Categories
ବିଶେଷ ଖବର

୨୦୨୪ରେ ଭାରତର ଅର୍ଥନୀତି ବିଶ୍ୱକୁ ଆଶ୍ଚର୍ଯ୍ୟ କରିବ କି?

ନୂଆଦିଲ୍ଲୀ: ୨୦୨୩ରେ ବିଶ୍ୱରେ ଅନେକ ଉତ୍‍ଥାନ-ପତନ ଦେଖିବାକୁ ମିଳିଥିଲା। ବାଣିଜ୍ୟରେ ଉଠାପକା, ସୁଧହାର ବୃଦ୍ଧି ଏବଂ ରାଜନୈତିକ ସଂଘର୍ଷ ସତ୍ତ୍ୱେ କୌଣସି ବଡ଼ ଧରଣର ଅର୍ଥନୈତିକ ବିପର୍ଯ୍ୟୟ ଘଟିନଥିଲା ଏବଂ ବିଶ୍ୱ ଆଶାଠାରୁ ଭଲ ପ୍ରଦର୍ଶନ କରିଥିଲା। ବିଶ୍ୱର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦୨୨ରେ ୩.୪% ଥିବାବେଳେ ୨୦୨୩ରେ ଏହା ୩.୩% ବୃଦ୍ଧି ପାଇବ ବୋଲି ଏସଆଣ୍ଡପି ଗ୍ଲୋବାଲ ଆକଳନ କରିଛି । ବିଶ୍ୱର ସର୍ବବୃହତ ଅର୍ଥନୀତି ଆମେରିକା ମାନ୍ଦାବସ୍ଥାରୁ ମୁକୁଳିଛି ଏବଂ ୨୦୨୩ରେ ଏହା ୨.୫% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। କୋଭିଡ କଟକଣା ହଟିବା ପରେ ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଚୀନର ଜିଡିପିରେ ସୁଧାର ଆସିଛି ଏବଂ ସରକାର ବଜାରକୁ ସୁଦୃଢ଼ କରିବା ଦିଗରେ ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି।

ଭାରତର ଚମତ୍କାର ପ୍ରଦର୍ଶନ

୨୦୨୩ର ଅଭିବୃଦ୍ଧି କାହାଣୀକୁ ଭାରତର ନାମରେ ନାମିତ କରାଯାଇଛି, ଯାହାର ଜିଡିପି ଆକଳନଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷ (୨୦୨୩-୨୪)ରେ ଜିଡିପି ଅଭିବୃଦ୍ଧି ୭% ରହିବ ବୋଲି ଆରବିଆଇ ଆକଳନ କରିଛି। ବିଶ୍ୱ ଅଭିବୃଦ୍ଧି ଦ୍ୱାରା ଭାରତର ଅର୍ଥନୀତିର ଅଭିବୃଦ୍ଧି ବୃଦ୍ଧି ପାଇଥିଲା, କିନ୍ତୁ ସରକାରଙ୍କ ସମର୍ଥିତ ନିବେଶ ଚକ୍ର, ରିଅଲ ଇଷ୍ଟେଟ୍ ଏବଂ ଉତ୍ପାଦନ କ୍ଷେତ୍ରରେ ପୁନରୁଦ୍ଧାର ମଧ୍ୟ ଏହି ବୃଦ୍ଧିରେ ସହାୟକ ହୋଇଥିଲା। କିନ୍ତୁ ୨୦୨୩ ଶେଷବେଳକୁ ବାତାବରଣ ପୁଣି ଅନିଶ୍ଚିତ ହୋଇପଡ଼ିଛି।

ଆମ ଅର୍ଥନୀତି ଭବିଷ୍ୟତ କ’ଣ?

ଆମେ ଆକଳନ କରୁଛୁ ଯେ ୨୦୨୪ରେ ବିଶ୍ୱ ଅର୍ଥନୀତି ମନ୍ଥର ହୋଇଯିବ, କିନ୍ତୁ ଏହାପରେ ଗତି ବୃଦ୍ଧି ପାଇବ। ପ୍ରଥମ ଛ’ମାସ ୭.୬% ରହିବା ପରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଭାରତର ଅଭିବୃଦ୍ଧି ୬.୩%କୁ ହ୍ରାସ ପାଇବ। ଏହାପରେ ଆସନ୍ତା ଆର୍ଥିକ ବର୍ଷ (୨୦୨୪-୨୫)ରେ ଏହା ୬.୪% ରହିବ ବୋଲି ଆଶା କରାଯାଉଛି। ଉଚ୍ଚ ସୁଧହାର, ବିତ୍ତୀୟ ସୁଦୃଢ଼ୀକରଣ ଏବଂ ଧୀରେ ଧୀରେ ବିଶ୍ୱ ଅଭିବୃଦ୍ଧି ଆମର ଅର୍ଥନୈତିକ ଅଭିବୃଦ୍ଧିକୁ ମନ୍ଥର କରିବ।

ଆମେରିକା ଅର୍ଥନୀତିର ମନ୍ଥର ଗତି

୨୦୨୪ର ପ୍ରଥମାର୍ଦ୍ଧରେ ସୁଧହାର ବୃଦ୍ଧିର ସର୍ବୋଚ୍ଚ ପ୍ରଭାବ ଅନୁଭୂତ ହେଉଥିବାରୁ ବିଶ୍ୱ ଅର୍ଥନୀତି, ବିଶେଷ କରି ଆମେରିକା ଅର୍ଥନୀତି ମନ୍ଥର ହୋଇଯିବ। ରପ୍ତାନି ଚାହିଦା ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ କାରଣ ଆମେରିକା ବର୍ତ୍ତମାନ ଭାରତର ବୃହତ୍ତମ ବାଣିଜ୍ୟ ସହଯୋଗୀ ଏବଂ ଆମ ସହିତ ବାଣିଜ୍ୟ ବଳକା ରହିଛି। ଉଦୀୟମାନ ଏସୀୟ ଅର୍ଥନୀତି ଅପେକ୍ଷାକୃତ ସ୍ଥିର ରହିବ ବୋଲି ଆକଳନ କରାଯାଇଛି, କିନ୍ତୁ ଏହି ଅର୍ଥନୀତିଗୁଡ଼ିକୁ ଆମର ରପ୍ତାନିର ଅଂଶ ହ୍ରାସ ପାଇଛି। ଏହା ଆଶ୍ୱସ୍ତିର ବିଷୟ ଯେ ଅଧିକାଂଶ ବହୁପକ୍ଷୀୟ ପୂର୍ବାନୁମାନ ମନ୍ଥର ଅଭିବୃଦ୍ଧି ସତ୍ତ୍ୱେ ୨୦୨୪ରେ ସାମଗ୍ରୀ ବାଣିଜ୍ୟରେ ବୃଦ୍ଧିର ସଙ୍କେତ ଦେଉଛି।

ଅଧିକ ସୁଧହାର, କମ୍ ସରକାରୀ ଖର୍ଚ୍ଚ

ସମଗ୍ର ବିଶ୍ୱରେ ସୁଧହାର ଓ ମୁଦ୍ରାସ୍ଫୀତି ଶୀର୍ଷରେ ପହଞ୍ଚିଥିବାବେଳେ ମୁଦ୍ରାସ୍ଫୀତି ଏବେବି ଲକ୍ଷ୍ୟଠାରୁ ଅଧିକ ଥିବାରୁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଶୀଘ୍ର ସୁଧହାର ହ୍ରାସ କରିବାକୁ ସତର୍କ ରହିବେ। ମହାମାରୀ ପରେ ଭିତ୍ତିଭୂମି ନିର୍ମାଣରେ ଦ୍ରୁତ ଅଭିବୃଦ୍ଧିକୁ ଭରଣା କରିବା ପାଇଁ ଭାରତ ସରକାର ସରକାରୀ ଖର୍ଚ୍ଚକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି ଏବଂ ନିବେଶ ପ୍ରୟାସ ବୃଦ୍ଧି କରିବା ପାଇଁ ରାଜ୍ୟଗୁଡ଼ିକୁ ବିନା ସୁଧରେ ଋଣ ମଧ୍ୟ ଦେଇଛନ୍ତି। ଆଗାମୀ ଆର୍ଥିକ ବର୍ଷରେ ସରକାର ବିତ୍ତୀୟ ସୁଦୃଢ଼ୀକରଣ ପାଇଁ ସରକାରୀ ବ୍ୟୟ ହ୍ରାସ କଲେ ଘରୋଇ କ୍ଷେତ୍ରକୁ ନିବେଶର ଦାୟିତ୍ୱ ନିଜ କାନ୍ଧରେ ନେବାକୁ ପଡ଼ିବ।

ସେବାଠାରୁ ଆରମ୍ଭ କରି ସାମଗ୍ରୀ ପର୍ଯ୍ୟନ୍ତ ଟ୍ରେଣ୍ଡ

ଘରୋଇ ଚାହିଦା ମଧ୍ୟ ୨୦୨୪ରେ ସେବାରୁ ସାମଗ୍ରୀକୁ ବଦଳିବାର ସମ୍ଭାବନା ରହିଛି। ମହାମାରୀ ସମୟରେ ବିଶେଷ କରି ସିଧାସଳଖ ଯୋଗାଯୋଗ ସେବାର ବ୍ୟବହାର ହ୍ରାସ ପାଇଥିଲା, କିନ୍ତୁ ବର୍ତ୍ତମାନ କୋଭିଡ ହ୍ରାସ ପାଇବା ପରେ ସେବାର ଚାହିଦା ବୃଦ୍ଧି ପାଇଥିଲା, ଯାହା ବର୍ତ୍ତମାନ ସ୍ୱାଭାବିକ ହେବାରେ ଲାଗିଛି। ନିକଟରେ ପ୍ରକାଶିତ ଦ୍ୱିତୀୟ ତ୍ରୈମାସର ଜିଡିପି ପରିସଂଖ୍ୟାନ ମଧ୍ୟ ଏହା ସୂଚାଉଛି।

ମୁଦ୍ରାସ୍ଫୀତି ଉପରେ ପାଣିପାଗର ପ୍ରଭାବ

ଖାଦ୍ୟ ଉତ୍ପାଦନ ଏବଂ ମୁଦ୍ରାସ୍ଫୀତି ଉପରେ ପାଣିପାଗର ବଡ଼ ପ୍ରଭାବ ରହିବ ଏବଂ ୨୦୨୪ ପର୍ଯ୍ୟନ୍ତ ଏଲ୍ ନିନୋର ବିପଦ ବଢ଼ିବ ବୋଲି ଆଶା କରାଯାଉଛି। ଦ୍ୱିତୀୟ ତ୍ରୈମାସରେ କୃଷି କ୍ଷେତ୍ରରେ ମାତ୍ର ୧.୨% ଅଭିବୃଦ୍ଧି ଘଟିଛି ଏବଂ ଖରିଫ ଫସଲ ଉତ୍ପାଦନ ହ୍ରାସ ପାଇବ ଏବଂ ରବି ଫସଲ ଜଳଭଣ୍ଡାରରେ କମ୍ ପାଣିର ଖରାପ ପ୍ରଭାବର ସମ୍ମୁଖୀନ ହୋଇପାରେ ବୋଲି ଆକଳନ କରାଯାଇଥିବାରୁ ପୂର୍ଣ୍ଣ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି କମ୍ ରହିବ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ନଭେମ୍ବର ସୁଦ୍ଧା ବିଶ୍ୱର ହାରାହାରି ତାପମାତ୍ରା ପ୍ରାକ୍ ଶିଳ୍ପ ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିଥିବାରୁ ୨୦୨୩ ଇତିହାସରେ ସବୁଠାରୁ ଉତ୍ତପ୍ତ ବର୍ଷ ହେବ। ତେଣୁ ଜଳବାୟୁ ଅନୁକୂଳନ ଏବଂ ପ୍ରଶମନ ପଦକ୍ଷେପ ଆଗାମୀ ସମୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ।

ଖାଦ୍ୟ ଶସ୍ୟ ଦର ବୃଦ୍ଧି ଆଶଙ୍କା

କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଖାଦ୍ୟ ଦର ଅର୍ଥନୀତିର ଅନ୍ୟାନ୍ୟ ଅଂଶକୁ ବ୍ୟାପିବା ସହ ମୁଦ୍ରାସ୍ଫୀତି ଆହୁରି ବଢ଼ିପାରେ। ତେଣୁ ଇନ୍ଧନ ଓ ମୂଳ ମୁଦ୍ରାସ୍ଫୀତି ନିମ୍ନ ସ୍ତରରେ ଥିଲେ ମଧ୍ୟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବାକୁ ଆରବିଆଇ ଦାବି କରିବ ନାହିଁ। ଆସନ୍ତା ବର୍ଷ ଏପ୍ରିଲ-ଜୁନ୍ ତ୍ରୈମାସରେ ହିଁ ସୁଧହାର ହ୍ରାସ ହୋଇପାରେ।

ଭୂ-ରାଜନୀତି ଏବଂ ଋଣ ବୋଝ

ବର୍ତ୍ତମାନ ପର୍ଯ୍ୟନ୍ତ ଭୂ-ରାଜନୈତିକ ଘଟଣା ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିନାହିଁ, କିନ୍ତୁ ନିକଟରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ଏହାକୁ ପରୀକ୍ଷା କରିବ କାରଣ ବାଣିଜ୍ୟ ଖର୍ଚ୍ଚ ବୃଦ୍ଧି ପାଇବା ଆରମ୍ଭ କରିଛି ଏବଂ ଅଶୋଧିତ ତୈଳ ଚାପରେ ରହିପାରେ। ୨୦୨୪ରେ ଆମେରିକା ଓ ଭାରତ ସମେତ ୪୦ଟି ଦେଶରେ ସାଧାରଣ ନିର୍ବାଚନ ହେବ। ଏହା ଅନିଶ୍ଚିତତାକୁ ଏକ ରାଜନୈତିକ ଦିଗ ଯୋଡ଼ିଥାଏ, ବିଶେଷକରି ଯେହେତୁ ଏହି ଦେଶଗୁଡ଼ିକ ମଧ୍ୟରୁ ଅଧିକାଂଶ ଜନବହୁଳ ଏବଂ ଅର୍ଥନୈତିକ ଭାବରେ ପ୍ରଭାବଶାଳୀ ଅଟନ୍ତି। ସମଗ୍ର ବିଶ୍ୱରେ ଋଣ ଏବେ ଜିଡିପିର ପ୍ରାୟ ୩.୫ ଗୁଣ ରହିଛି। ଉଚ୍ଚ ସୁଧ ହାର ଏବଂ ମନ୍ଥର ଅଭିବୃଦ୍ଧି ଆର୍ଥିକ ବିପର୍ଯ୍ୟୟର ସମ୍ଭାବନାକୁ ବଢ଼ାଇଥାଏ।

ଅଧିକ ଉନ୍ନତି ଆବଶ୍ୟକ

ଏଥିପାଇଁ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ନିବେଶ ପରିବେଶରେ ଆହୁରି ଉନ୍ନତି ଆଣିବା ପାଇଁ କର୍ତ୍ତୃପକ୍ଷ ପ୍ରୟାସକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। ସୁଦୃଢ଼ କର୍ପୋରେଟ୍ ସ୍ଥିତି, ଉତ୍ପାଦନ କ୍ଷେତ୍ରରେ କ୍ଷମତାର ଉପଯୋଗ ବୃଦ୍ଧି ଏବଂ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା (ପିଏଲ୍ଆଇ ଯୋଜନା) ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରୁଛି।

ସତର୍କତା ହଟିଲେ, ଦୁର୍ଘଟଣା ହେବ

ମୋଟାମୋଟି ଭାବେ, ୨୦୨୪ ପାଇଁ ବିଶ୍ୱ ଅର୍ଥନୈତିକ ଦୃଷ୍ଟିକୋଣ ଉପରେ ସହମତି ନିମ୍ନ ମୁଦ୍ରାସ୍ଫୀତି ଏବଂ ସକାରାତ୍ମକ ଜିଡିପି ଅଭିବୃଦ୍ଧି (ସଫ୍ଟ ଲ୍ୟାଣ୍ଡିଂ)କୁ ସୂଚାଇଥାଏ। କିନ୍ତୁ ଏତେ ଅନିଶ୍ଚିତତା ଭିତରେ ଏହା ନିଶ୍ଚିତ ଭବିଷ୍ୟତ ନୁହେଁ । ଦେଶ ଓ ବ୍ୟବସାୟୀମାନେ ସତର୍କତା ଅବଲମ୍ବନ କରିବା ସହ ଆଗାମୀ ଆହ୍ୱାନ ପାଇଁ ପ୍ରସ୍ତୁତି କରିବା ଆବଶ୍ୟକ। ସୁସ୍ଥ କମ୍ପାନି, ବ୍ୟାଙ୍କ ବାଲାନ୍ସ ସିଟ୍ ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ଯୋଗୁଁ ଭାରତ ଏବେ ଭଲ ପ୍ରଦର୍ଶନ କରୁଛି।

Categories
ଆଜିର ଖବର ଜାତୀୟ ଖବର

“୨୨ ଟି ଦେଶ ଭାରତ ସହିତ ଟଙ୍କାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ”: ପଢନ୍ତୁ ଅର୍ଥମନ୍ତ୍ରୀ କହିଥିବା ୧୦ ଟି ବଡ କଥା

ନୂଆଦିଲ୍ଲୀ: ଜି -୨୦ ଶିଖର ସମ୍ମିଳନୀର ସଫଳତା ତଥା ଭାରତର ଅର୍ଥନୀତି ସମେତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଏନଡିଟିଭି ସହ ଏକ ବିଶେଷ ବାର୍ତ୍ତାଳାପରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛନ୍ତି। ଏହି ସମୟରେ ସେ କହିଥିବା ୧୦ ଟି ବିଷୟ ଉପରେ ଆସନ୍ତୁ ଜାଣିବା…

ଭାରତର ଅର୍ଥନୀତି ଏବଂ ଜି -୨୦ ର ସଫଳତା ଉପରେ ଅର୍ଥମନ୍ତ୍ରୀଙ୍କ ଠାରୁ ୧୦ ଟି ବଡ଼ ଜିନିଷ:

୧- ଜି -୨୦ ର ସମସ୍ତ ପ୍ରସଙ୍ଗରେ ଭାରତ ସହମତି ହାସଲ କରିଛି। ୟୁକ୍ରେନ ଏବଂ ଋଷ ପ୍ରସଙ୍ଗରେ ସମସ୍ତ ଜି -୨୦ ଦେଶ ମଧ୍ୟରେ ଏକ ସାଧାରଣ ସହମତି ପ୍ରକାଶ ପାଇଛି।

୨- ୨୨ ଟି ଦେଶ ଭାରତ ସହିତ ଟଙ୍କାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ। ଜି -୨୦ ସଦସ୍ୟ ଦେଶମାନେ ଭାରତ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଗ୍ଲୋବାଲ ସାଉଥର ସ୍ୱର ଉପରେ ପିଏମ ମୋଦୀଙ୍କ ଗୁରୁତ୍ୱ ରହିଛି।

୩- ଜି -୨୦ ସାମୂହିକ ଭାବରେ କ୍ରିପ୍ଟୋ, ବୈଶିକ ଋଣ, ବ୍ରେଟନ୍ ଉଡ୍ସ ଇନଷ୍ଟିଚ୍ୟୁସନ- ଇଣ୍ଟରନାସନାଲ ମନିଟାରି ଫୋରମ୍ ଏବଂ ବିଶ୍ଵ ବ୍ୟାଙ୍କରେ ସଂସ୍କାରର ଆବଶ୍ୟକତା ଭଳି ଆଲୋଚନା କରାଯାଇଥିଲା।

୪- ବିକାଶର ଆବଶ୍ୟକତାକୁ ଭାରତ ବୁଝୁଛି। ଜି-୨୦ ପାଇଁ ଅନେକ ସହରରେ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ଦେଶ ଭାରତର ବିବିଧତା ଏବଂ ସଂସ୍କୃତି ଦେଖିଥିଲେ।

୫- ଜି -୨୦ ଶିଖର ସମ୍ମିଳନୀ ସମଗ୍ର ବିଶ୍ୱରେ ଭାରତର ଏକ ନୂତନ ଭାବମୂର୍ତ୍ତି ସୃଷ୍ଟି କରିଛି। ଏହି ସମୟ ମଧ୍ୟରେ ସମଗ୍ର ବିଶ୍ୱ ଭାରତର ଚମତ୍କାର ସଂସ୍କୃତି ଦେଖିଲା।

୬- ଡିଜିଟାଲ କ୍ଷେତ୍ରରେ ଭାରତ ଏକ ନୂତନ ପରିଚୟ ସୃଷ୍ଟି କରିଛି। ଡିଜିଟାଲ୍ ଟେକ୍ନୋଲୋଜି MSME ପାଇଁ ଲାଭଦାୟକ ପ୍ରମାଣିତ କରୁଛି।

୭- ମୋଦୀ ସରକାରଙ୍କ ଏହି ଯୋଜନାରେ ସମସ୍ତେ ଉପକୃତ ହୋଇଛନ୍ତି। ଉଜ୍ଜ୍ୱଲା ସମେତ ସମସ୍ତ ଯୋଜନାରେ କୌଣସି ଭେଦଭାବ ହୋଇନାହିଁ।

୮- ବିରୋଧୀ ସନାତନ ଧର୍ମକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି। ଏହା କେବଳ ବିରୋଧୀଙ୍କ ପାଇଁ ସନାତନ ବିରୋଧ ନୁହେଁ ବରଂ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ହିନ୍ଦୁମାନଙ୍କୁ ବିରୋଧ କରିବା।

୯- ଧର୍ମନିରପେକ୍ଷତା ନାମରେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛି। ଯେଉଁମାନେ ଦେଶ ଭାଙ୍ଗୁଛନ୍ତି ସେମାନଙ୍କ ସହ କଂଗ୍ରେସ ଛିଡା ହୋଇଛି। ସମଗ୍ର ବିରୋଧୀ ଏକ ଗୋଷ୍ଠୀର ଅଂଶ ଯାହା ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଛି।

୧୦- ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି। ମିଶନ୍ ଚନ୍ଦ୍ରଯାନରେ ମହିଳାଙ୍କ ଅଂଶଗ୍ରହଣ ସମସ୍ତଙ୍କ ପାଇଁ ଏକ ପ୍ରେରଣା।

Categories
ବିଶେଷ ଖବର

କରୋନା ଭୂତାଣୁ ଦୈବୀ କୃତ, ହେଲେ ଦେଶର ଆର୍ଥିକ ଦୁରବସ୍ଥା ସରକାରୀ କୁପରିଚାଳନାର ପରିଣାମ 

କେଦାର ମିଶ୍ର

ପରିଶେଷରେ ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ସ୍ଵୀକାର କରିଛନ୍ତି ଯେ ଦେଶର ଅର୍ଥନୀତି ଚଳିତ ବର୍ଷ ନକରାତ୍ମକ ହେବାକୁ ଯାଉଛି। ଅର୍ଥାତ ପୂର୍ବରୁ ପୃଥିବୀର ବିଭିନ୍ନ ସଂସ୍ଥା ଭାରତର ଅର୍ଥନୀତିର ଦୁରବସ୍ଥା ବିଷୟରେଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ସତ୍ୟ ବୋଲି ପ୍ରଥମ ସରକାରୀ ସ୍ଵୀକାରୋକ୍ତି ଆମକୁ ମିଳିଛି। ତେବେ ଏଥିଲାଗି ଭଗବାନଙ୍କୁ ଦାୟୀ କରିଛନ୍ତି ଆମର ଅର୍ଥମନ୍ତ୍ରୀ। କରୋନା ଭୂତାଣୁ ଦୈବୀ କୃତ ଓ ସେଥିଲାଗି ଅର୍ଥନୀତି ଋଣାତ୍ମକ ଦିଗକୁ ଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। କରୋନା ଭୂତାଣୁ ଭଗବାନଙ୍କ ଦାନ ହୋଇଥାଇପାରେ ହେଲେ ଏହି ଭୂତାଣୁ ର ମୁକାବିଲା କରିବାକୁ ଯାଇ ଦେଶର ଅର୍ଥନୀତି ତାଳି ତଳାନ୍ତ କରିବାରେ ଭଗବାନଙ୍କୁ ଦାୟୀ କରିବା, ଏକ ହାସ୍ୟାସ୍ପଦ ଯୁକ୍ତି। ପୃଥିବୀର ବହୁ ଦେଶ କରୋନା ମୁକାବିଲା ସହିତ ଅର୍ଥନୀତିକୁ ଚଳାଇ ରଖିବାର ସମାନ୍ତରାଳ ରଣନୀତି ତିଆରି କରିଛନ୍ତି। ଆମର ପଡିଶା ବାଂଲାଦେଶ ଓ ପାକିସ୍ତାନ “ଲକ ଡାଉନ” କୁ ଅତ୍ୟନ୍ତ ସୀମିତ ଓ ଅର୍ଥନୀତିର ଗତିବିଧିରେ ବେଶୀ ବାଧା ସୃଷ୍ଟି ନକରି କରୋନା ଭୂତାଣୁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଭାରତ ସରକାର “ଲକ ଡାଉନ” ମାଧ୍ୟମରେ ପ୍ରାୟ ଦୁଇମାସରୁ ଅଧିକ ସମୟ ଦେଶର ଅର୍ଥନୀତି ସଂପୂର୍ଣ୍ଣ ଠପ କରିଦେବା ପରେ, ଏହା ଆଜି ମଧ୍ୟ ନିଜର ସାଧାରଣ ଗତିକୁ ଫେରିନାହିଁ।

କରୋନା ପାଇଁ ପୃଥିବୀର ଅର୍ଥନୀତି ସହିତ ଆମର ଅର୍ଥନୀତି ମଧ୍ୟ ଖରାପ ପ୍ରଦର୍ଶନ କରୁଛି। ତେବେ ଏହା କେବଳ କରୋନା ଯୋଗୁଁ ଘଟିନାହିଁ। ବିମୂଦ୍ରାକରଣ ଏବଂ ବିଭ୍ରାନ୍ତିକର ଜିଏସଟି ବ୍ୟବସ୍ଥା ପରଠୁ ଆମର ଅଭିବୃଦ୍ଧି ତଳକୁ ତଳକୁ ଖସି ଚାଲିଥିଲା। କରୋନା ଭୂତାଣୁ ସେହି ନିମ୍ନ ଗତିକୁ ଅଧିକ ଧ୍ଵଂସ ଆଡକୁ ଟାଣି ନେଇଛି। ଆଜି ଜିଏସଟି ଆଇନ ଅନୁଯାୟୀ ରାଜ୍ଯମାନଙ୍କୁ ଦେବାକୁ ଥିବା ଭରଣା ଅର୍ଥ ଦେବାକୁ କେନ୍ଦ୍ର ସରକାର ନିଜକୁ ଅସମର୍ଥ ବୋଲି କହୁଛନ୍ତି। ଅର୍ଥନୀତି ତଥା ରାଜ୍ଯମାନଙ୍କର ଦେବାଳିଆ ଅବସ୍ଥା ଲାଗି ଭଗବାନ ନୁହନ୍ତି, ଖୋଦ କେନ୍ଦ୍ର ସରକାର ଏଥିଲାଗି ଦାୟୀ।

ଗୋଟେ ସମୟରେ ଆମେ ଦୁଇ ଅଙ୍କ ବିଶିଷ୍ଟ ଜିଡିପି କଥା ଚିନ୍ତା କରୁଥିଲେ। ଅର୍ଥାତ ବାର୍ଷିକ ୧୦% ରୁ ଅଧିକ ଅଭିବୃଦ୍ଧି ଆମର ହେବ ବୋଲି ଆମର ଚିନ୍ତା ଥିଲା। ଆମେ ସେହି ସ୍ଥିତିର ପାଖାପାଖି ପହଞ୍ଚି ଯାଇଥିଲେ ମଧ୍ୟ।୨୦୦୬-୦୭ ଆର୍ଥିକ ବର୍ଷରେ ଆମର ଆର୍ଥିକ ଅଭିବୃଦ୍ଧି ୯.୫୭ ରେ ପହଞ୍ଚିଥିଲା। ଅଟଳ ବିହାରୀ ବାଜପାୟୀ ଓ ମନମୋହନ ସିଂ ସରକାର ସମୟରେ ଭାରତକୁ ପୃଥିବୀର ନୂଆ ଅର୍ଥନୈତିକ ସିଂହ ବୋଲି କୁହା ଯାଉଥିଲା। ଆର୍ଥିକ ଉଦାରୀକରଣ ଓ ଏକ ଭାରତୀୟ ବଜାରର ସଂପ୍ରସାରଣ ଫଳରେ ପୂରା ପୃଥିବୀର ଅର୍ଥନୈତିକ ଆଶାବାଦ ଭାରତରେ ଗଢିଉଠୁଥିଲା। ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧିର ଲକ୍ଷ୍ୟ ରୁ ଆମେ ଏବେ ଆସି ନକରାତ୍ମକ ଅଭିବୃଦ୍ଧି ର ସମୟରେ ପହଞ୍ଚିଛୁ।

କରୋନା ମହାମାରୀର ପ୍ରଭାବ ଯୋଗୁଁ ଚଳିତ ବର୍ଷ ଭାରତର ଅଭିବୃଦ୍ଧି ହାର -୪.୯ ହୋଇପାରେ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆକଳନ କରିଛି। ଲକ ଡାଉନ ର ପ୍ରଥମ ପର୍ୟାୟ ପରେ ଦେଶର ଅଭିବୃଦ୍ଧି ୧.୯ କୁ ଖସିଆସିବ ବୋଲି ଏପ୍ରିଲ ରେ ଆଇଏମଏଫ କହିଥିଲା। ଏବେ ନିଜର ପୂର୍ବାନୁମାନକୁ ସଂଶୋଧନ କରି ଏହା -୪.୯ ହେବ ବୋଲି ଅନୁମାନ କରାଯାଉଛି। ତେବେ କୋଭିଡ ସଂକ୍ରମଣ ତଥା ଏଥିଲାଗି ଆଗକୁ ଜାରି ରହିଥିବା ଲକ ଡାଉନର ସମୟସୀମା ଉପରେ, ଏହି ଅଙ୍କ ନିର୍ଭର କରୁଛି। ଲକ ଡାଉନ ଖୋଲିବାର ପ୍ରକ୍ରିୟା ଭାରତରେ ଆରମ୍ଭ ହୋଇଥିଲେ ମଧ୍ୟ ଦେଶରେ କୋଭିଡ ସଂକ୍ରମଣ ବଢି ବଢି ଚାଲିଛି। ଦେଶରେ ସଂକ୍ରମିତ ଅଞ୍ଚଳ ଯେତେ ବଢିବ, ସେହି ସବୁ ଅଞ୍ଚଳରେ ଆର୍ଥିକ ଗତିରୋଧ ଲାଗି ରହିବ। ଅତି ସହଜ ଭାବରେ କହିଲେ, ଯେତେ ଅଧିକ ବନ୍ଦ ସେତେ ଅଧିକ ଆର୍ଥିକ କ୍ଷତି। ଆର୍ଥିକ କ୍ଷତିର ଏହି ଦୁର୍ଦ୍ଦିନ ଆମର ଅର୍ଥନୈତିକ ଭବିଷ୍ୟତକୁ ଘୋର ଅନ୍ଧାର ଆଡକୁ ନେଇଯିବ।

ତେବେ ଆମର ମୂଳ ଚିନ୍ତା ହେଉଛି ନେଗେଟିଭ ଜିଡିପିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ କଣ ପଡିବ! ସାଧାରଣ ଲୋକର ଭାଷାରେ କହିଲେ ଯେତେବେଳେ ଘରକୁ ଅଧିକ ପଇସା ଆସୁଛି, ଆପଣ ସେତେବେଳେ ଅଧିକ ଖର୍ଚ୍ଚ ଓ ଅଧିକ ସଞ୍ଚୟ କରୁଛନ୍ତି। ଆୟ ଯେତେ କମୁଛି, ବ୍ୟୟ ମଧ୍ୟ ସେତିକି କମୁଛି। ଯେତେବେଳେ ଆମର ଅଭିବୃଦ୍ଧି ହାର ୭% ରୁ ୪% କମି ଆସିଲା, ସେତେବେଳେ ଆମେ ଦେଖିଲୁ ଆମ ଦେଶରେ ନୂଆ ଗାଡି କିଣିବା ବନ୍ଦ ହୋଇଗଲା। ଲୋକେ ବିସ୍କୁଟ ଓ ଚକୋଲେଟ କିଣିବା କମ କରିଦେଲେ। ନୂଆ ଲୁଗାର ବିକ୍ରି କମ ହୋଇଗଲା। ଏବେ ୪% ଜାଗାରେ ଯେତେବେଳେ -୪.୯% ଅଭିବୃଦ୍ଧି ହେବ, ସେଥିରେ ଆମ ଜୀବନ ଋଣ ଯନ୍ତାରେ ପଡିବାକୁ ବାଧ୍ୟ। ନେଗେଟିଭ ଜିଡିପିର ଅର୍ଥ ହେଉଛି, ଆମର ଆୟ ତୁଳନାରେ ବ୍ୟୟ ବହୁତ ବହୁତ ଅଧିକ।

ଅତି ସହଜ ଭାଷାରେ କହିଲେ, ଆଗାମୀ ଦିନରେ ଆମ ହାତକୁ ପଇସା ଆସିବା କମିଯିବ। ଉତ୍ପାଦନ କମିବା ସହିତ ରୋଜଗାର କମିବ। ଲୋକଙ୍କର ଚାକିରୀ ଚାଲିଯିବ। ଚାକିରୀ ଯାହାର ରହିବ, ସେ ପୂର୍ବ ତୁଳନାରେ କମ ଉପାର୍ଜନ କରିବେ। ବଜାରରେ ବିକାକିଣା ସଙ୍କୁଚିତ ହେବ। ସରକାର ଜନ କଲ୍ୟାଣ ଲାଗି ଯେତେ ଟଙ୍କା ଖର୍ଚ୍ଚ କରୁଥିଲେ, ସେତିକି ଖର୍ଚ୍ଚ କରି ପାରିବେ ନାହିଁ। ଆୟ କମିବ, ହେଲେ ବଜାରରେ ଦରଦାମ ବଢିବ। ଦରଦାମ ବଢିଲେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବ।

ଆଜି ଦେଶର ଆର୍ଥିକ ଦୁରବସ୍ଥାକୁ ସମ୍ଭାଳିବା ଲାଗି ସରକାରଙ୍କର କୌଣସି ପ୍ଯାକେଜ କାମ ଦେଉନାହିଁ। ଋଣ ମାଧ୍ୟମରେ ଅର୍ଥନୀତିକୁ ସୁଧାରିବାର ଯେଉଁ ଅବାସ୍ତବ ପ୍ଯାକେଜ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ, ତାର ସାମାନ୍ଯ ପ୍ରଭାବ ଆମ ଅର୍ଥନୀତିରେ ପଡିଲା ନାହିଁ। ଏହି ପ୍ଯାକେଜ କେବଳ କାଗଜ କାଳିର ଅପବ୍ୟୟ ବୋଲି ଅର୍ଥନୀତିଜ୍ଞମାନେ ସେତେବେଳେ କହିଥିଲେ। ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି। ଆସନ୍ତା ମାସରୁ ଅନେକ ରାଜ୍ୟ ସରକାର ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ଅସମର୍ଥ ବୋଲି କହିଲେଣି। “ଲକ ଡାଉନ” ଜରିଆରେ ସବୁ ରାଜ୍ୟ ସରକାରଙ୍କ ଉପରେ ଦାଦାଗିରି ଦେଖାଇଥିବା କେନ୍ଦ୍ର ସରକାର ଏବେ ରାଜ୍ୟ ମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ଦେବାକୁ ଅସମର୍ଥ ବୋଲି କହୁଛନ୍ତି।

ଏହା ଭଗବାନଙ୍କର କାମ ନୁହେଁ, ବରଂ ମୋଦୀ ସରକାରର ଆର୍ଥିକ କୁପରିଚାଳନାର ପରିଣାମ ବୋଲି ଆମକୁ ସ୍ଵୀକାର କରିବାକୁ ହେବ।