Categories
ବିଶେଷ ଖବର

ଭାରତ-ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ମାମଲା: ସଂସଦରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ସୀମାବର୍ତ୍ତୀ ତାୱାଙ୍ଗ କ୍ଷେତ୍ରରେ ଡିସେମ୍ବର ୯, ୨୦୨୨ ଦିନ ଘଟିଥିବା ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଆଜି ସଂସଦରେ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ଡିସେମ୍ବର ୯ ତାରିଖ ପିଏଲଏ ସୈନ୍ୟ ତାୱାଙ୍ଗ କ୍ଷେତ୍ରର ୟାଙ୍ଗସେରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଧସେଇ ପଶି ଏକତରଫା ଭାବେ ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ। ଚୀନର ଏହି ପଦକ୍ଷେପକୁ ଆମ ସୈନ୍ୟ ଦୃଢ ବିରୋଧ କଲେ। ଏପରି ମୁହାଁମୁହିଁ ସ୍ଥିତିରେ ଭାରତୀୟ ସେନା ପିଏଲଏର ସାହସିକତା ସହ ମୁକାବିଲା କରି ଆମ ଭୂଖଣ୍ଡ ମଧ୍ୟକୁ ସେମାନଙ୍କ ପ୍ରବେଶ ଉଦ୍ୟମ ପଣ୍ଡ କରିବା ଫଳରେ ସେମାନେ ନିଜ ପୋଷ୍ଟକୁ ଲେଉଟିବାକୁ ବାଧ୍ୟ ହେଲେ। ଏହି ସଂଘର୍ଷ ଯୋଗୁଁ ଉଭୟପକ୍ଷର କେତେକ ଯବାନ ଆହତ ହେଲେ। ମୁଁ ଗୃହକୁ ଜଣାଇବାକୁ ଚାହେଁ ଯେ, ଏଥିରେ କେହି ହେଲେ ଆମ ପକ୍ଷରୁ ମୃତ କିମ୍ବା ଗୁରୁତର ଆହତ ହୋଇନାହାଁନ୍ତି।

ଭାରତୀୟ ସାମରିକ କମାଣ୍ଡରମାନଙ୍କ ସମୟୋଚିତ ହସ୍ତକ୍ଷେପ ଯୋଗୁଁ ପିଏଲଏ ସୈନ୍ୟମାନେ ନିଜ ସ୍ଥାନକୁ ଫେରିଯାଇଥିଲେ। ଘଟଣା ଘଟିବା ପରେ ପରେ ସେ ଅଞ୍ଚଳର ସ୍ଥାନୀୟ କମାଣ୍ଡର ତାଙ୍କ ପ୍ରତିପକ୍ଷଙ୍କ ସହ ୧୧ ଡିସେମ୍ବର ୨୦୨୨ ଦିନ ବୈଠକରେ ଏଭଳି କାର୍ଯ୍ୟରୁ ବିରତ ରହି ସୀମାରେ ଶାନ୍ତି ଓ ସ୍ଥିରତା ରକ୍ଷା କରିବାକୁ କହିଥିଲେ। କୂଟନୀତିକ ସ୍ତରରେ ମଧ୍ୟ ଚୀନ ପକ୍ଷକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ମୁଁ ଗୃହକୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ଆମର ସୁରକ୍ଷା ବଳ ଭୂଖଣ୍ଡର ଅଖଣ୍ଡତା ରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ଓ ଏ ଦିଗରେ ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ। ମୋ ବିଶ୍ୱାସ ଯେ ସମଗ୍ର ଗୃହ ଆମ ସୈନ୍ୟମାନଙ୍କ ସମର୍ଥନରେ ଠିଆ ହେବ।