Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡିରେ ୧୨ ପଜିଟିଭ ଚିହ୍ନଟ: ଭବାନୀପାଟଣା ସଟଡାଉନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ୧୨ କରୋନା ପଜିଟିଭ ରିପୋର୍ଟ ଆସିଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଭବାନୀପାଟଣା ସହରକୁ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ସଟଡାଉନ କରାଯାଇଥିବା ସୂଚନା ମିଳିଛି। ଦଶ ଜଣ କରୋନା ଯୋଦ୍ଧାଙ୍କ ପଜିଟିଭ ବାହାରିଥିବା ବେଳେ ଅଧିକ ପରୀକ୍ଷଣ ଚାଲିଥିବା ଜଣାପଡିଛି। ସଂପୃକ୍ତ କରୋନା ଯୋଦ୍ଧା ମାନେ ଟାଉନଥାନାରୁ ଜଣେ ଏବଂ ୯ ଜଣ ପୋଲିସ ବେରେକରୁ ବୋଲିି ଏକ ବେସରକାରୀ ସୂତ୍ରରୁ ଜଣାପଡିଛି। ନର୍ଲା ବ୍ଲକ ଅନ୍ତର୍ଗତ ରେକପୁର ଗ୍ରାମର ଜଣେ ସଂକ୍ରମଣ ହୋଇଥିବା ବେଳେ ଆର ଜଣକ ବରଗଡସ୍ଥିତ ଏକ ପ୍ରାଇଭେଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଇଛି। ସମସ୍ତଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଭବାନୀପାଟଣା ସହର ମଧ୍ୟରେ ଘରକୁ ଘର ବୁଲି କରୋନା ଲକ୍ଷଣ ପରୀକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ଭବାନୀପାଟଣା ସହରକୁ ଆଦେଶ ନଂ.୯୭୦ ତା.୨୪.୦୭.୨୦୨୦ ଅନୁସାରେ ସଟଡାଉନ ଘୋଷଣା କରିଛନ୍ତି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଡାକ୍ତରଖାନା ଏବଂ ଦାୟୀତ୍ୱରେ ଥିବା ପଦାଧିକାରୀଙ୍କୁ ବାଦ ଦିଆଯାଇଥିବା ପ୍ରକାଶ।

ଏଥିପୂର୍ବରୁ ଜୟପାଟଣା ବ୍ଲକର ମୁଖିଗୁଡା ଓ ବାନେର ପଂଚାୟତ ତଥା କଲମପୁର ବ୍ଲକର ବିଜମରା ଗ୍ରାମପଂଚାୟତକୁ ସଂପୃକ୍ତ ସରପଂଚମାନେ ସଟଡାଉନ ଘୋଷଣା କରିଥିବା ଜଣାପଡିଛି।

ଏଭଳି କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଅନ୍ୟ ହଟ ସ୍ପଟ ଜିଲ୍ଲାରୁ କଳାହାଣ୍ଡିକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ପାଇଁ କ୍ୱାରେନଟାଇନରେ ରହିବା ବାଧ୍ୟତା ମୂଳକ ବୋଲି ପୂର୍ବରୁ କଳାହାଣ୍ଡି ଜିଲ୍ଲାପାଳ କଡା ନିର୍ଦ୍ଦେଶ ଜାରି କରିଥିଲେ। ସେଥିପାଇଁ ସଂପୃକ୍ତ କୋଭିଡ ପରିଚାଳନା କମିଟୀ, ଗ୍ରାମପଂଚାୟତ ନୋଡାଲ ଅଧିକାରୀ ତଥା ସରପଂଚ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶାନାମାରେ କୁହାଯାଇଛି। ସେହିପରି ଜନସାଧାରଣଙ୍କ ଭିଡ ହେଉଥିବା ଦୃଷ୍ଟିରୁ ଜିଲ୍ଲାସାରା ସମସ୍ତ ସାପ୍ତାହିକ ବଜାରକୁ ମଧ୍ୟ ବାରଣ କରାଯାଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଭବାନୀପାଟଣାରେ ଜଣେ ପଜିଟିଭ ଚିହ୍ନଟ, ଅର୍କାବାହାଲିପଡା ବଫରଜୋନ ଘୋଷିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ସହର ଅନ୍ତର୍ଗତ ୱାର୍ଡ ନଂ.୧୦ ଅଧିନସ୍ଥ ଅର୍କାବାହାଲିପଡାକୁ ଜିଲ୍ଲାପ୍ରଶାସନ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ଜଣାପଡିଛି। ଅର୍କାବାହାଲିପଡାର ଜଣେ ୫୮ ବର୍ଷୀୟ ବ୍ୟକ୍ତି ଜଣକ କରୋନା ପଜିଟିଭ ଚିହ୍ନଟ ହେବାପରେ ଆଠଟି ରାସ୍ତା ସଂଲଗ୍ନ ହେଉଥିବା ଅର୍କାବାହାଲିପଡାର ୩ କି.ମି. ବ୍ୟାସାର୍ଦ୍ଧ ଅଂଚଳକୁ ପ୍ରଶାସନ ପକ୍ଷରୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ପ୍ରକାଶ। ସଂପୃକ୍ତ ବ୍ୟକ୍ତି ଜଣକ ଗତ ୧୭ ଜୁନ ଠାରୁ ୨୬ ଜୁନ ମଧ୍ୟରେ ଦୁଇଥର ଭୂବନେଶ୍ୱରସ୍ଥିତ ସମ ହସପିଟାଲ ଓ ଥରେ ବିସମକଟକସ୍ଥିତ ମିଶନାରୀ ହସପିଟାଲକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ଜଣାପଡିଛି। ଗତ ୨୬ ତାରିଖ ଦିନ ସମ ହସପିଟାଲରେ କୋଭିଡ ସନ୍ଦିଗ୍ଧ ଭାବେ ସ୍ୱାବ ପରୀକ୍ଷା କରାଯାଇ ଭୂବନେଶ୍ୱର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିବାର ପ୍ରକାଶ।

ସଂପୃକ୍ତ ବ୍ୟକ୍ତି ଜଣକ କରୋନା ପଜିଟିଭ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଖୋଜାଚାଲିଥିବା ସହିତ ୱାର୍ଡ ନଂ୧୦ ଅନ୍ତର୍ଗତ ଦୟାନିଧି ଛକ ଠାରୁ ଖରିଆର ରାସ୍ତା ପୁରୁଣା ଚେକଗେଟ ପର୍ଯ୍ୟନ୍ତକୁ ୩ କି.ମି. ବ୍ୟାସାର୍ଦ୍ଧରେ ବଫର ଜୋନ ଭାବେ ଘୋଷଣା କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ଅନ୍ୟପକ୍ଷରେ ଭବାନୀପାଟଣା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ପଜିଟିଭ କେଶ ଗୁଡିକ ମଧ୍ୟରୁ ଆଜି ୭ ଜଣ ଆରୋଗ୍ୟ ଲାଭ କରିଥିବା ବିଜ୍ଞପ୍ତିରେ ଜଣାପଡିଛି। ଆରୋଗ୍ୟ ହାର ଶତକଡା ୯୨.୯ ହୋଇଥିବା ପ୍ରକାଶ। ବର୍ତ୍ତମାନ ୫ ଜଣ କରୋନା ପଜିଟିଭ ହିଁ ଭବାନୀପାଟଣା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ପ୍ରକାଶ।