Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର-ବାଲୁଗାଁ ବାଇପାସ ନିକଟରୁ ବନ୍ଧୁକ ଦେଖାଇ ଲୁଟ୍: ମୋବାଇଲ, ବ୍ରେସଲେଟ ଲୁଟିନେଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ଚିଲିକା: ବନ୍ଧୁକ ଦେଖାଇ ଗାଡ଼ି ଡ୍ରାଇଭର ଏବଂ ସହଯୋଗୀଙ୍କ ନିକଟରୁ ମୋବାଇଲ, ବ୍ରେସଲେଟ ଓ ଟଙ୍କା ଦୁର୍ବୁତ୍ତ ମାନେ ଲୁଟିନେଇଛନ୍ତି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଣପୁର-ବାଲୁଗାଁ ବାଇପାସର ବ୍ରାହ୍ମଣକୁଶଡିହ ଛକ ନିକଟରେ।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରି ପାଖାପାଖି ଦୁଇ ଘଟିକା ସମୟରେ ବ୍ରହ୍ମପୁରରୁ ଭଦ୍ରକ ଅଭିମୁଖେ (ଓଡ଼ି -୦୪-ଏନ -୧୩୨୦) ନମ୍ବର ବିଶିଷ୍ଟ ଏକ ଫଳ ବୋଝେଇ ମହିନ୍ଦ୍ରା ମିନି ଟ୍ରକ ଯାଉଥିବା ବେଳେ ବାଣପୁର-ବାଲୁଗାଁ ବାଇପାସ ବ୍ରାହ୍ମଣକୁଶଡିହ ଛକ ନିକଟରେ ଗାଡିଟି ଖରାପ ହୋଇଯାଇଥିଲା। ତେବେ ଖରାପ ହେବାର ଦଶ ମିନିଟ ମଧ୍ୟରେ ଉକ୍ତ ଗାଡିକୁ ପୂର୍ବରୁ ପିଛା କରୁଥିବା ଏକ ନମ୍ବର ବିହୀନ ହଳଦିଆ ରଙ୍ଗର ଟାଟା ଏସି ଗାଡ଼ିରେ ୮ ଜଣ ଦୁର୍ବୁତ୍ତ ଆସି ଫଳ ବୋଝେଇ ଗାଡ଼ି ଚାଳକ ଅରକ୍ଷିତ ସାହୁ(୨୭) ଏବଂ ସହଯୋଗୀ ମାନସ ରାଉତ(୨୫) ଙ୍କୁ ବନ୍ଧୁକ ଦେଖାଇବା ସହ ଛୁରାରେ ଆକ୍ରମଣ ମଧ୍ୟ କରିଥିଲେ ଯାହାଦ୍ୱାରା ଗାଡ଼ି ଚାଳକ ଆହତ ହୋଇଥିଲେ।

ତେବେ ଉଭୟ ଗାଡ଼ିଚାଳକ ଓ ସହଯୋଗୀଙ୍କ ଠାରୁ ଦୁର୍ବୁତ୍ତମାନେ ଦୁଇ ଗୋଟି ମୋବାଇଲ, ଗୋଟେ ରୁପା ବ୍ରେସଲେଟ ଏବଂ ଦୁଇ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜାତୀୟ ରାଜପଥ ପାଟ୍ରୋଲିଙ୍ଗ ଟିମ ଏସପିଓ ବିଜୟ ବଳିୟାରସିଂହ ପହଁଚି ଉଭୟ ଗାଡ଼ିଚାଳକ ଓ ସହଯୋଗୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଥାନାରେ ଏ ନେଇ ସୂଚନା ଦେଇଛନ୍ତି। ସେମାନେ ହକି ଷ୍ଟିକ, ପଥର, ଭୁଜାଲି ଆଦି ଗାଡ଼ିରେ ରଖିଥିବାର ଅରକ୍ଷିତ କହିଛନ୍ତି। ତେବେ ପାଟ୍ରୋଲିଙ୍ଗ ଟିମ ଦୁର୍ବୁତ୍ତ ମାନଙ୍କ ପିଛା କରିଥିଲେ ସୁଦ୍ଧା ସେମାନଙ୍କୁ ଧରିବାରେ ସଫଳ ହୋଇପାରିନଥିଲେ।