Categories
ଆଜିର ଖବର ଖେଳ ଜାତୀୟ ଖବର

ଦ୍ଵିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇଲା ଭାରତୀୟ ମହିଳା ଟିମ୍

ଲକ୍ଷ୍ନୌ: ଭାରତୀୟ ମହିଳା ଟିମ୍ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା ମହିଳା ଟିମକୁ ହରାଇ ୫ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ଭାରତ ପକ୍ଷରୁ ଝୁଲଣ ଗୋସ୍ଵାମୀ ୪ ଟି ୱିକେଟ ନେଇଥିବା ବେଳେ ସ୍ମୃତ୍ତି ମାନ୍ଧନା ଅପରାଜିତ ୮୦ ରନ ସଂଗ୍ରହ କରିଥିଲେ।

ଭାରତୀୟ ଅଧିନାୟିକା ମିତାଲି ରାଜ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୪୧ ଓଭରରେ ୧୫୭ ରନ କରି ସମସ୍ତ ୱିକେଟ ହରାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲାରା ଗୁଡାଲ ୭୭ ଟି ବଲରେ ସର୍ବାଧିକ ୪୯ ସଂଗ୍ରହ କରିଥିବା ବେଳେ ଅଧିନାୟିକା ସାନେ ଲୁସ ୩୬ ରନ କରିଥିଲେ। ଭାରତୀୟ ଦୃତ ବୋଲର ଝୁଲଣ ଗୋସ୍ଵାମୀ ୪୨ ରନ ଦେଇ ସର୍ବାଧିକ ୪ ଟି ୱିକେଟ, ରାଜେଶ୍ଵରୀ ଗାୟକ୍ଵଡ ୩୭ ରନ ଦେଇ ୩ ଟି ୱିକେଟ ଏବଂ ମାନସୀ ଯୋଶୀ ୨୩ ରନ ଦେଇ ୨ ଟି ୱିକେଟ ଅକ୍ତିଆର କରିଥିଲେ।

୧୫୮ ରନ ଲକ୍ଷ୍ୟକୁ ପିଛା କରି ପଞ୍ଚମ ଓଭରରେ ଭାରତ ପ୍ରାରମ୍ଭିକ ଖେଳାଳି ଜେମିମାହ ରଡ୍ରିଗ୍ସ (୯)ର ୱିକେଟ ହରାଇଥିଲା। ଏହାପରେ ସ୍ମୃତ୍ତି ମାନ୍ଧନା ଆକ୍ରମକ ପାଳି ଖେଳି ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ମାନ୍ଧନା ଇସ୍ମାଇଲଙ୍କ ପ୍ରଥମ ଓଭରରେ କ୍ରମାଗତ ଦୁଇଟି ଛକା ମାରିଥିଲେ। ସେ ପୁନମ ରାଉତଙ୍କ ସହ ୧୩୮ ରନର ପାର୍ଟନରଶିପ ପାଳି ଖେଳି ଭାରତକୁ ସହଜ ବିଜୟ ଦେଇଥିଲେ। ସ୍ମୃତ୍ତି ୬୪ ବଲରେ ୧୦ ଟି ଚୌକା ଏବଂ ୩ ଟି ଛକା ବଳରେ ଦୃତ ୮୦ ରନ ସଂଗ୍ରହ କରିଥିଲେ। ସେହିପରି ପୁନମ ରାଉତ ୮୯ ଟି ବଲରେ ୬୨ ରନ କରି ଅପରାଜିତ ରହିଥିଲେ।