Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦଳ ବିରୋଧୀ କାର୍ଯ୍ୟ ପାଇଁ ଜଣେ ଜିଲ୍ଲା ପରିଷଦ ସଭ୍ୟକୁ ନିଳମ୍ବନ କଲା ବିଜେଡି, ଜାଣନ୍ତୁ କିଏ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଜଣେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଦଳରୁ ନିଲମ୍ବନ କରିଛି। ସେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ବିଜେଡି ଏହି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେ ହେଉଛନ୍ତି ବ୍ରହ୍ମଗିରି ବିଧାନସଭା କ୍ଷେତ୍ରରେ ଜୋନ 28ର ସଭ୍ୟ କୈଳାଶ ପରିଡା।

ଏ ନେଇ ଦଳ ତରଫରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶ୍ରୀ କୈଳାଶ ପରିଡାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିରେ ସାମିଲ ହେଲେ ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଉପସଭାପତି ସହ ବ୍ରହ୍ମଗିରିର ବହୁ କର୍ମି

ଭୁବନେଶ୍ୱର: କୃଷ୍ଣପ୍ରସାଦ, ପୁରୀ ସଦର ଓ ବ୍ରହ୍ମଗିରି ବ୍ଲକର ଶତାଧିକ ବିଜେପି କର୍ମୀ ଆଜି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେପିର ପୂର୍ବତନ ଯୁବ ମୋର୍ଚ୍ଚା ଉପସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ବହୁ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳରେ ସାମିଲ୍ ହୋଇଥିବା ଶ୍ରୀ ମହାନ୍ତି ଏବଂ ତାଙ୍କର ସଂଖ୍ୟାଧିକ ସମର୍ଥକଙ୍କୁ ଉପଢୌକନ ଦେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ସ୍ୱାଗତ କରିଥିଲେ।

ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷ କରି ବ୍ରହ୍ମଗିରି, ପୁରୀ ସଦର ଓ କୃଷ୍ଣପ୍ରସାଦ ଅଞ୍ଚଳରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ। ବିଜେଡି ଏକ ଶୃଙ୍ଖଳିତ ଦଳ ଏବଂ ଏଠାରେ ଯୋଗ ଦେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉପଯୁକ୍ତ ସମ୍ମାନ ମିଳିବ ବୋଲି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଉପସଭାପତି ଜୟନ୍ତ କୁମାର ମହାନ୍ତି ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲି । ଆଗକୁ ଜିଲ୍ଲାରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ କାମ କରିବି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ଏହି ମିଶ୍ରଣ ପର୍ବରେ ଯୁବ ସମାଜସେବୀ ତଥା ପୂର୍ବତନ ବିଜେପି ଯୁବ ମୋର୍ଚ୍ଚା ବ୍ଲକ ଉପସଭାପତି ଜ୍ଞାନ ରଂଜନ ମହାପାତ୍ର, ଅଲରାନାଥ ଧନ୍ଦାମୂଳକ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ସୌମ୍ୟ ରଂଜନ ସାହୁ, ପ୍ରତିଷ୍ଠିତ ଯୁବ ବ୍ୟବସାୟୀ ସତ୍ୟ ନାରାୟଣ ସାହୁ, ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଯଶୋବନ୍ତ ବରାଳ, କୃଷ୍ଣପ୍ରସାଦର ପୂର୍ବତନ ବିଜେପି ଉପସଭାପତି ଗୁରୁଚରଣ ବିଶ୍ୱାଳ, ପୁରୀ ସଦରର ବିଜେପି ଉପସଭାପତି ମୋହନ କୁମାର ଦାସ, ଗୁଲାମଣି ଦଳବେହେରା, ସନ୍ତୋଷ କୁମାର ସାମନ୍ତସିଂହାର, ବିଜୟ ବିଶ୍ୱାଳ ଓ ଦିଲ୍ଲୀପ ପ୍ରଧାନ ପ୍ରମୁଖ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଥିଲେ।

ଏହି ମିଶ୍ରଣ ପର୍ବରେ ବ୍ରହ୍ମଗିରି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ସ୍ୱାଇଁ, ପୁରୀ ସଦର ବ୍ଲକର ଅଧ୍ୟକ୍ଷ ଦିବାକର ପାତ୍ର ଓ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ଦିଲ୍ଲୀପ ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।