ନୂଆଦିଲ୍ଲୀ: ସିନେମା କେବଳ ମନୋରଞ୍ଜନ ନୁହେଁ; ଏହା ଏକ ଦେଶର ସଂସ୍କୃତି, ଇତିହାସ ଏବଂ ସାମାଜିକ ବିକାଶର ପ୍ରତିଫଳନ। ଭାରତ ଭଳି ବିବିଧ ଓ ସାଂସ୍କୃତିକ ସମୃଦ୍ଧ ଦେଶରେ ସିନେମା ଐତିହ୍ୟ ସଂରକ୍ଷଣର ଗୁରୁତ୍ୱକୁ ଅଣଦେଖା କରାଯାଇ ପାରିବ ନାହିଁ। କିନ୍ତୁ କିମ୍ବଦନ୍ତୀ ଅଭିନେତା ଓ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ନିର୍ମିତ ଏହି ସିନେମା ରତ୍ନଗୁଡ଼ିକ ମଧ୍ୟରୁ ଅନେକ ଚଳଚ୍ଚିତ୍ର ମୁଦ୍ରଣର ଅବନତି ଏବଂ ଉପଯୁକ୍ତ ସଂରକ୍ଷଣ ଅଭାବରୁ ସମୟ ସହିତ ଏହା ନଷ୍ଟ ହେବାର ଆଶଙ୍କା ରହିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନର ଏକ ଅଂଶ ଭାବରେ ପୁରୁଣା କ୍ଲାସିକଗୁଡ଼ିକର ପୁନରୁଦ୍ଧାର ଏବଂ ସଂରକ୍ଷଣ ପାଇଁ କରିଥିବା ପ୍ରୟାସକୁ ବିଶିଷ୍ଟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱମାନେ ପ୍ରଶଂସା କରିଛନ୍ତି, ଯେଉଁମାନେ ବିଶ୍ୱ ସିନେମା ଦିବସ ଅବସରରେ ଭାଷଣ ଦେଇ ଭାରତର ପୁନରୁଦ୍ଧାର ହୋଇଥିବା ରତ୍ନ ଦେଖିବାର ଅଭିଜ୍ଞତା ବଖାଣିଥିଲେ ଏବଂ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ତଥା ଦାଦା ସାହେବ ଫାଲକେ ପୁରସ୍କାର ୨୦୨୩ ଗ୍ରହଣ କରିଥିବା ୱାହିଦା ରେହମାନ, ରେଶମା ଓର ଶେରା, ଗାଇଡ୍, ଚୌଦଭି କା ଚାନ୍ଦ ଭଳି କ୍ଲାସିକ୍ ଚଳଚ୍ଚିତ୍ର ପାଇଁ ଜଣାଶୁଣା, ପୁନରୁଦ୍ଧାର ହୋଇଥିବା କ୍ଲାସିକ୍ ଦେଖିବାର ଅନୁଭୂତି ବାଣ୍ଟି କହିଛନ୍ତି, “ମୁଁ ମୋର ନିଜ ପିକ୍ଚର (ଚଳଚ୍ଚିତ୍ର) ଦେଖିବାକୁ ପସନ୍ଦ କରେ ନାହିଁ, କାରଣ ଏଥିରେ ସମସ୍ତ ପ୍ରକାର ତ୍ରୁଟି ଦେଖାଯାଏ, କିନ୍ତୁ ମୁଁ ଗାଇଡ୍ ର ପୁନରୁଦ୍ଧାର ସଂସ୍କରଣ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ୬୦ ବର୍ଷ ପରେ, ଏହା ଏକ ଉତ୍କୃଷ୍ଟ ଏବଂ ପରିପକ୍ୱ ଚିତ୍ର ହୋଇ ରହିଛି ଯାହା ବହୁତ ମନୋରଞ୍ଜନକାରୀ ମଧ୍ୟ ଅଟେ। ମୋ ପାଖରେ ମୋ ଝିଅ ସହିତ ବଡ଼ ପରଦାରେ ଏହାକୁ ଦେଖିବା ଏକ ସ୍ୱତନ୍ତ୍ର ରୋମାଞ୍ଚ ଥିଲା। ମୁଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ସେମାନେ ଏହି ଚଳଚ୍ଚିତ୍ର ଗୁଡ଼ିକର ପୁନରୁଦ୍ଧାର କରିଛନ୍ତି ଏବଂ ଭବିଷ୍ୟତ ପିଢ଼ି ଉପଭୋଗ କରିବା ପାଇଁ ଏହାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଗୋବିନ୍ଦ ନିହଲାନୀ କହିଛନ୍ତି, ‘ମୋ ଫିଲ୍ମ ‘ଅଘାତ’ର ପୁନରୁଦ୍ଧାର ହୋଇଥିବା ସଂସ୍କରଣ ଦେଖିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ଶବ୍ଦ ଗୁଣବତ୍ତା, କଲର ସଂଶୋଧନ, ଗ୍ରେନ୍ ମ୍ୟାନେଜମେଣ୍ଟ; ସବୁକିଛି ଉତ୍କୃଷ୍ଟ ଥିଲା। ମୁଁ ଖୁସି ଯେ ଏମଆଇବି ଏବଂ ଏନଏଫଡିସି-ଏନଏଫଏଆଇ ମୋର ୩୫ ମିଲିମିଟର ଚଳଚ୍ଚିତ୍ର ଅଘାତକୁ ପୁନରୁଦ୍ଧାର କରିଛନ୍ତି।
ବାସ୍ତବରେ, ଏନଏଫଡିସି-ଏନଏଫଏଆଇ ଭାରତର ସିନେମା ସମ୍ପଦର ସୁରକ୍ଷା ଏବଂ ସଂରକ୍ଷଣ ରେ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହା ସୁନିଶ୍ଚିତ କରିଛି ଯେ ଭବିଷ୍ୟତ ପିଢ଼ି ଭାରତୀୟ ସିନେମାର ସମୃଦ୍ଧ ଟେପେଷ୍ଟ୍ରିକୁ ପ୍ରବେଶ କରିପାରିବେ ଏବଂ ପ୍ରଶଂସା କରିପାରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ୨୦୧୫ ମସିହାରେ ଆରମ୍ଭ ହୋଇଥିବା ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନ ଏକ ସରକାରୀ ପଦକ୍ଷେପ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ବିଶାଳ ସିନେମା ଐତିହ୍ୟର ସଂରକ୍ଷଣ, ସଂରକ୍ଷଣ ଏବଂ ଡିଜିଟାଇଜ୍ କରିବା। ଏନ୍ଏଫ୍ଏଚ୍ଏମ୍ ହେଉଛି ଏକ ବିଶାଳ ଉଦ୍ୟୋଗ ଯାହା ଚଳଚ୍ଚିତ୍ର ସଂରକ୍ଷଣର ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରେ, ଯେଉଁଥିରେ ଖରାପ ହେଉଥିବା ଚଳଚ୍ଚିତ୍ରଗୁଡ଼ିକର ପୁନରୁଦ୍ଧାର, ଚଳଚ୍ଚିତ୍ର ପ୍ରିଣ୍ଟର ଡିଜିଟାଇଜେସନ୍, ଡକ୍ୟୁମେଣ୍ଟେସନ୍ ଏବଂ ପ୍ରତିଷେଧକ ସଂରକ୍ଷଣ ଅନ୍ତର୍ଭୁକ୍ତ, ଯାହା ଏନଏଫଡିସି-ଏନଏଫଏଆଇର ପୁନେ କ୍ୟାମ୍ପସରେ ଅତ୍ୟାଧୁନିକ ପୁନରୁଦ୍ଧାର ଏବଂ ଡିଜିଟାଇଜେସନ ସୁବିଧାରେ କରାଯାଇଥାଏ। ନିର୍ଦ୍ଦେଶକ ବିଜୟ ଆନନ୍ଦଙ୍କ ପୁଅ ତଥା ଅଭିନେତା ଦେବ ଆନନ୍ଦଙ୍କ ପୁତୁରା ବୈଭବ ଆନନ୍ଦ, ଯିଏ କି ନିକଟରେ ତାଙ୍କ ଦାଦା ଦେବ ଆନନ୍ଦଙ୍କ ଚଳଚ୍ଚିତ୍ରର ସ୍କ୍ରିନିଂ ଦେଖିବା ପାଇଁ ଏବଂ ଦେବ ଆନନ୍ଦଙ୍କ ଚଳଚ୍ଚିତ୍ରର ମୂଳ ପୋଷ୍ଟରର ପ୍ରଦର୍ଶନୀ ଦେଖିବାକୁ ଯାଇଥିଲେ, କହିଛନ୍ତି, “ଏନଏଫଡିସି-ନ୍ୟାସନାଲ ଫିଲ୍ମ ଆର୍କାଇଭ୍ ଅଫ୍ ଇଣ୍ଡିଆ ଏବଂ ଜାତୀୟ ଚଳଚ୍ଚିତ୍ର ଐତିହ୍ୟ ମିଶନ ଅଧୀନରେ ଏହା ଏକ ମହାନ ପଦକ୍ଷେପ। ପୁନେସ୍ଥିତ ଏନଏଫଡିସି-ଏନଏଫଏଆଇରେ ଅନ୍ତର୍ଜାତୀୟ ଏବଂ ଭାରତୀୟ ଜ୍ଞାନକୌଶଳ ଏବଂ ଦକ୍ଷତାର ମିଶ୍ରଣ ମାଧ୍ୟମରେ ଭାରତର ଚଳଚ୍ଚିତ୍ରଗୁଡ଼ିକର ଲାଇବ୍ରେରୀ ପୁନରୁଦ୍ଧାର ଏବଂ ସଂରକ୍ଷଣ କରାଯାଉଛି।
ଏହି ପ୍ରଗତିଶୀଳ ପଦକ୍ଷେପ ପାଇଁ ମୁଁ ଭାରତ ସରକାର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ବାସ୍ତବରେ ବିଭିନ୍ନ ମହାନ ଚଳଚ୍ଚିତ୍ର ନିର୍ମାତାଙ୍କ ପରିବାର ସଦସ୍ୟ ମାନେ ଏହି ପଦକ୍ଷେପକୁ ବହୁତ ପ୍ରଶଂସା କରିଛନ୍ତି। ଶ୍ରୀ ଭରତ ଭୂଷଣଙ୍କ ନାତୁଣୀ ବିଷ୍ଣୁପ୍ରିୟା ପଣ୍ଡିତ କହିଛନ୍ତି, ଜଣେ ସିନେପ୍ରେମୀ ଏବଂ ଉତ୍ସାହୀ ସିନେମା ପ୍ରେମୀ ହିସାବରେ ଭାରତୀୟ ସିନେମାର ସୁବର୍ଣ୍ଣ ଇତିହାସକୁ ନବୀକରଣ କରିବା ପାଇଁ ଏନ୍ଏଫଡିସି-ଏନ୍ଏଫ୍ଏଆଇ ଦ୍ୱାରା ନିଆଯାଇଥିବା ପ୍ରୟାସକୁ ମୁଁ ପ୍ରକୃତରେ ପ୍ରଶଂସା କରୁଛି। ନାତୁଣୀ ହିସାବରେ ମୋ ଜେଜେବାପା ଶ୍ରୀ ଭରତ ଭୂଷଣଙ୍କୁ ରୂପେଲି ପରଦାରେ ଦେଖିବା ଏକ ଜୀବନବ୍ୟାପୀ ଇଚ୍ଛା ଥିଲା ଏବଂ ଏହାକୁ ଥିଏଟରରେ ଅନୁଭବ କରିବା ଏକ ଅତ୍ୟନ୍ତ ଆନନ୍ଦର ବିଷୟ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ‘ବରସାତ କି ରାତ’ର ପୁନରୁଦ୍ଧାର କରିଥିବାରୁ ମୁଁ ଏନଏଫଡିସି-ଏନଏଫଏଆଇକୁ ଧନ୍ୟବାଦ ଜଣାଉଛି ଯେ ସେମାନେ ଏହି ଚଳଚ୍ଚିତ୍ରକୁ ରୂପେଲି ପରଦାରେ ଦେଖିବା ପାଇଁ ନିମନ୍ତ୍ରଣ କରିଛନ୍ତି। ଏହି ଅନୁଭୂତି ମୋ ସହିତ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିବ।
ଆଗାମୀ ମାସଗୁଡ଼ିକରେ, ଏନଏଫଏଚଏମର ଏକ ଅଂଶ ଭାବରେ ବିଭିନ୍ନ ଭାଷାରେ ଅନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ପୁନରୁଦ୍ଧାର କରାଯାଉଛି, ଯେଉଁଥିରେ ଅନେକ ଭାରତୀୟ ଭାଷାର ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ଯାହା ଭାରତୀୟ ସିନେମାର ସମୃଦ୍ଧ ଇତିହାସର ଅଂଶ ଅଟେ। ଚଳଚ୍ଚିତ୍ର ପୁନରୁଦ୍ଧାର ଏବଂ ଡିଜିଟାଇଜେସନ୍ ପ୍ରକ୍ରିୟା ବିଷୟରେ ଏନଏଫଡିସିର ଏମଡି ପୃଥୁଲ କୁମାର କହିଛନ୍ତି, “ଏନଏଫଏଚଏମର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି କ୍ଲାସିକ ଫିଲ୍ମର ପୁନରୁଦ୍ଧାର। ସମୟ ଅତିବାହିତ ହେବା, ଅନୁପଯୁକ୍ତ ସଂରକ୍ଷଣ ଏବଂ ବିଭିନ୍ନ ପରିବେଶଗତ କାରଣରୁ ଅନେକ ପୁରୁଣା ଚଳଚ୍ଚିତ୍ର ପ୍ରିଣ୍ଟ ଖରାପ ଅବସ୍ଥାରେ ରହିଛି। ଏହି ସିନେମାଗୁଡ଼ିକୁ ସତର୍କତାର ସହ ସଂରକ୍ଷଣ କରା ନ ଗଲେ ସବୁଦିନ ପାଇଁ ହଜିଯିବାର ଆଶଙ୍କା ରହିଛି। ପୁରୁଣା ଏବଂ ଖରାପ ପ୍ରିଣ୍ଟଗୁଡ଼ିକୁ ସତର୍କତାର ସହ ପୁନରୁଦ୍ଧାର କରାଯାଏ, ଯାହା ସୁନିଶ୍ଚିତ କରେ ଯେ ଚଳଚ୍ଚିତ୍ରର ମୂଳ ଗୁଣବତ୍ତା ବଜାୟ ରହିବ। ଏନଏଫଏଚଏମ୍ ର ଅନ୍ୟତମ ପ୍ରମୁଖ ଉପାଦାନ ହେଉଛି ଚଳଚ୍ଚିତ୍ରର ଡିଜିଟାଇଜେସନ୍। ଏହି ପ୍ରକ୍ରିୟାରେ ଆନାଲଗ ଫିଲ୍ମ ପ୍ରିଣ୍ଟଗୁଡିକୁ ସ୍କାନିଂ କରିବା ଏବଂ ଡିଜିଟାଲ ଫର୍ମାଟରେ ରୂପାନ୍ତରିତ କରିବା ଅନ୍ତର୍ଭୁକ୍ତ, ଯାହା କେବଳ ସେମାନଙ୍କର ଦୀର୍ଘକାଳୀନ ସଂରକ୍ଷଣକୁ ସୁନିଶ୍ଚିତ କରେ ନାହିଁ ବରଂ ଏହାକୁ ବ୍ୟାପକ ଦର୍ଶକଙ୍କ ପାଇଁ ଉପଲବ୍ଧ କରିଥାଏ। ଡିଜିଟାଇଜେସନ୍ ପ୍ରକ୍ରିୟା କ୍ଲାସିକ୍ ଚଳଚ୍ଚିତ୍ରଗୁଡ଼ିକର ପୁନରୁଦ୍ଧାର ଏବଂ ବିତରଣକୁ ସହଜରେ ଉପଲବ୍ଧ କରାଇଥାଏ, ଯାହା ଭବିଷ୍ୟତ ପିଢ଼ି ପାଇଁ ଅଧ୍ୟୟନ ଏବଂ ଉପଭୋଗ ପାଇଁ ଉପଲବ୍ଧ କରାଇଥାଏ। ଏହି ପ୍ରୟାସ ମାଧ୍ୟମରେ, ଏନଏଫଡିସି-ଏନଏଫଏଆଇ ସୁନିଶ୍ଚିତ କରେ ଯେ ବିଗତ ଦିନର ସିନେମା ରତ୍ନଗୁଡିକ ସମୟର ବିପର୍ଯ୍ୟୟରେ ଯେପରି ହଜିନଯିବ। ‘ବରସାତ୍ କି ରାତ’, ‘ସି.ଆଇ.ଡି’ (୧୯୫୬), “ଗାଇଡ୍” (୧୯୬୫), “ଜୁଏଲ୍ ଥିଫ୍” (୧୯୬୭), “ଜନି ମେରା ନାମ” (୧୯୭୦), “ବିସ୍ ସାଲ ବାଦ” (୧୯୬୨), ‘ଆଘାତ’ (୧୯୮୫) ଭଳି ସିନେମା ଏବଂ ଆହୁରି ଅନେକ ଙ୍କୁ ମୁକ୍ତିଲାଭର ଦଶନ୍ଧି ପରେ ୪କେ ରିଜୋଲ୍ୟୁସନରେ ରୂପେଲି ପରଦାକୁ ଅଣାଯାଇଛି।
ଏନଏଫଡିସି–ଏନଏଫଏଆଇ ବିଷୟରେ:
ପୁନେରେ ମୁଖ୍ୟାଳୟ ଥିବା ଏନଏଫଡିସି-ଏନଏଫଏଆଇ ଭାରତ ଏବଂ ସମଗ୍ର ବିଶ୍ୱରୁ ଚଳଚ୍ଚିତ୍ର ସଂଗ୍ରହ, ତାଲିକାକରଣ ଏବଂ ସଂରକ୍ଷଣ ପାଇଁ ଦାୟୀ। ସାଇଲେଣ୍ଟ କ୍ଲାସିକ୍, ଡକ୍ୟୁମେଣ୍ଟାରୀ, ଫିଚର ଫିଲ୍ମ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ସମେତ ୩୦,୦୦୦ ରୁ ଅଧିକ ଚଳଚ୍ଚିତ୍ର ଟାଇଟଲର ଏକ ବିଶାଳ କଲେକ୍ସନ ସହିତ, ଏନଏଫଏଆଇ ଭାରତର ସିନେମା ଇତିହାସର ରକ୍ଷକ ଭାବରେ କାର୍ଯ୍ୟ କରେ।
ଚଳଚ୍ଚିତ୍ର ସଂରକ୍ଷଣ ପାଇଁ ଏନଏଫଏଆଇର ପ୍ରତିବଦ୍ଧତା ସହିତ ଏହାର ଅତ୍ୟାଧୁନିକ ଚଳଚ୍ଚିତ୍ର ସଂରକ୍ଷଣ ସୁବିଧା, ତାପମାତ୍ରା ନିୟନ୍ତ୍ରିତ ଭଲ୍ଟ ଏବଂ ବିଶେଷଜ୍ଞ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ , ଯେଉଁମାନେ ଚଳଚ୍ଚିତ୍ର ରିଲ୍ ର ଯତ୍ନ ପାଇଁ ଉତ୍ସର୍ଗୀକୃତ ଅଟନ୍ତି। ଏନଏଫଏଚଏମ ଅଧୀନରେ ଏନଏଫଡିସି-ଏନଏଫଏଆଇ ଚଳଚ୍ଚିତ୍ର ପୁନରୁଦ୍ଧାର ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି, ଯାହାର ଲକ୍ଷ୍ୟ ଖରାପ ହେଉଥିବା ଚଳଚ୍ଚିତ୍ରଗୁଡ଼ିକୁ ସେମାନଙ୍କର ମୂଳ ଗୌରବକୁ ଫେରାଇ ଆଣିବା। ଏନଏଫଡିସି-ଏନଏଫଏଆଇ ସିନେମା କ୍ଷେତ୍ରରେ ଗବେଷଣା ଏବଂ ଶିକ୍ଷାର ଏକ କେନ୍ଦ୍ର ଭାବରେ ମଧ୍ୟ କାର୍ଯ୍ୟ କରେ। ସ୍କଲାର, ଚଳଚ୍ଚିତ୍ର ନିର୍ମାତା ଏବଂ ସିନେପ୍ରେମୀମାନେ ଶିକ୍ଷାଗତ ଏବଂ ସୃଜନଶୀଳ ଉଦ୍ଦେଶ୍ୟରେ ଏହାର ସମ୍ବଳ ବ୍ୟବହାର କରିପାରିବେ। ଏହା କେବଳ ଭାରତର ସିନେମା ଇତିହାସକୁ ଗଭୀର ଭାବରେ ବୁଝିବାକୁ ପ୍ରୋତ୍ସାହିତ କରେ ନାହିଁ ବରଂ ଅତୀତରୁ ପ୍ରେରଣା ନେଇ ନୂତନ କୃତି ସୃଷ୍ଟି କୁ ମଧ୍ୟ ପ୍ରୋତ୍ସାହିତ କରେ। ଚଳଚ୍ଚିତ୍ରଗୁଡ଼ିକର ସଂରକ୍ଷଣ ଏବଂ ଡିଜିଟାଇଜେସନ୍, ମାଧ୍ୟମର ପ୍ରଶଂସା କୁ ପ୍ରୋତ୍ସାହିତ କରିବା ଏବଂ ସିନେମା କ୍ଷେତ୍ରରେ ଗବେଷଣା ଏବଂ ସୃଜନଶୀଳତାକୁ ସମର୍ଥନ କରି, ଏନଏଫଡିସି-ଏନଏଫଏଆଇ ସୁନିଶ୍ଚିତ କରେ ଯେ ଭବିଷ୍ୟତ ପିଢ଼ି ଭାରତର ବିବିଧ ସିନେମା ଇତିହାସ ସହିତ ଯୋଡ଼ି ହୋଇପାରିବେ।