Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଭୁବନେଶ୍ବରରେ ପାଳିତ ହେଲା ଶ୍ରୀମଦ୍ ଭାଗବତ ଜନ୍ମ ମହୋତ୍ସବ

ଭୁବନେଶ୍ୱର: ସହରରେ ରହୁଥିଲେ ମଧ୍ୟ ଗାଁର ମଧୁର ଅନୁଭୂତି ଓ ସମୃଦ୍ଧ ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରହିଛି। ଏହି କ୍ରମରେ ଓଁ ଶ୍ରୀ ଭାଗବତାୟ ନମଃ ଧ୍ୱନିରେ ଝଙ୍କୃତ ହୋଇଥିଲା ଭୁବନେଶ୍ୱରର ଡୁମୁଡୁମା ସ୍ଥିତ ଡି. ଏନ. ଅକ୍ସି ପାର୍କର ମୁକ୍ତାକାଶ ମଞ୍ଚ ପରିସର।

ଅବସର ଥିଲା ଭାଦ୍ରବ ପୂର୍ଣ୍ଣିମାରେ ପାଳନ କରାଯାଉଥିବା, ଶ୍ରୀମଦ ଭାଗବତ ଜନ୍ମ ମହୋତ୍ସବ। ପୁରୋହିତଙ୍କ ମନ୍ତ୍ର ଧ୍ୱନି ସତେ ଯେପରି ଉପସ୍ଥିତ ସମସ୍ତଙ୍କ ମନ ଏବଂ ହୃଦୟକୁ କରୁଥିଲା ଆନମନା ଓ ଫେରାଇ ନେଇଥିଲା ଗାଁ ପରିବେଶକୁ। ଧର୍ମ ଏବଂ ସଂସ୍କୃତିର ଆତ୍ମା ପବିତ୍ର ଶ୍ରୀମଦ ଭାଗବତଙ୍କ ଜନ୍ମ ମହୋତ୍ସବ ଅବସରରେ, ସମସ୍ତ ଭକ୍ତଙ୍କ ମନରେ ଥିଲା ଅସୁମାରୀ ଭକ୍ତିର ଆନନ୍ଦ।

ଶଙ୍ଖଧ୍ୱନି, ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ଶ୍ରୀଭାଗବତ ମହାପୁରାଣକୁ ବିଭିନ୍ନ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ସମସ୍ତ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଆହୁତୀ ପ୍ରଦାନ କରାଯାଇ ହୋମଯଜ୍ଞ ସମ୍ପନ୍ନ ହୋଇଥିଲା। ପରିଶେଷରେ ଭୋଗନୈବେଦ୍ୟ ଅର୍ପଣ, ଆଳତୀ ଏବଂ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା।

ଏହାପରେ ଭାଗବତ ପଠନ ସଂକୀର୍ତ୍ତନ ମାଧ୍ୟମରେ କରାଯାଇଥିଲା। ପୂଜା ତଥା ମହୋତ୍ସବରେ କର୍ତ୍ତା ଭାବେ ସୁବ୍ରତା ପାଟ୍ଟଯୋଶୀ ସେବା ପ୍ରଦାନ କରିଥିବା ବେଳେ ଏହି ପରମ୍ପରାର ପୁନଃରୁଦ୍ଧାର ଲାଗି ପଦକ୍ଷେପ ନେଇଥିଲେ ଭାଗବତ ଗୋଷ୍ଠୀର ଆବାହକ ଉମେଶ ଚନ୍ଦ୍ର ମହାପାତ୍ର, ବାନାମ୍ବର ମିଶ୍ର, ସଂଗ୍ରାମ ମହାପାତ୍ର ଓ ଗିରିଶ ଚନ୍ଦ୍ର ମିଶ୍ର ପ୍ରମୁଖ। ପୂଜା କାର୍ଯ୍ୟରେ ଶ୍ରୀମନ୍ତିକା ମିଶ୍ର , ଅଞ୍ଜଳି ପାତ୍ର ଏବଂ ଉପସ୍ଥିତ ଅନ୍ୟ ଭକ୍ତଗଣ ସହଯୋଗ କରିଥିଲେ।