Categories
ଆଜିର ଖବର ଜାତୀୟ ଖବର

ରାଜ୍ୟପାଳ କୋଶ୍ୟାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ବକ୍ତବ୍ୟକୁ ନେଇ ବିବାଦ ବଢିବାରେ ଲାଗିଛି। ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପରେ ବର୍ତ୍ତମାନ ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ବିବାଦୀୟ ବିବୃତ୍ତି ପାଇଁ ରାଜ୍ୟପାଳ କୋଶ୍ୟାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଠାକରେ କହିଛନ୍ତି ଯେ, ସେ ରାଜ୍ୟପାଳ ପଦକୁ ଅପମାନିତ କରିବାକୁ ଚାହୁଁନାହାଁନ୍ତି। କିନ୍ତୁ ସେହି ଆସନରେ ବସିଥିବା ବ୍ୟକ୍ତି ମଧ୍ୟ ଏହାକୁ ସମ୍ମାନ ଦେବା ଉଚିତ୍।

ଉଦ୍ଧବ ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ତିନିବର୍ଷ ଧରି କୋଶ୍ୟାରୀଙ୍କ ବିବୃତ୍ତିକୁ ଦେଖନ୍ତୁ। ମୁଁ ମୁଖ୍ୟମନ୍ତ୍ରୀ ଥିବାବେଳେ କୋଭିଡରେ ଆକ୍ରାନ୍ତ ଥିଲି। କିନ୍ତୁ ସେତେବେଳେ ସେ ଧାର୍ମିକ ସ୍ଥାନ ଆରମ୍ଭ କରିବାକୁ ତତ୍ପର ଥିଲେ। ମହାରାଷ୍ଟ୍ରରେ ରହି ସେ ଏହିପରି ମରାଠୀ ଲୋକଙ୍କୁ ଅପମାନିତ କରୁଛନ୍ତି। ରାଜ୍ୟପାଳ ପଦରେ ବସିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଆମର ଦାବି।