Categories
ଆଜିର ଖବର ଜାତୀୟ ଖବର

ଅହମ୍ମଦାବାଦରେ ସଫଳତାର ସହ ଶେଷ ହେଲା ବୈଶ୍ୱିକ ମତ୍ସ୍ୟ ସମ୍ମିଳନୀ ଇଣ୍ଡିଆ 2023

ଅହମ୍ମଦାବାଦ: ଦେଶରେ ମତ୍ସ୍ୟ ଚାଷ କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଅଧିକରୁ ଅଧିକ ପ୍ରଯୁକ୍ତି ଜ୍ଞାନକୌଶଳ ଓ ନବସୃଜନକୁ ଗ୍ରହଣ କରିବାର ଆହ୍ୱାନ ଦେଇ ବୁଧବାର ଅହମ୍ମଦାବାଦରେ ବୈଶ୍ବିକ ମତ୍ସ୍ୟ ସମ୍ମିଳନୀ ଇଣ୍ଡିଆ 2023 ସଫଳତାର ସହ ଶେଷ ହୋଇଛି।

କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଗଣମାଧ୍ୟମକୁ କହିଛନ୍ତି ଯେ ଅହମ୍ମଦାବାଦରେ ଏହି କାର୍ଯ୍ୟକ୍ରମକୁ ଭବ୍ୟ ଢଙ୍ଗରେ ଆୟୋଜନ କରିବାରେ ସହାୟତା କରିଥିବାରୁ ଗୁଜରାଟ ସରକାରଙ୍କୁ ଧନ୍ୟବାଦ ଜଣାଉଛି। ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିବାରୁ ସେ ମତ୍ସ୍ୟଜୀବୀ ସମୁଦାୟ ଏବଂ ଅନ୍ୟ ପ୍ରତିନିଧିମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା କହିଛନ୍ତି, ଯେ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ପ୍ରଥମ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ, ଅନ୍ତର୍ଜାତୀୟ ସଂଗଠନ, ଉଦ୍ୟୋଗୀ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଏକ ବୈଶ୍ୱିକ ମତ୍ସ୍ୟ ସମ୍ମିଳନୀ ଆୟୋଜନ କରିଛି।

ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ 14,000ରୁ ଅଧିକ ପ୍ରତ୍ୟେକ୍ଷ ଏବଂ ଭର୍ଚୁଆଲ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ମତ୍ସ୍ୟ ପାଳନ ମନ୍ତ୍ରୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ କୂଟନୈତିକ ପ୍ରତିନିଧି ଦଳ, ବିଶ୍ୱର ବିଭିନ୍ନ ମତ୍ସ୍ୟ ବୈଜ୍ଞାନିକ, ନୀତି ନିର୍ମାତା, ମତ୍ସ୍ୟଜୀବୀ ସମୁଦାୟ ଏବଂ ନିବେଶକାରୀ ବ୍ୟାଙ୍କ ସମେତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଓ ଅଂଶୀଦାରମାନଙ୍କୁ ଏକାଠି କରିବାରେ ଏହି ସମ୍ମିଳନୀ ସଫଳ ହୋଇଛି ।

ଏହି ସମ୍ମିଳନୀ ଅବସରରେ 5ଟି ବୈଷୟିକ ଅଧିବେଶନ, 5ଟି ଶିଳ୍ପ ସଂଯୋଗ ଏବଂ 5ଟି ସରକାରରୁ ସରକାର (G2G) ଏବଂ ସରକାରରୁ ବ୍ୟବସାୟ ବା ଗଭର୍ଣ୍ଣମେଣ୍ଟ-ଟୁ-ବିଜନେସ୍ (G2B) ଏବଂ ବ୍ୟବସାୟରୁ ବ୍ୟବସାୟ ବା ବିଜନେସ୍-ଟୁ-ବିଜନେସ୍ (B2B) ଅଧିବେଶନକୁ ନେଇ ଏକ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା।

ସେହିପରି ଏହି ସମ୍ମିଳନୀ ଅବସରରେ ଆୟୋଜିତ ପ୍ରଦର୍ଶନୀରେ ଷ୍ଟାର୍ଟଅପ୍, ମତ୍ସ୍ୟଜୀବୀ, ଖାଦ୍ୟ ଷ୍ଟଲ, ଆକ୍ୱାରିୟମ୍, କୃତ୍ରିମ ରିଫ୍, ସାମୁଦ୍ରିକ ଶୈବାଳ ଚାଷ, ମତ୍ସ୍ୟ ଚାଷ, ସାମୁଦ୍ରିକ କେଜ୍ କଲଚର ବା ପଞ୍ଜୁରୀ ମାଛ ଚାଷ, ବାୟୋଫ୍ଲୋକ୍, ଆରଏଏସ୍, ମାଛ ଖାଦ୍ୟ, ଏଲପିଜି କନଭର୍ଟର କିଟ୍, ମୋତି ଉତ୍ପାଦନ, ଓ ନ୍ୟୁକ୍ଲିୟସ୍ ପ୍ରତିରୋପଣ, ସାଟ୍କମ୍ ଉପଗ୍ରହ ଟର୍ମିନାଲ ଯୋଗାଯୋଗ ବ୍ୟବସ୍ଥାର ମଡେଲ୍, ପରିବେଶ ଅନୁକୂଳ ସ୍ଥାନାନ୍ତର କିଓସ୍କ ଆଦି ପ୍ରଦର୍ଶନ କରାଯାଇଥିଲା। ଗତକାଲି ଏହି ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି । ଫିଜିକାଲ ବା ପ୍ରତ୍ୟେକ୍ଷ ଏବଂ ଅନଲାଇନ ମୋଡରେ ଭଲ ଅଂଶଗ୍ରହଣ ଏହି ସମ୍ମିଳନୀକୁ ଏକ ବଡ ସଫଳତା ଦେଇଥିଲା ।

ଶିଳ୍ପ ସଂଯୋଗ ଅଧିବେଶନ

ଶିଳ୍ପ ସଂଯୋଗ ଅଧିବେଶନରେ ଶ୍ରମିକ ନେତା, ନୀତି ନିର୍ମାତା, ଉଦ୍ୟୋଗୀ ଏବଂ ବିଶେଷଜ୍ଞମାନଙ୍କୁ ଏକାଠି କରାଯାଇଥିଲା ଏବଂ ଏହି କ୍ଷେତ୍ର ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ୱାନ ଏବଂ ସୁଯୋଗ ଗୁଡ଼ିକୁ ଚିହ୍ନଟ କରାଯାଇଥିଲା । ମତ୍ସ୍ୟ ଶିଳ୍ପରେ ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନବାସୃଜନ, ଜ୍ଞାନକୌଶଳ ଗ୍ରହଣ, ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ସହଯୋଗୀ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ ।

ଏହି ଅଧିବେଶନରେ ମତ୍ସ୍ୟ ଚାଷ​‌ କ୍ଷେତ୍ରର ବିକଶିତ ଦୃଶ୍ୟପଟ୍ଟ ଉପରେ ଆଲୋକପାତ କରାଯିବା ସହ ଷ୍ଟାର୍ଟଅପ୍ ର ଭୂମିକା, ମତ୍ସ୍ୟ ମୂଲ୍ୟ ଶୃଙ୍ଖଳାରେ ମହିଳାଙ୍କ ଅଂଶଗ୍ରହଣ, ଉତ୍ପାଦନ ପରବର୍ତ୍ତୀ ମତ୍ସ୍ୟ ପରିଚାଳନାରେ ଶୀତଳ ଶୃଙ୍ଖଳାର ଗୁରୁତ୍ୱ ଏବଂ ବୈଷୟିକ ଜ୍ଞାନକୌଶଳର ପରିବର୍ତ୍ତନଶୀଳ ଭୂମିକା ଉପରେ ଆଲୋଚନା କରାଯାଇଥିଲା।

‘ମତ୍ସ୍ୟ ଓ ଜଳ କୃଷିରେ ଷ୍ଟାର୍ଟଅପ୍ ର ଭୂମିକା’ ଶୀର୍ଷକ ଏହି ଅଧିବେଶନରେ ବକ୍ତାମାନେ କୃଷକମାନେ ସମ୍ମୁଖୀନ ହେଉଥିବା ଆହ୍ବାନର ମୁକାବିଲା ପାଇଁ ସହଜରେ ବ୍ୟବହୃତ ଏବଂ ଅର୍ଥିକ  ଭାବେ ସୁଲଭ ବ୍ୟବହାର ଯୋଗ୍ୟ ଉତ୍ପାଦ ବିକଶିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଧୀରେ ଧୀରେ ଟେକ୍ନୋଲୋଜିକୁ ଗ୍ରହଣ କରିବା, ପୁଞ୍ଜିନିବେଶର ଅଭାବ, ପର୍ଯ୍ୟାପ୍ତ ବଜାର ବ୍ୟବସ୍ଥାର ଅଭାବ  ଏବଂ ବୈଷୟିକ ସହାୟତାର ଅଭାବ ଏହି ଶିଳ୍ପ କ୍ଷେତ୍ରରେ ଥିବା ପ୍ରମୁଖ ପ୍ରତିବନ୍ଧକ ବୋଲି ଆଲୋଚନା ହୋଇଥିଲା । ଏହି କ୍ଷେତ୍ରରେ ଦୀର୍ଘକାଳୀନ ସ୍ଥାୟୀତ୍ବ ବା ନିରନ୍ତରତା ପାଇଁ ପରିପୂରକ ସେବା ସହିତ ଷ୍ଟାର୍ଟଅପ୍ ରେ ସହଯୋଗ ଏକ ପ୍ରମୁଖ ରଣନୀତି ଭାବରେ ଚିହ୍ନଟ କରାଯାଇଥିଲା ।

ଏବେ ମଧ୍ୟ ମହିଳାମାନଙ୍କୁ କମ୍ ଗୁରୁତ୍ୱ ଏବଂ କମ୍ ବେତନ ଦିଆଯାଉଛି

“ମତ୍ସ୍ୟ ଚାଷରେ ମହିଳାଙ୍କ ଅଂଶଗ୍ରହଣ ଓ ମୂଲ୍ୟ ଶୃଙ୍ଖଳା” ଶୀର୍ଷକ ଶିଳ୍ପ ସମ୍ପର୍କୀୟ ଅଧିବେଶନ ଅନୁଯାୟୀ, ମତ୍ସ୍ୟ ଚାଷ କ୍ଷେତ୍ରରେ ଅମଳ ପରବର୍ତ୍ତୀ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ଯୋଗଦାନ ସତ୍ତ୍ୱେ ମହିଳାମାନଙ୍କୁ କମ୍ ଗୁରୁତ୍ୱ ଦିଆଯାଉଛି ଏବଂ କମ୍ ମଜୁରି ମଧ୍ୟ ପ୍ରଦାନ କରାଯାଉଛି ।

ଏହି ଅଧିବେଶନରେ ସାମାଜିକ ଭିତ୍ତିଭୂମିର ଅଭାବ, ଲିଙ୍ଗଗତ ସମ୍ବେଦନଶୀଳତାର ଅଭାବ ଏବଂ କମ୍ ସଚେତନତା ଏବଂ ମହିଳାମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଉପରେ ଆଲୋକପାତ କରାଯାଇଥିଲା । ପ୍ରସ୍ତାବିତ ସମାଧାନ ଗୁଡ଼ିକ ମଧ୍ୟରେ ସହାୟତା ପଦକ୍ଷେପ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ସଚେତନତା ସୃଷ୍ଟି ଅଭିଯାନ ଏବଂ ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ । ମହିଳାମାନଙ୍କୁ ମତ୍ସ୍ୟ ମୂଲ୍ୟ ଶୃଙ୍ଖଳା ଏବଂ ଏ କ୍ଷେତ୍ରରେ ବୃହତ ଭୂମିକା ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ନମନୀୟତା ଏବଂ ସ୍ଥାୟୀତ୍ବ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।

‘ମତ୍ସ୍ୟ ଚାଷ ପରେ ଅମଳ ପରବର୍ତ୍ତୀ ପରିଚାଳନାରେ ଶୀତଳ ଶୃଙ୍ଖଳାର ଗୁରୁତ୍ୱ’ ଶୀର୍ଷକ ଏହି ଅଧିବେଶନରେ ମତ୍ସ୍ୟ ଯୋଗାଣ ଶୃଙ୍ଖଳାରେ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ ଏବଂ ମାଛ ଉତ୍ପାଦର ଗୁଣବତ୍ତା ଏବଂ ନିରାପତ୍ତା ବୃଦ୍ଧିରେ ଶୀତଳ ଶୃଙ୍ଖଳା ପରିଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରାଯାଇଥିଲା।

ହାଇଦ୍ରାବାଦର ଏଆରଏସ, ସିଇ, ଏନଏଫଡିବିର ଡକ୍ଟର ଏଲ. ନରସିଂହ ମୂର୍ତ୍ତି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ଏକ ବିଶେଷଜ୍ଞ ଦଳ ସାମିଲ ଥିଲେ । ଶୀତଳ ଶୃଙ୍ଖଳା ଭିତ୍ତିଭୂମିର ଗୁରୁତ୍ୱ, କ୍ଷୟକ୍ଷତି ଆକଳନ ପାଇଁ ରାଜ୍ୟ ଭିତ୍ତିକ ଅଧ୍ୟୟନ ଓ ନୀତିଗତ ପଦକ୍ଷେପର ଆବଶ୍ୟକତା ସମ୍ପର୍କରେ ସେ ଆଲୋଚନା କରିଥିଲେ।

ପ୍ରମୁଖ୍ୟ ବକ୍ତାମାନେ ଉତ୍ପାଦନ ପରେ ହେଉଥିବା କ୍ଷତିର ମୁକାବିଲା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆୟ ହ୍ରାସ କରିବା ଏବଂ ପ୍ରୋଟିନ୍ ନଷ୍ଟ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସ୍ୱଚ୍ଛ ରେଫ୍ରିଜରେସନ ଟେକ୍ନୋଲୋଜି ପାଇଁ ଶକ୍ତି ସକ୍ଷମ ସମାଧାନ, ସମାନ ନୀତି ଏବଂ ସହଯୋଗର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।

ଉଭୟ ଘରୋଇ ବ୍ୟବହାର ଏବଂ ରପ୍ତାନି ପାଇଁ ମୂଲ୍ୟ ଶୃଙ୍ଖଳାରେ ଗୁଣବତ୍ତା ତଥା ଗୁଣାତ୍ମକ ଭାବେ ମାଛର ସଂରକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିବା ସହିତ ସକ୍ରିୟ କୁଲିଂ ପ୍ରଣାଳୀରେ ନବସୃଜନକୁ ପ୍ରୋତ୍ସାହିତ କରିବାକୁ ଆଲାଚକମାନେ ଅନୁରୋଧ କରିଥିଲେ ।

ସମଗ୍ରିକ ଭାବେ ମତ୍ସ୍ୟ ଚାଷ କ୍ଷେତ୍ରରେ କ୍ଷତି ହ୍ରାସ କରିବା, ଉତ୍ପାଦର ଗୁଣବତ୍ତା ବୃଦ୍ଧି କରିବା ଏବଂ ସମଗ୍ର ବିଶ୍ୱର ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ଏବଂ ପୁଷ୍ଟିକର ସାମୁଦ୍ରିକ ଖାଦ୍ୟର ନିରନ୍ତର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଶୀତଳ ଶୃଙ୍ଖଳା ଭିତ୍ତିଭୂମି ଏବଂ ପ୍ରକ୍ରିୟାର ଉନ୍ନତି କରଣ ପାଇଁ ସମନ୍ୱିତ ପ୍ରୟାସ କରିବାକୁ ଅଧିବେଶନରେ ଆହ୍ୱାନ ଦିଆଯାଇଥିଲା।