Categories
ବିଶେଷ ଖବର

ପାକିସ୍ତାନ ଉପରେ ଭାରତର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନାହିଁ: ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଶାହବାଜ ସରିଫ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହେବାର କିଛି ଦିନ ପରେ ଭାରତ କହିଛି ଯେ, ଏହାର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆତଙ୍କବାଦ ମୁକ୍ତ ପରିବେଶରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇପାରିବ ଏବଂ ଏହି ବାତାବରଣ ସୃଷ୍ଟି କରିବା ଇସଲାମାବାଦର ଦାୟିତ୍ଵ ରହିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହା ମଧ୍ୟ କହିଛନ୍ତି ଯେ, କରାଚିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ଆତଙ୍କବାଦ ବିରୋଧରେ ସମାନ ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକତାକୁ ସୂଚିତ କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏଭଳି ଆକ୍ରମଣକୁ ନିନ୍ଦା କରୁଛି।

ବାଗଚି ସରିଫଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଏହା ଉପରେ ପାକିସ୍ତାନର କୌଣସି ମନ୍ତବ୍ୟ ଦେବାର ଅଧିକାର ନାହିଁ।

ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବାଗଚି କହିଛନ୍ତି ଯେ, ଯେଉଁଠାରେ ବି ଆତଙ୍କବାଦ ଆକ୍ରମଣ ଘଟେ, ଆମେ ତାହାକୁ ନିନ୍ଦା କରୁଛୁ। ଆତଙ୍କବାଦ ବିରୋଧରେ ସବୁ ଦେଶକୁ ସମାନ ପଦକ୍ଷେପ ନେବାକୁ ଆବଶ୍ୟକତାକୁ ସୂଚିତ କରେ।

ମଙ୍ଗଳବାର ଦିନ କରାଚି ବିଶ୍ୱବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣରେ ତିନିଜଣ ଚାଇନିଜ୍ ଶିକ୍ଷକ ଏବଂ ସେମାନଙ୍କ ସ୍ଥାନୀୟ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।

ପାକିସ୍ତାନ ସହ କଥାବାର୍ତ୍ତା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ବିଷୟରେ ପଚରାଯିବାରୁ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆମର ଆଭିମୁଖ୍ଯ ବହୁତ ସ୍ପଷ୍ଟ। ଯେତେବେଳେ ଆତଙ୍କବାଦ ମୁକ୍ତ ପରିବେଶ ରହିବ, କେବଳ ସେତେବେଳେ ଆଲୋଚନା ହେବା ସମ୍ଭବ। ଦୁଇ ପ୍ରଧାନମନ୍ତ୍ରୀ ସୌଜନ୍ୟମୂଳକ ଭାବେ ଚିଠି ବିନିମୟ କରିଥିଲେ। ଆତଙ୍କବାଦରୁ ମୁକ୍ତ ପରିବେଶ ରହିବା ଆମର ଆଇନଗତ ଦାବି।