Categories
ବିଶେଷ ଖବର ରାଜ୍ୟ ଖବର

ସୋନପୁରରେ ୩୦୦ କୋଟି ଓ ବୌଦ୍ଧରେ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ସୋନପୁର ପାଇଁ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସୋନପୁରକୁ ମନ୍ଦିର ନଗରୀ ଭାବେ ବର୍ଣ୍ଣନା କରି ଏହାର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରିଥିଲେ। ସୋନପୁରର ବୁଣାକାରମାନେ ନିଜ ଦକ୍ଷତା ଦ୍ବାରା ଓଡିଶାର ଗୌରବକୁ ଦେଶ ବିଦେଶରେ ପହଞ୍ଚାଇଛନ୍ତି ବୋଲି ସେ କହିଥିଲେ।

ଜିଲ୍ଲାର ବିକାଶ ପାଇଁ ସେ ସମର୍ପିତ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ କହିଲେ ଯେ, ସୋନପୁରରେ MSME ପାର୍କ ପ୍ରତିଷ୍ଠା ଜରିଆରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ତା ସହିତ ଜଳସେଚନ ଓ ସ୍ବାସ୍ଥ୍ୟ ସୁବିଧାର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଜିଲ୍ଲା ମୁଖ୍ୟାଳୟରେ ଏକ ହସ୍‌ପିଟାଲ ପ୍ରତିଷ୍ଠା କରାଯାଉଛି। ଏହାଦ୍ବାରା ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେହିଭଳି ବୌଦ୍ଧ ଜିଲ୍ଲା ପାଇଁ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର ପ୍ରାକୃତିକ ପରିବେଶର ବହୁତ ପ୍ରଶଂସା କରିଥିଲେ। ବୌଦ୍ଧରେ ପର୍ଯ୍ୟଟନର ବିକାଶ ପାଇଁ ଥିବା ବିପୁଳ ସୁଯୋଗକୁ ଉପଯୋଗ କରାଯିବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦ କୋଟି ଟଙ୍କାରେ ନନ୍ଦନ ବନ ସଫାରୀ କରାଯିବ, ଯାହାଦ୍ବାରା ଇକୋ-ଟୁରିଜିମ୍‌ର ବିକାଶ ସହିତ ଜିଲ୍ଲାର ୪୦୦ ପରିବାରକୁ ରୋଜଗାର ମିଳିବ। ସେହିପରି ୪ କୋଟି ଟଙ୍କାରେ ୩୭ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି ସେ କହିଥିଲେ।

ଦୁଗ୍‌ଧ ଉତ୍ପାଦନରେ ବୌଦ୍ଧ ଜିଲ୍ଲାର ସଫଳତାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଏକ ବର୍ଷରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଦୁଗ୍‌ଧ ଶୀତଳୀକରଣ ପ୍ଲାଣ୍ଟ ନିର୍ମାଣ କରାଯିବ। ଏହାଦ୍ବାରା ୧୦ ହଜାର ଚାଷୀ ଏଥିରେ ରୋଜଗାର ପାଇପାରିବେ ବୋଲି ସେ କହିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସରକାରୀ କାର୍ଯ୍ୟାଳୟରେ କରୋନା କଟକଣା: ନିର୍ଦ୍ଦେଶନାମା ଜାରି କଲା ସାଧାରଣ ପ୍ରଶାସନ

ଭୁବନେଶ୍ଵର: ଦେଶରେ ପୁଣିଥରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି। ଅନେକ ରାଜ୍ୟରେ ମଧ୍ୟ ଲକ ଡ଼ାଉନ, ରାତ୍ରୀକାଳୀନ କର୍ଫ୍ଯୁ ଆରମ୍ଭ ହୋଇଯାଇଛି। କରୋନା ସ୍ଥିତିକୁ ନେଇ ସରକାରୀ ଅଫିସରେ ସତର୍କ ରହିବାକୁ ନିର୍ଦ୍ଦେଶ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ନିର୍ଦ୍ଦେଶନାମା ଅନୁଯାୟୀ, କାର୍ଯ୍ୟାଳୟରେ ଭର୍ଚୁଆଲ ମାଧ୍ୟମରେ ବୈଠକ କରିବାକୁ ପ୍ରାଥମିକତା ଦିଆଯାଇଛି। କାର୍ଯ୍ୟାଳୟ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି। କାର୍ଯ୍ୟାଳୟ ଭିତରେ କର୍ମଚାରୀଙ୍କ ମଧ୍ୟରେ ୨ ମିଟର ଦୂରତା ରହିବ ବୋଲି କୁହାଯାଇଛି।