Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ୮ ହଜାରରେ ପହଞ୍ଚିଲା, ୨୧ ଜଣ ଡେଲଟା ପ୍ଲସ ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ, ମହାରାଷ୍ଟ୍ରରେ ମ୍ୟୁକର୍ମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ୭ ହଜାର ୯୯୮ କୁ ବୃଦ୍ଧି ପାଇଛି। ଏଥିସହିତ ଏହି ରୋଗରେ ରାଜ୍ୟରୁ ୭୨୯ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ ୪ ହଜାର ୩୯୮ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ନାଗପୁରରେ ସର୍ବାଧିକ ୧ ହଜାର ୨୯୬ ଆକ୍ରାନ୍ତ, ପୁଣେରେ ୧ ହଜାର ୧୮୭ ଏବଂ ଔରଙ୍ଗାବାଦରେ ୯୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ କାଲି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୬ ହଜାର ୨୭୦ ନୂତନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୧୩ ହଜାର ୭୫୮ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୨୪ ହଜାର କରୋନା ପଜେଟିଭ ଚିକିତ୍ସିତ ହେଉଛନ୍ତି। ଗତକାଲି ଗୋଟିଏ ଦିନରେ କୋଭିଡ ସଂକ୍ରମଣରେ ୯୪ ଜଣଙ୍କର ମୃତ୍ୟୁ ହୋଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ମୁମ୍ବାଇରେ ୫୧୮ ଏବଂ ପୁଣେରେ ୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ସମୟରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି ଯେ ରାଜ୍ୟର ସମସ୍ତ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କୁ ଟିକାକରଣ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ମହାରାଷ୍ଟ୍ରରେ କୋଭିଡର ଡେଲଟା ପ୍ଲସ୍ ଭାଇରସ ଦ୍ୱାରା ପ୍ରଭାବିତ ୨୧ ରୋଗୀଙ୍କୁ ଚିହ୍ନଟ କରାଯାଇଛି।  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ରତ୍ନଗିରିରୁ ୭ ଜଣ, ଜଲଗାଓଁ ଏବଂ ମୁମ୍ବାଇର ୨ ଜଣ ରୋଗୀ ଏବଂ ଥାନେ, ପାଲ ଘର ଏବଂ ସିନ୍ଧୁଦର୍ଗ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଟୋପ ସୂଚନା ଦେଇଛନ୍ତି ଯେ ମେ ୧୫ ରୁ ଡେଲଟା ପ୍ଲସକୁ ଚିହ୍ନିବା ପାଇଁ ପ୍ରତ୍ୟେକ ଜିଲ୍ଲା ଠାରୁ ୧୦୦ ଟି ନମୁନା ସଂଗ୍ରହ କରାଯାଇଥିଲା। ସେ କହିଛନ୍ତି ଯେ ବିଭିନ୍ନ ଜିଲ୍ଲାରୁ ସଂଗ୍ରହ ହୋଇଥିବା ସାତ ହଜାର ୫୦୦ ନମୁନା ମଧ୍ୟରୁ ୨୧ ଜଣ ରୋଗୀ ଚିହ୍ନଟ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ଲାକ ଫଙ୍ଗସ୍ ଠାରୁ ହ୍ବାଇଟ ଫଙ୍ଗସ୍ ଅଧିକ ବିପଦ: ବିହାରରେ ଚିହ୍ନଟ ହେଲେ ୪ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ମହାମାରୀର ସ୍ଥିତି ଏବେ ଉଦବେଗଜନକ ଥିବା ବେଳେ ବ୍ଲାକ ଫଙ୍ଗସ୍ ସାରା ଦେଶକୁ ଚିନ୍ତାରେ ପକାଇଛି। ଏହି ରୋଗର ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ମହାମାରୀ ଘୋଷଣା କରିବାକୁ ରାଜ୍ୟ ସରକାର ସୁପାରିସ କରିଛନ୍ତି। ହେଲେ ଆଜି ୪ ଜଣ ହ୍ଵାଇଟ ଫଙ୍ଗସ୍ ରୋଗୀ ବିହାରର ପାଟଣାରେ ଚିହ୍ନଟ ହୋଇଛନ୍ତି। କିନ୍ତୁ ଦେଶରେ ଏବେ ହ୍ବାଇଟ ଫଙ୍ଗସ୍ ଚିହ୍ନଟ ହେବା ପରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏହି ରୋଗ ସମଗ୍ର ଶରୀରକୁ ସଂକ୍ରମଣ ହେଉଥିବାରୁ ବ୍ଲାକ ଫଙ୍ଗସ୍ ଠାରୁ ଏହି ରୋଗ ଅଧିକ ବିପଦ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହା ମଣିଷ ଶରୀରର ନଖ, ଚରମ, ପାଟି, ଫୁସଫୁସ, ପାକସ୍ଥଳୀ, ଯକୃତ, ଗୁପ୍ତାଙ୍ଗ, ବ୍ରେନ ଆଦି କୁ ସଂକ୍ରମଣ ହୋଇ କ୍ଷତି ପହଞ୍ଚାଉଛି। ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କୁ ଏହି ରୋଗ ସଂକ୍ରମଣ ହେଉଥିବା ସମ୍ଭାବନା ଅଧିକ ରହିଛି। ପ୍ରାଥମିକ ଅବସ୍ଥାରୁ ଏହି ରୋଗର ଚିକିତ୍ସା ଆରମ୍ଭ କରାନଗଲେ, ଏହି ଅଧିକ ବିପଦ ସୃଷ୍ଟି କରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡିଶାରେ ବ୍ଲାକ ଫଙ୍ଗସ୍ କୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: କରୋନା କାଳରେ ବ୍ଲାକ ଫଙ୍ଗସ୍ ଏବେ ବଡ ସମସ୍ୟା ହୋଇ ଠିଆ ହୋଇଛି। ଏହି ରୋଗ ଏବେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି।

ରାଜସ୍ଥାନରେ ସର୍ବାଧିକ ୭୦୦ ରୋଗୀ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୯୦ ବ୍ଲାକ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିଭଳି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦେଖି ରାଜସ୍ଥାନ ସରକାର ବ୍ଲାକ ଫଙ୍ଗସ୍ କୁ ମହାମାରୀ ଘୋଷଣା କରିଛି।

ତେବେ ଓଡିଶାରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ବ୍ଲାକ ଫଙ୍ଗସ୍ ମହାମାରୀ ଭାବେ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ମହାମାରୀ ବ୍ୟାଧି ଆଇନ ୧୯୮୭ ଅନୁଯାୟୀ ଏହାକୁ ମହାମାରୀ ଘୋଷଣା କରାଯାଇଛି। ଏନେଇ ରାଜ୍ୟସରକାର ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ପରେ ଦେଶରେ ବ୍ଲାକ ଫଙ୍ଗସ୍ ବଢାଉଛି ଚିନ୍ତା: ସ୍ୱାସ୍ଥ୍ୟ ବିଶେଷଜ୍ଞ ଦେଲେ ଚେତାବନୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ବ୍ଲାକ ଫଙ୍ଗସ୍ ରୋଗ ଏବେ ଚିନ୍ତା ବଢାଇଦେଇଛି। ଦେଶର କେତୋଟି ରାଜ୍ୟରେ ଏହି ରୋଗରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି।

କେବଳ ରାଜସ୍ଥାନରେ ୭୦୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନର ଗୋଟିଏ ହସ୍ପିଟାଲରେ ଏବେ ୧୦୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ତେଣୁ ବ୍ଲାକ ଫଙ୍ଗସ୍ କୁ ରାଜସ୍ଥାନ ସରକାର ମହାମାରୀ ଭାବେ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏନେଇ ଜରୁରୀ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ରାଜସ୍ଥାନ ବ୍ୟତୀତ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ମହାରାଷ୍ଟ୍ରରେ ୯୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଭଳି ରାଜ୍ୟରେ ନିୟମିତ ବ୍ୟବଧାନରେ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହେଉଛନ୍ତି।

ଏହି ରୋଗକୁ ନେଇ ବିଶେଷଜ୍ଞଙ୍କ ଚେତାବନୀ:

ବିଶେଷଜ୍ଞଙ୍କ ମତରେ ବ୍ଲାକ ଫଙ୍ଗସ୍ ଦ୍ରୁତ ଗତିରେ ବ୍ୟାପିଥାଏ। ତିନି ଦିନ ଭିତରେ ଏହାର ସଂକ୍ରମଣ ନାକରୁ ଆଖି ହୋଇ ରୋଗୀର ବ୍ରେନ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ।ତେଣୁ ଏହାକୁ ଶୀଘ୍ର ଚିହ୍ନଟ କରି ତୁରନ୍ତ ଚିକିତ୍ସା ଆରାମ୍ଭ କରିବା ଆବଶ୍ୟକ।

ଦିଲ୍ଲୀ ଏମ୍ସ ଦ୍ଵାରା ଏହି ରୋଗ ପାଇଁ ଗାଇଡଲାଇନ ଜାରି କରିଦେଇଛି। ଏହାର ଲକ୍ଷଣ, କେଉଁ ରୋଗୀଙ୍କୁ ଏହି ରୋଗ ପ୍ରତି ଅଧିକ ବିପଦ ଏବଂ ଏହାପାଇଁ କଣ ସବୁ କରିବାକୁ ପଡିବ, ତାହା ଗାଇଡଲାଇନରେ ଉଲ୍ଲେଖ ରହିଛି।

ଏହା ଭିତରେ ଏହି ରୋଗର ଚିକିତ୍ସାକୁ ନେଇ ଏକ ଭଲ ଖବର ମଧ୍ୟ ଆସିଛି। ହରିୟଣାର ଏକ ହସ୍ପିଟାଲରେ ଏହି ରୋଗରେ ଜଣେ ଆକ୍ରାନ୍ତଙ୍କର ଅସ୍ତ୍ରୋପଚାର ସଫଳ ହୋଇଛି। ଯାହା ସେ ସୁସ୍ଥ ହୋଇଯିବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନାରୁ ରକ୍ଷା ପାଇବାକୁ କରାଯାଉଛି ଗୋବର ଉପଚାର: ବ୍ଲାକ ଫଙ୍ଗସ୍ ଭଳି ହୋଇପାରେ ରୋଗ

ଅହମ୍ମଦାବାଦ: ଗୁଜୁରାଟର ଶ୍ରୀ ସ୍ଵାମୀନାରାୟଣ ଗୁରୁକୁଳ ବିଶ୍ଵବିଦ୍ୟା ପ୍ରତିଷ୍ଠାନ ଦ୍ଵାରା କରୋନା ଦାୟୁରୁ ରକ୍ଷା ପାଇବା ପାଇଁ ଗାଈ ଗୋବରକୁ ବ୍ୟବହାର କରାଯାଉଥିବା ଦେଖାଯାଇଛି। ସେଠାରେ କିଛି ଲୋକ ନିଜ ଶରୀରରେ ଗାଈ ଗୋବରର ଲେପ ଦେଇ କରୋନାରୁ ରକ୍ଷା ମିଳିବ ବୋଲି ଦାବି କରିଛନ୍ତି। ଏହା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ବୋଲି ସେମାନେ ଦାବି କରିଛନ୍ତି। କିନ୍ତୁ ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଶରୀରରେ ଗୋବର ଲେପ ଦେଲେ ବ୍ଲାକ ଫଙ୍ଗସ୍ ଭଳି ଅନେକ ପ୍ରକାରର ରୋଗ ଦେଖାଯିବ ବୋଲି କୁହାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ସ୍ଵାମୀନାରାୟଣ ଗୁରୁକୁଳର ଗାଈଶାଳାରେ ୨୦୦ରୁ ଅଧିକ ଗାଈ ଅଛନ୍ତି। ସେଠାର କର୍ମଚାରୀଙ୍କ କହିବା ଅନୁଯାୟୀ, ଗତ କିଛି ମାସ ହେଲା ପାଖାପାଖି ୧୫ ଜଣ ଲୋକ ପ୍ରତ୍ୟେକ ରବିବାର ଦିନ ଗୋବର ଏବଂ ମୁତ୍ର ର ଲେପ ନେଇଥାନ୍ତି। ପରେ ସେମାନଙ୍କୁ ଗାଈ କ୍ଷୀରରେ ଧୋଇ ଦିଆଯାଏ। ଏହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିବ ବୋଲି ସେମାନେ ଦାବି କରିଛନ୍ତି। କିନ୍ତୁ ଡାକ୍ତରମାନେ ଏହି ଉପଚାରକୁ ଉଚିତ ମନେ କରିନାହାନ୍ତି। ଏଥିରୁ ଅନେକ ପ୍ରକାର ରୋଗ ସୃଷ୍ଟି ହେବ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟ୍ ମେଡିକେଆରରେ ଓଡିଶାର ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ମାରାତ୍ମକ ବ୍ଲାକ ଫଙ୍ଗସ୍ ରୋଗୀ ସମ୍ ଅଲ୍ଟିମେଟ୍ ରେ ଚିହ୍ନଟ ହୋଇଛି। ରୋଗର ବିଭିନ୍ନ ଲକ୍ଷଣ ପ୍ରକାଶ ପାଇବା ପରେ ସମ୍ପୃକ୍ତ ରୋଗୀ ଜଣକ ସମ୍ ର ଇଏନଟି ଓ ସ୍କଲ ବେସ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ରାଧାମାଧବ ସାହୁଙ୍କ ନିକଟକୁ ଚିକିତ୍ସା ପାଇଁ ଆସିଥିଲେ। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ସେ ବ୍ଲାକ ଫଂଗସ ସଂକ୍ରମିତ ଥିବା ଜଣାପଡିଛି। ସମ ଆଲଟିମେଟ ରେ ଡାକ୍ତର ସାହୁ ଓ ତାଙ୍କ ଟିମ ଚିକିତ୍ସା ଜାରି ରଖିଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଏକ ଇସ୍ତାହାର ଦ୍ଵାରା ସ୍ପଷ୍ଟ କରିଛି। ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି।

୭୧ ବର୍ଷ ବୟସ୍କ ଏହି ରୋଗୀ ମଧ୍ୟ ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ। ଗତ ୨୦ ତାରିଖରେ ତାଙ୍କଠାରେ କୋଭିଡ୍ ଚିହ୍ନଟ ହୋଇଥିଲା ଓ ସେ ଘରେ ସଂଗରୋଧ ରେ ଥିଲେ। ତାଙ୍କର ଆଖି ହଠାତ୍ ଫୁଲିବାରୁ ଏବଂ ନାକରୁ କଳା ପାଣି ବୋହିବାରୁ ସେ ସମମ କୁ ଚିକିତ୍ସା ପାଇଁ ଶନିବାର ଦିନ ଆସିଥିଲେ। ପରୀକ୍ଷାରୁ ତାଙ୍କଠାରେ ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ ଦେଖିବାକୁ ମିଳିଛି।

ଘରେ ସେ ଏକ ଅବ୍ୟବହୃତ ଏୟାର କୁଲର୍ ବ୍ୟବହାର କରିଥିଲେ ଓ ଏହାର ପାଣି ମଧ୍ୟ ବଦଳା ଯାଇନଥିଲା। ଏଥିରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ତେବେ ରୋଗୀଙ୍କ ନମୁନାକୁ ଅଧିକ ପରୀକ୍ଷା ନିମନ୍ତେ ପଠାଯାଇଥିବା ସରକାରୀ ଇସ୍ତାହାରରେ କୁହାଯାଇଛି।

ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସାହୁଙ୍କ ମତରେ, କରୋନାକୁ ହରାଇଥିବା ଡାଇବେଟିସ୍, କର୍କଟ, ହୃଦରୋଗୀ ଓ କିଡନୀ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ଥିଲେ ବ୍ଲାକ୍ ଫଙ୍ଗସ୍ ଆକ୍ରମଣର ସମ୍ଭାବନା ରହୁଛି। ବ୍ଲାକ୍ ଫଙ୍ଗସ୍ ହେଲେ ଆଖି ନାଲି ପଡ଼ି ଫୁଲିଯାଏ, ମୁଣ୍ଡ ବିନ୍ଧେ, ନାକରୁ କଳାରଙ୍ଗର ପାଣି ବାହାରେ ଏବଂ ପାଟିରେ ଯନ୍ତ୍ରଣା ହୁଏ। ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା କରିବା ନିହାତି ଦରକାର ବୋଲି ଡାକ୍ତର ସାହୁ କହିଛନ୍ତି।

ସରକାରୀ ଇସ୍ତାହାର ରେ ରୋଗୀ ମଧୁମେହ ରୋଗରେ ପୀଡ଼ିତ ଥିବାରୁ ବ୍ଲାକ ଫଙ୍ଗସ୍ ରେ ସଂକ୍ରମିତ ହୋଇଥିବା ସମ୍ଭବ ବୋଲି କୁହାଯାଇଛି। ସେ ପୁରୁଣା ଏୟାର କୁଲାର ବ୍ୟବହାର କରି ସଂକ୍ରମିତ ହୋଇଥାଇ ପାରନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଚିହ୍ନଟ ହେଲେ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀଜଣଙ୍କ ବର୍ତ୍ତମାନ ଭୁବନେଶ୍ବର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ୭୧ ବର୍ଷ ବୟସ୍କ ପୁରୁଷ। ସେ ମଧୁମେହ ରୋଗରେ ମଧ୍ୟ ପୀଡିତ ଅଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ରହିଛି। ଦୀର୍ଘ ଦିନ ଧରି ପୁରୁଣା ପାଣି କୁଲର ରୋଗୀଜଣଙ୍କ ବ୍ୟବହାର କରୁଥିଲେ। ଯାହାଫଳରେ ବହୁଦିନ ଯାଏଁ କୁଲରରୁ ପାଣି ବଦଳାଇନଥିବାରୁ ବ୍ଲାକ ଫଙ୍ଗସ୍ ରୋଗରେ ସେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଗୁଜୁରାଟର କିଛି କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ପରେ ବ୍ଲାକ ଫଙ୍ଗସ୍ ରୋଗରେ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ମଧ୍ୟ କିଛି ଆକ୍ରାନ୍ତ ବ୍ଲାକ ଫଙ୍ଗସ୍ ରୋଗରେ ଚିହ୍ନଟ ହୋଇଥିବା ମଧ୍ୟ ଜଣାପଡିଛି। ହେଲେ ଓଡିଶାରେ ଏଭଳି କୌଣସି ରୋଗୀ ଚିହ୍ନଟ ହୋଇନଥିବା ବେଳେ ଆଜି ପ୍ରଥମ କେସ ସାମ୍ନାକୁ ଆସିଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦି ଏହା ଚିହ୍ନଟ ହେବ, ତେବେ ଏହା କୌଣସି ବିପଦ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି।