷ୍ଟ କିଏ ବୁଝିଲେ ନାହିଁ।

ଓଲଟା ବେଦାନ୍ତର କର୍ମକର୍ତ୍ତା ଲୋକଙ୍କୁ ଧମକଚମକ ଦେବା ସହିତ ନାଲି ଆଖି ଦେଖାଉଛନ୍ତି। ଆଜି ବି ଅସରାଏ ବର୍ଷା ହେଲେ କମ୍ପାନୀରୁ ନିର୍ଗତ ବିଷାକ୍ତ କଷ୍ଟିକ ପାଣି ବାହାରି ଗାଁରେ ପଶୁଛି। ପାଣି ସଂସ୍ପର୍ଶରେ ଆସି ଲୋକେ ରୋଗାକ୍ରାନ୍ତ ହୋଇପଡ଼ୁଛନ୍ତି।

ଯାହାକୁ ନେଇ ବଣ୍ଡେଲ ଗାଁ ଲୋକେ ଆଜି ସକାଳୁ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ଧାରଣାରେ ବସିଥିଲେ। ଲାଞ୍ଜିଗଡ ପୁଲିସ ପକ୍ଷରୁ ଏସଆଇ ଲିଙ୍ଗରାଜ ସେଠୀ ଘଟଣାସ୍ଥଳରେ ପହଂଚିବା ସହିତ ବେଦାନ୍ତ କର୍ତ୍ତୃପକ୍ଷ ମଧ୍ୟ ଧାରଣାରତ ଲୋକଙ୍କୁ ବୁଝାସୁଝା କରିଥିଲେ।

ଦୀର୍ଘ ସମୟ ବୁଝାଇବା ପରେ ଗାଁକୁ କଷ୍ଟିକ ପାଣି ନଛାଡିବାକୁ କମ୍ପାନୀ କର୍ତୃପକ୍ଷ ପ୍ରତିଶୃତି ଦେବା ପରେ ଗାଁ ଲୋକେ ଧାରଣାରୁ ହଟିଥିଲେ। ତେବେ ପ୍ରତିଶୃତି ଦେଇ କମ୍ପାନୀ କର୍ତୃପକ୍ଷ ଠକିଦେଲେ ଭୟାବହ ଆନ୍ଦୋଳନ କରାଯିବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି।