ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଏକ ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ ଟିକସ ସରଳୀକରଣ ପଦକ୍ଷେପ କାରଣରୁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ ବୃଦ୍ଧି ପାଇଛି। ଟିକସ ଆକଳନ ବର୍ଷ (ଏୱାଇ) ୨୦୧୫ରୁ ୨୦୨୪ ମଧ୍ୟରେ ଆୟ ବିତରଣରେ ସକାରାତ୍ମକ ପରିବର୍ତ୍ତନକୁ ପ୍ରଦର୍ଶିତ କରୁଛି। ଉଲ୍ଲେଖଯୋଗ୍ୟ, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କ ଆୟ ଅସମାନତା ୭୪.୨% ହ୍ରାସ ପାଇଛି, ଯାହା ଦର୍ଶାଉଛି ଯେ ସରକାରୀ ପଦକ୍ଷେପ ନିମ୍ନ ଆୟବର୍ଗଙ୍କ ମଧ୍ୟରେ ରୋଜଗାର ବୃଦ୍ଧି କରୁଛି।
ଏସବିଆଇ ରିପୋର୍ଟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ବିଷୟରେ ଅବତାରଣା କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଭାରତର ପ୍ରଗତିଶୀଳ ଟିକସ ବ୍ୟବସ୍ଥା କାରଣରୁ ୨୦୨୪ ଆକଳନ ବର୍ଷରେ ମୋଟ୍ ଟିକସ ରାଜସ୍ୱରେ ପ୍ରତ୍ୟକ୍ଷ ଟିକସ ପରିମାଣ ୫୬.୭% ରହିଛି, ଯାହାକି ୧୪ ବର୍ଷ ମଧ୍ୟରେ ସର୍ବାଧିକ। ୨୦୨୧ ଆର୍ଥିକ ବର୍ଷରୁ ବ୍ୟକ୍ତିଗତ ଆୟକର (ପିଆଇଟି) ଆଦାୟ କର୍ପୋରେଟ୍ ଆୟକର (ସିଆଇଟି)କୁ ପଛରେ ପକାଇ ଦେଇଛି। ଏହା ସିଆଇଟିର ୩% ତୁଳନାରେ ୬% ହାରରେ ବୃଦ୍ଧି ପାଇଛି।
୨୦୨୪ ଆର୍ଥିକ ବର୍ଷରେ ପ୍ରତ୍ୟକ୍ଷ ଟିକସ-ଜିଡିପି ଅନୁପାତ ୬.୬୪% ରେ ପହଞ୍ଚିଛି, ଯାହା କି ୨୦୦୦-୦୧ ପରଠାରୁ ସର୍ବାଧିକ। ପ୍ରତ୍ୟକ୍ଷ ଟିକସ ଆଦାୟ ପୂର୍ବ ଆର୍ଥିକ ବର୍ଷରେ ୧.୨୫ରୁ ୧.୮୬କୁ ବୃଦ୍ଧି ପାଇଛି। ଏହାବ୍ୟତୀତ ୨୦୨୪ ଆର୍ଥିକ ବର୍ଷରେ ଟିକସ ଆଦାୟ ଖର୍ଚ୍ଚ ୦.୪୪%କୁ ହ୍ରାସ ପାଇଛି, ଯାହାକି ୨୦୨୩ ଆର୍ଥିକ ବର୍ଷରେ ୦.୫୧% ଥିଲା।
ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ମଧ୍ୟରେ ୫ଟି ରାଜ୍ୟରୁ ୭୦%ରୁ ଅଧିକ ଟିକସ ଆଦାୟ କରାଯାଇଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ୩୮.୯% ସହ ସବୁଠୁ ଆଗରେ ଥିବା ବେଳେ କର୍ଣ୍ଣାଟକ, ଦିଲ୍ଲୀ, ତାମିଲନାଡୁ ଏବଂ ଗୁଜରାଟ ଏହା ପଛକୁ ରହିଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ଏବଂ ତାମିଲନାଡୁରେ ମୁଣ୍ଡପିଛା ଟିକସ ଅବଦାନ ଜାତୀୟ ହାରାହାରିଠାରୁ ଅଧିକ ରହିଥିବା ଏସବିଆଇ ରିପୋର୍ଟରେ ଦର୍ଶାଯାଇଛି। ଅପରପକ୍ଷରେ ରାଜସ୍ଥାନ, ପଞ୍ଜାବ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ମୁଣ୍ଡପିଛା ପ୍ରତ୍ୟକ୍ଷ ଟିକସ କମ୍ ଓ ମୁଣ୍ଡପିଛା ଆୟ କମ୍ ରହିଛି।
୨୦୨୫ ଆକଳନ ବର୍ଷରେ ଟିକସ ପ୍ରଦାନକାରୀଙ୍କ ସଂଖ୍ୟା ୯କୋଟି ଅତିକ୍ରମ କରିଯିବ ବୋଲି ଆଶା କରାଯାଉଛି। ୨୦୨୨ରେ ୭.୩ କୋଟି ଲୋକ ଆଇଟିଆର ଦାଖଲ କରିଥିବା ବେଳେ ୨୦୨୪ରେ ଏହା ୮.୬ କୋଟିକୁ ବୃଦ୍ଧି ପାଇଛି। ୬.୮୯ କୋଟି ବା ୭୯% ଲୋକ ଠିକ୍ ସମୟରେ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି। ଗତ ଦଶ ବର୍ଷ ମଧ୍ୟରେ ମୋଟ୍ ଟିକସଦାତାଙ୍କ ସଂଖ୍ୟା ୨.୩ ଗୁଣା ବୃଦ୍ଧି ପାଇ ୨୦୨୪ରେ ୮.୬୨ କୋଟିରେ ପହଞ୍ଚିଛି। ସେହିପରି ୨୦୧୪ ତୁଳନାରେ ୨୦୨୪ରେ କୋଟିପତି ଟିକସଦାତାଙ୍କ ସଂଖ୍ୟା ପାଞ୍ଚଗୁଣା ବୃଦ୍ଧି ପାଇ ୨.୨ ଲକ୍ଷରେ ପହଞ୍ଚିଛି। ସବୁ ବ୍ୟକ୍ତିଗତ ଟିକସଦାତାଙ୍କ ମଧ୍ୟରେ ମହିଳା ଟିକସଦାତାଙ୍କ ସଂଖ୍ୟା ଆନୁମାନିକ ୧୫% ରହିଛି।
୨୦୨୪ ଆର୍ଥିକ ବର୍ଷରେ ଆଇଟିଆର ଦାଖଲ କରିଥିବା ଶୀର୍ଷ ପାଞ୍ଚଟି ରାଜ୍ୟ ହେଉଛି ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ତାମିଲନାଡୁ, ଯେଉଁଠି ମୋଟ ରିଟର୍ଣ୍ଣର ୪୮% ଦାଖଲ କରାଯାଇଛି। ୨୦୧୫ ଆର୍ଥିକ ବର୍ଷ ତୁଳନାରେ ୨୦୨୪ ଆର୍ଥିକ ବର୍ଷରେ ୫.୧ କୋଟି ଅଧିକ ଆଇଟିଆର ଦାଖଲ ହୋଇଛି, ଯେଉଁଥିରେ ମହାରାଷ୍ଟ୍ରରେ ସର୍ବାଧିକ ବୃଦ୍ଧି ଘଟିଥିବା ବେଳେ ଉତ୍ତରପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ତାମିଲନାଡୁରେ ସର୍ବାଧିକ ବୃଦ୍ଧି ଘଟିଛି। ଜିନି ଅନୁପାତକୁ ଦୃଷ୍ଟିରେ ରଖିଲେ, ବ୍ୟକ୍ତିଗତ ଆୟ ଅସମାନତାରେ କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଛି। ଆଇଟିଆର ତଥ୍ୟ ଉପରେ ଆଧାରିତ ଏହି ଗୁଣାତ୍ମକ, ୨୦୧୩ ଆର୍ଥିକ ବର୍ଷ (ଆର୍ଥିକ ବର୍ଷ ୨୦୧୨)ରେ ୦.୪୮୯ରୁ ହ୍ରାସ ପାଇ ୨୦୨୪ (ଆର୍ଥିକ ବର୍ଷ ୨୦୨୩) ରେ ୦.୪୬୦କୁ ହ୍ରାସ ପାଇଛି। ୨୦୨୫ରେ ଏହି ଅନୁପାତ ଆହୁରି ହ୍ରାସ ପାଇ ୦.୪୪୪ରେ ପହଞ୍ଚିବା ନେଇ ଆକଳନ କରାଯାଇଛି।
୨୦୧୫ ଆକଳନ ବର୍ଷ (ଆର୍ଥିକ ବର୍ଷ ୨୦୧୪)ରେ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲକାରୀମାନଙ୍କ ମଧ୍ୟରୁ ୪୩.୬% ଉଚ୍ଚ ଆୟ ବର୍ଗକୁ ଚାଲିଯାଇଛନ୍ତି। ଏହା ଆୟ ଅସମାନତା ହ୍ରାସ ପାଇବାକୁ ସ୍ପଷ୍ଟ କରିଛି। ବିଶେଷ କରି ୧୫.୧% ଲୋକ ୪-୫ ଲକ୍ଷ ଟଙ୍କା, ୧୮.୭% ୫-୧୦ ଲକ୍ଷ ଟଙ୍କା, ୬.୭% ୧୦-୨୦ ଲକ୍ଷ ଟଙ୍କା ଏବଂ ୫.୮% ରୁ ୨୦-୫୦ ଲକ୍ଷ ଟଙ୍କାରେ ପହଞ୍ଚିଥିବା ବେଳେ ୧.୮% ୫୦ ଲକ୍ଷରୁ ୧ କୋଟି ଟଙ୍କାରେ ପହଞ୍ଚିଛି। ମୋଟାମୋଟି ଭାବେ ସର୍ବନିମ୍ନ ବର୍ଗର ମୋଟ ଆୟ ୨୬.୧% ବୃଦ୍ଧି ପାଇଛି, ୫.୫% ୪-୫ ଲକ୍ଷ ଟଙ୍କା ଏବଂ ୫.୪% ୫-୧୦ ଲକ୍ଷ ବର୍ଗକୁ ଉନ୍ନୀତ ହୋଇଛନ୍ତି।
ଆୟ ବଣ୍ଟନ ବକ୍ରରେ ଦକ୍ଷିଣମୁଖୀ ପରିବର୍ତ୍ତନ ନିମ୍ନ ଆୟ ବର୍ଗର ଆୟ ବୃଦ୍ଧିକୁ ସୂଚାଇଥାଏ। ୩.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ଆୟ ଅଂଶଧନ ୨୦୧୪ ଆର୍ଥିକ ବର୍ଷରେ ୩୧.୮% ରୁ ୨୦୨୧ ଆର୍ଥିକ ବର୍ଷରେ ୧୨.୮% ରେ ପହଞ୍ଚିଛି ଅର୍ଥାତ୍ କମ୍ ଆୟ କରୁଥିବା ଲୋକମାନେ ଏବେ ଅଧିକ ରୋଜଗାର ସହ ଉପରିସ୍ତ ଆୟ ବର୍ଗରେ ସାମିଲ ହେଉଛନ୍ତି। କୋଭିଡ୍-୧୯ ମହାମାରୀ କାରଣରୁ ୨୦୨୦ ଆର୍ଥିକ ବର୍ଷ କୁ ଛାଡ଼ି ଦେଲେ ନିମ୍ନ ଆୟବର୍ଗକାରୀ (୫.୫ ଲକ୍ଷ ଟଙ୍କାରୁ କମ୍ ରୋଜଗାର କରୁଥିବା) ଗତ ଏକ ଦଶନ୍ଧି ମଧ୍ୟରେ ସକାରାତ୍ମକ ଅଭିବୃଦ୍ଧି ହାର ଦେଖାଇଛନ୍ତି।
ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ ଏବଂ କର୍ଣ୍ଣାଟକ ଭଳି ପାରମ୍ପରିକ ଅଗ୍ରଣୀ ରାଜ୍ୟଗୁଡ଼ିକ ସନ୍ତୁଳନ ନିକଟତର ହେଉଛନ୍ତି, ଯାହା ଫଳରେ ସାମଗ୍ରିକ ଟିକସ ଦାଖଲ ଆଧାରରେ ସେମାନଙ୍କ ଅଂଶ କ୍ରମାଗତ ଭାବରେ ହ୍ରାସ ପାଉଛି। ଏ କ୍ଷେତ୍ରରେ ଅନ୍ୟ ରାଜ୍ୟ ପ୍ରଗତି କରୁଛନ୍ତି। ଆୟକର ଦାଖଲ ଆଧାରରେ ଉତ୍ତର ପ୍ରଦେଶ ଏହାର ଅଂଶ ବୃଦ୍ଧି କରିବାରେ ଅଗ୍ରଣୀ ରହିଛି। ଏହା ପରେ ବିହାର, ଆନ୍ଧ୍ରପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନ ଅଛନ୍ତି। ଅବଧିକାଳୀନ ଶ୍ରମବଳ ସର୍ବେକ୍ଷଣ (ପିଏଲଏଫଏସ) ଅନୁଯାୟୀ, ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ୨୦୧୭-୧୮ରେ ୨୩.୩% ଥିବାବେଳେ ୨୦୨୩-୨୪ରେ ଏହା ୧୮.୪% ବୃଦ୍ଧି ପାଇ ୪୧.୭% କୁ ବୃଦ୍ଧି ପାଇଛି। ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତରାଖଣ୍ଡ, ବିହାର ଓ ଗୁଜରାଟରେ ମହିଳାଙ୍କ ଅଂଶଗ୍ରହଣ ସର୍ବାଧିକ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ ଯେ, ସିବିଡିଟି ଆୟକର ଆଇନ, ୧୯୬୧ର ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ କରି ଜନସାଧାରଣଙ୍କ ମତାମତ ଲୋଡ଼ିଛି। ଏହି ସମୀକ୍ଷାରେ ଚାରିଟି କ୍ଷେତ୍ରକୁ ଲକ୍ଷ୍ୟ କରାଯାଇଛି ଯଥା: ଆଇନକୁ ସରଳ କରିବା, ମାମଲା ହ୍ରାସ କରିବା, ଅନୁପାଳନକୁ ଶୃଙ୍ଖଳିତ କରିବା ଏବଂ ପୁରୁଣା ବ୍ୟବସ୍ଥାକୁ ହଟାଇବା।
ଟିକସ ବ୍ୟବସ୍ଥା ଓ ଟିଡିଏସରେ ସଂସ୍କାର ପାଇଁ ପୁରୁଣା ସୀମା ଏବଂ ଟିକସଦାତାଙ୍କ ଉପରେ ଅନୁପାଳନ ବୋଝକୁ ଦୂର କରିବା ପାଇଁ ବ୍ୟାଙ୍କ ସୁଧ ଦେୟ ଉପରେ ଟିଡିଏସ୍ ସୀମା ୧୦,୦୦୦ ଟଙ୍କାରୁ ଅତି କମରେ ୧,୦୦,୦୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି ପ୍ରସ୍ତାବ ଦିଆଯାଇଛି । ତ୍ରୈମାସିକ ପରିବର୍ତ୍ତେ ବାର୍ଷିକ ଟିଡିଏସ୍ ସାର୍ଟିଫିକେଟ୍ (ଫର୍ମ ୧୬ଏ) ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି ଯାହାଫଳରେ ଏହାକୁ ବେତନ ପାଇଁ ଫର୍ମ ୧୬ ସହ ଅନୁକୂଳ କରାଯାଇପାରିବ କାରଣ ୨୬ଏଏସ ମୁଖ୍ୟତଃ କ୍ରେଡିଟ୍ ପାଇଁ ବ୍ୟବହାର କରାଯାଇଥାଏ। ବିଶେଷ କରି ୬୦ରୁ ୮୦ ବର୍ଷ ବୟସ୍କଙ୍କୁ ଟାର୍ଗେଟ କରି ୮ ଲକ୍ଷ ରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଫ୍ଲାଟ୍ ଟିକସ ହାର ଏବଂ ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଅତିରିକ୍ତ ବ୍ୟବସ୍ଥା ରହିଛି।
୨୦୨୬ ବଜେଟରେ ଆୟକର ଆଇନର ସମୀକ୍ଷାକୁ ପ୍ରାଥମିକତା ଦେଇ ଅର୍ଥ ବିଲ୍ ରୂପେ ଉପସ୍ଥାପିତ କଲେ ୭୫ ଦିନ ମଧ୍ୟରେ ଶୀଘ୍ର ଗୃହୀତ ହୋଇପାରିବ। ଏହି ଆଭିମୁଖ୍ୟ ଦ୍ୱାରା ସମସ୍ତ ପ୍ରତ୍ୟକ୍ଷ ଟିକସ ପ୍ରସ୍ତାବକୁ ଏକ ନୂତନ କୋଡରେ ଏକତ୍ରିତ କରିବା, ଆୟକର ଆଇନ, ୧୯୬୧ରେ ସଂଶୋଧନ କୁ ଉଚ୍ଛେଦ କରିବା ଏବଂ ଆର୍ଥିକ ଅଭିବୃଦ୍ଧି ଏବଂ ଅନ୍ତର୍ଭୁକ୍ତୀକରଣ ସହିତ ଏକ ସୁବ୍ୟବସ୍ଥିତ ଟିକସ ଢାଞ୍ଚାକୁ ପ୍ରୋତ୍ସାହିତ କରିବା ସହିତ ସମୟୋପଯୋଗୀ, ବ୍ୟାପକ ଟିକସ ସଂସ୍କାର ଅଣାଯାଇପାରିବ।