Categories
ଆଞ୍ଚଳିକ

ଲଷ୍ମୀ ବଜାର ବ୍ୟବସାୟୀ ସଂଘ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ତାରକ ମହାନ୍ତି

ଭୁବନେଶ୍ୱର: ନୀଳାଦ୍ରି ବିହାର ସେକ୍ଟର ୧ ଓ ତାରିଣୀ ହାଟ ପର୍ଯ୍ୟନ୍ତ ଥିବା ଲଷ୍ମୀ ବଜାର ବ୍ୟବସାୟୀ ସଂଘର ସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ସାମ୍ବାଦିକ,କବି ତାରକ ମହାନ୍ତି।ଆଜିର ସାଧାରଣ ସଭାରେ ସମସ୍ତ ସଦସ୍ୟ ଯୋଗଦେଇ ଏଭଳି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଶ୍ରୀ ମହାନ୍ତି ଦୀର୍ଘ ୧୦ବର୍ଷ ପୂର୍ବରୁ ବଜାର ପରିଚାଳନା କରୁଥିଲେ। ଆଜିର ବୈଠକରେ ଏକ ଏଗାର ଜଣିଆ କମିଟି ଗଠନ ପରେ ପୂର୍ବତନ ସଭାପତି ପ୍ରଭାତ କୁମାର ପଟ୍ଟନାୟକ ଏବଂ ସମ୍ପାଦକ ତାପସ କୁମାର ସାହୁ ଘୋଷଣା କରିଥିଲେ କି ତାରକ ମହାନ୍ତି ଲଷ୍ମୀ ବଜାର ବ୍ୟବସାୟୀ ସଂଘ ସଭାପତି ଭାବେ ମନୋନୀତ ହେଲେ।

ଏହାପରେ ଉପସ୍ଥିତ ସଂଘ ସଦସ୍ୟ ଓ ପରିଚାଳନା କମିଟି ଏହାକୁ ଅନୁମୋଦନ କରିବା ପରେ ଶ୍ରୀ ମହାନ୍ତି ସଭାପତି ଭାବେ ଘୋଷିତ ହୋଇଥିଲେ। ଏଥିରେ କମିଟିର ବରିଷ୍ଠ ସଭ୍ୟ ଅକ୍ଷୟ କୁମାର ନାୟକ,କାଳନ୍ଦୀ ଚରଣ ଦାଶ,ତାପସ କୁମାର ସାହୁ,ହିମାଂଶୁ ଶେଖର ସାହୁ,ସୁଶାନ୍ତ କୁମାର ରଥ,ଦ୍ବିତୀକୃଷ୍ଣ ପଣ୍ଡା,ବାବୁଲି ନାୟକ,ସୁଶାନ୍ତ କୁମାର ନାୟକ,ପୂର୍ଣ୍ଣଚନ୍ଦ୍ର ସାହୁ,ରତିକାନ୍ତ ମହାନ୍ତି ପ୍ରମୁଖ ସଭା ପରିଚାଳନା କରିଥିଲେ। ପରିଶେଷରେ ପଂକ୍ତି ଭୋଜନ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ଦୋକାନ ଖୋଲିବାକୁ ନେଇ ବାଣପୁର-ବାଲୁଗାଁର ବିଭିନ୍ନ ବ୍ୟବସାୟୀ ସଂଘ ସହ ଆଲୋଚନା କଲା ସ୍ଥାନୀୟ ପ୍ରଶାସନ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଂଶିକ ଲକଡ଼ାଉନକୁ ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟରେ ସମସ୍ତ ଦୋକାନ ବଜାର ଗୁଡିକୁ ସକାଳ ୬ ଘଟିକାରୁ ଅପରାହ୍ନ ୨ ଘଟିକା ଯାଏଁ ଖୋଲିବା ପାଇଁ ଅନୁମତି ମିଳିଛି। କିନ୍ତୁ ତାହା ପାଇଁ ସରକାର ଏସଓପି ମଧ୍ୟ ଜାରି କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଏନଏସିର ସଭାଗୃହ ମଧ୍ୟରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣପୁର ଏବଂ ବାଲୁଗାଁର ବିଭିନ୍ନ ବ୍ୟବସାୟୀ ସଂଘର ପ୍ରତିନିଧିମାନଙ୍କ ସହ ପୃଥକ ପୃଥକ ଭାବେ ଦୁଇ ଗୋଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଦୋକାନ ଖୋଲିବା ନିମନ୍ତେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂତନ ଗାଇଡଲାଇନର ବିସ୍ତୃତ ବିବରଣୀ ସମସ୍ତ ବ୍ୟବସାୟୀ ସଂଘର ପ୍ରତିନିଧି ମାନଙ୍କୁ ଅବଗତ କରାଯାଇଥିଲା।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସାୟୀ ମାନଙ୍କୁ ନିଜ ନିଜ ଦୋକାନରେ ସାନିଟାଇଜର ରଖିବା, ମାସ୍କ ପରିଧାନ କରିବା, ଦୋକାନ ଆଗରେ ବୃତ୍ତ ଚିହ୍ନ ବୁଲାଇବା, ଭିଡ ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକ ପରିମାଣର କର୍ମଚାରୀ ମୁତୟନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରି ଦୋକାନ ର କ୍ଷମତା ଅନୁଯାୟୀ ଗ୍ରାହକ ମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦେବା, ଦୋକାନ ସମ୍ମୁଖରେ ‘ନୋ ମାସ୍କ ନୋ ଗୁଡ଼ସ୍’ ଭଳି ଫଳକ ଲଗାଇବା ଆଦିର ବନ୍ଦୋବସ୍ତ କରିବା ପାଇଁ ଅନୁରୋଧ କରାଯାଇଥିଲା। ସମସ୍ତ ବ୍ୟବସାୟୀ ସଂଘର ପ୍ରତନିଧି ମାନେ ପ୍ରଶାସନର ଉକ୍ତ ପରାମର୍ଶକୁ ଗ୍ରହଣ କରିବା ସହ ସେଗୁଡିକୁ ଅନୁପାଳନ କରିବେ ବୋଲି ସ୍ଥାନୀୟ ପ୍ରଶାସନକୁ ପ୍ରତିଶୃତି ଦେଇଥିଲେ।

ଅନୁରୂପ ଭାବେ ବାଣପୁରର ସମସ୍ତ ବ୍ୟବସାୟୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟୀକାକରଣ କରାଇବା ପାଇଁ ବ୍ୟବସାୟୀ ମାନେ ବାଣପୁର ପ୍ରଶାସନକୁ ଅନୁରୋଧ କରିଥିଲେ। ଉଭୟ ଅଞ୍ଚଳର ସମସ୍ତ ଦୋକାନୀ ମାନେ ଦିନ ଦୁଇଟା ଭିତରେ ଦୋକାନ ବନ୍ଦ କରିବେ ଏବଂ ଯଦି କେହି ଏହାକୁ ଉଲଂଘନ କରି ଅଧିକ ସମୟ ଯାଏଁ ଦୋକାନ ଖୋଲା ରଖିବେ ତେବେ ପୋଲିସ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସମସ୍ତଙ୍କୁ ଅବଗତ କରାଯାଇଥିଲା।

ଉଭୟ ବୈଠକରେ ବାଣପୁର ତହସିଲଦାର, ଚିଲିକା ତହସିଲଦାର, ଚିଲିକା ବିଡ଼ିଓ, ଚିଲିକା ଏବିଡ଼ିଓ, ଚିଲିକା ସିଡ଼ିପିଓ, ବାଲୁଗାଁ ମେଡିକାଲ ଅଧିକାରୀ, ବାଣପୁର ଆଇଆଇସି, ବାଲୁଗାଁ ଆଇଆଇସି, ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆଦି ଉପସ୍ଥିତ ଥିଲେ।