ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅନ୍ୟତମ ବରପୁତ୍ର ବ୍ରିଗେଡିୟର ଚଣ୍ଡୀ ପ୍ରସାଦ ମହାନ୍ତି ଦେଶର ଉପମୁଖ୍ୟ ସେନାଅଧିକାରୀ ପଦବୀ ଲାଭ କରି ଜଗତସିଂହପୁର ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି। ଏହି ପଦୋନ୍ନତି ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବା ସହିତ ତାଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଛନ୍ତି। ଏହି ପଦବୀରେ ଶ୍ରୀଯୁକ୍ତ ମହାନ୍ତିଙ୍କୁ ଅବସ୍ଥାପିତ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।
ଶ୍ରୀଯୁକ୍ତ ମହାନ୍ତି ଜଗତସିଂହପୁର ଜିଲ୍ଲାର ଜୟବଡ଼ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ଜଗତସିଂହପୁର ଜିଲ୍ଲାର ପ୍ରତ୍ୟେକ ବ୍ୟକ୍ତି ତାଙ୍କ ପାଇଁ ନିଜକୁ ଗୌରବ ଅନୁଭବ କରୁଛନ୍ତି। ଏମିତିକି ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶ୍ରୀଯୁକ୍ତ ମହାନ୍ତିଙ୍କୁ ଜୟବଡ଼ ସ୍ଥିତ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସୁଭେଚ୍ଛା ଜଣାଇଥିଲେ।
ସେହିପରି ପୂର୍ବତନ ପୌରାଧ୍ଯକ୍ଷ ମଧୁସୂଦନ ସାହୁ, କଂଗ୍ରେସ ନେତା ନଟବର ବାରିକ, ବିଜେପି ନେତା ସତ୍ୟବ୍ରତ ମହାପାତ୍ରଙ୍କ ସମେତ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଜୟବଡ ସ୍ଥିତ ତାଙ୍କ ବାସଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି। ଦେଶକୁ ସୁରକ୍ଷା ଦେବାକୁ ହେଲେ ପ୍ରତି ଗାଁରୁ ଜଣେ ଜଣେ ଯୁବକ ସେନାରେ ଯୋଗଦିଅନ୍ତୁ ବୋଲି ଶ୍ରୀଯୁକ୍ତ ମହାନ୍ତି ପ୍ରକାଶ କରିଥିଲେ।