Categories
ଆଞ୍ଚଳିକ

ଶ୍ରୀଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରରେ ନୂଆଁଖାଇ: ମା’ଙ୍କ ପାଖରେ ଲାଗି ହେଲା “ନବାନ୍ନ”

ବାଣପୁର (ସୀତାରାମ ଅଗ୍ରୱାଲ): ବିଛା ୨୮ ଦିନ, ମାର୍ଗଶୀର ଶୁକ୍ଳ ଦ୍ଵିତୀୟା ତିଥି ଗୁରୁବାର ଅମୃତବେଳାରେ ଶ୍ରୀ ଶ୍ରୀଦକ୍ଷେଶ୍ଵର ଦେବ ଓ ମା’ ଭଗବତୀଙ୍କ ପାଖରେ ଲାଗି ହେଲା “ନବାନ୍ନ”। କାହିଁ କେଉଁ କାଳରୁ ଚଳି ଆସିଥିବା ପରମ୍ପରା ଅନୁସାରେ ମନ୍ଦିରଗଣକ ଶରତ ଚନ୍ଦ୍ର ପଣ୍ଡିତରାୟ ପ୍ରଥମେ ଲଗ୍ନସ୍ଥିର କରି ଚିଟାଉ ଦେଇଥିଲେ। ସେହି ଅନୁସାରେ ମା’ଙ୍କ ଜମିରୁ ଆଦାୟ ନୂଆ ଧାନ ନୂଆବିରି ଆଣି ଚାଷି ଉପିପ୍ରଧାନ ମନ୍ଦିର କାର୍ଯ୍ୟାଳୟରେ ଜମା ଦେଇଥିଲେ। ନୂଆ ଧାନରୁ ନୂଆ ଚାଉଳ, ନୂଆ ଚୁଡ଼ା ପ୍ରସ୍ତୁତ ହୋଇଥିଲା। ପ୍ରତ୍ୟୁଷରୁ ବେଢ଼ା ଖାଡ଼କା ବୁଲି ପ୍ରଧାନ ମନ୍ଦିର ବାହାର ବେଢ଼ା ଓ ପାଳିଆ ମାଳି ପବିତ୍ର ନାୟକ, ଶିବ ନାୟକ, ସଂଗ୍ରାମ ମହାପାତ୍ର ଶଙ୍କର ନାୟକ ଭିତର ଶୋଧ କରି ଧୋପଖାଳ କରିଥିଲେ।

ସୁଆର ସେବକ ଟୁଟୁ ପଣ୍ଡା, ରଂଜନ ଷଡ଼ଙ୍ଗୀ ଗୋବର ଗଙ୍ଗାଜଳରେ ରୋଷଶାଳା ଲିପା ପୋଛା କରି ଶୋଧ କରିଥିଲେ। ନୂଆ ଚୁଲିପଡ଼ିଥିଲା। ଦେବା ଦେବୀଙ୍କୁ ନୂତନ ବସ୍ତ୍ର, ଏଣ୍ଡୁରିପାଇଁ ନୁଆଁ ହାଣ୍ଡି ନୂଆ ଅଥର କନା ସହିତ ସମସ୍ତ ଦ୍ରବ୍ୟ ମନ୍ଦିର କାର୍ଯ୍ୟାଳୟରୁ ଆଣି କାଳୁ ଦଣ୍ଡ ସେଣା ଯୋଗାଇ ଦେଇଥିଲେ। ସକାଳୁ ମା’ଙ୍କ ଅଙ୍ଗରାଗ ମାଜଣା, ମହାପସ୍ରାଦ ଅର୍ପଣ, ବେଶ, ବଲ୍ଲଭ ଆଳତୀ,ସାଧାରଣ ଦର୍ଶନ ପରେ ଅମୃତ ବେଳା ଦିବା ୨ ଘ/ ୧୭ମି ଗତେ ଦେବା ଦେବୀଙ୍କ ପାଖରେ ନୂଆ ଚାଉଳ ନୂଆବିରି, ନୂଆ ଚୂଡାରୁ ପ୍ରସ୍ତୁତ ଖେଚେଡ଼ି, ଡାଲି,ଆମ୍ବିଳ, ମହୁର, ଶାଗମୁଗ,ଏଣ୍ଡୁରି, ଘସା ବିଡ଼ିଆ, ଫଳ ମୂଳ ଇତ୍ୟାଦି ନୈବେଦ୍ୟ ଆକାରରେ ଠା କରାଯାଇ ଘଣ୍ଟା କାହାଳି ବୀର ବାଦ୍ୟବାଜି ପରିଛା ସାଆନ୍ତ ପ୍ରସନ୍ନ ମହାପାତ୍ର ଧୂପ ବଢାଇ ଆଳତି କରିଥିଲେ। ପରମ୍ପରା ଅନୁସାରେ ମା’ଙ୍କୁନବାନ୍ନ ଲାଗି ପର୍ଯ୍ୟନ୍ତ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ କୌଣସି ପ୍ରକାର ଯଜମାନି ଭୋଗରାଗ ଲାଗି ବନ୍ଦ ଥିଲା।

ପରେନିଯୋଗୀ ସେବାୟତମାନେ ମା’ଙ୍କ ନବାନ୍ନ ପ୍ରସାଦ ସେବନ କରି ସମସ୍ତ ଶ୍ରଦ୍ଧାଳୁଙ୍କୁ ମଧ୍ଯ ନବାନ୍ନପ୍ରସାଦବଣ୍ଟନ କରିଥିଲେ। ମା’ ଙ୍କ ମନ୍ଦିରର ପ୍ରଚଳିତ ଏହି ନବାନ୍ନ ନୀତିକାନ୍ତି ସଂପୂର୍ଣ୍ଣ ନିଆରା ଢ଼ଙ୍ଗରେ ପାଳିତ ହେବାର ବିଧି କାହିଁ କେଉଁ କାଳରୁ ଚଳି ଆସୁଥିବା କଥା ମନ୍ଦିର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ବାଳମୁକୁନ୍ଦ ଦାସଙ୍କଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଉନ୍ନୟନ ପ୍ରସ୍ତାବକୁ ‘ବାଣପୁର ସ୍ୱାଭିମାନ ମଞ୍ଚ’ର ନାପସନ୍ଦ: ଆନ୍ଦୋଳନ ଚେତାବନୀ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ବାଣପୁର ବିକାଶ ପାଇଁ ଶୁଭେଚ୍ଛୁ କମିଟି ଦେଇଥିବା ପ୍ରସ୍ତାବକୁ ‘ବାଣପୁର ସ୍ୱାଭିମାନ ମଞ୍ଚ’ ପକ୍ଷରୁ ସ୍ଥାନୀୟ ରଘୁନାଥ ମଣ୍ଡପ ଠାରେ ଏକ ସାମ୍ବାଦିକ ସମିଳନୀ ଜରିଆରେ ନାପସନ୍ଦ କରାଯାଇଛି। ଆଜି ସନ୍ଧ୍ୟାରେ ଯୁବ ସଂଗଠକ ଅମିତାଭ ପଟ୍ଟଯୋଶୀଙ୍କ ଆବାହକତ୍ବରେ ଆୟୋଜିତ କରାଯାଇଥିବା ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଭଗବାନ ପ୍ରଧାନ, ରାଜକିଶୋର ସାହୁ, ପ୍ରସନ୍ନ ମାର୍ଥା, ବିପ୍ର ଜେନା, ବିପିନି ବାରିକି, ଏନଏସିର କିଛି କାଉନସିଲରଙ୍କ ସମେତ ବହୁ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ।

ଅଭିଯୋଗ ମୁତାବକ ଯେଉଁ ଶୁଭେଚ୍ଛୁ କମିଟିକୁ ନେଇ ଜିଲ୍ଲାପାଳ ବୈଠକ କରିଥିଲେ ଏବଂ ଭଗବତୀ ମନ୍ଦିର ଓ ବାଣପୁରର ଉନ୍ନତି ପାଇଁ ମତାମତ ଲୋଡିଥିଲେ ଉକ୍ତ କମିଟି ବାଣପୁରବାସୀଙ୍କ ବିନା ମତାମତରେ କିଛି ପ୍ରସ୍ତାବ ଜିଲ୍ଲାପାଳଙ୍କୁ ଦେଇଥିବାର ଉକ୍ତ ମଞ୍ଚ ତରଫରୁ ଅଭିଯୋଗ କରାଯାଇଛି।

ଉକ୍ତ କମିଟିରେ ବିଶେଷ କରି କ୍ଷତିଗ୍ରସ୍ତ ହେବାକୁ ଥିବା ବ୍ୟବସାୟୀଙ୍କ ସମେତ ସ୍ଥାନୀୟ ବାସିନ୍ଦା, ଅଞ୍ଚଳର ବୁଦ୍ଧିଜୀବୀ, ମନ୍ଦିର ଗବେଷକ, ସାମ୍ବାଦିକ, ରାଜନୈତିକ ବ୍ୟକ୍ତି ବିଶେଷ, ଏନଏସି ର ନିର୍ବାଚିତ କାଉନସିଲର, ଆଇନଜୀବୀ ଏବଂ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସ୍ଥାନ ଦିଆ ନ ଯାଇ କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କୁ କମିଟି ସଭ୍ୟ ଭାବରେ ବୈଠକକୁ ନିମନ୍ତ୍ରଣ କରାଯାଇଛି। ଉକ୍ତ କମିଟି କିଏ ଗଠନ କରିଛି ତାହା ରହସ୍ୟମୟ।

ତତସହିତ କମିଟି ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ସାଧାରଣରେ ଗ୍ରହଣୀୟ ହୋଇପାରିବ ନାହିଁ। ଦିଆଯାଇଥିବା ପ୍ରସ୍ତାବକୁ ଯଦି ଗ୍ରହଣକରି ଅନ୍ୟାନ୍ୟ ପ୍ରସ୍ତାବକୁ ଗ୍ରହଣ କରା ନ ଯାଏ ତେବେ ବାଣପୁର ବାସୀ ଏହାକୁ ଜୋରଦାର ବିରୋଧ କରିବେ ବୋଲି ସ୍ୱାଭିମାନ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।ଏଣୁ ବାଣପୁର ବାସୀଙ୍କର ପ୍ରକୃତ ମତାମତ ନେଇ ସର୍ବ ସମ୍ମତରେ ଗ୍ରହଣୀୟ ପ୍ରସ୍ତାବକୁ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ଅନୁରୋଧ କରାଯାଇଛି। ଏବଂ ବାଣପୁରକୁ ଉପଖଣ୍ଡ ମାନ୍ୟତା ଭଳି ପ୍ରସ୍ତାବ ଶୁଭେଚ୍ଛୁ କମିଟି କାହିଁକି ଜିଲ୍ଲା ପ୍ରଶାସନ ପାଖରେ ରଖିଲେ ନାହିଁ ବୋଲି ମଞ୍ଚ ପ୍ରଶ୍ନ କରିଛି।

ତତ ସହିତ ବାଣପୁରରେ ୱାର୍ଡ ୱାରୀ ଡ୍ରେନେଜ ନିର୍ମାଣ, ଭୁବନେଶ୍ୱରରୁ ଭାୟା ଗମ୍ଭାରୀମୁଣ୍ଡା ହୋଇ ବାଣପୁରକୁ ଆସୁଥିବା ବସ ତଥା ବିରଜାଈ ଓ ଭଗବତୀ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବାଣପୁର ବାଇପାସ ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ମଧ୍ୟ ମୁଖ୍ୟ ରାସ୍ତାକୁ ପ୍ରଶସ୍ତିକରଣ ଭଳି ପ୍ରସ୍ତାବକୁ ଗ୍ରହଣ କରି, କ୍ଷତିଗ୍ରସ୍ତ ହେଉଥିବା ବ୍ୟବସାୟୀ ଓ ସବୁ ବର୍ଗର କର୍ମକର୍ତ୍ତାମାନଙ୍କୁ ବୈଠକରେ ଅନ୍ତର୍ଭୁକ୍ତ କରାଯାଇ ଦ୍ୱିତୀୟ ଥର ପାଇଁ ପୂର୍ଣ୍ଣାଙ୍ଗ ବୈଠକ କରି ମତାମତ ଗ୍ରହଣ କରିବା ପାଇଁ ଆବାହକ ଅମିତାଭ ପଟ୍ଟଯୋଶୀ ଦୃଢ଼ ଦାବି କରିଛନ୍ତି। ଯଦି ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ଏହାକୁ ଉପେକ୍ଷା କରନ୍ତି ତେବେ ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ହେବ ‘ବାଣପୁର ସ୍ୱାଭିମାନ ମଞ୍ଚ’ ଚେତାବନୀ ଦେଇଛି।

Categories
DurgaPujaNews ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଚାନକ ବାଣପୁର ଗସ୍ତ, ଡ୍ରେନେଜ ବ୍ୟବସ୍ଥାକୁ ଦେଲେ ଗୁରୁତ୍ୱ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ବାଣପୁର ପହଞ୍ଚି ଜିଲ୍ଲାପାଳ ପ୍ରଥମେ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଦର୍ଶନ ଲାଭ କରିଥିଲେ। ସେଠାରେ ତାଙ୍କୁ ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ବେଢାରେ କିଛି ସମୟ ଅତିବାହିତ କରିବା ସହ ମନ୍ଦିରର ଐତିହ୍ୟ ବିଷୟରେ ସ୍ଥାନୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ ଜିଲ୍ଲପାଳ।

ଏହାପରେ ଜିଲ୍ଲାପାଳ ସିଧାସଳଖ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଗକୁ ଦଶହରା ପର୍ବ ଥିବାବେଳେ କିପରି ତାହା ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ।  ତତସହିତ ପାର୍ବଣ ଋତୁ ବର୍ତ୍ତମାନ ଆରମ୍ଭ ହୋଇଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।

ଏତଦବ୍ୟତୀତ ବାଣପୁର ଏନଏସିରେ ଡ୍ରେନେଜ ନିର୍ମାଣ ବିଷୟରେ ଆମ ପ୍ରତିନିଧି ପ୍ରଶ୍ନ ପଚାରିବାରୁ, ସେଥି ନିମନ୍ତେ ଜିଲ୍ଲାପାଳ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇସାରିଥିବା ପ୍ରକାଶ କରିଛନ୍ତି।